Digital
ନୂଆଦିଲ୍ଲୀ: ଡିଜିଟାଲ ଟଙ୍କାର ପ୍ରଚଳନକୁ ନେଇ ବଡ଼ ଘୋଷଣା କରିଛି ଆରବିଆଇ। ଆସନ୍ତା ୧ ତାରିଖରୁ ଆରବିଆଇ ପକ୍ଷରୁ ଲଞ୍ଚ କରାଯିବ ଡିଜିଟାଲ ଟଙ୍କା। ପ୍ରାଥମିକ ଅବସ୍ଥାରେ ୪ଟି ସ୍ଥାନରେ ପରୀକ୍ଷା ମୂଳକ ଭାବେ ଏହି ଡିଜିଟାଲ ଟଙ୍କାର ବ୍ୟବହାର ଆରମ୍ଭ ହେବ। ଏହି ୪ଟି ସହର ମଧ୍ୟରେ ଓଡ଼ିଶାର ଭୁବନେଶ୍ୱର ରହିଛି।
ଏହାପରେ ବିଭିନ୍ନ ସ୍ଥାନରେ ସାଧାରଣ ଲୋକମାନେ ଏହି ଡିଜିଟାଲ ଟଙ୍କାର ବ୍ୟବହାର କରିପାରିବେ। ସେହିପରି ପ୍ରାଥମିକ ଅବସ୍ଥାରେ କିଛି ନିର୍ଦ୍ଦିଷ୍ଟ ଲୋକ ଓ ବ୍ୟବସାୟୀ ଏହାର ଫାଇଦା ଉଠାଇ ପାରିବେ ବୋଲି ଆରବିଆଇ ପକ୍ଷରୁ ଆଜି ସୂଚନା ଦିଆଯାଇଛି।
ଆରବିଆଇ କହିଛି ଯେ ଡିଜିଟାଲ ଟଙ୍କାର ବ୍ୟବହାର ପାଇଁ ୮ଟି ବ୍ୟାଙ୍କକୁ ଚୟନ କରାଯାଇଛି। ଏମାନେ ବିଧିବଦ୍ଧ ଭାବେ ଡିଜିଟାଲ ଟଙ୍କା ଦ୍ୱାରା କାରବାର କରିପାରିବେ। କିନ୍ତୁ ପ୍ରାଥମିକ ଅବସ୍ଥାରେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ(ଏସ୍ବିଆଇ), ଆଇସିଆଇସିଆଇ ବ୍ୟାଙ୍କ, ୟେସ ବ୍ୟାଙ୍କ ଓ ଆଇଡିଏଫସି ଫାଷ୍ଟ ବ୍ୟାଙ୍କ ୪ଟି ସହରରେ ସେବା ଆରମ୍ଭ କରିବେ।
ଦ୍ୱିତୀୟ ପର୍ଯ୍ୟାୟରେ ବ୍ୟାଙ୍କ ଅଫ ବରୋଦା, ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆ, ଏଚଡିଏଫସି ବ୍ୟାଙ୍କ ଓ କୋଟାକ ମହିନ୍ଦ୍ରା ବ୍ୟାଙ୍କ ସାମିଲ ହେବେ। ପ୍ରଥମ ପର୍ଯ୍ୟାୟରେ ମୁମ୍ବାଇ, ନୂଆଦିଲ୍ଲୀ, ବେଙ୍ଗାଲୁରୁ ଓ ଭୁବନେଶ୍ୱରରେ ଡିଜିଟାଲ ଟଙ୍କାର ବ୍ୟବହାର ଆରମ୍ଭ ହେବ। ଏହାପରେ ଅହମଦାବାଦ, ଗ୍ୟାଙ୍ଗଟକ, ଗୌହାଟୀ, ହାଇଦ୍ରାବାଦ, କୋଚି, ଲକ୍ଷ୍ନୌ, ପାଟନା ଓ ଶିମଲାକୁ ସାମିଲ କରାଯିବ। ଧୀରେଧୀରେ ଏହି ଡିଜିଟାଲ ଟଙ୍କାର ବ୍ୟବହାର ବୃଦ୍ଧି କରାଯିବ। ସେହିପରି ଅଧିକ ସଂଖ୍ୟକ ବ୍ୟାଙ୍କ, ଲୋକ ଓ ସହରକୁ ଏଥିରେ ସାମିଲ କରାଯିବ ବୋଲି ଆରବିଆଇ ପକ୍ଷରୁ କୁହାଯାଇଛି।
