Advertisment

ମହଙ୍ଗା ମାଡ଼ରୁ ମିଳିବ ଆଶ୍ୱସ୍ତି: ଶସ୍ତା ହେବ ଘିଅ, ସାବୁନ, କପଡ଼ା ସମେତ ଏହି ସବୁ ଜିନିଷ!

ବର୍ତ୍ତମାନ ୧୨% ଜିଏସ୍‌ଟି ସ୍ଲାବ ମଧ୍ୟରେ ଥିବା ଅଧିକାଂଶ ଦ୍ରବ୍ୟକୁ ସାଧାରଣ ଲୋକମାନେ ସେମାନଙ୍କ ଦୈନନ୍ଦିନ ଜୀବନରେ ବ୍ୟବହାର କରୁଛନ୍ତି।

GST

GST

Advertisment

ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତଙ୍କ ପାଇଁ ବଡ଼ ଖବର। ହ୍ରାସ ପାଇବ ସାବୁନ, ଟୁଥପେଷ୍ଟ, ଘିଅ ଓ କପଡ଼ା ଭଳି ବିଭିନ୍ନ ଦୈନନ୍ଦିନ ବ୍ୟବହୃତ ହେଉଥିବା ଜିନିଷର ଦାମ। ଏହି ସବୁ ଜିନିଷ ଉପରେ ଲାଗୁ ହେଉଥିବା ଜିଏସ୍‌ଟିକୁ କେନ୍ଦ୍ର ସରକାର କମ କରିବାକୁ ବିଚାର କରୁଛନ୍ତି। କିଛି ନିର୍ଦ୍ଦିଷ୍ଟ ଦୈନନ୍ଦିନ ବ୍ୟବହାର ହେଉଥିବା ଜିନିଷ ଉପରେ ଲାଗୁଥିବା ୧୨%ର ଜିଏସ୍‌ଟିକୁ ୫%କୁ ହ୍ରାସ କରିବା ପାଇଁ ମିଳିଥିବା ପ୍ରସ୍ତାବ ଉପରେ କେନ୍ଦ୍ର ସରକାର ଆଲୋଚନା କରୁଛନ୍ତି। କେନ୍ଦ୍ର ସରକାର ୧୨% ଜିଏସ୍‌ଟି ସ୍ଲାବକୁ ସଂପୂର୍ଣ୍ଣ ଉଚ୍ଛେଦ କରିପାରନ୍ତି କିମ୍ବା ଏହାକୁ ୫%କୁ ହ୍ରାସ କରିପାରନ୍ତି ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।

Advertisment

ସୂତ୍ର ଅନୁସାରେ, ବର୍ତ୍ତମାନ ୧୨% ଜିଏସ୍‌ଟି ସ୍ଲାବ ମଧ୍ୟରେ ଥିବା ଅଧିକାଂଶ ଦ୍ରବ୍ୟକୁ ସାଧାରଣ ଲୋକମାନେ ସେମାନଙ୍କ ଦୈନନ୍ଦିନ ଜୀବନରେ ବ୍ୟବହାର କରୁଛନ୍ତି। ଏହି ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକ କିଣିବା ପାଇଁ ଲୋକଙ୍କୁ ଅଧିକ ଟଙ୍କା ଦେବାକୁ ପଡ଼ୁଛି। ତେଣୁ କେନ୍ଦ୍ର ସରକାର ଦୈନନ୍ଦିନ ବ୍ୟବହାର ହେଉଥିବା ଦ୍ରବ୍ୟଗୁଡ଼ିକୁ ୫% ଜିଏସ୍‌ଟି ସ୍ଲାବକୁ ଆଣି ମହଙ୍ଗା ମାଡ଼ରୁ ସାଧାରଣ ଲୋକଙ୍କୁ ଆଶ୍ୱସ୍ତି ଦେବା ମୁଡରେ ରହିଛନ୍ତି। ସେହିପରି ଏହାର ବିକଳ୍ପ ଭାବେ ୧୨% ଟିକସ ସ୍ଲାବକୁ ସଂପୂର୍ଣ୍ଣ ଉଚ୍ଛେଦ ମଧ୍ୟ କରି ପାରନ୍ତି।

