Advertisment

ଏଣିକି ୨ଟି ଜିଏସଟି ସ୍ଲାବ୍‌: ଓଡ଼ିଶାର ସ୍ୱାଗତ, କେନ୍ଦୁପତ୍ର ଉପରେ ଜିଏସଟି ୫%କୁ ହ୍ରାସ

ବିଳାସପୂର୍ଣ୍ଣ ଦ୍ରବ୍ୟ ଓ କ୍ଷତିକାରକ ଜିନିଷ ଯଥା ତମାଖୁ, ପାନ ମସଲା ଆଦି ଉପରେ ୪୦% ନୂଆ ଟିକସ ହାର ଲାଗୁ କରାଯିବ ।

author-image
Ordigital Desk
ଅଦ୍ୟତନ ହୋଇଛି
GST

GST

 ୪ଟି ଜିଏସଟି ସ୍ଲାବ ପରିବର୍ତ୍ତେ ଏଣିକି ୨ଟି ଜିଏସଟି ସ୍ଲାବ ରହିବ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ୨ଦିନିଆ ୫୬ତମ ଜିଏସଟି ପରିଷଦ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଏହି ନୂଆ ଜିଏସଟି ସ୍ଲାବ ଚଳିତମାସ ୨୨ତାରିଖ ନବରାତ୍ରର ପ୍ରଥମଦିନରୁ ସମଗ୍ର ଦେଶରେ କାର୍ଯ୍ୟକାରୀ ହେବ । ଏହାସହିତ ବିଳାସପୂର୍ଣ୍ଣ ଦ୍ରବ୍ୟ ଓ କ୍ଷତିକାରକ ଜିନିଷ ଯଥା ତମାଖୁ, ପାନ ମସଲା ଆଦି ଉପରେ ୪୦% ନୂଆ ଟିକସ ହାର ଲାଗୁ କରାଯିବ । ଜିଏସଟି ପରିଷଦର ବିଭିନ୍ନ ନିଷ୍ପତ୍ତି ସମେତ କେନ୍ଦୁପତ୍ର ଉପରେ ଜିଏସଟି ୧୮%ରୁ ୫ ପ୍ରତିଶତକୁ ହ୍ରାସ ଏବଂ କ୍ଷୁଦ୍ର ବ୍ୟବସାୟୀ-ଷ୍ଟାର୍ଟଅପଙ୍କ ସରଳ ରେଜିଷ୍ଟ୍ରସନକୁ ମଧ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ୱାଗତ କରିଛନ୍ତି ।

Advertisment

୨୨ତାରିଖରୁ ନୂଆ ଟିକସ ସ୍ଲାବ୍

ଜିଏସଟି ପରିଷଦ ବୈଠକରେ କେନ୍ଦ୍ର ଓ ରାଜ୍ୟ ଅଧିକାରୀମାନଙ୍କ କମିଟି ଏବଂ ମନ୍ତ୍ରୀମାନଙ୍କ କମିଟିର ପ୍ରସ୍ତାବ ଅନୁଯାୟୀ, ଚାରିଟି ମୌଳିକ ଜିଏସଟି ସ୍ଲାବ (୫%, ୧୨%, ୧୮% ଓ ୨୮%)କୁ ହଟାଇ ଦୁଇଟି ଟିକସ ସ୍ଲାବ (୫% ଓ ୧୮%) ପ୍ରଣୟନ କରାଯିବ, ଯାହା ଚଳିତମାସ ୨୨ତାରିଖରୁ କାର୍ଯ୍ୟକାରୀ ହେବ ।ଏହାସହିତ ୫-୭ଟି ବିଲାସପୂର୍ଣ୍ଣ ଓ କ୍ଷତିକାରକ ଦ୍ରବ୍ୟ ଯଥା ତମାଖୁ, ପାନ ମସଲା, ସିଗାରେଟ ଏବଂ କାର୍ବୋନେଟେଡ୍ ପାନୀୟ ଉପରେ ୪୦% ନୂଆ କର ହାର ଲାଗୁ ହେବ । ତେବେ ବିଶେଷ ଟିକସ ହାର ୦%, ୦.୨୫%, ୧% ଓ ୩% ବଜାୟ ରଖାଯାଇଛି । ଏହି ସଂସ୍କାର ଦେଶରେ ଜିଏସଟି ବ୍ୟବସ୍ଥାକୁ ଆହୁରି ସରଳ ଓ ପାରଦର୍ଶୀ କରିବ ବୋଲି ଆଶା କରାଯାଉଛି ।

