/odisha-reporter/media/post_attachments/uploads/2018/11/new-gas.jpg)
new-gas
ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ତୈଳ କମ୍ପାନୀର ଡିଲରମାନଙ୍କ କମିଶନ ବଢ଼ାଇ ସରକାର ସାଧାରଣ ଲୋକଙ୍କୁ ମହଙ୍ଗା ମାଡ଼ ମାରିଛନ୍ତି। ଡିଲରମାନଙ୍କୁ କମିଶନ ଦେବା ପାଇଁ ସବସିଡିଯୁକ୍ତ ଏଲ୍ପିଜି ସିଲିଣ୍ଡରର ଦର ୨ ଟଙ୍କା ବଢ଼ାଇ ଦେଇଛନ୍ତି।
ଫଳରେ ୧୪.୨ କେ.ଜି. ବିଶିଷ୍ଟ ରିହାତିଯୁକ୍ତ ସିଲିଣ୍ଡର ପାଇଁ ରାଜଧାନୀ ଦିଲ୍ଲୀରେ ହିତାଧିକାରୀଙ୍କୁ ୫୦୭.୪୨ ଟଙ୍କା ଗଣିବାକୁ ପଡ଼ିବ। ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡ଼ିକ ପକ୍ଷରୁ ଶୁକ୍ରବାର ପ୍ରକାଶିତ ତଥ୍ୟରୁ ଏହା ଜଣାପଡ଼ିଛି।
ତୈଳ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ ପ୍ରଦତ୍ତ ତଥ୍ୟ ଅନୁସାରେ ୨୦୧୭ ସେପ୍ଟେମ୍ବରରୁ ଏଲ୍ପିଜି ବିତରଣକାରୀ ସଂସ୍ଥା ପ୍ରତି ୧୪.୨ କେ.ଜି. ବିଶିଷ୍ଟ ସିଲିଣ୍ଡର ପାଇଁ ୪୮ ଟଙ୍କା ୮୯ ପଇସା ଏବଂ ୫ କେ.ଜି. ବିଶିଷ୍ଟ ସିଲିଣ୍ଡର ଉପରେ ୨୪ ଟଙ୍କା ୨୦ ପଇସା କମିଶନ ପାଉଥିଲେ।
ଏବେ ଏହା ୫୦ ଟଙ୍କା ୫୮ ପଇସା ଏବଂ ୨୫ ଟଙ୍କା ୨୯ ପଇସାକୁ ବୃଦ୍ଧି କରାଯାଇଛି।
ସୂଚନା ଅନୁସାରେ ବର୍ତ୍ତମାନ ମୁମ୍ବାଇ ସହରରେ ରିହାତିଯୁକ୍ତ ଏଲ୍ପିଜି ସିଲିଣ୍ଡର ପାଇଁ ୫୦୫.୦୫ ଟଙ୍କା, କୋଲକାତାରେ ୫୧୦ ଟଙ୍କା ୭୦ ପଇସା ଏବଂ ଚେନ୍ନାଇରେ ୪୯୫ ଟଙ୍କା ୩୯ ପଇସା ଗଣିବାକୁ ପଡ଼ିବ।
ସେହିପରି ଭୁବନେଶ୍ୱରରେ ଗ୍ରାହକଙ୍କୁ ବିନା ସବ୍ସିଡିରେ ୯୬୨ ଟଙ୍କା ଗଣିବାକୁ ପଡ଼ୁଛି ବୋଲି ଜଣେ ସ୍ଥାନୀୟ ହିତାଧିକାରୀ ମତ ରଖିଛନ୍ତି। ଚଳିତ ମାସ କେତେ ଟଙ୍କା ଆକାଉଣ୍ଟକୁ ଫେରିବ ତାହା ଜଣା ପଡ଼ିନାହିଁ ବୋଲି ସେ କହିଛନ୍ତି।
ଅନ୍ୟ ପକ୍ଷରେ ଭୁବନେଶ୍ୱରରେ ସ୍ଥାନୀୟ ଏକ ଗ୍ୟାସ୍ ଏଜେନ୍ସି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଏଠାରେ ଏବେ ଗ୍ରାହକଙ୍କୁ ୯୭୨ ଟଙ୍କା ଦେବାକୁ ପଡ଼ୁଛି। ସେଥିରୁ ସବ୍ସିଡି ବାବଦ ୪୫୩ ଟଙ୍କା ୬୬ ପଇସା ଫେରସ୍ତ ଆସୁଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
