ନୂଆଦିଲ୍ଲୀ: କରୋନା ଟିକା ଉପରୁ ୫ ପ୍ରତିଶତ ଜିଏସଟି ଏବଂ କରୋନା ଔଷଧ ଏବଂ ଅକ୍ସିଜେନ କନସେନଟ୍ରେଟର ଉପରୁ ୧୨ ପ୍ରତିଶତ ଜିଏସଟି ଛାଡ଼ି କରିବାକୁ ବିଭିନ୍ନ ନେତା ଦାବି କରିଥିଲେ। ଏବେ ଏହାର ଜବାବ ଦେଇଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ସିରିଜ୍ ଟ୍ୱିଟ୍ କରି ସୀତାରମଣ ସିଧାସିଧା କହିଛନ୍ତି ଯେ ଏହି ଜିନିଷ ଗୁଡ଼ିକ ଉପରେ ଜିଏସଟି ସଂପୂର୍ଣ୍ଣ ଭାବରେ ଛାଡ଼ କରାଯାଇପାରିବ ନାହିଁ। ଏହାର କାରଣ କହିବାକୁ ଯାଇ ସୀତାରମଣ କହିଛନ୍ତି, ଯଦି ଜିଏସଟି ଛାଡ଼ ହେବ ତାହେଲେ ଯେଉଁମାନେ ଏହି ସବୁ ଜିନିଷ ତିଆରି କରୁଛନ୍ତି ସେମାନେ ଇନପୁଟ ଟ୍ୟାକସ କ୍ରେଡିଟର ଲାଭ ଉଠାଇ ପାରିବେ ନାହିଁ। ଆଉ ଏଭଳି ହେଲେ ଖାଉଟିଙ୍କ ଉପରେ ଦର ବୋଝ ଅଧିକ ପଡ଼ିବ। ତେଣୁ ଜିଏସଟି ଛାଡ କରାଯାଇପାରିବ ନାହିଁ।
https://twitter.com/nsitharaman/status/1391344611906375680?s=20
କେନ୍ଦ୍ର ଅର୍ଥମନ୍ତ୍ରୀ ଆଜି ଏହି ଟ୍ୱିଟ୍ କରିବା ପୂର୍ବରୁ ଏହି ପ୍ରସଙ୍ଗରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କଂଗ୍ରେସ ନେତା ରାହୁଲ୍ ଗାନ୍ଧୀ, ଆଉ ଶେଷରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କରୋନା ଟିକା ଉପରୁ ଜିଏସଟି ଛାଡ଼ କରିବାକୁ ଦାବି କରିଥିଲେ। ନବୀନ କେନ୍ଦ୍ର ସରକାରଙ୍କୁ ଚିଠି ଲେଖି କହିଥିଲେ ସରକାର ଯଦି ୫ ପ୍ରତିଶତ ଜିଏସଟି ଛାଡ଼ କରିବ ତାହେଲେ ପ୍ରତି ରାଜ୍ୟ ଡୋଜ ପିଛା ୧୫ରୁ ୨୦ ଟଙ୍କା କମ୍ ଆର୍ଥିକ ବୋଝ ବହନ କରିବ। ଆଉ ଏହି ପଇସାରେ ଅଧିକରୁ ଅଧିକ ଟିକାକରଣ କରାଯାଇପାରିବ। ତେବେ ସୀତାରମଣ କିନ୍ତୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଟିକା ଉପରୁ ଜିଏସଟି ଛାଡ଼ କରିବାକୁ ଦାବି କରିବା ପରେ ଟ୍ୱିଟ୍ କରି ଉତ୍ତର ରଖିଛନ୍ତି। ଏହା ପୂର୍ବରୁ ଗତକାଲି ରାହୁଲ୍ ଗାନ୍ଧୀ ଟ୍ୱିଟ୍ କରି ଜିଏସଟି ଛାଡ଼ କରିବାକୁ ଦାବି କରିଥିଲେ।
ତେବେ ଅର୍ଥମନ୍ତ୍ରୀ କହିଛନ୍ତି ଯେ ଯଦି ଟିକା ଉପରେ ଟିକସ ସମ୍ପୂର୍ଣ୍ଣ ଛାଡ କରାଯାଏ, ତାହେଲେ ଟିକା ଉତ୍ପାଦନକାରୀମାନେ ଇନପୁଟ ଟ୍ୟାକ୍ସ କ୍ରେଡିଟ ପାଇପାରିବେ ନାହିଁ ଏବଂ ଗ୍ରାହକଙ୍କ ଉପରେ ଏହାର ଭାର ବଢ଼ିବ ଆଉ ମୂଲ୍ୟ ବୃଦ୍ଧି ପାଇବ। ଏହା ବ୍ୟତୀତ କରୋନା ସହ ଜଡିତ ଅନ୍ୟାନ୍ୟ ଜିନିଷ ଉପରେ କଷ୍ଟମ୍ ଡ୍ୟୁଟି ଏବଂ ସ୍ୱାସ୍ଥ୍ୟ ସେସ୍ ଛାଡ କରିଛନ୍ତି କେନ୍ଦ୍ର ସରକାର। ଏଥିମଧ୍ୟରେ ରେମେଡେସଭିର ଏପିଆଇ, ରେମେଡେସଭିର ଇଞ୍ଜେକ୍ସନ, ଅକ୍ସିଜେନ, ଅକ୍ସିଜେନ କନସେଣ୍ଟରେଟର, ଅକ୍ସିଜେନ ଜେନେରେଟର ଇତ୍ୟାଦି ମୋଟ୍ ୨୩ଟି ଜିନିଷ ରହିଛି।
ସୂଚନାଯୋଗ୍ୟ କେନ୍ଦ୍ର ସରକାର ଟିକା ଉପରେ ସର୍ବନିମ୍ନ ୫% ଏବଂ କୋଭିଡ ଔଷଧ ଉପରେ ସର୍ବାଧିକ ୧୨% ଟିକସ ଲାଗୁ କରିଛନ୍ତି। ଅର୍ଥମନ୍ତ୍ରୀ କହିଛନ୍ତି ଯେ ଯଦି କୌଣସି ସାମଗ୍ରୀ ଉପରେ ୧୦୦ ଟଙ୍କାର ଜିଏସଟି ଆଦାୟ କରାଯାଏ, ତେବେ କେନ୍ଦ୍ର ଏବଂ ରାଜ୍ୟ ୫୦-୫୦ ଟଙ୍କା ସେଣ୍ଟ୍ରାଲ ଜିଏସଟି ଏବଂ ଷ୍ଟେଟ ଜିଏସଟି ଆକାରରେ ଗ୍ରହଣ କରିବେ। ପରେ ସିଜିଏସଟିର ୪୧ ପ୍ରତିଶତ ପୁନର୍ବାର ରାଜ୍ୟମାନଙ୍କୁ ଦିଆଯିବ। ଏହିପରି, ରାଜ୍ୟଗୁଡିକ ୧୦୦ ଟଙ୍କା ଟିକସରେ ୭୦.୫୦ ପଇସା ପାଉଛନ୍ତି।
https://twitter.com/nsitharaman/status/1391344599805747202?s=20
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।