ଖୁବଶୀଘ୍ର ଜିଏସ୍‌ଟି ପରିଷଦର ୫୬ତମ ବୈଠକ ବସିବ। ଏହି ବୈଠକରେ ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକ ଜିଏସ୍‌ଟିର କେଉଁ ସ୍ଲାବରେ ରହିବ, ତା’ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ନିୟମ ଅନୁସାରେ ଜିଏସ୍‌ଟି ପରିଷଦ ବୈଠକର ୧୫ ଦିନ ପୂର୍ବରୁ ନୋଟିସ ଦିଆଯାଏ। ଏଯାଏ ଅବଶ୍ୟ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ନୋଟିସ ଜାରି କରାଯାଇ ନାହିଁ। କିନ୍ତୁ ଚଳିତ ମାସରେ ହିଁ ଜିଏସଟି ପରିଷଦର ବୈଠକ ବସିବ ବୋଲି ଜଣାପଡ଼ିଛି।

Advertisment

୨୦୨୪-୨୫ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ ବେଳେ ମଧ୍ୟବିତ୍ତଙ୍କୁ ଆଶ୍ୱସ୍ତି ଦେବା ପାଇଁ କେନ୍ଦ୍ର ସରକାର ଆୟକର ସ୍ଲାବରେ ପରିବର୍ତ୍ତନ କରିଥିଲେ। ଏବେ ସରକାର ପୁଣି ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତଙ୍କୁ ଆଶ୍ୱସ୍ତି ଦେବାକୁ ଜିଏସ୍‌ଟି ସ୍ଲାବ ହ୍ରାସ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଖାସ ଏହି କାରଣ ପାଇଁ ମଧ୍ୟବିତ୍ତ ଓ ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକମାନେ ଅଧିକ ମାତ୍ରାରେ ବ୍ୟବହାର କରୁଥିବା ଟୁଥପେଷ୍ଟ, ଟୁଥ ପାଉଡର, ଛତା, ସିଲେଇ ମେସିନ, ପ୍ରେସ କୁକର, ରୋଷେଇ ଘରେ ବ୍ୟବହୃତ ହେଉଥିବା ବାସନ, ବିଦ୍ୟୁତ ଚାଲିତ ଆଇରନ, ଛୋଟ କ୍ଷମତା ସମ୍ପନ୍ନ ୱାଶିଂ ମେସିନ, ବାଇ ସାଇକେଲ, ୧ ହଜାର ଟଙ୍କାରୁ ଅଧିକ ଦାମର କପଡ଼ା, ୫୦୦ରୁ ୧ ହଜାର ଟଙ୍କା ମଧ୍ୟରେ ଥିବା ଚପଲ, ଷ୍ଟେସନାରୀ ସାମଗ୍ରୀ, ବିଭିନ୍ନ ପ୍ରକାରର ଟିକା, ୱାଟର ହିଟର, ଭ୍ୟାକୁମ କ୍ଲିନର, ବହି, ଜେମୋଟ୍ରି ବକ୍ସ, ଡ୍ରଇଂ ଓ କଲର ବହି, ମ୍ୟାପ ଓ ଗ୍ଲୋବ୍ସ, କ୍ରିମକ ଟାଇଲ୍ସ ଓ କୃଷି ଜାତୀୟ ସାମଗ୍ରୀ ଇତ୍ୟାଦିରେ ଲାଗୁ ହେଉଥିବା ଜିଏସ୍‌ଟିକୁ ହ୍ରାସ କରିବାକୁ ଚାହୁଁଛନ୍ତି।

ସରକାର ଯଦି ଏହି ସାମଗ୍ରୀ ଗୁଡ଼ିକ ଉପରେ ଲାଗୁ ହେଉଥିବା ଜିଏସ୍‌ଟିକୁ ହ୍ରାସ କରନ୍ତି, ତା’ହେଲେ ୪୦ ହଜାରରୁ ୫୦ ହଜାର କୋଟି ଟଙ୍କାର ରାଜସ୍ୱ ହାନୀ ହେବ। ତଥାପି ସରକାର ଏହାର ମୁକାବିଲା କରିବାକୁ ପ୍ରସ୍ତୁତ ରହିଛନ୍ତି। ଦାମ ହ୍ରାସ ହେଲେ ଜିନିଷ ଗୁଡ଼ିକର କ୍ରୟ ବଢ଼ିବ। ଫଳସ୍ୱରୂପ ଦୀର୍ଘ କାଳୀନ ଜିଏସ୍‌ଟି ଆଦାୟରେ ଏହା ସହାୟକ ହେବ।

GST
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe