Advertisment

ମୋହନଙ୍କ ୨.୯୦ଲକ୍ଷ କୋଟି ଟଙ୍କାର ବଜେଟ୍ : ୧୬ ନୂଆ ସ୍କିମ୍ , ଋଣବୋଝ ଛୁଇଁବ ୧.୩୫ଲକ୍ଷ କୋଟି, ରାଜସ୍ୱ ପାଇଁ କେନ୍ଦ୍ର ଭରସା

୧୬ଟି ନୂଆ ଯୋଜନା ଓ କାର୍ଯ୍ୟକ୍ରମ ପାଇଁ ବ୍ୟୟବରାଦ ଓ ପୁରୁଣା ସ୍ମିମଗୁଡ଼ିକୁ ଜାରି ରଖିବା ପାଇଁ ବଜେଟର ୫୮.୬ ପ୍ରତିଶତ ଅର୍ଥାତ ୧.୭୦ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବେ।

author-image
Ordigital Desk
ଅଦ୍ୟତନ ହୋଇଛି
Budget

Budget

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ୨.୯୦ଲକ୍ଷ କୋଟି ଟଙ୍କାର ପୂର୍ଣ୍ଣାଙ୍ଗ ବଜେଟ୍ ବିଧାନସଭାରେ ଉପସ୍ଥାପନ କରିଛନ୍ତି । ରାଜ୍ୟର ବିଜେପି ସରକାର ୨୦୨୪-୨୫ ଆର୍ଥିକ ବର୍ଷ ତୁଳନାରେ ବଜେଟର ଆକାରରେ ୨୫ହଜାର କୋଟି ଟଙ୍କାର ବୃଦ୍ଧି କରିଛନ୍ତି । ବଜେଟରେ ୧୬ଟି ନୂଆ ଯୋଜନା ଓ କାର୍ଯ୍ୟକ୍ରମ ପାଇଁ ଅର୍ଥ ବ୍ୟୟବରାଦ କରିଛନ୍ତି ଓ ପୁରୁଣା ସ୍ମିମଗୁଡ଼ିକୁ ଜାରି ରଖିବା ପାଇଁ ବଜେଟର ୫୮.୬ ପ୍ରତିଶତ ଅର୍ଥାତ ୧.୭୦ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି ଆକଳନ କରିଛନ୍ତି । ୨୦୨୫-୨୬ ଆର୍ଥିକ ବର୍ଷରେ ମୋଟ ୪୬୩୯୯କୋଟି ଟଙ୍କାର ଋଣ ସଂଗ୍ରହ ପାଇଁ ଲକ୍ଷ୍ୟ ରଖିଛନ୍ତି ଓ ବର୍ଷ ଶେଷବେଳକୁ ଋଣବୋଝ ୧ଲକ୍ଷ ୩୪ହଜାର ୯୧୪କୋଟି ଟଙ୍କା ଛୁଇଁବ ବୋଲି ଜଣାପଡ଼ିଛି।

