ରେଙ୍ଗାଲିରେ କାରଖାନା କରିବ ହିଣ୍ଡାଲକୋ, ୨୭୯୪ କୋଟି ଟଙ୍କାର ୧୨ ପ୍ରକଳ୍ପକୁ ସିଙ୍ଗଲୱିଣ୍ଡୋ ମଞ୍ଜୁରୀ

ଆଜି ରାଜ୍ୟସ୍ତରୀୟ ସିଙ୍ଗଲୱିଣ୍ଡୋ କ୍ଲିଅରାନ୍ସ ଅଥରିଟି ବୈଠକରେ ମୋଟ ୨୭୯୪.୪୭କୋଟି ଟଙ୍କାର ୧୨ଟି ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ଏହାଦ୍ୱାରା ୪୭୧୫ଜଣଙ୍କୁ ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ ମିଳିପାରିବ ।

Representational Image

  • Published: Tuesday, 31 October 2023
  • , Updated: 31 October 2023, 09:53 PM IST

ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ୍ ୮୩୪କୋଟି ଟଙ୍କା ବ୍ୟୟରେ ସମ୍ବଲପୁରର ରେଙ୍ଗାଲିଠାରେ ଆଲୁମିନିୟମ ବ୍ୟାଟେରୀ ଫଏଲ ନିର୍ମାଣ କରିବ । ଏଥିରେ ୧୦୩୮ଜଣଙ୍କୁ ପ୍ରତ୍ୟକ୍ଷ ନିଯୁକ୍ତି ମିଳିପାରିବ । ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ରାଜ୍ୟସ୍ତରୀୟ ସିଙ୍ଗଲୱିଣ୍ଡୋ କ୍ଲିଅରାନ୍ସ ଅଥରିଟି ବୈଠକରେ ଏହି ପ୍ରକଳ୍ପ ସମେତ ମୋଟ ୨୭୯୪.୪୭କୋଟି ଟଙ୍କାର ୧୨ଟି ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ଏହାଦ୍ୱାରା ୪୭୧୫ଜଣଙ୍କୁ ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ ମିଳିପାରିବ ।

ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ରାଜ୍ୟର ପ୍ରମୁଖ ହୋଟେଲ ଗ୍ରୁପ୍ ମେଫେୟାର ୭୩କୋଟି ଟଙ୍କା ବ୍ୟୟରେ ଝାରସୁଗୁଡ଼ାରେ ଆଉ ଏକ ହୋଟେଲ୍ ନିର୍ମାଣ କରିବ । ଭୁବନେଶ୍ୱର, ପୁରୀ,ଗୋପାଳପୁର, ପାରାଦୀପ ପରେ ଏହା ଏହି ଗ୍ରୁପର ଆଉ ଏକ ହୋଟେଲ । ଏହି ପ୍ରସ୍ତାବିତ ହୋଟେଲ ଓ ରିସୋର୍ଟରେ ପ୍ରାୟ ୧୫୦ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ । ସେହିପରି ଖୋର୍ଦ୍ଧାରେ ନାରାୟଣୀ ଗ୍ରୀନ୍ ପାକ୍ ଦ୍ୱାରା ୫୦.୮୪କୋଟି ଟଙ୍କା ବ୍ୟୟରେ ପ୍ୟାକେଜିଂ ଫ୍ୟାକ୍ଟ୍ରି ନିର୍ମାଣ ହେବ । ଏଥିରେ ୧୨୦ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ । ସେହିପରି କଳିଙ୍ଗନଗର ଶିଳ୍ପାଂଚଳରେ ନ୍ୟୁ ଲକ୍ଷ୍ମୀ ଷ୍ଟିଲ୍ ଆଣ୍ଡ ପାୱାର ୫୪୭କୋଟି ଟଙ୍କା ବ୍ୟୟରେ ବାର୍ଷିକ ୦.୩ ନିୟୁତ ଟନ୍ ଷ୍ଟିଲ ରୋଲିଂ ପ୍ରଡକ୍ଟ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ଏଥିରେ ୧୧୮୬ଜଣଙ୍କୁ ନିଯୁକ୍ତି ମିଳିପାରିବ । ସୁନ୍ଦରଗଡ଼ରେ ଅଭିରାଭ ଇଣ୍ଡଷ୍ଟ୍ରିଜ୍ ପ୍ରାଃ ୨୩୧.୮୧କୋଟି ଟଙ୍କା ବ୍ୟୟରେ ପେଲେଟ୍ ପ୍ଲାଣ୍ଟ ସ୍ଥାପନ କରିବ । ଏଥିରେ ୨୫୦ଜଣଙ୍କୁ ନିଯୁକ୍ତି ସୁଯୋଗ ଦେବ ।

