Advertisment

ଭାରତର ଅର୍ଥନୀତିକ ଅଭିବୃଦ୍ଧି ହାର ୪ ବର୍ଷରେ ସବୁଠାରୁ କମ୍‌

ପୂର୍ବ ବର୍ଷ ତୁଳନାରେ ଅଭିବୃଦ୍ଧି ହାର କମ ରହିଛି ଓ ମୋଟ ଉପରେ ଅର୍ଥନୀତିକ କାର୍ଯ୍ୟକଳାପ ଥଣ୍ଡା ପଡ଼ି ଯାଇଛି।

author-image
Hemant Lenka
GDP

GDP

ଆର୍ଥିକ ବର୍ଷ ୨୦୨୪ ବର୍ଷରେ ଭାରତର ଅର୍ଥନୀତିକ ଅଭିବୃଦ୍ଧି ୬.୫% ରହିଛି। ଏହା ବିଗତ ୪ ବର୍ଷରେ ସବୁଠାରୁ କମ। ଏପରି ତଥ୍ୟ କେନ୍ଦ୍ର ପରିସଂଖ୍ୟନ ଓ କାର୍ଯ୍ୟକ୍ରମ ମନ୍ତ୍ରଣାଳୟ ଅଧୀନରେ ଥିବା ଜାତୀୟ ପରିସଂଖ୍ୟନ ଅଫିସ ବା ଏନଏସ୍‌ଓ ପକ୍ଷରୁ ଜାରି ତଥ୍ୟରୁ ସ୍ପଷ୍ଟ ହୋଇଛି।

Advertisment

ପୂର୍ବ ବର୍ଷ ତୁଳନାରେ ଅଭିବୃଦ୍ଧି ହାର କମ ରହିଛି ଓ ମୋଟ ଉପରେ ଅର୍ଥନୀତିକ କାର୍ଯ୍ୟକଳାପ ଥଣ୍ଡା ପଡ଼ି ଯାଇଥିବା ଏହି ତଥ୍ୟରୁ ଜଣାପଡ଼ିଛି। ମହାମାରୀ ପରେ ଦେଶର ଅର୍ଥନୀତି ଅପେକ୍ଷାକୃତ ଦ୍ରୁତଗତିରେ ଆଗକୁ ବଢ଼ିଥିଲା। କିନ୍ତୁ ୨୦୨୪-୨୫ ଆର୍ଥିକ ବର୍ଷର ଅଭିବୃଦ୍ଧି ହାର ଚିନ୍ତା ବଢ଼ାଇ ଦେଇଛି।

୨୦୨୩-୨୪ ଆର୍ଥିକ ବର୍ଷରେ ଭାରତର ଡିଜିପି ଦମଦାର ୯.୨% ରହିଥିଲା। ଦ୍ରୁତଗତିରେ ବଢ଼ୁଥିବା ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଭାରତର ଅଭିବୃଦ୍ଧି ହାର ସବୁଠାରୁ ଅଧିକ ଥିଲା। ସରକାରୀ ତଥ୍ୟ ଅନୁସାରେ, ୨୦୨୧-୨୨ରେ ଅର୍ଥନୀତିକ ଅଭିବୃଦ୍ଧି ହାର ୮.୭% ଓ ୨୦୨୨-୨୩ରେ ଏହା ୭.୨% ରହିଥିଲେ। କିନ୍ତୁ ୨୦୨୪-୨୫ରେ ଡିଡିପି ୬.୫% ରହିଛି।

Advertisment

ନୋମିନାଲ ଜିଡିପି ପୂର୍ବବର୍ଷ ତୁଳନାରେ ୯.୮% ବୃଦ୍ଧି ପାଇ ୩୩୦.୬୮ ଲକ୍ଷ କୋଟିରେ ପହଞ୍ଚିଛି। ସେହିପରି ବାସ୍ତବ ଜିଡିପି ୧୮୭.୯୭ ଲକ୍ଷ କୋଟି ଛୁଇଁଛି। ୨୦୨୪-୨୫ ଆର୍ଥିକ ବର୍ଷର କେବଳ ୪ର୍ଥ କ୍ୱାର୍ଟରରେ ନୋମିନାଲ ଜିଡିପି ୧୦.୮% ବୃଦ୍ଧି ପାଇ ୮୮.୧୮ ଲକ୍ଷ କୋଟି ରହିଛି।

ସରକାର ଜାରି କରିଥିବା ବିବୃତିରେ କହିଛନ୍ତି, “ବାସ୍ତବ ଜିଡିପି ୨୦୨୪-୨୫ ଆର୍ଥିକ ବର୍ଷରେ ୬.୫% ରହିଛି। ୨୦୨୪-୨୫ ଆର୍ଥିକ ବର୍ଷରେ ନୋମିନାଲ ଜିଡିପିରେ ୯.୮% ଅଭିବୃଦ୍ଧି ଦେଖାଯାଇଛି।” ପୂର୍ବରୁ ସରକାର ନୋମିନାଲ ଜିଡିପିରେ ୯.୯% ଅଭିବୃଦ୍ଧି ହେବ ବୋଲି ଆକଳନ କରିଥିଲେ।