ଜରୁରୀ ଦ୍ରବ୍ୟ ଓ ସ୍ୱାସ୍ଥ୍ୟ ସେବା ଉପରେ ଟିକସ ହ୍ରାସ

ଏହି ବୈଠକରେ ଜନସାଧାରଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟ ଗ୍ରହଣ କରାଯାଇଛି । ଟୁଥପେଷ୍ଟ, ହେୟାର ଅଏଲ, ସାବୁନ, ରୁଟି, ଅଲ୍‌ଟ୍ରା-ହାଇ ଟେମ୍ପେରେଚର (ୟୁଏଚଟି) ଦୁଗ୍ଧ ଭଳି ଜରୁରୀ ଦ୍ରବ୍ୟଗୁଡ଼ିକ ଉପରେ ଟିକସ ୫% ରହିବ, ଯେଉଁଥିରେ କିଛି ଦ୍ରବ୍ୟରେ ପୂର୍ବରୁ ୧୨% ଟିକସ ଲାଗୁଥିଲା । ଏହା ସହିତ ବୟସ୍କ ନାଗରିକଙ୍କ ପାଇଁ ସ୍ୱାସ୍ଥ୍ୟ ବୀମା ପ୍ରିମିୟମକୁ ଜିଏସଟିରୁ ମୁକ୍ତ କରାଯାଇଛି, ଯାହା ଓଡ଼ିଶାର ବୟସ୍କ ଜନସାଧାରଣଙ୍କ ପାଇଁ ବେଶ୍ ଲାଭଦାୟକ ହେବ ।

Advertisment

ଜୀବନ ରକ୍ଷାକାରୀ ଔଷଧ ଉପରେ ମଧ୍ୟ ଜିଏସଟି ହାର ହ୍ରାସ କରାଯାଇଛି । ଯାହା ଓଡ଼ିଶା ସମେତ ଦେଶର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ସହାୟକ ହେବ । ପୋଷାକ ଓ ଫୁଟୱେୟାର କ୍ଷେତ୍ରରେ ମଧ୍ୟ ନୂଆ ନିୟମ ଲାଗୁ ହୋଇଛି । ୨୫୦୦ ଟଙ୍କାରୁ କମ ମୂଲ୍ୟର ପୋଷାକ ଓ ଫୁଟୱେୟାର ଉପରେ ୫% ଜିଏସଟି ଲାଗୁ ହେବ, ଯାହା ପୂର୍ବରୁ ୫% ଥିବା ଦ୍ରବ୍ୟଗୁଡ଼ିକ ପାଇଁ ଅପରିବର୍ତ୍ତିତ ରହିବ । ତେବେ, ଯେଉଁ ଦ୍ରବ୍ୟଗୁଡ଼ିକ ଉପରେ ୧୨% କର ଲାଗୁଥିଲା, ସେଗୁଡ଼ିକ ମଧ୍ୟ ଏବେ ୫% ହାରରେ ଆସିବ । ଏହା ଓଡ଼ିଶାର ଗ୍ରାହକ ଓ ଖୁଚୁରା ବ୍ୟବସାୟୀଙ୍କ ପାଇଁ ଦାମ ହ୍ରାସ ଓ ବ୍ୟବସାୟ ସୁଗମ କରିବ!

