/odisha-reporter/media/post_attachments/uploads/2022/06/world-bank.jpg)
world-bank
ନୂଆଦିଲ୍ଲୀ: ଭାରତର ଜିଡିପି ଅଭିବୃଦ୍ଧି ହାରକୁ ନେଇ ନିଜର ପୂର୍ବ ଆକଳନକୁ ପରିବର୍ତ୍ତନ କରିଛି ବିଶ୍ୱବ୍ୟାଙ୍କ। ଚଳିତ ଆର୍ଥିକ ବର୍ଷ ଅର୍ଥାତ ୨୦୨୨-୨୩ରେ ଭାରତର ଅଭିବୃଦ୍ଧି ହ୍ରାସ ପାଇବ ବୋଲି କହିଛି ବିଶ୍ୱବ୍ୟାଙ୍କ। ୨୦୨୨-୨୩ରେ ଭାରତର ଭାରତର ଅଭିବୃଦ୍ଧି ୭.୫%କୁ ହ୍ରାସ ପାଇବ ବୋଲି ବିଶ୍ୱବ୍ୟାଙ୍କ ପକ୍ଷରୁ ଆକଳନ କରାଯାଇଛି। ପୂର୍ବରୁ ଭାରତର ଜିଡିପି ଚଳିତ ଆର୍ଥିକ ବର୍ଷରେ ୮% ରହିବ ବୋଲି ଏହି ସଂସ୍ଥା କହିଥିଲା। କିନ୍ତୁ ବର୍ତ୍ତମାନର ଦରଦାମ ବୃଦ୍ଧି, ଆର୍ଥିକ ମାନ୍ଦାବସ୍ଥା, ଯୋଗାଣ ଶୃଙ୍ଖଳରେ ବିଭ୍ରାଟ ଓ ଭୌଗୋଳିକ ଏବଂ ରାଜନୀତି ବିବାଦ ଭାରତର ଅର୍ଥନୀତିକ ଅଭିବୃଦ୍ଧିକୁ ପ୍ରଭାବିତ କରିବ ବୋଲି ପୂର୍ବାନୁମାନ କରାଯାଇଛି।
ଏହାପୂର୍ବରୁ ଏପ୍ରିଲ ମାସରେ ବିଶ୍ୱବ୍ୟାଙ୍କ ଭାରତର ଅଭିବୃଦ୍ଧିକୁ ୮.୭%ରୁ ହ୍ରାସ କରି ୮% ରହିବ ବୋଲି କହିଥିଲା। ଏବେ ଏହା ଆହୁରି ହ୍ରାସ ପାଇ ୭.୫%କୁ ଖସିବ ବୋଲି ଆକଳନ କରାଯାଇଛି। ୨୦୨୧-୨୨ରେ ଭାରତର ଅଭିବୃଦ୍ଧି ୮.୭% ରହିଥିଲା। କିନ୍ତୁ ଏବେ ସ୍ଥିତି ପୁଣି ବଦଳି ଯାଇଛି। ବିଶ୍ୱବ୍ୟାଙ୍କ ଭାରତର ଅଭିବୃଦ୍ଧିକୁ ୭.୫%କୁ ହ୍ରାସ କରିଥିବା ବେଳେ ଆରବିଆଇ ଏହା ୭.୨% ରହିବ ବୋଲି ଆକଳନ କରିଛି।
ଦେଶରେ ବର୍ତ୍ତମାନ ତେଲ ଠାରୁ ଆରମ୍ଭ କରି ପନିପରିବା ଓ ଖାଇବା ଜିନିଷ ମହଙ୍ଗା ହୋଇଛି। ଫଳରେ ପାଇକାରୀ ମୁଦ୍ରାସ୍ଫୀତି ୧୫.୦୮% ଓ ଖୁଚୁରା ମୁଦ୍ରାସ୍ଫୀତି ୭.୭୯%କୁ ବୃଦ୍ଧି ପାଇଛି। ଦରଦାମ ବୃଦ୍ଧି ଯୋଗୁ ଆରବିଆଇ ସୁଦ୍ଧ ହାର ବି ବୃଦ୍ଧି କରିଛି। ଆଗକୁ ଆହୁରି ମଧ୍ୟ ବଢ଼ିବ ବୋଲି ସୂଚନା ମିଳିଛି। ତେଣୁ ଏହାର ପ୍ରଭାବ ଅର୍ଥନୀତିକ ଅଭିବୃଦ୍ଧି ଉପରେ ପଡ଼ିବା ଆରମ୍ଭ ହୋଇଛି। କେବଳ ବିଶ୍ୱବ୍ୟାଙ୍କ ନୁହେଁ, ଅନ୍ୟ ପ୍ରମୁଖ ରେଟିଂ ଏଜେନ୍ସି ମଧ୍ୟ ଭାରତର ଅଭିବୃଦ୍ଧି ହ୍ରାସ ପାଇବ ବୋଲି ଆକଳନ କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