Advertisment

ବଜେଟକୁ ସରକାର ଚିରାଚରିତ ଢଙ୍ଗରେ ରାଜସ୍ୱ ବଳକା ଓ ବିତ୍ତୀୟ ନିଅଂଟିଆ ବଜେଟ ବୋଲି ଦର୍ଶାଇଛନ୍ତି । ଅବଶ୍ୟ ବିତ୍ତୀୟ ନିଅଣ୍ଟ ପରିମାଣ ୨୦୨୪-୨୫ ବଜେଟ୍ ତୁଳନାରେ ୦.୧%  ଅଧିକ ରହିଛି ଓ ୨୦୨୫-୨୬ ବଜେଟରେ ବିତ୍ତୀୟ ନିଅଣ୍ଟ ରାଜ୍ୟ ଜିଡିପିର ୩.୨% ଅର୍ଥାତ୍ ୩୪୨୦୦କୋଟି ଟଙ୍କା ରହିବ ବୋଲି ଆକଳନ ହୋଇଛି । ରାଜ୍ୟ ସରକାର ନିଜର ବଜେଟର ଆକାରକୁ ୨୫ହଜାର କୋଟି ଟଙ୍କା ବଢ଼ାଇଛନ୍ତି ତଥା ଏହି ବର୍ଦ୍ଧିତ ଟଙ୍କାକୁ ୨୦୨୫-୨୬ରେ କାର୍ଯ୍ୟକ୍ଷମ ହେବାକୁ ଥିବା ନୂଆ ଖଣି, ଜିଏସଟି, ଅବକାରୀ ଟିକସ, ବିଦ୍ୟୁତ ଶୁଳ୍କ,ଭ୍ୟାଟ୍  ସମେତ ପ୍ରାୟ ୪ହଜାର କୋଟି ଅଧିକ ଋଣ ଆହରଣ ଓ ୧୩ହଜାର କୋଟି ଟଙ୍କାର ଅଧିକ କେନ୍ଦ୍ରୀୟ ଅନୁଦାନରୁ ଭରଣା କରିବେ ବୋଲି ଜଣାପଡ଼ିଛି ।

ସୋମବାର ବିଧାନସଭାରେ ରାଜ୍ୟ ଅର୍ଥ ମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨.୯୦ଲକ୍ଷ କୋଟି ଟଙ୍କାର ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କ ଏହା ଦ୍ୱିତୀୟ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ । ରାଜ୍ୟରେ ବିଜେପି ସରକାର ଗଠନ ହେବାପରେ ଶ୍ରୀ ମାଝୀ ୨୦୨୪-୨୫ରେ ପ୍ରଥମଥର ପାଇଁ ୨.୬୫ଲକ୍ଷ କୋଟି ଟଙ୍କାର ପୂର୍ଣ୍ଣାଙ୍ଗ ବଜେଟ୍ ଆଗତ କରିଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଚଳିତ ବଜେଟ ପଢ଼ିବାରେ ୨ ଘଣ୍ଟା ୪୩ ମିନିଟ ସମୟ ନେଇଥିଲେ। ନିଜର ପ୍ରଥମ ବଜେଟ ଅଭିଭାଷଣ(୨୦୨୪ ଜୁଲାଇ ୨୫)ର ଅବଧି ୨ ଘଣ୍ଟା ୯ ମିନଟରେ ସୀମିତ ରଖିଥିଲେ ଶ୍ରୀ ମାଝୀ। 

Advertisment

ମୋହନ ଦେଲେ ‘ଜ୍ଞାନ’ ମନ୍ତ୍ର

ରାଜ୍ୟର ଅର୍ଥମନ୍ତ୍ରୀ ଭାବେ କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ତାଙ୍କ ସରକାରଙ୍କ ‘ଜ୍ଞାନ’ ମନ୍ତ୍ର ସମ୍ପର୍କରେ ସୂଚନା ଦେଇଛନ୍ତି । ତାଙ୍କ ସରକାର ‘ଜ୍ଞାନ’କୁ ସଶକ୍ତ କରିବାର ମନ୍ତ୍ର ଦେଉଛି । ଜ୍ଞାନ- ଗରିବ, ଯୁବ,ଅନ୍ନଦାତା ଓ ନାରୀଶକ୍ତି ।  ୨୦୨୫-୨୬ ବାର୍ଷିକ  ବଜେଟର ପ୍ରାଥମିକତା କ୍ଷେତ୍ର ଭାବେ ଭିତ୍ତିଭୂମି ବିକାଶ, ବନ୍ଦରଭିତ୍ତିକ ବିକାଶ, ଶିଳ୍ପ ଓ ଏମଏସଏମଇରେ ପୁଞ୍ଜିନିବେଶ, ସମସ୍ତଙ୍କ ପାଇଁ କ୍ରୀଡ଼ା ସମେତ ମହିଳା ଓ ଶିଶୁବିକାଶ, କୃଷି ଓ ଜଳସେଚନ, ଅନୁସୂଚିତ ଜାତି, ଜନଜାତି ଓ ଓବିସିଙ୍କ ବିକାଶକୁ ଗୁରୁତ୍ୱ ଦିଆଯାଇଛି ।  ନିଯୁକ୍ତି ସୃଷ୍ଟି ଉପରେ ଗୁରୁତ୍ୱ ଦେଇ କୃଷି ଓ ଗ୍ରାମାଂଚଳର ବିକାଶକୁ ପ୍ରାଥମିକତା ଦିଆଯାଇଛି ।

