/odisha-reporter/media/post_attachments/uploadimage/library/16_9/16_9_0/GDP_1756379304.jpg)
GDP
ଆସନ୍ତା ୨୦୩୦ ସୁଦ୍ଧା ଭାରତର ଅର୍ଥନୀତି ୨୦.୭ ଟ୍ରିଲିୟନ ଡଲାରରେ ପହଞ୍ଚିବ। ସେହିପରି ୨୦୩୮ ସୁଦ୍ଧା ଭାରତର ଜିଡିପି ୩୪.୨ ଟ୍ରିଲିୟନରେ ପହଞ୍ଚି ପାରେ ବୋଲି EY ଇକୋନୋମୀ ୱାଚର ୨୦୨୫ ଅଗଷ୍ଟ ମାସ ସଂସ୍କରଣରେ ଉଲ୍ଲେଖ କରାଯାଇଛି। ରିପୋର୍ଟରେ କୁହାଯାଇଛି ଯେ ଭାରତର ଶକ୍ତିଶାଳୀ ଅର୍ଥନୀତିକ ରଣନୀତି, ଅନୁକୂଳ ଭୌଗଳିକ ସ୍ଥିତି, ଯୁବ ଜନସଂଖ୍ୟା, ସମତୁଲ ବୀତ୍ତିୟ ସ୍ଥିତି ଓ କାର୍ଯ୍ୟକାରୀ ହେଉଥିବା ଗଠନମୂଳକ ସଂସ୍କାର ଦୀର୍ଘକାଳୀନ ଅଭିବୃଦ୍ଧିର ସଙ୍କେତ ଦେଇଛି। ବିଶ୍ୱରେ ଅନିଶ୍ଚିତତା ଲାଗି ରହିଥିବା ବେଳେ ଭାରତର ଅଭିବୃଦ୍ଧି ବଳବତ୍ତର ରହିବ ବୋଲି ରିପୋର୍ଟରେ ଦାବି କରାଯାଇଛି।
'EY Economy Watch' ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ ଯଦି ବର୍ତ୍ତମାନ ଜାରି ରହିଥିବା ଅଭିବୃଦ୍ଧି ହାର ବଳବତ୍ତର ରହିବ, ତା’ହେଲେ ୨୦୨୮ ସୁଦ୍ଧା ଭାରତ PPP (କ୍ରୟ ଶକ୍ତି ସମାନତା) କ୍ଷେତ୍ରରେ ବିଶ୍ୱର ଦ୍ୱିତୀୟ ସର୍ବବୃହତ୍ତ ଅର୍ଥନୀତିରେ ପରିଣତ ହୋଇଯିବ। ଏହି ସମୟରେ ଭାରତର ଜିଡିପି ୩୪.୨ ଟ୍ରିଲିୟନ ଡଲାରରେ ପହଞ୍ଚିବ। ପିପିପି ଅର୍ଥ ବିଦେଶରୁ କ୍ରୟ କରିବାର କ୍ଷମତା କେଉଁ ଦେଶର କେତେ, ତା’କୁ ବୁଝାଇ ଥାଏ।
କାହିଁକି ଭାରତ ଏତେ ଭଲ ସ୍ଥିତିରେ ରହିଛି?
ବିଶ୍ୱର ଅନ୍ୟ ବଡ଼ବଡ଼ ଅର୍ଥନୀତିକ ରାଷ୍ଟ୍ରଗୁଡ଼ିକ ତୁଳନାରେ ଭାରତ ପାଖରେ କିଛି ବିରଳ ଫାଇଦା ଦେବା ଭଳି କଥା ରହିଛି। ୨୦୨୫ରେ ଭାରତୀୟଙ୍କ ହାରାହାରି ବୟସ ମାତ୍ର ୨୮.୮ ବର୍ଷ। ଏହାର ଅର୍ଥ ଦେଶରେ ଯୁବଗୋଷ୍ଠୀଙ୍କ ସଂଖ୍ୟା ବେଶ ଅଧିକ। ସେମାନେ କାମ କରିବାକୁ ସକ୍ଷମ। ନିଜର ପରିଶ୍ରମ ବଳରେ ଦେଶର ଅର୍ଥନୀତିକୁ ସେମାନେ ବେଶ କିଛି ବର୍ଷ ଧରି ନିଜ କାନ୍ଧରେ ବୋହି ଆଗକୁ ନେଇପାରିବେ।
ଏହାବାଦ ବିଶ୍ୱର ସର୍ବବୃହତ୍ତ ଅର୍ଥନୀତି ଦେଶଗୁଡ଼ିକର ସେଭିଂ ହାର ତାଲିକାରେ ଭାରତ ଦୁଇ ନମ୍ବରରେ ରହିଛି। ଏହା ଗୋଟିଏ ଚମତ୍କାର କଥା। କାରଣ ବଡ଼ବଡ଼ ପ୍ରକଳ୍ପ ଓ ବ୍ୟବସାୟ ପାଇଁ ପ୍ରଚୁର ପରିମାଣର ଅର୍ଥ ଉପଲବ୍ଧ ରହିଛି। ଅତିରିକ୍ତ ଭାବେ ଭାରତ ସରକାରଙ୍କ ଉପରେ ଋଣ ଭାର ହ୍ରାସ ପାଇବାରେ ଲାଗିଛି। ଅନ୍ୟ ଦେଶଗୁଡ଼ିକ ଉପରେ ଋଣ ଭାର ବଢ଼ି ଚାଲିଥିବା ବେଳେ ଭାରତର ଋଣ ଓ ଜିଡିପି ଅନୁପାତ ୨୦୨୪ରେ ୮୧%ରୁ ହ୍ରାସ ପାଇ ୨୦୩୦ ସୁଦ୍ଧା ୭୫%ରେ ପହଞ୍ଚିବ।
ରିପୋର୍ଟରେ ଆହୁରି ଉଲ୍ଲେଖ କରାଯାଇଛି ଯେ ଭାରତର ଶକ୍ତିଶାଳୀ ଅର୍ଥନୀତିକୁ ଅନ୍ୟ ଦେଶରେ କ’ଣ ସବୁ ଘଟୁଛି, ତା’ ଉପରେ ନିର୍ଭର କରିବାକୁ ପଡ଼ୁ ନାହିଁ। ଦେଶରେ ଗୋଟିଏ ବିରାଟକାୟ ଘରୋଇ ମାର୍କେଟ ରହିଛି। ଭାରତୀୟମାନେ ନିଜ ନିଜ ଭିତରେ କିଣାବିକା କରୁଛନ୍ତି। ଏଥିଯୋଗୁ ବିଶ୍ୱରେ ବ୍ୟବସାୟ ଧିମା ରହିଥିବା ବେଳେ ଏହାର ସେତଟା ପ୍ରଭାବ ଭାରତର ଅର୍ଥନୀତି ଉପରେ ପଡ଼ୁନାହିଁ।
ବିଶ୍ୱର ଅନ୍ୟ ଦେଶଗୁଡ଼ିକର ସ୍ଥିତି କ’ଣ?
