/odisha-reporter/media/post_attachments/uploadimage/library/16_9/16_9_0/UK_1753356851.jpg)
UK
ଭାରତ ଓ ବ୍ରିଟେନ ମଧ୍ୟରେ ହୋଇଛି ଐତିହାସିକ ମୁକ୍ତ ବାଣିଜ୍ୟ ଚୁକ୍ତି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତାଙ୍କ ବ୍ରିଟେନ ପ୍ରତିପକ୍ଷ କେର ଷ୍ଟାର୍ମରଙ୍କ ଉପସ୍ଥିତିରେ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଛି। ମୁକ୍ତ ବାଣିଜ୍ୟ ଚୁକ୍ତି ବା ଏଫଟିଏ ଦ୍ୱାରା ଦ୍ୱିପାକ୍ଷିକ ବ୍ୟବସାୟ ବାର୍ଷିକ ୩୪ ବିଲିୟନ ଡଲାରକୁ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ୨୦୩୦ ସୁଦ୍ଧା ଦୁଇ ଦେଶ ମଧ୍ୟରେ ବ୍ୟବସାୟିକ ସମ୍ପର୍କ ପୂର୍ବାପେକ୍ଷା ୨ ଗୁଣା ବଢ଼ିବ। ୨୦୨୦ରେ ୟୁରୋପୀୟ ୟୁନିୟନୁ ବାହାରିବା ପରେ ବ୍ରିଟେନ କୌଣସି ଦେଶ ସହ ଏତେ ବଡ଼ ଚୁକ୍ତି କରିଛି।
ଏହି ଡିଲ୍ରେ ଭାରତର ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋଏଲ ଓ ତାଙ୍କ ବ୍ରିଟେନ ପ୍ରତିପକ୍ଷ ଜୋନାଥନ ରେନୋଲ୍ଡସ ଦସ୍ତଖତ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଓ ଷ୍ଟାର୍ମର ଲଣ୍ଡନରେ ଦ୍ୱିପାକ୍ଷିକ ଆଲୋଚନା କରିବା ପରେ ଦୁଇ ଦେଶ ମଧ୍ୟରେ ଏଫଟିଏ ହୋଇଛି।
ଐତିହାସିକ ଚୁକ୍ତି ପରେ ମିଳିତ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଏଫଟିଏ ଭାରତ ଓ ବ୍ରିଟେନ ମଧ୍ୟରେ ଥିବା ସମୃଦ୍ଧିର ପରିଚୟ। ଏହି ଡିଲ ଦ୍ୱିପାକ୍ଷିକ ବ୍ୟବସାୟକୁ ୩୪ ଅରବ ଆମେରିକୀୟ ଡଲାରକୁ ବୃଦ୍ଧି କରିବାର ଆଶା ରହିଛି।
ମୋଦି କହିଛନ୍ତି, “ଆଜି ଆମ ସମ୍ପର୍କରେ ଗୋଟିଏ ଐତିହାସିକ ଦିନ। ବହୁ ବର୍ଷର କଠିନ ପରିଶ୍ରମ ପରେ ଆଜି ଦୁଇ ଦେଶ ମଧ୍ୟରେ ବ୍ୟାପକ ଆର୍ଥିକ ଓ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷରିତ ହେବା ମୋତେ ଆନନ୍ଦିତ କରିଛି। ଗୋଟିଏ ପଟେ ଭାରତର କପଡ଼ା, ଜୋତା, ରତ୍ନ ଅଳଙ୍କାର, ସାମୁଦ୍ରିକ ଖାଦ୍ୟ ଓ ଇଞ୍ଜିନିୟରିଂ ସାମଗ୍ରୀ ଗୁଡ଼ିକୁ ବ୍ରିଟେନ ବଜାରରେ ପ୍ରବେଶ ପାଇଁ ଭଲ ସୁଯୋଗ ମିଳିବ। ଭାରତର କୃଷି ଉତ୍ପାଦ ଓ ପ୍ରୋସେସଡ ଖାଦ୍ୟ ଶିଳ୍ପ ପାଇଁ ବ୍ରିଟେନ ମାର୍କେଟରେ ନୂଆ ସୁଯୋଗ ସୃଷ୍ଟି କରିବ। ଏହି ଚୁକ୍ତି ଭାରତୀୟ ଯୁବଗୋଷ୍ଠୀ, ଚାଷୀ, ମତ୍ସ୍ୟଜୀବୀ ଓ ଏମଏସ୍ଏମଇ କ୍ଷେତ୍ରକୁ ବିଶେଷ ରୂପରେ ଫାଇଦା ଦେବ।”
ଭାରତର ସାଧାରଣ ଲୋକ ଓ ଉଦ୍ୟୋଗଗୁଡ଼ିକ ବ୍ରିଟେନ ନିର୍ମିତ ସାମଗ୍ରୀଗୁଡ଼ିକୁ ସହଜରେ ପାଇପାରିବେ। ବିଶେଷ କରି ମେଡିକାଲ ଡିଭାଇସ ଓ ଏରୋସ୍ପେଶ ଅଂଶବିଶେଷ ବେଶ ଶସ୍ତାରେ ମିଳିପାରିବ ବୋଲି ମୋଦି କହିଛନ୍ତି।
ଷ୍ଟାର୍ମର ମଧ୍ୟ ଏଫଟିଏ ଉଭୟ ଭାରତ ଓ ବ୍ରିଟେନକୁ ବଡ଼ ଧରଣର ଫାଇଦା ଦେବ ବୋଲି କହିଛନ୍ତି। ସେ କହିଛନ୍ତି, “ଉଭୟ ଦେଶକୁ ଏହି ଡିଲ ବଡ଼ଧରଣର ଲାଭ ଦେବ। ପାରିଶ୍ରମିକ ବୃଦ୍ଧି କରିବ, ଜୀବନ ଶୈଳୀରେ ଉନ୍ନତି ଆଣିବ ଓ ଲୋକଙ୍କ ପକେଟରେ ଅଧିକ ଟଙ୍କା ଗଚ୍ଛିତ କରିବାରେ ଏହା ସହାୟକ ହେବ। ଏହା ଚାକିରି ପାଇଁ, ବ୍ୟବସାୟ ପାଇଁ, ଟାରିଫ ହ୍ରାସ ପାଇଁ, ବାଣିଜ୍ୟକୁ ଶସ୍ତା କରିବା ପାଇଁ ଗୋଟିଏ ଚୁକ୍ତି। ଲୋକମାନେ ସବୁ କିଛି ବେଶ ସହଜରେ ହାସଲ କରିପାରିବେ। ୟୁରୋପୀୟ ୟୁନିୟନରୁ ବାହାରିବା ପରେ ଏହା ବ୍ରିଟେନ ପାଇଁ ସବୁଠାରୁ ବଡ଼ ଓ ଅର୍ଥନୀତିକ ଦୃଷ୍ଟି କୋଣରୁ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି।”
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