ରାଜ୍ୟର ଆର୍ଥିକ ସ୍ଥିତି ଓ ଋଣବୋଝ

୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ୨.୯୦ଲକ୍ଷ କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରିଛନ୍ତି । ଯାହାକି ୨୦୨୪-୨୫ ଆର୍ଥିକ ବର୍ଷର ବଜେଟ୍ ପରିମାଣ ୨.୬୫ଲକ୍ଷ କୋଟି ଟଙ୍କା ତୁଳନାରେ ୯% ଅଧିକ । ୨୦୨୩-୨୪ରେ ରାଜ୍ୟର ଅର୍ଥନୀତିକ ଅଭିବୃଦ୍ଧି ହାର ୯.୬% ରହିଥିବାବେଳେ ୨୦୨୪-୨୫ରେ ଏହି ହାର ୭.୨%କୁ ହ୍ରାସ ପାଇଛି । ବଜେଟରେ ବିତ୍ତୀୟ ନିଅଣ୍ଟ ପରିମାଣରେ ୦.୧% ବୃଦ୍ଧି ପାଇଛି । ୨୦୨୪-୨୫ରେ ବିତ୍ତୀୟ ନିଅଣ୍ଟ ରାଜ୍ୟ ଜିଡିପିର ୩.୧% ଥିବାବେଳେ ଚଳିତ ବଜେଟରେ ଏହା ୩.୨%କୁ ବଢ଼ିବ । ଯଦିଓ ୨୦୨୩-୨୪ ଆର୍ଥିକ ବର୍ଷରେ ବିତ୍ତୀୟ ନିଅଣ୍ଟ ପରିମାଣ ରାଜ୍ୟ ଜିଡିପିର ୧.୮%(ସଂଶୋଧିତ ବଜେଟରେ) ରହିଥିଲା । ଅବଶ୍ୟ ଏଫଆରବିଏମ୍ ଆକ୍ଟ ଅନୁସାରେ ରାଜ୍ୟର ବିତ୍ତୀୟ ନିଅଂଟ ପରିମାଣ ସର୍ବାଧିକ ରାଜ୍ୟ ଜିଡିପିର ୩.୫% ପର୍ଯ୍ୟନ୍ତ ହୋଇପାରିବ । ସେହିପରି ରାଜ୍ୟର ଋଣବୋଝ ମଧ୍ୟ ଅନୁରୂପ ଭାବେ ୧% ବୃଦ୍ଧି ପାଇ ରାଜ୍ୟ ଜିଡିପିର ୧୨.୭%କୁ ଛୁଇଁବ ବୋଲି ଆକଳନ ହୋଇଛି ।

