ଫେବ୍ରୁଆରୀ 1 ତାରିଖ ଶନିବାର ସଂସଦରେ 2025-26 ଆର୍ଥିକ ବର୍ଷର ବଜେଟ ଉପସ୍ଥାପିତ ହେବା ପୂର୍ବରୁ ଆଜି ସଂସଦରେ ଆର୍ଥିକ ସର୍ଭେ ରିପୋର୍ଟ-2025କୁ ସଂସଦରେ ରଖିଛନ୍ତି କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ। ଏଥିରେ 2025-26 ଆର୍ଥିକ ବର୍ଷରେ ଭାରତର ଜିଡିପି ବା ସକଳ ଘରୋଇ ଅଭିବୃଦ୍ଧି ହାର 6.3%ରୁ 6.8% ରହିବ ବୋଲି ପୂର୍ବାନୁମାନ କରାଯାଇଛି। ଅନ୍ୟପଟରେ ପ୍ରଧାନମନ୍ତ୍ରୀ ମୋଦି ଗରିବ ଓ ମଧ୍ୟବିତ୍ତଙ୍କ ଉପରେ ଲକ୍ଷ୍ମୀ ବର୍ଷା ହେଉ ବୋଲି କହିଥିବାରୁ ଆସନ୍ତାକାଲି ବଜେଟରେ ମଧ୍ୟବିତ୍ତଙ୍କ ଆୟକର ସ୍ଲାବ୍ ଓ ରିହାତି ବଢ଼ିବ ବୋଲି ଅନୁମାନ କରାଯାଉଛି। ଲୋକଙ୍କ ହାତରେ ଅଧିକ ଟଙ୍କା ରଖିବା ଓ କାରବାର ବଢ଼ାଇବା ପାଇଁ ଏହା ସହାୟକ ହେବ ବୋଲି ଆଶା କରାଯାଉଛି।
2021ରୁ 2024 ମଧ୍ୟରେ ଭାରତର ଆର୍ଥିକ ଅଭିବୃଦ୍ଧି ପ୍ରାୟ 8 ପ୍ରତିଶତ ରହୁଥିବାବେଳେ ଆନ୍ତର୍ଜାତିକ ଅସ୍ଥିରତା ସତ୍ବେ ଅଭିବୃଦ୍ଧି ଆସନ୍ତା ଆର୍ଥିକ ବର୍ଷରେ ଭାରତର ଅଭିବୃଦ୍ଧି ହାର 6.3%ରୁ 6.8% ରହିବ ବୋଲି ପୂର୍ବାନୁମାନ କରାଯାଇଛି। ଦରଦାମ ବୃଦ୍ଧି ବା ଖୁଚୁରା ମୁଦ୍ରାସ୍ଫୀତି ଲୋକଙ୍କୁ ଅଡ଼ୁଆରେ ପକାଇଥିବାବେଳେ 2024-ଆର୍ଥିକ ବର୍ଷ ତୁଳନାରେ 2025 ଏପ୍ରିଲରୁ ଡିସେମ୍ବର ମାସ ମଧ୍ୟରେ ଏହା 4.9%କୁ ଖସିଥିବା ଦେଖାଯାଇଛି। 2026 ଆର୍ଥିକ ବର୍ଷରେ ଖୁଚୁରା ମୁଦ୍ରାସ୍ଫୀତି 4%କୁ ଖସିବ ବୋଲି ପୂର୍ବାନୁମାନ କରାଯାଉଛି। ଭାରତ ଏବେ ବିଶ୍ବର ପଞ୍ଚମ ବୃହତ୍ ଅର୍ଥନୀତି ଥିବାବେଳେ 2030 ସୁଦ୍ଧା ଆମେରିକା ଓ ଚୀନ ପରେ ତୃତୀୟ ବୃହତ୍ ଅର୍ଥନୀତି ହେବ ବୋଲି ଆକଳନ କରାଯାଉଛି।
ଖାଉଟି ଚାହିଦା ସତ୍ବେ ସରିବାକୁ ଯାଉଥିବା 2024-25 ଆର୍ଥିକ ବର୍ଷରେ ଶିଳ୍ପ ଅଭିବୃଦ୍ଧି 6.2%ରେ ସୀମିତ ରହିବାକୁ ଯାଉଛି। ନିର୍ମାଣ କ୍ଷେତ୍ରରେ 9.9% ଅଭିବୃଦ୍ଧି, ସେବା କ୍ଷେତ୍ରରେ 7.6% ଅଭିବୃଦ୍ଧି ରହିବ ବୋଲି ହିସାବ କରାଯାଇଛି। ତେବେ ଏହା ଭିତରେ ବିଦେଶୀ ପୁଞ୍ଜି ନିବେଶ ବା ଏଫଡିଆଇ ହାର ପୂର୍ବ ଅପେକ୍ଷା 17.9% ବଢ଼ି 55.6 ବିଲିଅନ୍ ଡଲାରରେ ପହଞ୍ଚିଛି।
ସରକାର କିଛି ବର୍ଷ ଧରି ମେକ୍-ଇନ୍-ଇଣ୍ଡିଆକୁ ଗୁରୁତ୍ବ ଦେବାର ସୁଫଳ କ୍ରମଶଃ ଦେଖିବାକୁ ମିଳୁଛି। ବର୍ତ୍ତମାନର ଦେଶର 99% ସ୍ମାର୍ଟ ଫୋନ୍ ଭାରତରେ ତିଆରି ହେଉଛି। ଓପନ୍ ନେଟଓ୍ବାର୍କ ଫର ଡିଜିଟାଲ କମର୍ସ ବା ONDC ବଢ଼ିବା ଫଳରେ କୋଟି କୋଟି ସଂଖ୍ୟାରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ, ଟ୍ୟାକ୍ସି ଓ ଅଟୋ ଡ୍ରାଇଭର, ବିକ୍ରେତା ଓ କ୍ରେତା ସିଧାସଳଖ କାରବାର କରି ଲାଭ ପାଉଛନ୍ତି। ବିକଶିତ ଭାରତର ଲକ୍ଷ୍ୟକୁ ପୂରଣ କରିବାକୁ ଉଦ୍ୟମ କରାଯାଉଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି।
ରିପୋର୍ଟ: ଲକ୍ଷ୍ମୀନାରାୟଣ କାନୁନଗୋ
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।