ଯଦିଓ ପୂର୍ଣ୍ଣ ଆର୍ଥିକ ବର୍ଷର ଜିଡିପି ସଂଖ୍ୟା ୪ ବର୍ଷ ମଧ୍ୟରେ କମ ରହିଛି କିନ୍ତୁ ଶେଷ କ୍ୱାର୍ଟରର ଚିତ୍ର ନୂଆ ଉତ୍ସାହ ଭରିଛି। କ୍ୱାର୍ଟର ୪ ବା ମାର୍ଚ୍ଚ ତ୍ରୈମାସରେ ଜିଡିପି ଅଭିବୃଦ୍ଧି ୭.୪% ରହିଛି। ଏହା ପୂରା ବର୍ଷର ସମସ୍ତ ୪ କ୍ୱାର୍ଟର ମଧ୍ୟରେ ସବୁଠାରୁ ଅଧିକ। ତୃତୀୟ କ୍ୱାର୍ଟରରେ ଅଭିବୃଦ୍ଧି ହାର ୫.୬% ରହିବ ବୋଲି ଆକଳନ କରାଯାଇଥିଲା। କିନ୍ତୁ ଏହା ୬.୨% ରହିଛି।

କୋଟାକ ମହିନ୍ଦ୍ରା ବ୍ୟାଙ୍କର ମୁଖ୍ୟ ଅର୍ଥନୀତିଜ୍ଞ ଉପାସନା ଭରଦ୍ୱାଜ କହିଛନ୍ତି, “କ୍ୱାର୍ଟର ୪ର ଜିଡିପି ସଂଖ୍ୟା ଆମ ଆଶା ଠାରୁ ସାମାନ୍ୟ ଅଧିକ। କିନ୍ତୁ ମୋଟାମୋଟି ସରକାର ପ୍ରାରମ୍ଭିକ ଆକଳନ ଯାହା ଥିଲା, ଏବେ ସେଇଆ ହୋଇଛି।”

ଘରୋଇ ଖର୍ଚ୍ଚ ଗୋଟିଏ ବର୍ଷରେ ୭.୨% ବୃଦ୍ଧି ପାଇଛି। ପୂର୍ବ ଆର୍ଥିକ ବର୍ଷରେ ଏହା ୬.୬% ରହିଥିଲା। ଗ୍ରାମାଞ୍ଚଳରେ ଖର୍ଚ୍ଚର ଚାହିଦା ବଢ଼ିବାରୁ ଏପରି ସ୍ଥିତି ଦେଖାଯାଇଛି। ଏହାକୁ ଖାଦ୍ୟ ସମାଗ୍ରୀର ଦର ହ୍ରାସ ଓ ପାର୍ବଣ ଋତୁରେ ଖର୍ଚ୍ଚ ବୃଦ୍ଧି ସହାୟତା କରିଛି।

କୃଷି କ୍ଷେତ୍ରର ଅଭିବୃଦ୍ଧି ୨୦୨୪-୨୫ ଆର୍ଥିକ ବର୍ଷରେ ୪.୬% ରହିଛି। ପୂର୍ବ ବର୍ଷ ତୁଳନାରେ ଏହି କ୍ଷେତ୍ରରେ ଅଭିବୃଦ୍ଧି ହାର ୨.୭% ଅଧିକ। କ୍ୱାର୍ଟର ୪ରେ ଏହି କ୍ଷେତ୍ରରେ ୫.୪% ଅଭିବୃଦ୍ଧି ଦେଖାଯାଇଛି। ଗୋଟିଏ ବର୍ଷ ତଳେ ସମାନ କ୍ୱାର୍ଟରରେ କୃଷି ଅଭିବୃଦ୍ଧି ହାର ମାତ୍ର ୦.୯% ରହିଥିଲା।

ନିର୍ମାଣ କ୍ଷେତ୍ରର ଅଭିବୃଦ୍ଧି ହାର ୯.୪% ରହିଥିବା ବେଳେ ଏହା ପୂର୍ବ ବର୍ଷର ୧୦.୪% ଅଭିବୃଦ୍ଧି ଠାରୁ କମ। କିନ୍ତୁ ୪ର୍ଥ କ୍ୱାର୍ଟରରେ ଏହି ସେକ୍ଟରରେ ଅଭିବୃଦ୍ଧି ୧୦.୮% ରହିଛି। ୨୦୨୩-୨୪ର ଶେଷ କ୍ୱାର୍ଟରରେ ନିର୍ମାଣ ଶିଳ୍ପର ଅଭବୃଦ୍ଧି ହାର ୮.୭% ରହିଥିଲା।

ଉତ୍ପାଦନ କ୍ଷେତ୍ରର ଅଭିବୃଦ୍ଧି ହାର ୪,୫% ରହିଛି। ପୂର୍ବ ଆର୍ଥିକ ବର୍ଷ ତୁଳନାରେ ଏହା ଯଥେଷ୍ଟ କମ। ଗତବର୍ଷ ଉତ୍ପାଦନ କ୍ଷେତ୍ରର ଅଭିବୃଦ୍ଧି ହାର ୧୨.୩% ରହିଥିଲା।

GDP Indian Economy