ଆରବିଆଇ କହିଛି ଯେ ଡିସେମ୍ବର ୧ରୁ ରିଟେଲ ସେଣ୍ଟ୍ରାଲ ବ୍ୟାଙ୍କ ଡିଜିଟାଲ ମୁଦ୍ରା (ସିବିଡିସି) ପାଇଁ ପାଇଲଟ ପ୍ରୋଜେକ୍ଟ ଲଞ୍ଚ କରାଯିବ। ଡିଜିଟାଲ୍ ଟଙ୍କା ଗୋଟିଏ ଡିଜିଟାଲ୍ ଟୋକନ୍ ଆକାରରେ ରହିବ, ଯାହା ଆଇନତଃ ଗ୍ରହଣୀୟ ହେବ। ବର୍ତ୍ତମାନ କାଗଜ ଟଙ୍କା ଓ କଏନକୁ ଯେଉଁ ସବୁ ନାଁରେ ନାମିତ କରାଯାଇଛି, ଡିଜିଟାଲ ଟଙ୍କାକୁ ମଧ୍ୟ ସେହି ନାଁରେ ନାମିତ କରାଯିବ। ଅର୍ଥାତ ୧ ଟଙ୍କାରୁ ୨୦୦୦ ହଜାର ଟଙ୍କିଆ ନୋଟ୍ ଭଳି ଡିଜିଟାଲ ଟଙ୍କାର ନାମ କରଣ କରାଯିବ।
ଡିଜିଟାଲ୍ ୱାଲେଟ୍ ମାଧ୍ୟମରେ ଆରବିଆଇ ଦ୍ୱାରା ଚିହ୍ନଟ ହୋଇଥିବା ବ୍ୟାଙ୍କ ଓ ଉପଭୋକ୍ତାମାନେ ଡିଜିଟାଲ ଟଙ୍କାରେ କାରବାର କରିପାରିବେ। ମୋବାଇଲରେ ଥିବା ଡିଜିଟାଲ୍ ୱାଲେଟ୍ ମାଧ୍ୟମରେ ଇ-ଆର କାରବାର କରାଯାଇପାରିବ। ଉଭୟ ପର୍ସନ୍ ଟୁ ପର୍ସନ୍ ଓ ପର୍ସନ୍ ଟୁ ମରଚାଣ୍ଟ ମାଧ୍ୟରେ ନେଣଦେଣ ହେବ।
ଏହା ସହ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକରେ ଥିବା QR କୋଡ୍ ବ୍ୟବହାର କରି ଲୋକମାନେ ଡିଜିଟାଲ ଟଙ୍କା ଦେଇପାରିବେ। ବ୍ୟାଙ୍କ ମାଧ୍ୟମରେ ଡିଜିଟାଲ ଟଙ୍କା ଜଣେ ଗ୍ରାହକ ନେଇପାରିବେ। ଏଥିସହ ବ୍ୟାଙ୍କଗୁଡ଼ିକ ଦ୍ୱାରା ଦିଆଯାଇଥିବା ଡିଜିଟାଲ ୱାଲେଟ ମାଧ୍ୟମରେ ହିଁ ଉପଭୋକ୍ତାମାନେ ଇ-ଟଙ୍କାର କାରବାର କରିପାରିବେ। ତେଣୁ ବ୍ୟାଙ୍କ ସହ ଯୋଗାଯୋଗ କରି ଡିଜିଟାଲ ଟଙ୍କାର ବ୍ୟବହାର ସମ୍ପର୍କରେ ଜଣେ ଗ୍ରାହକ ଅଧିକ ତଥ୍ୟ ହାସଲ କରିପାରିବେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/11/Gigital.jpg)