୨୦୨୪-୨୫ ଆର୍ଥିକ ବର୍ଷର ସଂଶୋଧିତ ବଜେଟରେ ରାଜ୍ୟର ଋଣବୋଝ ପରିମାଣ ୧ଲକ୍ଷ ୧୦ହଜାର ୭୧୪କୋଟି ଟଙ୍କା ଥିବାବେଳେ ୨୦୨୫-୨୬ରେ ଏହା ବୃଦ୍ଧି ପାଇ ୧ଲକ୍ଷ ୩୪ହଜାର ୯୧୪କୋଟି ଟଙ୍କା (ରାଜ୍ୟ ଜିଡିପିର ୧୨.୭%)ଛୁଇଁବ । ରାଜ୍ୟରେ ମୁଣ୍ଡପିଛା ଋଣବୋଝ ୨୮୭୦୫ଟଙ୍କା ହେବ । ତେବେ ୨୦୨୯-୩୦ ଆର୍ଥିକ ବର୍ଷ ବେଳକୁ ସରକାର ରାଜ୍ୟ ଜିଡିପିର ୧୫.୭% ପ୍ରତିଶତ ଋଣ ଆହରଣ କରିଥିବେ ବୋଲି ଆକଳନ କରିଛନ୍ତି । ଆଉ ଏଫଆରବିଏମ୍ ଆକ୍ଟ ଆଧାରରେ ଋଣ ପରିମାଣ ରାଜ୍ୟ ଜିଡିପିର ୨୫% ମଧ୍ୟରେ ରହିବା ଜରୁରୀ ଥିବାବେଳେ ଓଡ଼ିଶା ଏଦିଗରେ ବହୁତ ଭଲ ସ୍ଥିତିରେ ଅଛି ବୋଲି ବଜେଟରେ ସରକାର ଦାବି କରିଛନ୍ତି । ରାଜ୍ୟର ଡିଜିପି ପରିମାଣ ୨୦୨୪-୨୫ରେ ୯.୨୬ଲକ୍ଷ କୋଟି ଟଙ୍କା ଥିବାବେଳେ ୨୦୨୫-୨୬ରେ ଏହା ୮% ହାରରେ ବାସ୍ତବ ଅଭିବୃଦ୍ଧି କରି ୧୦.୬୭ଲକ୍ଷ କୋଟି ଟଙ୍କା ଛୁଇଁବ ବୋଲି ଆକଳନ ହୋଇଛି । ତେବେ ୨୦୨୪-୨୫ର ସଂଶୋଧିତ ଆକଳନ ଅନୁସାରେ ରାଜ୍ୟର ଜିଡିପି ପରିମାଣର ୯.୪୯ଲକ୍ଷ କୋଟି ଟଙ୍କା ଛୁଇଁବ ବୋଲି ଅର୍ଥନୀତିକ ଓ ପରିସଂଖ୍ୟାନ ନିର୍ଦ୍ଦେଶାଳୟର ଅଗ୍ରୀମ ଆକଳନରୁ ଜଣାପଡ଼ିଛି ।

୨୦୩୬ ସୁଦ୍ଧା ‘ସମୃଦ୍ଧ ଓଡ଼ିଶା’, ୨୦୪୭ ସୁଦ୍ଧା ‘ବିକଶିତ ଓଡ଼ିଶା’

