Indian Economy
ଆଉ ଏକ କୀର୍ତ୍ତିମାନ ସ୍ଥାପନ କରିଛି ଭାରତ। ଆମ ଦେଶ ବନିଯାଇଛି ବିଶ୍ୱର ଚତୁର୍ଥ ସର୍ବବୃହତ୍ତ ଅର୍ଥନୀତି। ଶନିବାର ନିତି ଆୟୋଗର ସିଇଓ ବି.ଭି.ଆର ସୁବ୍ରମଣ୍ୟମ ଏହି ସୂଚନା ଦେଇଛନ୍ତି।
ନିତି ଆୟୋଗର ୧୦ମ ଗଭର୍ଣ୍ଣିଂ କାଉନସିଲ ବୈଠକ ପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସୁବ୍ରମଣ୍ୟମ କହିଥିଲେ, ଏବେ ଯେତେବେଳେ ମୁଁ ଆପଣମାନଙ୍କ ସହିତ କଥାବାର୍ତ୍ତା ହେଉଛି, ସେତେବେଳେ ଭାରତ ଭାରତ ବିଶ୍ୱର ଚତୁର୍ଥ ସର୍ବବୃହତ୍ତ ଅର୍ଥନୀତି ହୋଇଯାଇଛି। ଭାରତର ଅର୍ଥନୀତି ୪ ଟ୍ରିଲିୟନ ଡଲାରରେ ପହଞ୍ଚି ଯାଇଛି। ଏହା ମୋର ଡାଟା ନୁହେଁ। ଆଇଏମ୍ଏଫ ଏହି ଡାଟା ଦେଇଛି।
ସେ କହିଥିଲେ, ଅର୍ଥନୀତିରେ ଜାପାନକୁ ପଛରେ ପକାଇ ଦେଇଛି ଭାରତ। ଏବେ କେବଳ ଯୁକ୍ତରାଷ୍ଟ୍ର ଆମେରିକା, ଚୀନ ଓ ଜର୍ମାନୀ ଆମଠାରୁ ଆଗରେ ରହିଛନ୍ତି। ଆମେ ଯେଉଁ ଯୋଜନା ପ୍ରସ୍ତୁତ କରୁଛୁ, ଯଦି ସେଥିରେ ଠିକ୍ ଢଙ୍ଗରେ ଚାଲିବା, ତା’ହେଲେ ଆଗାମୀ ଅଢ଼େଇ ବା ୩ ବର୍ଷରେ ଭାରତ ବିଶ୍ୱର ତୃତୀୟ ବୃହତ୍ତ ଅର୍ଥନୀତି ପାଲଟି ଯିବ। ମୋଟ ଉପରେ ଭୂ-ରାଜନୀତିକ ଓ ଅର୍ଥନୀତିକ ବାତାବରଣ ଭାରତ ସପକ୍ଷରେ ରହିଛି।
ଆଇଏମ୍ଏଫ ‘ୱାର୍ଲ୍ଡ ଇକୋନୋମିକ ଆଉଟଲୁକ୍ ଏପ୍ରିଲ ୨୦୨୫’ରେ କହିଥିଲା ଯେ ୨୦୨୫ରେ ଭାରତର ନୋମିନାଲ ଜିଡିପି ବୃଦ୍ଧିପାଇ ୪,୧୮୭.୦୧୭ ଅରବ ଡଲାର ହୋଇଯିବ। ଅନ୍ୟପକ୍ଷରେ ଜାପାନର ଜିଡିପିର ଆକାର ୪,୧୮୬.୪୩୧ ଅରବ ଡଲାର ରହିବ ବୋଲି ଅନୁମାନ।
ଆଇଏମ୍ଏଫ୍ର ଆକଳନ ଅନୁସାରେ, ଆଗାମୀ ବର୍ଷଗୁଡ଼ିକରେ ଜର୍ମାନୀକୁ ପଛରେ ପକାଇ ଭାରତ ବନିଯିବ ବିଶ୍ୱର ତୃତୀୟ ବୃହତ୍ତ ଅର୍ଥନୀତି। ୨୦୨୭ ସୁଦ୍ଧା ଭାରତର ଅର୍ଥନୀତି ୫ ଟ୍ରିଲିୟନ ଡଲାର ଅତିକ୍ରମ କରିପାରେ ଓ ଏହି ସମୟରେ ତା’ର ଜିଡିପିର ଆକାର ୫୦୬୯.୪୭ ଅରବ ଡଲାର ରହିବ ବୋଲି ଅନୁମାନ କରାଯାଉଛି। ସେହିପରି ୨୦୨୮ ସୁଦ୍ଧା ଭାରତର ଜିଡିପିର ଆକାର ୫୫୮୪.୪୭୬ ଅରବ ଡଲାର ହୋଇଯିବ। ଏହି ସମୟ ମଧ୍ୟରେ ଜର୍ମାନୀର ଜିଡିପିର ଆକାର ୫,୨୫୧.୯୨୮ ଅରବ ଡଲାର ରହିପାରେ।
ଆଇଏମ୍ଏଫ୍ର ତଥ୍ୟ ମୁତାବକ, ୨୦୨୫ରେ ଆମେରିକାର ଜିଡିପିର ଆକାର ୩୦,୫୦୭.୨୧୭ ଅରବ ଡଲାର ରହିଥିବା ବେଳେ ଏହା ଅର୍ଥନୀତିରେ ସବୁଠୁ ଆଗରେ ରହିଛି। ଏହା ପଛକୁ ରହିଥିବା ଚୀନର ଜିଡିପି ଆକାର ୧୯,୨୩୧.୭୦୫ ଅରବ ଡଲାର ରହିଛି। ଆଇଏମ୍ଏଫର ରିପୋର୍ଟ ଅନୁସାରେ ଆମେରିକାର ଜିଡିପି ବୃଦ୍ଧି ଚଳିତ ବର୍ଷ ୧.୮% ପର୍ଯ୍ୟନ୍ତ ଧିମା ରହିପାରେ।
ଚଳିତ ବର୍ଷ ୟୁରୋପର ଜିଡିପି ବୃଦ୍ଧି ହାର ମାତ୍ର ୦.୮ ପ୍ରତିଶତ ରହିପାରେ ବୋଲି ଅନୁମାନ କରିଛି ଆଇଏମ୍ଏଫ୍। ତେବେ ୨୦୨୬ରେ ଏଥିରେ ଉନ୍ନତି ହେବ ଓ ଏହା ପ୍ରାୟ ୧.୨ ପ୍ରତିଶତ ପର୍ଯ୍ୟନ୍ତ ପହଞ୍ଚି ଯିବ। ୨୦୨୫ ଓ ୨୦୨୬ରେ ଫ୍ରାନ୍ସର ଜିଡିପି ବୃଦ୍ଧି ହାର ଯଥାକ୍ରମେ ୦.୬ ଓ ୧ ପ୍ରତିଶତ ରହିବ ବୋଲି ଅନୁମାନ କରାଯାଇଛି। ୨୦୨୫ରେ ଅନ୍ୟ ଦେଶଗୁଡ଼ିକ ତୁଳନାରେ ସ୍ପେନ ଭଲ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Economy_1741516750.jpg)