ଅଭିବୃଦ୍ଧି ହାରରେ ରେକର୍ଡ
ସେପ୍ଟେମ୍ବର କ୍ୱାର୍ଟରରେ ଭାରତର ଅର୍ଥନୀତିକ ଇଞ୍ଜିନ ପାଇଛି ବଳ। ଦେଶର ଅର୍ଥନୀତିକ ଅଭିବୃଦ୍ଧି ହାର ବା ଜିଡିପି( GDP) ୮.୨% ରହିଛି। ୨୦୨୫-୨୬ ଆର୍ଥିକ ବର୍ଷର ଦ୍ୱିତୀୟ କ୍ୱାର୍ଟରରେ ଅର୍ଥନୀତିକ ଅଭିବୃଦ୍ଧି ହାର ବେଶ ଉତ୍ସାହ ଜନକ ରହିଛି।
ବର୍ଷକ ତଳେ ସମାନ ସମୟରେ ଦେଶର ବାସ୍ତବ ଜିଡିପି ୫.୬% ରେକର୍ଡ ହୋଇଥିଲା। ସେହିପରି ୨୦୨୫-୨୬ ଆର୍ଥିକ ବର୍ଷର ପ୍ରଥମ କ୍ୱାର୍ଟରର ଅଭିବୃଦ୍ଧି ହାର ୭.୮% ତୁଳନାରେ ମଧ୍ୟ ଏହା ଅଧିକ। ବିଗତ ୬ଟି କ୍ୱାର୍ଟର ମଧ୍ୟ ବାସ୍ତବ ଡିଜିପି ୮.୨% ହାରରେ କେବେ ବି ବୃଦ୍ଧି ପାଇ ନଥିଲା।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ଟାରିଫ ଲଗାଇଥିବାରୁ ଅଭିବୃଦ୍ଧି ହାର ପ୍ରଭାବିତ ହେବ ବୋଲି ଅନେକ ଅର୍ଥନୀତିକ ପଣ୍ଡିତମାନେ ମତ ରଖିଥିଲେ। କିନ୍ତୁ ଟାରିଫ ଛାଟ ସତ୍ତ୍ୱେ ଦେଶର ଅର୍ଥନୀତିକ ଅଭିବୃଦ୍ଧି ହାର ନୂଆ ରେକର୍ଡ କରିଛି।
ଉତ୍ପାଦନ, ନିର୍ମାଣ ଓ ସେବା କ୍ଷେତ୍ରକୁ ମିଳିଥିବା ବଳ ଯୋଗୁ ଦେଶର ଅର୍ଥନୀତି ୮.୨% ହାରରେ ଦୌଡ଼ି ଥିବା ଜାତୀୟ ପରିସଂଖ୍ୟନ ଅଫିସ (ଏନଏସ୍ଓ) ପକ୍ଷରୁ ଜାରି ତଥ୍ୟରେ କୁହାଯାଇଛି। ସ୍ଥିର ଦରରେ ଜିଡିପି ଜୁଲାଇ-ସେପ୍ଟେମ୍ବର କ୍ୱାର୍ଟରରେ ୪୮.୬୩ ଲକ୍ଷ କୋଟି ରହିଛି। ବର୍ଷକ ତଳେ ଏହା ୪୪.୯୪ ଲକ୍ଷ କୋଟି ରହିଥିଲା। ନୋମିନାଲ ଜିଡିପି ୮.୭% ହାରରେ ବଢ଼ି ୮୫.୨୫ ଲକ୍ଷ କୋଟି ରହିଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଦେଶର ଅଭିବୃଦ୍ଧି ହାରକୁ ଦେଖି ବେଶ ଉତ୍ସାହିତ ହୋଇ ପଡ଼ିଛନ୍ତି। ଏହି ସଂଖ୍ୟା ଅତ୍ୟନ୍ତ ଉତ୍ସାହ ଜନକ ବୋଲି କହିବା ସହ ଭାରତୀୟଙ୍କ କଠିନ ପରିଶ୍ରମ ଓ ଏଣ୍ଟରପ୍ରାଇଜେସକୁ ଧନ୍ୟବାଦ ଜଣାଇଛନ୍ତି।
ସେ କହିଛନ୍ତି, “ ୨୦୨୫-୨୬ର କ୍ୱାର୍ଟର ୨ରେ ୮.୨% ଜିଡିପି ଅଭିବୃଦ୍ଧି ବେଶ ଉତ୍ସାହଜନକ। ଏହା ଆମର ଅଭିବୃଦ୍ଧି ସପକ୍ଷବାଦୀ ନୀତି ଓ ସଂସ୍କାରର ପ୍ରଭାବକୁ ଦର୍ଶାଉଛି। ଆମ ଲୋକଙ୍କ କଠିନ ପରିଶ୍ରମ ଓ ଏଣ୍ଟରପ୍ରାଇଜେସକୁ ମଧ୍ୟ ଏହା ଦର୍ଶାଉଛି। ଆମ ସରକାର ଅତ୍ୟାଧୁନିକ ସଂସ୍କାର ଜାରି ରଖିବେ ଓ ପ୍ରତିଟି ଲୋକଙ୍କ ଜୀବନ ଶୈଳୀକୁ ଆହୁରି ମଜବୁତ କରିବେ।”
କ୍ୱାର୍ଟର ୨ରେ ଉତ୍ପାଦନ ୯.୧%, ନିର୍ମା ୭.୨% ଓ ବ୍ୟାପକ ମାଧ୍ୟମିକ କ୍ଷେତ୍ର ୮.୧% ଅଭିବୃଦ୍ଧି ହୋଇଛି। ଅର୍ଥନୀତିରେ ସେବା କ୍ଷେତ୍ରର ଯୋଗଦାନ ସବୁଠାରୁ ଅଧିକ ରହିଛି। ଏହି କ୍ଷେତ୍ର ୯.୨% ହାରରେ ବଢ଼ିଛି।
ତେବେ କୃଷି କ୍ଷେତ୍ରର ଅଭିବୃଦ୍ଧି ସାମାନ୍ୟ ଧିମେଇ ଯାଇଛି। କୃଷି କ୍ଷେତ୍ର କେବଳ ୩.୫% ହାରରେ ବଢ଼ିଥିବା ବେଳେ ବିଜୁଳି, ଗ୍ୟାସ ଓ ଜଳ ଯୋଗାଣର ଅଭିବୃଦ୍ଧି ହାର ୪.୪%ରେ ଆଗେଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2025/11/28/gdp-2025-11-28-18-25-39.jpg)