ଟିକସ ସ୍ଲାବକୁ ଓଡ଼ିଶାର ସ୍ୱାଗତ, କେନ୍ଦୁପତ୍ର ଉପରେ ଜିଏସଟି ହ୍ରାସ

୫୬ତମ ଜିଏସଟି ପରିଷଦ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶାର ଆର୍ଥିକ ସ୍ୱାର୍ଥକୁ ଗୁରୁତ୍ୱ ଦେଇ ବିଭିନ୍ନ ପ୍ରସ୍ତାବ ଉପସ୍ଥାପନ କରିଛନ୍ତି । ସେ ଟିକସ ସରଳୀକରଣ ଓ ଜୀବନ ତଥା ସ୍ୱାସ୍ଥ୍ୟ ବୀମା ଉପରୁ ଟିକସ ଛାଡ଼କୁ ସ୍ୱାଗତ କରି କହିଛନ୍ତି ଯେ, ଏହା ମଧ୍ୟମ ଓ ନିମ୍ନ ଆୟ ବର୍ଗଙ୍କ ପାଇଁ ବୀମା ସୁଲଭ କରିବ ଏବଂ ଦେଶରେ ବୀମାଭୁକ୍ତଙ୍କ ସଂଖ୍ୟା ବୃଦ୍ଧିରେ ସହାୟକ ହେବ । କ୍ଷତିପୂରଣ ସେସକୁ ୨୦୨୫ ଅକ୍ଟୋବର ୩୧ତାରିଖ ପର୍ଯ୍ୟନ୍ତ ଜାରି ରଖିବା ଓ କେନ୍ଦ୍ର-ରାଜ୍ୟ ମଧ୍ୟରେ ୫୦:୫୦ ଅନୁପାତରେ ବଂଟନ ନିମନ୍ତେ ଓଡ଼ିଶା ପ୍ରସ୍ତାବ ଦେଇଛି ।

କେନ୍ଦୁ ପତ୍ର ଉପରେ ଟିକସ ୧୮%ରୁ ୫%କୁ ହ୍ରାସ କରିବା ଆଦିବାସୀ ସଂପ୍ରଦାୟ ଓ ଶ୍ରମିକଙ୍କୁ ଲାଭ ଦେବ, ଯାହା ସରକାରୀ କ୍ରୟ ଏଜେନ୍ସି ମାଧ୍ୟମରେ ବିକ୍ରି ବୃଦ୍ଧି କରିବ । କୃଷି ଉପକରଣ ଓ ଯନ୍ତ୍ରପାତି ଉପରେ ଟିକସ ହ୍ରାସ କୃଷକଙ୍କ ଉପରୁ ଆର୍ଥିକ ବୋଝ ହ୍ରାସ କରିବ ଏବଂ ଖାଦ୍ୟ ସୁରକ୍ଷା ବୃଦ୍ଧି କରିବ । ଔଷଧ କ୍ଷେତ୍ରରେ ଟିକସ ହ୍ରାସ ଚିକିତ୍ସାକୁ ସୁଲଭ କରିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି । ଏହାସହିତ ଲ’କମିଟିର ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଦୃଢ଼ଭାବେ ସମର୍ଥନ କରି ସରଳ ଜିଏସଟି ରେଜିଷ୍ଟ୍ରେସନ ଯୋଜନା କ୍ଷୁଦ୍ର ବ୍ୟବସାୟୀ ଓ ଷ୍ଟାର୍ଟଆପଙ୍କ ପାଇଁ ଅନୁପାଳନ ଖର୍ଚ୍ଚ ହ୍ରାସ ଫଳରେ ସେମାନେ ଆନୁଷ୍ଠାନିକ ଅର୍ଥନୀତିରେ ସାମିଲ ହେବାକୁ ପ୍ରୋତ୍ସାହିତ କରିବ ତଥା ଏହା ଟିକସଦାତା ଓ ସରକାରଙ୍କ ମଧ୍ୟରେ ଦୃଢ଼ ଆସ୍ଥା ସୃଷ୍ଟି କରିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ।

ଅନ୍ୟପକ୍ଷରେ ତେବେ ଟିକସ ହ୍ରାସ ଯୋଗୁଁ ଦେଶରେ ପ୍ରାୟ ୪୮ହଜାର କୋଟିରୁ ୯୩ହଜାର କୋଟି ଟଙ୍କାର ଆୟ କ୍ଷତି ହେବାର ଆଶଙ୍କା ଦେଖା ଦେଇଛି । ଓଡ଼ିଶା ଭଳି ଜିଏସଟି ଆୟ ଉପରେ ନିର୍ଭରଶୀଳ ରାଜ୍ୟଗୁଡ଼ିକ ଉପରେ ଏହାର ପ୍ରଭାବ ଅନୁଭବ ହେବାର ଆଶଙ୍କା ରହିଛି । କେବଳ ସେତିକି ନୁହେଁ କିଛି ରାଜ୍ୟର କ୍ଷତିପୂରଣ ଦାବି ଅନୁମୋଦିତ ନହେବା ମଧ୍ୟ ଓଡ଼ିଶା ସରକାରଙ୍କ ପାଇଁ ଏକ ଚିନ୍ତାର ବିଷୟ ହୋଇପାରେ । ଦୁଇଟି ଜିଏସଟି ସ୍ଲାବ ଓ ଟିକସ ହ୍ରାସ ଓଡ଼ିଶାର ଜନସାଧାରଣ ଓ ବ୍ୟବସାୟୀଙ୍କ ପାଇଁ ଦୈନନ୍ଦିନ ଜୀବନକୁ ସହଜ ଓ ସୁଲଭ କରିବାରେ ସହାୟକ ହେବ । ତେବେ ଆୟ କ୍ଷତିର ଆଶଙ୍କା ରାଜ୍ୟ ସରକାରଙ୍କ ପାଇଁ ଏକ ଚ୍ୟାଲେଞ୍ଜ ହୋଇପାରେ । ଅବଶ୍ୟ ବିହାରର ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଏହି ନିଷ୍ପତ୍ତି ସମସ୍ତ ରାଜ୍ୟଙ୍କ ସହମତିରେ ନିଆଯାଇଛି । ଅର୍ଥାତ୍ ଏହି ନିଷ୍ପତ୍ତିରେ ଓଡ଼ିଶା ସରକାର ସମ୍ମତି ଦେଇଛନ୍ତି 