ଓଡ଼ିଶାକୁ ସମୃଦ୍ଧ ଓ ବିକଶିତ କରିବା ନେଇ ମୋହନ ମାଝୀଙ୍କ ସରକାର ଏବେ ଦୁଇଟି ପର୍ଯ୍ୟାୟର ସମୟସୀମା ଧାର୍ଯ୍ୟ କରିଛନ୍ତି । ରାଜ୍ୟର ଅର୍ଥନୀତି ନିରନ୍ତର ୭ପ୍ରତିଶତ ହାରରେ ଅଭିବୃଦ୍ଧି କରି ଓଡ଼ିଶା ପ୍ରଦେଶ ଗଠନକୁ ୧୦୦ବର୍ଷ ପୂର୍ତ୍ତି ଅର୍ଥାତ୍ ୨୦୩୬ ମସିହା ସୁଦ୍ଧା ‘ସମୃଦ୍ଧ ଓଡ଼ିଶା’ ଲକ୍ଷ୍ୟକୁ ହାସଲ କରିବାକୁ ମୋହନ ସରକାର ରୂପରେଖ ପ୍ରସ୍ତୁତ କରିଛନ୍ତି । ଏହାସହିତ ୨୦୪୭ ମସିହା ସୁଦ୍ଧା ‘ବିକଶିତ ଓଡ଼ିଶା’ର ଲକ୍ଷ୍ୟକୁ ହାସଲ କରିବେ ବୋଲି ବଜେଟ୍ ପୁସ୍ତିକାରେ ଦାବି କରିଛନ୍ତି । ୨୦୩୬ରେ ୫୦୦ ବିଲିୟନ ଡଲାରର ଅର୍ଥନୀତି ଓ ୨୦୨୭ରେ ଦେଢ଼ ଟ୍ରିଲିୟନ ଡଲାରର ଅର୍ଥନୀତି ଓଡ଼ିଶା ହେବ ବୋଲି ଆଶା ବାନ୍ଧିଛନ୍ତି । ‘ସମୃଦ୍ଧ ଓଡ଼ିଶା, ବିକଶିତ ଓଡ଼ିଶା’ ର ସ୍ଲୋଗାନ ଦେଉଥିବା ବିଜେପି ସରକାର ୨୦୩୬ ମସିହା ସୁଦ୍ଧା ‘ସମୃଦ୍ଧ ଓଡ଼ିଶା’ ଗଠନ କରିବେ ଯେଉଁଥିରେ ସୁସ୍ଥ ଓଡ଼ିଶା  ସହ ସମାନତା,ସମୃଦ୍ଧି,ଆଂଚଳିକ ବୈଷମ୍ୟ ଦୂରର ପ୍ରମାଣ ମିଳିବ । ଜଳବାୟୁ ଅନୁକୂଳ ଓଡ଼ିଶା, ଅନ୍ନଦାତା, ଓଡ଼ିଆ ଅସ୍ମିତା ଓ ଲୋକଙ୍କ ସରକାରକୁ ଗୁରୁତ୍ୱ ଦେଇ ‘ସମୃଦ୍ଧ ଓଡ଼ିଶା ଓ ବିକଶିତ ଓଡ଼ିଶା’ ଲକ୍ଷ୍ୟକୁ ହାସଲ ପାଇଁ ମୋହନ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି ।

ବଜେଟରେ କ’ଣ ଲକ୍ଷ୍ୟ ରଖିଛନ୍ତି ସରକାର

୨୦୨୫-୨୬ ଆର୍ଥିକ ବର୍ଷରେ ୨.୭୭ଲକ୍ଷ ହେକ୍ଟର ସମେତ ୨୦୨୯ ମସିହା ସୁଦ୍ଧା ଅତିରିକ୍ତ ୧୦ଲକ୍ଷ ହେକ୍ଟର ଜମିକୁ ଅତିରିକ୍ତ ଜଳସେଚନ ସୁବିଧା କରିବା ସହ ପ୍ରାଚୀ, ମୂଷି ଓ ଗୋବରୀ ନଦୀର ପୁନରୁଦ୍ଧାର ପାଇଁ ମଧ୍ୟ ବଜେଟରେ ପର୍ଯ୍ୟାୟକ୍ରମେ ବ୍ୟବସ୍ଥା କରାଯାଇଛି । ଏହାସହିତ ବିସ୍ତୃତ ବନ୍ୟା ପରିଚାଳନା ବ୍ୟବସ୍ଥା ନିମନ୍ତେ ମଧ୍ୟ ସରକାର   ପଦକ୍ଷେପ ନେଇଛନ୍ତି । ୪୮୦କିମି ଉପକୂଳ ଓ ଗୁଣାତ୍ମକମାନର କୃଷି ଜମି ଓ ପ୍ରଚୁର ଖଣିଜ ସମ୍ପଦ ପାଇଁ ଓଡ଼ିଶା ଦେଶର ପ୍ରମୁଖ ଶିଳ୍ପ ହବ୍ ପାଲଟିଛି । ସେଥିପାଇଁ ରାଜ୍ୟ ସରକାର ବନ୍ଦରଭିତ୍ତିକ ବିକାଶ ଯୋଜନାକୁ ଗୁରୁତ୍ୱ ଦେଇଛନ୍ତି ଯାହାକି ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନର ମୁଖ୍ୟ କାରକ ପାଲଟିବ ।

