Advertisment

ରେକର୍ଡ ଭାଙ୍ଗିଲା ଜିଏସ୍‌ଟି, ଏପ୍ରିଲରେ ୨ ଲକ୍ଷ କୋଟିରୁ ଅଧିକ ଆଦାୟ

ଗତବର୍ଷ ଏପ୍ରିଲମାସ ତୁଳନାରେ ଚଳିତ ବର୍ଷ ୧୨.୪ ପ୍ରତିଶତ ଅଧିକ ଜିଏସ୍‌ଟି ଆଦାୟ ହୋଇଛି।

author-image
Madhupriya Mistry
ଅଦ୍ୟତନ ହୋଇଛି
gst

gst

ଏପ୍ରିଲ ମାସରେ ଦେଶରେ ଦ୍ରବ୍ୟ ଓ ସେବା କର(ଜିଏସ୍‌ଟି) ସଂଗ୍ରହ ରେକର୍ଡ ସୃଷ୍ଟି କରିଛି। ସମସ୍ତ ରେକର୍ଡ ଭାଙ୍ଗି ଏପ୍ରିଲ ୨୦୨୪ରେ ଜିଏସ୍‌ଟି ସଂଗ୍ରହ ୨ଲକ୍ଷ କାଟି ଟଙ୍କାରୁ ଅଧିକ ହୋଇଛି। ସରକାରଙ୍କ ରିପୋର୍ଟ ମୁତାବକ ପୂର୍ବ ସମସ୍ତ ଏପ୍ରିଲମାସ ଠାରୁ ଚଳିତ ଏପ୍ରିଲ ମାସରେ ସର୍ବାଧିକ ୨ଲକ୍ଷ ୧୦ ହଜାର କୋଟି ଟଙ୍କା ଜିଏସଟି ସଂଗ୍ରହ ହୋଇଛି।

Advertisment

ରିପୋର୍ଟ ଅନୁସାରେ ଗତବର୍ଷ ଏପ୍ରିଲମାସ ତୁଳନାରେ ଚଳିତ ବର୍ଷ ୧୨.୪ ପ୍ରତିଶତ ଅଧିକ ଜିଏସଟି ଆଦାୟ ହୋଇଛି। ସେହିଭଳି ନେଟ୍ ରେଭିନ୍ୟୁ ୧.୯୨ ଲକ୍ଷ କୋଟି ଟଙ୍କା ରହିଛି (ରିଫଣ୍ଡ ପରେ)। ଗତବର୍ଷ ଏପ୍ରିଲ ମାସ ତୁଳନାରେ ଏହା ୧୭.୧ ପ୍ରତିଶତ ଅଧିକ ବୋଲି କୁହାଯାଇଛି।

ରେକର୍ଡ ଜିଏସ୍‌ଟି ସଂଗ୍ରହ ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମଣ ଖୁସି ପ୍ରକାଶ କରିଛନ୍ତି। ଘରୋଇ କାରବାରରେ ୧୩.୪ ପ୍ରତିଶତ ଅଭିବୃଦ୍ଧି ପରେ ଦ୍ରବ୍ୟ ଏବଂ ସେବା ଟିକସ ସଂଗ୍ରହରେ ଏହି ବୃଦ୍ଧି ଦେଖିବାକୁ ମିଳିଛି ଏବଂ ଆମଦାନୀରେ ୮.୩ ପ୍ରତିଶତ ବୃଦ୍ଧି ଘଟିଛି।

Advertisment

୨୦୨୪ ଏପ୍ରିଲରେ ହୋଇଥିବା ମୋଟ ଜିଏସଟି ଆଦାୟ ମଧ୍ୟରୁ ସେଣ୍ଟ୍ରାଲ ଜିଏସଟି ବାବଦରେ ୪୩,୮୪୬ କୋଟି, ଷ୍ଟେଟ୍ ଜିଏସଟି ବାବଦରେ ୫୩,୫୩୮ କୋଟି, ଆଇଜିଏସଟି ୯୯,୬୨୩ କୋଟି ଓ ସେସ୍ ବାବଦରେ ୧୩,୨୬୦ କୋଟି ଟଙ୍କା ସଂଗ୍ରହ କରାଯାଇଛି।

ଏପ୍ରିଲରେ ରେକର୍ଡ ଜିଏସ୍‌ଟି ସଂଗ୍ରହ ପୂର୍ବରୁ ମାର୍ଚ୍ଚରେ ମଧ୍ୟ ସରକାରୀ ଖଜଣା ଜିଏସ୍‌ଟିରେ ଭରି ଯାଇଥିଲା। ମାର୍ଚ୍ଚ ୨୦୨୪ରେ ମାସିକ ଆଧାରରେ ୧.୭୮ ଲକ୍ଷ କୋଟି ଟଙ୍କାର ଜିଏସ୍‌ଟି ସଂଗ୍ରହ କରାଯାଇଥିଲା।

ଗତବର୍ଷ ଏପ୍ରିଲ ମାସରେ ଜିଏସଟି ବାବଦରେ ମୋଟ ୧.୮୭ ଲକ୍ଷ କୋଟି ଟଙ୍କା ଆଦାୟ ହୋଇଥିଲା। ସରକାରୀ ସୂଚନା ମୁତାବକ ୨୦୨୩-୨୪ ଆର୍ଥିକ ବର୍ଷରେ ମୋଟ ୨୦.୧୮ ଲକ୍ଷ କୋଟି ଟଙ୍କା ଆଦାୟ ହୋଇଛି। ଯାହା କି ୨୦୨୨-୨୩ ଆଥିର୍କ ବର୍ଷ ତୁଳନାରେ ୦.୧୮ ଲକ୍ଷ କୋଟି ଟଙ୍କା ଅଧିକ।

GST GST Collection