ରିପୋର୍ଟରେ ଭାରତର ତୁଳନା ଆମେରିକା, ଚାଇନା, ଜର୍ମାନୀ ଓ ଜାପାନ ସହ କରାଯାଇଛି। ଏହି ଦେଶଗୁଡ଼ିକୁ ବେଶ ସଫଳତା ହାସଲ କରିଥିଲେ ହେଁ ବଡ଼ବଡ଼ ଚ୍ୟାଲେଞ୍ଜକୁ ସାମ୍ନା କରୁଛନ୍ତି। ଭାରତ କିନ୍ତୁ ସେଭଳି ଚ୍ୟାଲେଞ୍ଜର ସମ୍ମୁଖୀନ ହେଉ ନାହିଁ। ଉଦାହରଣ ସ୍ୱରୂପ ଚାଇନା ଏବେ ବୟସ୍କ ଜନସଂଖ୍ୟାର ସାମ୍ନା କରୁଛି। ଆମେରିକା ଉପରେ ଋଣ ଭାର ବଢ଼ି ଚାଲିଛି। ଜର୍ମାନୀ ଓ ଜାପାନ ମଧ୍ୟ ବୟସ୍କ ଜନସଂଖ୍ୟା ସହ ବିଶ୍ୱ ବାଣିଜ୍ୟ ଉପରେ ନିର୍ଭରଶୀଳ ହୋଇ ରହିଛନ୍ତି। ଏହା ନିଶ୍ଚିତ ପକ୍ଷେ ଦେଶଗୁଡ଼ିକ ପାଇଁ ଚିନ୍ତାର ବିଷୟ।
ସରଳ ବାକ୍ୟରେ କହିଲେ ଭାରତର ମିଶ୍ରତ ଯୁବ ଜନସଂଖ୍ୟା, ଉଚ୍ଚ ଘରୋଇ ଚାହିଦା ଓ ଉତ୍ସାହ କରିବା ଭଳି ଆର୍ଥିକ ସ୍ୱାସ୍ଥ୍ୟ ଏହାକୁ ଦୀର୍ଘକାଳୀନ ଅଭିବୃଦ୍ଧି ଆଡ଼କୁ ନେଇଯିବ।
ରିପୋର୍ଟରେ ଆହୁରି କୁହାଯାଇଛି ଯେ ୨୦୨୮ ସୁଦ୍ଧା ମାର୍କେଟ ଏକ୍ସଚେଞ୍ଜ ରେଟ କ୍ଷେତ୍ରରେ ଭାରତ ତୃତୀୟ ସର୍ବବୃହତ୍ତ ଅର୍ଥନୀତିରେ ପରିଣତ ହୋଇପାରେ। ଏବେ ଜର୍ମାନୀ ତୃତୀୟ ସ୍ଥାନରେ ରହିଛି। ଆମେରିକା ଟାରିଫ ଭାରତର ଜିଡିପିକୁ ୦.୯% ପ୍ରଭାବିତ କରିପାରେ। ତଥାପି ଭାରତର ଅଭିବୃଦ୍ଧିକୁ ଏହା ସମାନ୍ୟ ପ୍ରଭାବିତ କରିବ। ଶକ୍ତିଶାଳୀ ଘରୋଇ ଚାହିଦା ବଳରେ ଆମେରିକା ଟାରିଫକୁ ଭାରତ ମାତ ଦେଇପାରିବ।
ଭାରତ ଏବେ ୪.୧୯ ଟ୍ରିଲିୟନ ଡଲାର ସହ ବିଶ୍ୱର ୪ର୍ଥ ସର୍ବବୃହତ୍ତ ଅର୍ଥନୀତିର ମାନ୍ୟତା ପାଇଛି। ଯଦି ୨୦୩୦ ପରେ ବି ଭାରତ ଓ ଆମେରିକାର ଅଭିବୃଦ୍ଧି ହାର ଯଥାକ୍ରମେ ୬.୫% ଓ ୨.୧% ରହିବ, ତା’ହେଲେ ପିପିପି କ୍ଷେତ୍ରରେ ଆମେରିକା ମଧ୍ୟ ଭାରତ ତୁଳନାରେ ପଛରେ ପଡ଼ିଯିବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