ପାରାଦୀପଠାରେ ଉତ୍କଳ ଫସଫେଟ୍ ପ୍ରାଃ ଲିମିଟେଡ୍ ୬୨.୦୭କୋଟି ଟଙ୍କା ବ୍ୟୟରେ ସାର କାରଖାନା ସ୍ଥାପନ ପ୍ରସ୍ତାବକୁ ମଧ୍ୟ ମଞ୍ଜୁରୀ ମିଳିଛି । ଏଥିରେ ୧୧୦ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ । ସୁନ୍ଦରଗଡ଼ରେ ଖେଦରିଲାଲ ଇସ୍ପାତ ଲିମିଟେଡର ୫୬ କୋଟି ଟଙ୍କା ବ୍ୟୟରେ ନିଜର କାରଖାନାର ସମ୍ପସ୍ରାଣକୁ ମଞ୍ଜୁରୀ ମିଳିଛି । ୬୦ଜଣଙ୍କୁ ଅତିରିକ୍ତ ନିଯୁକ୍ତି କମ୍ପାନୀ ଯୋଗାଇ ଦେବ ।

ମା’ ତାରିଣୀ ରୋଲର ମିଲସ୍ ଦ୍ୱାରା ଖୋର୍ଦ୍ଧାରେ ୫୮.୩୦କୋଟି ଟଙ୍କା ବ୍ୟୟରେ ସମ୍ପୂର୍ଣ୍ଣ ସ୍ୱୟଂଚାଳିତ ଅଟା କଳ ସ୍ଥାପନ କରିବ । ଏଥିରେ ୭୫ଜଣଙ୍କୁ ନିଯୁକ୍ତି ଦେବ । ମିଲକ୍ ମନ୍ତ୍ରା ଡାଇରୀ କମ୍ପାନୀ ୫୧.୧୦କୋଟି ଟଙ୍କା ବ୍ୟୟରେ ପୁରୀର ଗୋପଠାରେ ଦୁଗ୍ଧଜାତୀୟ ସାମଗ୍ରୀ ଉତ୍ପାଦନ କରିବ । ୧୦୬୦ଜଣଙ୍କୁ ପ୍ରତ୍ୟକ୍ଷ ନିଯୁକ୍ତି ଏଠାରେ ମିଳିବ ।

ଫୋରଷ୍ଟାର ମେଟାଲିସ୍ ପ୍ରାଃ ଲିମିଟେଡ୍ ୬୩.୦୫କୋଟି ଟଙ୍କା ବ୍ୟୟରେ ସୁନ୍ଦରଗଡ଼ରେ ନିଜର ପ୍ରକଳ୍ପ ସ୍ଥାପନ କରି ୨୦୦ଲୋକଙ୍କୁ ନିଯୁକ୍ତି ଦେବ । ସେହିପରି ଖୋର୍ଦ୍ଧାଠାରେ ଡାଇମଣ୍ଡ ଓ ଜୁଏଲାରୀ ନିର୍ମାଣ ନିମନ୍ତେ ନ୍ୟୁଭୋ ଆୟନ ଡାଇମଣ୍ଡ ଆଣ୍ଡ ଜୁଏଲାରୀ ମାନ୍ୟୁଫାକଚରିଂ କମ୍ପାନୀ ୨୫୬.୫୦କୋଟି ଟଙ୍କା ବ୍ୟୟ କରିବ । ଏଥିରେ ୩୦୦ଜଣଙ୍କୁ ପ୍ରତ୍ୟକ୍ଷ ନିଯୁକ୍ତି ମିଳିପାରିବ । ଖୋର୍ଦ୍ଧାର ଇନଫୋଭ୍ୟାଲିରେ ସିଲିକନ୍ କାର୍ବାଇଡ୍ ଡିଭାଇସ୍ ନିର୍ମାଣ ପାଇଁ ଆରଆଇଆର ପାୱାର ଇଲୋକ୍ଟ୍ରୋନିକ୍ସ ୫୧୦.୮୦କୋଟି ଟଙ୍କା ବ୍ୟୟ କରିବ ଓ ଏହା ଦ୍ୱାରା ୨୦୬ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ ବୋଲି ଜଣାପଡ଼ିଛି ।

Related story