ବ୍ୟବସାୟ ଓ ଶିଳ୍ପ ପାଇଁ ସହଜ

ବୈଠକରେ ବ୍ୟବସାୟୀଙ୍କ ପାଇଁ ଜିଏସଟି ଅନୁପାଳନକୁ ସହଜ କରିବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି । ପ୍ରି-ଫିଲ୍ଡ ରିଟର୍ଣ୍ଣ ଏବଂ ସ୍ୱୟଂଚାଳିତ ଜିଏସଟି ରିଫଣ୍ଡ ଭଳି ପଦକ୍ଷେପ ଓଡ଼ିଶାର ଛୋଟ ଓ ମଧ୍ୟମ ବ୍ୟବସାୟୀଙ୍କ ପାଇଁ ଲାଭଦାୟକ ହେବ । ଏହା ସହିତ ଟେକ୍ସଟାଇଲ ଓ ଫୁଟୱେୟାର ଶିଳ୍ପରେ ଇନଭର୍ଟେଡ ଡ୍ୟୁଟି ସ୍ଲାବର ସମାଧାନ ଓଡ଼ିଶାର ସ୍ଥାନୀୟ ଶିଳ୍ପଗୁଡ଼ିକୁ ସହାୟତା କରିବ ।

ବାଣିଜ୍ୟିକ ଡ୍ରୋନ ଉପରେ ୫% ଏକୀକୃତ ଜିଏସଟି ହାର ପ୍ରସ୍ତାବ ମଧ୍ୟ ରାଜ୍ୟର ଖଣି ଓ ଶିଳ୍ପ କ୍ଷେତ୍ରରେ ନୂଆ ସୁଯୋଗ ସୃଷ୍ଟି କରିପାରେ । ତମାଖୁ, ସୋଡା ଓ ୫୦ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ବିଳାସମୟ କାର ଉପରେ ୪୦% ଟିକସ ସ୍ଲାବ ଆରମ୍ଭ କରାଯାଇଛି । ଏହି ନିୟମ ଓଡ଼ିଶାରେ ସାଧାରଣ ଗ୍ରାହକଙ୍କ ଉପରେ ସିଧାସଳଖ ପ୍ରଭାବ ପକାଇବ ନାହିଁ । ସେହିପରି କକର୍ଟ ରୋଗରେ ବ୍ୟବହୃତ ଔଷଧ ଯେପରି ଟ୍ରାଷ୍ଟୁଜୁମାବ ଡେରୁକ୍ସେଟେକାନ, ଓସିର୍ମେଟିନିବ, ଓ ଡୁରଭାଲିମାବ ଉପରେ ଜିଏସଟି ୧୨%ରୁ ୫%କୁ ହ୍ରାସ କରାଯାଇଛି । ଆଜିର ବୈଠକରେ ନିଆଯାଇଥିବା ସଂସ୍କାର ଓ ନିଷ୍ପତ୍ତି ନବରାତ୍ରିର ପ୍ରଥମ ଦିନ(ସେପ୍ଟେମ୍ବର ୨୨)ରୁ କାର୍ଯ୍ୟକାରୀ ହେବ, ଯାହା ଓଡ଼ିଶାବାସୀଙ୍କୁ ଦୀପାବଳୀ ପୂର୍ବରୁ ଏକ ବଡ଼ ଉପହାର ପ୍ରଦାନ କରିବ ।

GST Nirmala Sitharaman