ସଡ଼କ ବିକାଶ କାର୍ଯ୍ୟକ୍ରମ ଅନ୍ତର୍ଗତ ରାଜ୍ୟର ସମସ୍ତ ରାଜ୍ୟ ରାଜପଥକୁ ୪ଲେନ୍ ବିଶିଷ୍ଟ କରିବା ସହ ଜିଲ୍ଲାର ପ୍ରମୁଖ ରାସ୍ତାକୁ ୨ଲେନ୍ ବିଶିଷ୍ଟ କରିବାକୁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି । ଏହି ଯୋଜନାରେ ଆଗାମୀ ଆର୍ଥିକ ବର୍ଷରେ ବ୍ରହ୍ମପୁର-ଜୟପୁର ରାସ୍ତାକୁ ୬ଲେନ୍ ବିଶିଷ୍ଟ ଗ୍ରୀନ୍ ଫିଲଡ୍ ଏକ୍ସପ୍ରେସୱେ ସହ ୩ହଜାର କିମି ରାସ୍ତାର ଉନ୍ନତିକରଣ କରାଯିବ।

କେନ୍ଦ୍ର ସରକାରଙ୍କ ରାଜପଥ ପ୍ରାଧିକରଣ ଢାଂଚାରେ ‘ଓଡ଼ିଶା ରାଜପଥ ପ୍ରାଧିକରଣ’ ଗଠନ ହେବ । ଯାହାକି ଏକ ସ୍ୱୟଂଶାସିତ ସଂସ୍ଥା ଭାବେ କାର୍ଯ୍ୟ କରିବ । ଏହା ରାଜ୍ୟର ଉଚ୍ଚମାନର ଭିତ୍ତିଭୂମି ପ୍ରକଳ୍ପର ବିକାଶ, ମରାମତି ଓ ପରିଚାଳନା କରିବ । ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ରାଜ୍ୟ ସରକାର ସମସ୍ତ ଦୁର୍ଗମ ଅଂଚଳକୁ ସବୁଦିନିଆ ରାସ୍ତା ନିର୍ମାଣ ପାଇଁ ଲକ୍ଷ୍ୟ ରଖିଛନ୍ତି ।

ସୁଭଦ୍ରା ଓ ପିଏମଆବାସ ପାଣ୍ଠି ହ୍ରାସ

୨୦୨୫-୨୬ ଆର୍ଥିକ ବର୍ଷ ବଜେଟରେ ରାଜ୍ୟ ସରକାର ନିଜର ଯୋଜନାଗୁଡ଼ିକୁ ଚଳାଇ ରଖିବା ପାଇଁ କାର୍ଯ୍ୟକ୍ରମ ବ୍ୟୟ ପରିମାଣକୁ ୧.୭୦ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି କରିଛନ୍ତି । ଯାହାକି ମୋଟ ବଜେଟର ୫୮.୬% । ୨୦୨୪-୨୫ ଆର୍ଥିକ ବର୍ଷରେ ଏହି କାର୍ଯ୍ୟକ୍ରମବାବଦ ବ୍ୟୟବରାଦ ୧.୫୫ଲକ୍ଷ କୋଟି ଟଙ୍କାରେ ସୀମିତ ରହିଥିଲା । ତେବେ ୨୦୨୫-୨୬ ବାର୍ଷିକ ବଜେଟରେ ସୁଭଦ୍ରା ଯୋଜନା ବାବଦ ବ୍ୟୟବରାଦକୁ ୧୧୧୮୬କୋଟି ଟଙ୍କାରୁ ୧୦୧୪୫କୋଟି ଟଙ୍କାକୁ ହ୍ରାସ କରିଛନ୍ତି । ଏହାସହିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ପାଣ୍ଠିକୁ ୬୦୯୦କୋଟି ଟଙ୍କାରୁ ୪୫୦୦କୋଟି ଟଙ୍କାକୁ କମାଇଛନ୍ତି ।

