ଦେଶର ଖୁଚୁରା ମୁଦ୍ରସ୍ଫୀତି ଉପର ମୁହାଁ ରହିଛି। ଗତ ଡିସେମ୍ବର ମାସରେ ଖୁଚୁରା ମୁଦ୍ରସ୍ଫୀତି ୫.୬୯% ରେକର୍ଡ କରାଯାଇଛି। ଏହା ଗତ ୪ ମାସରେ ସର୍ବାଧିକ। ନଭେମ୍ବର ମାସରେ ଖୁଚୁରା ମୁଦ୍ରସ୍ଫୀତି ୫.୫% ରେକର୍ଡ କରାଯାଇଥିଲା। ସେହିପରି ଡିସେମ୍ବର ମାସରେ ଖାଦ୍ୟ ମୁଦ୍ରାସ୍ଫୀତି ୯.୫୩% ରେକର୍ଡ କରାଯାଇଛି। ନଭେମ୍ବର ମାସରେ ଖାଦ୍ୟ ମୁଦ୍ରାସ୍ଫୀତି ୮.୭୦% ଥିଲା।
ଗତ ଅକ୍ଟୋବର ମାସରେ ମୁଦ୍ରାସ୍ଫୀତି ୪.୮୭% ରହିଥିଲା। ଏହା ଗତ ୪ ମାସ ମଧ୍ୟରେ ସର୍ବନିମ୍ନ ଥିଲା। କିନ୍ତୁ ନଭେମ୍ବରରେ ଏହା ବଢ଼ିଥିଲା ଓ ଡିସେମ୍ବରରେ ଆହୁରି ବଢ଼ିଥିଲା। ତେବେ ଖୁଚୁରା ମୁଦ୍ରାସ୍ଫୀତି ୫.୬୯%ରେ ପହଞ୍ଚିଥିଲେ ହେଁ ଏହା ଆରବିଆଇର ଧାର୍ଯ୍ୟ ସୀମା ରେଖା ମଧ୍ୟରେ ରହିଛି।
ଗ୍ରାହକ ଦର ସୂଚକାଙ୍କ (CPI) ଦ୍ୱାରା ମପା ଯାଉଥିବା ଖୁଚୁରା ମୁଦ୍ରାସ୍ଫୀତିକୁ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ସବୁବେଳେ ୨ରୁ ୬% ରଖିବା ଉପରେ ଗୁରୁତ୍ୱ ଦେଇଥାଏ।
ମେ’ ମାସରେ ଖୁଚୁରା ମୁଦ୍ରାସ୍ଫୀତି ୪.୨୫% ରହିଥିଲା। ଜୁନ ମାସରେ ଏହା ୪.୮୭% ରହିଥିଲା। ଏହା ପରେ ଖୁଚୁରା ମୁଦ୍ରାସ୍ଫୀତି ବଢ଼ି ଚାଲିଥିଲା। ଜୁଲାଇ ମାସରେ ଏହା ଆରବିଆଇ ଧାର୍ଯ୍ୟ ସୀମା ରେଖା ଡେଇଁ ୭.୪୪% ରହିଥିଲା। ଅଗଷ୍ଟରେ ସାମାନ୍ୟ କମିଥିଲା, କିନ୍ତୁ ଆରବିଆଇ ଧାର୍ଯ୍ୟ ସୀମା ରେଖା ଉପରେ ରହିଥିଲା। ଅଗଷ୍ଟରେ ଏହା ୬.୮୩% ରହିଥିଲା।
ସେପ୍ଟେମ୍ବର ମାସରେ ଖୁଚୁରା ମୁଦ୍ରାସ୍ଫୀତି ୫.୦୨% ହ୍ରାସ ପାଇଥିଲା। ଅକ୍ଟୋବର ମାସରେ ଏହା ଆହୁରି ତଳକୁ ଖସି ଥିଲା ଓ ୪.୮୭% ରେକର୍ଡ କରାଯାଇଥିଲା। କିନ୍ତୁ ନଭେମ୍ବର ମାସରୁ ଖୁଚୁରା ମୁଦ୍ରସ୍ଫୀତି ପୁଣି ଉପର ମୁହାଁ ହୋଇଛି।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।