ଦୈନିକ ୧୪ ଘଣ୍ଟା କାମ କରିବେ କର୍ମଚାରୀ! ପ୍ରସ୍ତାବ ଦେଲେ ଏକାଧିକ କମ୍ପାନୀ

କମ୍ପାନୀର କର୍ମଚାରୀମାନେ ଦୈନିକ ୧୪ ଘଣ୍ଟା କାମ କରିବା ଦରକାର ବୋଲି ସେମାନେ କହିଛନ୍ତି।

Representational image

  • Published: Sunday, 21 July 2024
  • , Updated: 21 July 2024, 03:57 PM IST

କର୍ଣ୍ଣାଟକାରେ ଥିବା ଏକାଧିକ ଆଇଟି କମ୍ପାନୀ କର୍ମଚାରୀମାନଙ୍କ ଦୈନିକ କାର୍ଯ୍ୟକୁ ବୃଦ୍ଧି କରିବାକୁ ଚାହୁଁଛନ୍ତି। କମ୍ପାନୀର କର୍ମଚାରୀମାନେ ଦୈନିକ ୧୪ ଘଣ୍ଟା କାମ କରିବା ଦରକାର ବୋଲି ସେମାନେ କହିଛନ୍ତି।

କାର୍ଯ୍ୟ ଘଣ୍ଟାକୁ ୧୪କୁ ବୃଦ୍ଧି କରିବା ପାଇଁ ଆଇଟି କମ୍ପାନୀଗୁଡ଼ିକ ରାଜ୍ୟ ସରକାରଙ୍କୁ ଗୋଟିଏ ପ୍ରସ୍ତାବ ଦେଇଥିବା ଜଣାପଡ଼ିଛି। ତେବେ ଏହାକୁ ବିଭିନ୍ନ କର୍ମଚାରୀ ସଂଘ ପକ୍ଷରୁ ବିରୋଧ କରାଯାଇଛି। ଏପରି ପ୍ରସ୍ତାବ ଅମାନବୀୟ ଓ ଛଟେଇ କରିବାର ନୂଆ କୌଶଳ ବୋଲି ସେମାନେ କହିଛନ୍ତି।

ମିଳିଥିବା ସୂଚନା ଅନୁସାରେ, କର୍ଣ୍ଣାଟକା ସରକାର ଏବେ ରାଜ୍ୟ ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନ ଆଇନ ୧୯୬୧କୁ ସଂଶୋଧନ କରିବାକୁ ଚାହୁଁଛନ୍ତି। ଆଇଟି କମ୍ପାନୀଗୁଡ଼ିକ ସେମାନଙ୍କ ପ୍ରସ୍ତାବ ସଂଶୋଧିତ ଆଇନରେ ସ୍ଥାନ ପାଉ ବୋଲି ଚାହୁଁଛନ୍ତି। ସେମାନେ ଆଇନଗତ ଭାବେ କାମ କରିବା ସମୟକୁ ୧୪ ଘଣ୍ଟା(୧୨+୨ ଓଭର ଟାଇମ) କରିବାକୁ ଲକ୍ଷ୍ୟ ରଖିଛନ୍ତି।

ଶ୍ରମିକ ଆଇନ ଅନୁସାରେ, ଜଣେ କର୍ମଚାରୀ ୯ ଘଣ୍ଟା କାମ କରିପାରିବେ। ଏହାପରେ ୧ ଘଣ୍ଟା ଓଭର ଟାଇମ ପାଇଁ ଅନୁମତି ରହିଛି।

ଆଇଟ ସେକ୍ଟରଗୁଡ଼ିକ ପ୍ରସ୍ତାବ ଦେଇ କହିଛନ୍ତି ଯେ ଆଇଟି/ବିପିଓ କ୍ଷେତ୍ରରେ କାମ କରୁଥିବା କର୍ମଚାରୀମାନଙ୍କୁ ୧୨ରୁ ଅଧିକ ଘଣ୍ଟା କାମ କରିବା ଉଚିତ। ସେହିପରି ଏହା କ୍ରମାଗତ ୩ ମାସ ଧରି ୧୨୫ ଘଣ୍ଟାରୁ ଅଧିକ ନ ହେବା ଦରକାର।

କମ୍ପାନୀଗୁଡ଼ିକ ଦେଇଥିବା ପ୍ରସ୍ତାବ ଉପରେ ସରକାର ପ୍ରାଥମିକ ଭାବେ ଆଲୋଚନା କରିଛନ୍ତି। ଏହାପରେ ଖୁବଶୀଘ୍ର ନିଷ୍ପତ୍ତି ହେବ। ସେହିପରି ରାଜ୍ୟ କ୍ୟାବିନେଟରେ ମଧ୍ୟ ଏହା ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି।

ଅନ୍ୟପକ୍ଷରେ କାର୍ଯ୍ୟ ସମୟ ବୃଦ୍ଧି ପ୍ରସ୍ତାବକୁ କର୍ଣ୍ଣାଟକା IT/ITeS କର୍ମଚାରୀ ସଂଘ( କେଆଇଟିୟୁ) ପକ୍ଷରୁ ଜୋରଦାର ବିରୋଧ କରାଯାଇଛି। ସଂଘ କହିଛି ଯେ ଏପରି ସଂ‌ଶୋଧନ ଦ୍ୱାରା କମ୍ପାନୀର ଶିଫ୍ଟ ବ୍ୟବସ୍ଥା ୩ରୁ ୨କୁ ଖସି ଆସିବ। ଫଳରେ ଏକ ତୃତୀୟାଂଶ କର୍ମଚାରୀ ଚାକିରି ହରାଇବେ।

କେସିସିଆଇର ରିପୋର୍ଟ ଅନୁସାରେ ଆଇଟି ସେକ୍ଟରର ୪୫% କର୍ମଚାରୀ ମାନସିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହା ମଧ୍ୟରେ ଅବଶାଦ ରହିଛି। ୫୫% କର୍ମଚାରୀ ଶାରୀରିକ ସମସ୍ୟା ଭୋଗୁଛନ୍ତି। ଏପରି ସ୍ଥିତିରେ କାର୍ଯ୍ୟ କରିବାର ସମୟ ବୃଦ୍ଧି ଆହୁରି ଜଟିଳ ସମସ୍ୟା ସୃଷ୍ଟି କରିବ। ଏପରି ପ୍ରସ୍ତାବ ଅମାନବୀୟ ବୋଲି ସଂଘ କହିଛି।

Related story