ସେହିପରି ସମୃଦ୍ଧ କୃଷି ଯୋଜନାରେ ମାତ୍ର ୧ହଜାର କୋଟି ଟଙ୍କା ବୃଦ୍ଧି ହୋଇଛି । କୃଷି ବଜେଟର ଆକାରକୁ ମଧ୍ୟ ସରକାର ୩୩୯୧୯କୋଟି ଟଙ୍କାରୁ ୩୭୯୮୫କୋଟି ଟଙ୍କା ଅର୍ଥାତ୍ ପ୍ରାୟ ୪ହଜାର କୋଟି ଟଙ୍କାକୁ ବଢ଼ାଇଛନ୍ତି ।

୪ ଲକ୍ଷ କୋଟି ଟଙ୍କା ଛୁଇଁବ ବଜେଟ୍ ଆକାର

ରାଜ୍ୟର ମୋହନ ମାଝୀଙ୍କ ନେତୃତ୍ୱାଧୀନରେ ବିଜେପି ସରକାରର ପ୍ରଥମ ୫ବର୍ଷରେ ରାଜ୍ୟର ବଜେଟ୍ ଆକାର ପ୍ରାୟ ୪ଲକ୍ଷ କୋଟି ଟଙ୍କା ଛୁଇଁବ । ମୋହନ ସରକାରଙ୍କ ପ୍ରଥମ ବଜେଟ ୨୦୨୪-୨୫ରେ ବଜେଟର ଆକାର ୨.୬୫ଲକ୍ଷ କୋଟି ଟଙ୍କା ଥିଲା । ଯାହାକି ୨୦୨୩-୨୪ ତୁଳନାରେ ୧୫ପ୍ରତିଶତ ଅଧିକ ଥିଲା । ୨୦୨୫-୨୬ରେ ଏହି ବଜେଟ୍ ଆକାର ୯ପ୍ରତିଶତ ଅପେକ୍ଷାକୃତ ବୃଦ୍ଧି ପାଇ ୨.୯୦ଲକ୍ଷ କୋଟି ଟଙ୍କା ହୋଇଛି । ସେହିପରି ୨୦୨୬-୨୭ରେ ଏହି ବଜେଟ୍ ପରିମାଣ ୩.୨୦ଲକ୍ଷ କୋଟି, ୨୦୨୭-୨୮ରେ ୩.୫୫ଲକ୍ଷ କୋଟି ଟଙ୍କା ଓ ୨୦୨୮-୨୯ରେ ୩.୯୫ଲକ୍ଷ କୋଟି ଟଙ୍କା ଏବଂ ୨୦୨୯-୨୦ରେ ବଜେଟ୍ ଆକାର ଐତିହାସିକ ମାଇଲଖୁଂଟ ହାସଲ କରି ୪.୪୦ଲକ୍ଷ କୋଟି ଟଙ୍କାର ହେବ ବୋଲି ଆକଳନ କରାଯାଇଛି ।

