ଜଗତସିଂହପୁର ଜିଲ୍ଲାର ଏରସମା ତହସିଲ ଅଂଚଳରେ(ପ୍ରସ୍ତାବିତ ପୋସ୍କୋ ଅଂଚଳ) ୨୯୫୦.୩୧ଏକର ଜମିକୁ ଦଖଲକୁ ନେଲା ଜେଏସଡବ୍ଲ୍ୟୁ ଉତ୍କଳ ଷ୍ଟିଲ । ପୂର୍ବରୁ ଓଡ଼ିଶା ସରକାରଙ୍କ ୨୭୨.୫୧ଏକର ଅଣଜଙ୍ଗଲ ଜମିର ଲିଜକୁ ଦଖଲକୁ ନେଇଥିଲା ଜେଏସଡବ୍ଲ୍ୟୁ । ଏବେ ୨୬୭୭.୮୦ଏକର ଜଙ୍ଗଲ ଜମିକୁ ଦଖଲକୁ ନେଇଛି । ଏନେଇ ରାଜନଗର ବନଖଣ୍ଡ ଅଧିକାରୀଙ୍କଠୁ ପଜେସନ୍ ଦସ୍ତାବିଜ ମିଳିଥିବା ଜେଏସଡବ୍ଲ୍ୟ କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି ।
ସାଧାରଣ ନିର୍ବାଚନ ପୂର୍ବରୁ ଜେଏସଡବ୍ଲ୍ୟୁ ଷ୍ଟିଲର ସହଯୋଗୀ କମ୍ପାନୀ ଜେଏସଡବ୍ଲ୍ୟୁ ଉତ୍କଳ ଷ୍ଟିଲ ଏହି ବିବାଦୀୟ ଜମିକୁ ନିଜ ଦଖଲକୁ ନେବାକୁ ନେଇ ରାଜନୀତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି ।
ସୂଚନା ଅନୁସାରେ, ନିଜର ସହଯୋଗୀ କମ୍ପାନୀ ଜେଏସଡବ୍ଲ୍ୟୁ ଉତ୍କଳ ଷ୍ଟିଲକୁ ରାଜନଗର ବନଖଣ୍ଡ ଅଧିକାରୀଙ୍କଠୁ ୨୬୭୭.୮୦ଏକର ଜଙ୍ଗଲ ଜମିକୁ ଦଖଲକୁ ନେବାର ଦସ୍ତାବିଜ ମିଳିଛି । କମ୍ପାନୀକୁ ପୂର୍ବରୁ ଓଡ଼ିଶା ସରକାର ୨୭୨.୫୧ ଏକର ଅଣଜଙ୍ଗଲ ଜମିକୁ ଲିଜରେ ଦେଇଥିଲେ । ଏହାସହିତ ନିଜର ମେଗା ପ୍ରକଳ୍ପ ନିର୍ମାଣ ପାଇଁ ଏରସମା (ରାଜନଗର ବନଖଣ୍ଡ ଅନ୍ତର୍ଗତ) ତହସିଲ ଅଂଚଳରେ ମୋଟ୍ ୨୯୫୦.୩୧ ଏକର ଜମି ଦଖଲକୁ ନେଇଛି । ଜଙ୍ଗଲ ଜମି ଅଧିକାର ଆଇନ ଅନ୍ତର୍ଗତ ଏହି ଜଙ୍ଗଲ ଜମିକୁ କମ୍ପାନୀକୁ ପଜେସନ୍ ଦିଆଯାଇଛି ବୋଲି ସୂଚନା ମିଳିଛି ।
ଜେଏସଡବ୍ଲ୍ୟୁ ଉତ୍କଳ ଷ୍ଟିଲର ଏହି ପ୍ରସ୍ତାବିତ ମେଗା ଇସ୍ପାତ ପ୍ରକଳ୍ପକୁ ୨୦୨୨ ଏପ୍ରିଲ ମାସରେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ପକ୍ଷରୁ ପରିବେଶ କ୍ଲିଅରାନ୍ସ ମିଳିଥିଲା । ଯାହା ସଂଶୋଧିତ ସର୍ତ୍ତାବଳୀ ସହ ୨୦୨୩ ସେପ୍ଟେମ୍ବରରେ ପୁଣିଥରେ ମଞ୍ଜୁର ହୋଇଛି । ୨୦୨୩ ଏପ୍ରିଲ ମାସରେ ଏନଜିଟି ଏହି ପରିବେଶ ମଞ୍ଜୁରୀ ଉପରେ ରୋକ୍ ଲଗାଇବା ସହ ୩ ମାସ ମଧ୍ୟରେ ନିଷ୍ପତ୍ତି ନେବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
