ନୂଆଦିଲ୍ଲୀ: ଆପଣ ବହୁ ଦାମୀ ଓ ବିଳାସପୂର୍ଣ୍ଣ ସ୍ଲିପର୍ ପିନ୍ଧିଥିବା ବା ସେସମ୍ପର୍କରେ ଶୁଣିଥିବେ। କିନ୍ତୁ ସ୍ଲିପର୍ ଦାମ୍ ଯେ ୪୫,୦୦୦ ଟଙ୍କା, ଏହା ଶୁଣିଲେ ଆପଣ ନିହାତି ଆଶ୍ଚର୍ଯ୍ୟ ହୋଇଯିବେ। କିନ୍ତୁ ଆପଣ ଠିକ୍ ଶୁଣିଛନ୍ତି। ଅନ୍ତର୍ଜାତୀୟ ଜୋତା ପ୍ରସ୍ତୁତକାରୀ କମ୍ପାନୀ ଭ୍ୟାଲେଣ୍ଟିନୋ ଅନ୍ଲାଇନ୍ ସପିଂ କମ୍ପାନୀ ହାବାଇଆନସ୍ ସହ ମିଶି ଏପରି ଏକ ସ୍ଲିପର୍ ବଜାରକୁ ଛାଡ଼ିଛି, ଯାହାର ଦାମ୍ ୪୫ ହଜାର ଟଙ୍କା ରହିଛି।
ଏହି ବିଳାସପୂର୍ଣ୍ଣ ସ୍ଲିପର୍ କେବଳ ପୁରୁଷଙ୍କ ପାଇଁ ତିଆରି ହୋଇଛି। ଏହା ଅନ୍ଲାଇନ୍ ସପିଂ ସାଇଟ୍ ଆମାଜନ୍ ସେଲ୍ରେ ମିଳୁଛି। ତେବେ ଜଣେ ବ୍ୟକ୍ତି ଏହି ଚପଲର କେବଳ ୩ ଜୋଡ଼ା ହିଁ କିଣିପାରିବେ। ତା’ଠାରୁ ଅଧିକ କିଣିପାରିବେ ନାହିଁ।
ତେବେ ଯେଉଁ ଲୋକଙ୍କର ବିଳାସପୂର୍ଣ୍ଣ ଚପଲ ବା ସ୍ଲିପର୍ ପିନ୍ଧିବାର ସଉକ ରହିଛି, କିନ୍ତୁ ଏପରି ଉଚ୍ଚା ଦାମ୍ ଏକାଥରେ ଦେବାକୁ କୁଣ୍ଠିତ, ସେମାନଙ୍କ ପାଇଁ ଏହି ଦାମୀ ସ୍ଲିପର୍ କିଣିବାକୁ ଆମାଜନ୍ EMIର ଅଫର ମଧ୍ୟ ଦେଉଛି। ଏହାର କିସ୍ତି ୨,୧୩୭ ଟଙ୍କାରୁ ଆରମ୍ଭ ହେଉଛି। ଏହା ବ୍ୟତୀତ ଏହି ସ୍ଲିପର୍ ଆପଣଙ୍କ ଘରେ ଡେଲିଭର କରିବା ଲାଗି କମ୍ପାନୀ ଅଧିକ ୭୬୬ ଟଙ୍କା ଚାର୍ଜ କରୁଛି।
ତେବେ ଏପରି ଉଚ୍ଚା ଦାମ୍ର ସ୍ଲିପର୍ ସମ୍ପର୍କରେ ସୋଶାଲ୍ ମିଡିଆରେ ୟୁଜର୍ସ ବେଶ୍ ମଜାଳିଆ ଅନ୍ଦାଜରେ ପରିହାସ କରି ଏହାର ରିଭ୍ୟୁ କରିଛନ୍ତି।
ଜଣେ ୟୁଜର୍ ଲେଖିଛନ୍ତି, ‘ଏହି ଚପଲକୁ କିଣିବା ଲାଗି ମୁଁ ମୋ ମାରୁତି ୮୦୦ ବିକିଦେଲି। କାରଣ ଡ୍ରାଇଭ୍ କରିବାଠୁ ଭଲ ଚାଲିବା। ଏଥିସହ ଏହା ସ୍ୱାସ୍ଥ ପକ୍ଷେ ଭଲ ମଧ୍ୟ।’