ରାଜ୍ୟରେ ବିଶେଷକରି ବାଣିଜ୍ୟକର, ଖଣି ଭିତ୍ତିକ ରାଜସ୍ୱ ଓ କେନ୍ଦ୍ରୀୟ ଟିକସ ହାର ବୃଦ୍ଧି ଯୋଗୁ ରାଜ୍ୟ ରାଜସ୍ୱ ସଂଗ୍ରହରେ ସୁଧାର ଆସିଛି । ୨୦୨୩-୨୪ରେ ରାଜ୍ୟ ବଜେଟରେ ରାଜସ୍ୱ ସଂଗ୍ରହ ମାତ୍ର ୧ଲକ୍ଷ ୭୯ହଜାର ୫୯୩ଟଙ୍କା(ମୋଟ ବଜେଟର ୭୮%) ଥିବାବେଳେ ୨୦୨୪-୨୫ ସଂଶୋଧିତ ବଜେଟରେ ଏହି ରାଜସ୍ୱ ସଂଗ୍ରହ ପରିମାଣ ୨.୧୧ଲକ୍ଷ କୋଟି ଟଙ୍କା(୧୭% ଅଧିକ) ଓ ୨୦୨୫-୨୬ରେ ଏହି ରାଜସ୍ୱ ସଂଗ୍ରହ ପରିମାଣ ୨.୩୨ଲକ୍ଷ କୋଟି ଟଙ୍କା ହେବ ବୋଲି ଆକଳନ ହୋଇଛି ।  ସେହିପରି ଅଷ୍ଟମ ବେତନ କମିଶନରେ ରାଜ୍ୟ କର୍ମଚାରୀଙ୍କ ଦରମାରେ ୨୦ପ୍ରତିଶତ ବୃଦ୍ଧି ହେବ ବୋଲି ଆକଳନ କରି ରାଜ୍ୟ ସରକାର ୨୦୨୫-୨୬ ଆର୍ଥିକ ବର୍ଷରେ ପ୍ରଶାସନିକ ଖର୍ଚ୍ଚରେ ୨୦୨୪-୨୫ ତୁଳନାରେ ୧୧ ପ୍ରତିଶତ ବୃଦ୍ଧି କରିଛନ୍ତି ।

୧୬ ନୂଆ ଯୋଜନା

୧- ଅନ୍ତ୍ୟୋଦୟ ଗୃହ ଯୋଜନା-୨୬୩୦କୋଟି ଟଙ୍କା

୨- ସୁଭଦ୍ରା ସୁରକ୍ଷା ଯୋଜନା-୧୫୩କୋଟି

୩- ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା- ୩୦କୋଟି

୪- ଉତ୍ତର ଓଡ଼ିଶା ବିକାଶ ପରିଷଦ-୨୦୦କୋଟି ଟଙ୍କା

୫- ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ-୨୦୦କୋଟି ଟଙ୍କା

୬- ଓଡ଼ିଶା ପୃଷ୍ଟି ମିଶନ-୧୦୦କୋଟି ଟଙ୍କା

୭- ବକୁଳ ବନ ଉନ୍ନୟନ- ୫୦କୋଟି

୮- ଆମ ଶିମିଳିପାଳ- ୫୦କୋଟି

୯- ମଡେଲ ମଣ୍ଡି-୫୦କୋଟି

୧୦-ଶହୀଦ ଲକ୍ଷ୍ମଣ ନାୟକ ଆଦର୍ଶ ବିଦ୍ୟାଳୟ-୧୦୦କୋଟି

୧୧- ଓଡ଼ିଶା ପ୍ରବାସୀ ଓ ସମ୍ପର୍କ- ୧୦କୋଟି

୧୨- ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା-୧୨କୋଟି(ସାମୁହିକ ମାଗଣା ବିବାହ)

୧୩- ସ୍ୱଚ୍ଛ ଓଡ଼ିଶା -୨୬୧କୋଟି ଟଙ୍କା

୧୪- ଆମେ ପଢ଼ିବା ଆମ ଭାଷାରେ-୨୫କୋଟି ଟଙ୍କା

୧୫- ସମୃଦ୍ଧ ସହର- ୪୦୮କୋଟି ଟଙ୍କା

୧୬- ଅଟଳ ବସ ଷ୍ଟାଣ୍ଡ- ୧୨୬୬ କୋଟି 

Odisha Odisha Budget Mohan Majhi BJP Govt Budget 2025