୨୦୧୭ ଜୁନ୍ ୨ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜେଏସଡବ୍ଲ୍ୟୁ ଉତ୍କଳ ଷ୍ଟିଲ ଦ୍ୱାରା ଏରସମାରେ ମେଗା ପ୍ରକଳ୍ପ ନିର୍ମାଣକୁ ହାଇଲେଭଲ ବୈଠକରେ ମଞ୍ଜୁରୀ ପ୍ରଦାନ କରିଥିଲେ । କମ୍ପାନୀ ସେଠାରେ ବାର୍ଷିକ ୧୩.୨ ନିୟୁତ ଟନ୍ ବିଶିଷ୍ଟ ମେଗା ଇସ୍ପାତ କାରଖାନା, ବାର୍ଷିକ ୧୦ ନିୟୁତ ଟନ ଉତ୍ପାଦନ ବିଶିଷ୍ଟ ସିମେଂଟ କାରଖାନା ଓ ୯୦୦ ମେଗାୱାଟର କ୍ୟାପଟିଭ ପାୱାର ପ୍ଲାଣ୍ଟ ନିମନ୍ତେ ମୋଟ ୬୫ହଜାର କୋଟି ଟଙ୍କା ବ୍ୟୟ କରିବାକୁ ଲକ୍ଷ୍ୟ ରଖିଛି ।
ସୂଚନାଯୋଗ୍ୟ, ଦକ୍ଷିଣ କୋରିଆ ଇସ୍ପାତ କମ୍ପାନୀ ପୋସ୍କୋକୁ ସ୍ଥାନୀୟ ଲୋକଙ୍କ ବିରୋଧ ଓ ସରକାରଙ୍କ ସହଯୋଗ ନ ମିଳିବାରୁ ନିଜର ପ୍ରସ୍ତାବିତ ପ୍ରକଳ୍ପରୁ କମ୍ପାନୀ ୨୦୧୭ ମସିହାରେ ଓହରି ଯାଇଥିଲା । ଏହାପରେ ଉକ୍ତ ଅଂଚଳ ଉପରେ ଜେଏସଡବ୍ଲ୍ୟୁ ଆଖି ପକାଇଥିଲା । ତେବେ ଜେଏସଡବ୍ଲ୍ୟୁ ଉତ୍କଳର ପାରାଦୀପ ବନ୍ଦର ନିକଟରେ ପ୍ରସ୍ତାବିତ ଜେଟି ନିର୍ମାଣକୁ ଏପର୍ଯ୍ୟନ୍ତ ପରିବେଶ କ୍ଲିଅରାନ୍ସ ମିଳିନଥିବା ଜଣାପଡ଼ିଛି । ଅବଶ୍ୟ କମ୍ପାନୀ ନିଜର ଏହି ମେଗା ଇସ୍ପାତ ପ୍ରକଳ୍ପକୁ ଗ୍ରୀନଫିଲଡ୍ ପ୍ରକଳ୍ପ ଭାବେ ନାମିତ କରିଛି । ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେବାକୁ ପ୍ରାୟ ୫ରୁ ୭ବର୍ଷ ସମୟ ଲାଗିବ ବୋଲି କୁହାଯାଉଛି ।
ପୂର୍ବରୁ ସ୍ଥାନୀୟ ଲୋକେ ଓ ପରିବେଶବିତମାନେ ଜେଏସଡବ୍ଲ୍ୟୁର ଏହି ମେଗା ପ୍ରକଳ୍ପ ପାଇଁ ମହାନଦୀରୁ ଘଣ୍ଟା ପ୍ରତି ୧୦ହଜାର ଘନମିଟର ଜଳ ଦେବା ପାଇଁ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରିଥିଲେ । ଏପରିକି ନ୍ୟାସନାଲ ଗ୍ରୀନ୍ ଟ୍ରିବ୍ୟୁନାଲ(ଏନଜିଟି) ମଧ୍ୟ ଏନେଇ ଆପତ୍ତି ଉଠାଇଥିଲେ । କଟକର ଯୋବ୍ରାରୁ ଏହି ଜଳ କମ୍ପାନୀକୁ ଦିଆଯିବ । ଏହାଦ୍ୱାରା ମହାନଦୀରେ ଜଳ ପ୍ରବାହ ପ୍ରଭାବିତ ହେବା ସହ ଲୋକଙ୍କ ଉପଯୋଗ ନିମନ୍ତେ ପାନୀୟ ଜଳ ଓ ଅନ୍ୟାନ୍ୟ କାର୍ଯ୍ୟ ପ୍ରଭାବିତ ହେବାର ଆଶଙ୍କା ରହିଛି ।