ଜିଏସ୍ଟି ରାଜସ୍ୱ ସଂଗ୍ରହରେ ନୂଆ ରେକର୍ଡ ହୋଇଛି। ଏପ୍ରିଲ ମାସରେ ଜିଏସ୍ଟି ସଂଗ୍ରହ ୧୨% ବୃଦ୍ଧି ପାଇଛି। ମାସକରେ ୧.୮୭ ଲକ୍ଷ କୋଟି ଟଙ୍କା ଭାରତ ସରକାରଙ୍କ ଖାତାକୁ ଆସିଛି। ୨୦୧୭ରେ ଜିଏସଟି ଲାଗୁ ହେବା ପରେ ପ୍ରଥମଥର ପାଇଁ ଏତେ ପରିମାଣର ଜିଏସ୍ଟି ସଂଗ୍ରହ ହୋଇଛି।
ଅର୍ଥମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ଏପ୍ରିଲ ମାସରେ ମୋଟରେ ୧,୮୭,୦୩୫ କୋଟି ଟଙ୍କା ଜିଏସଟି ବାବଦରୁ ମିଳିଛି। ଏହା ମଧ୍ୟରେ କେନ୍ଦ୍ରୀୟ ଜିଏସ୍ଟିର ପରିମାଣର ୩୮,୪୪୦ କୋଟି ଓ ରାଜ୍ୟ ଜିଏସଟିର ପରିମାଣ ୪୭,୪୧୨ କୋଟି ରହିଛି। ସେହିପରି ଆଇଜିଏସ୍ଟି ବାବଦରେ ୮୯,୧୫୮ କୋଟି ଓ ସେସ ବାବଦରେ ୧୨,୦୨୫ କୋଟି ଟଙ୍କା ମିଳିଛି।
ମନ୍ତ୍ରଣାଳୟ କହିଛି ଯେ ଘରୋଇ ନେଣଦେଣ(ଆମଦାଦୀ ସେବାକୁ ମିଶାଇ) ବାବଦରେ ମିଳିଥିବା ରାଜସ୍ୱ ଗତବର୍ଷ ଏପ୍ରିଲ ମାସ ତୁଳନାରେ ୧୬% ଅଧିକ। ୨୦୨୨-୨୩ ଆର୍ଥିକ ବର୍ଷରେ ମୋଟ ୧୮.୧୦ ଲକ୍ଷ କୋଟି ଟଙ୍କାର ଜିଏସ୍ଟି ମିଳିଛି। ଏହା ଗତ ଆର୍ଥିକ ବର୍ଷ ତୁଳନାରେ ୨୨% ଅଧିକ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଗତବର୍ଷ ଏପ୍ରିଲ ମାସରେ ୧.୬୮ ଲକ୍ଷ କୋଟି ଟଙ୍କାର ଜିଏସ୍ଟି ସଂଗ୍ରହ ହୋଇଥିଲା। ଏହା ଏଯାଏ ସବୁଠାରୁ ଅଧିକ ଜିଏସ୍ଟି ସଂଗ୍ରହର ରେକର୍ଡ କରିଥିଲା। ହେଲେ ୨୦୨୩ ମସିହା ଏପ୍ରିଲରେ ସଂଗ୍ରହ ହୋଇଥିବା ଜିଏସଟି ପରିମାଣ ଏହାକୁ ଅତିକ୍ରମ କରି ଯାଇଛି। ସେହିପରି ୨୦୨୩ ମାର୍ଚ୍ଚ ମାସରେ ମୋଟ ୧.୬୦ ଲକ୍ଷ କୋଟି ଟଙ୍କାର ଜିଏସ୍ଟି ସଂଗ୍ରହ ହୋଇଥିଲା।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।