/odisha-reporter/media/post_attachments/uploadimage/library/16_9/16_9_0/GDP__1677594077.jpg)
GDP
ମହଙ୍ଗା ମାଡ଼ ବା ମୁଦ୍ରାସ୍ଫୀତିର ପ୍ରଭାବ ଦେଶର ଅଭିବୃଦ୍ଧି ହାର ଉପରେ ପଡ଼ିଛି। ତୃତୀୟ କ୍ୱାର୍ଟର ଅର୍ଥାତ ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ଦେଶର ଜିଡିପି ମାତ୍ର ୪.୪% ରହିଛି। ଗତ କ୍ୱାର୍ଟରରେ ଏହା ୬.୩% ରହିଥିଲା। ହେଲେ ତୃତୀୟ କ୍ୱାର୍ଟରରେ ଅଭିବୃଦ୍ଧି ହାର ହ୍ରାସ ପାଇବା ସମସ୍ତଙ୍କୁ ଚିନ୍ତାରେ ପକାଇଛି।
ପରିସଂଖ୍ୟନ ଓ କାର୍ଯ୍ୟକ୍ରମ ମନ୍ତ୍ରଣାଳୟ ପକ୍ଷରୁ ଆଜି ୨୦୨୩ ଆର୍ଥିକ ବର୍ଷର ତୃତୀୟ କ୍ୱାର୍ଟରର ଅଭିବୃଦ୍ଧି ହାରର ତଥ୍ୟ ଜାରି କରାଯାଇଛି। ଏଥିରେ କୁହାଯାଇଛି ଯେ ୨୦୨୨-୨୩ ଆର୍ଥିକ ବର୍ଷର ୩ୟ କ୍ୱାର୍ଟରରେ ପ୍ରକୃତି ଜିଡିପିର ପରିମାଣ ୪୦.୧୯ ଲକ୍ଷ କୋଟି ରହିଛି। ୨୦୨୧-୨୦୨୨ ତୃତୀୟ କ୍ୱାର୍ଟରରେ ଏହା ୩୮.୫୧ ଲକ୍ଷ କୋଟି ରହିଥିଲା। ଏହାର ଅର୍ଥ ତୃତୀୟ କ୍ୱାର୍ଟରରେ ଅଭିବୃଦ୍ଧି ହାର ୪.୪ ପ୍ରତିଶତ ରହିଛି।
ଏଥିରେ ଆହୁରି ସଙ୍କେତ ଦିଆଯାଇଛି ଯେ ଚାଲୁ ବିତ୍ତ ବର୍ଷରେ ପ୍ରକୃତ ଜିଡିପିର ପରିମାଣ ୭% ରହିବ। ସେହିପରି ସରକାର ଆକଳନ କରିଛନ୍ତି ଯେ ନୋମିନାଲ ଜିଡିପି ଅଭିବୃଦ୍ଧି ୨୦୨୩ ଆର୍ଥିକ ବର୍ଷରେ ୧୫.୯% ରହିବ।
ଅର୍ଥନୀତିକ ବିଶାରଦମାନେ କହିଥିଲେ ଯେ ଉଚ୍ଚ ମୁଦ୍ରାସ୍ଫୀତି ଓ ୨୦୨୨ ମେ’ ମାସରୁ ବର୍ଦ୍ଧିତ ସୁଧ ହାର ଯୋଗୁ ଦେଶର ଅର୍ଥନୀତିକ ଅଭିବୃଦ୍ଧି ୪.୬% ରହିବ। ଏବେ ଏହା ୪.୪% ରହିଛି।
ସରକାରଙ୍କ ଜିଡିପି ଅଭିବୃଦ୍ଧି ତଥ୍ୟରୁ ସ୍ପଷ୍ଟ ହୋଇଛି ଯେ ଦେଶର ଅର୍ଥନୀତିକ ଅଭିବୃଦ୍ଧି ଆକଳନ ଠାରୁ ଯଥେଷ୍ଟ ଧିମା ରହିଛି। ବିଶ୍ୱର ଅର୍ଥନୀତି ତଳକୁ ଖସୁଥିବା ବେଳେ ଭାରତର ଅଭିବୃଦ୍ଧି ନିୟନ୍ତ୍ରଣ ମଧ୍ୟରେ ରହିବ ବୋଲି ସମସ୍ତେ କହୁଥିଲେ। ହେଲେ ଏବେ ଅଭିବୃଦ୍ଧି ହାର ହ୍ରାସ ପାଇଛି।
ଏହାର ପ୍ରଭାବ ସରକାର ଆକଳନ କରିଥିବା ଜିଡିପି ଅଭିବୃଦ୍ଧି ଉପରେ ପଡ଼ିବ। ୨୦୨୩ ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର ୭% ରହିବ ବୋଲି ସରକାର ଆକଳନ କରିଥିବା ବେଳେ ଆରବିଆଇ ଏହା ୬.୮% ରହିବ ବୋଲି ପୂର୍ବାନୁମାନ କରିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
