ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ୨.୯୦ଲକ୍ଷ କୋଟି ଟଙ୍କାର ପୂର୍ଣ୍ଣାଙ୍ଗ ବଜେଟ୍ ବିଧାନସଭାରେ ଉପସ୍ଥାପନ କରିଛନ୍ତି । ରାଜ୍ୟର ବିଜେପି ସରକାର ୨୦୨୪-୨୫ ଆର୍ଥିକ ବର୍ଷ ତୁଳନାରେ ବଜେଟର ଆକାରରେ ୨୫ହଜାର କୋଟି ଟଙ୍କାର ବୃଦ୍ଧି କରିଛନ୍ତି । ବଜେଟରେ ୧୬ଟି ନୂଆ ଯୋଜନା ଓ କାର୍ଯ୍ୟକ୍ରମ ପାଇଁ ଅର୍ଥ ବ୍ୟୟବରାଦ କରିଛନ୍ତି ଓ ପୁରୁଣା ସ୍ମିମଗୁଡ଼ିକୁ ଜାରି ରଖିବା ପାଇଁ ବଜେଟର ୫୮.୬ ପ୍ରତିଶତ ଅର୍ଥାତ ୧.୭୦ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି ଆକଳନ କରିଛନ୍ତି । ୨୦୨୫-୨୬ ଆର୍ଥିକ ବର୍ଷରେ ମୋଟ ୪୬୩୯୯କୋଟି ଟଙ୍କାର ଋଣ ସଂଗ୍ରହ ପାଇଁ ଲକ୍ଷ୍ୟ ରଖିଛନ୍ତି ଓ ବର୍ଷ ଶେଷବେଳକୁ ଋଣବୋଝ ୧ଲକ୍ଷ ୩୪ହଜାର ୯୧୪କୋଟି ଟଙ୍କା ଛୁଇଁବ ବୋଲି ଜଣାପଡ଼ିଛି।
ବଜେଟକୁ ସରକାର ଚିରାଚରିତ ଢଙ୍ଗରେ ରାଜସ୍ୱ ବଳକା ଓ ବିତ୍ତୀୟ ନିଅଂଟିଆ ବଜେଟ ବୋଲି ଦର୍ଶାଇଛନ୍ତି । ଅବଶ୍ୟ ବିତ୍ତୀୟ ନିଅଣ୍ଟ ପରିମାଣ ୨୦୨୪-୨୫ ବଜେଟ୍ ତୁଳନାରେ ୦.୧% ଅଧିକ ରହିଛି ଓ ୨୦୨୫-୨୬ ବଜେଟରେ ବିତ୍ତୀୟ ନିଅଣ୍ଟ ରାଜ୍ୟ ଜିଡିପିର ୩.୨% ଅର୍ଥାତ୍ ୩୪୨୦୦କୋଟି ଟଙ୍କା ରହିବ ବୋଲି ଆକଳନ ହୋଇଛି । ରାଜ୍ୟ ସରକାର ନିଜର ବଜେଟର ଆକାରକୁ ୨୫ହଜାର କୋଟି ଟଙ୍କା ବଢ଼ାଇଛନ୍ତି ତଥା ଏହି ବର୍ଦ୍ଧିତ ଟଙ୍କାକୁ ୨୦୨୫-୨୬ରେ କାର୍ଯ୍ୟକ୍ଷମ ହେବାକୁ ଥିବା ନୂଆ ଖଣି, ଜିଏସଟି, ଅବକାରୀ ଟିକସ, ବିଦ୍ୟୁତ ଶୁଳ୍କ,ଭ୍ୟାଟ୍ ସମେତ ପ୍ରାୟ ୪ହଜାର କୋଟି ଅଧିକ ଋଣ ଆହରଣ ଓ ୧୩ହଜାର କୋଟି ଟଙ୍କାର ଅଧିକ କେନ୍ଦ୍ରୀୟ ଅନୁଦାନରୁ ଭରଣା କରିବେ ବୋଲି ଜଣାପଡ଼ିଛି ।
ସୋମବାର ବିଧାନସଭାରେ ରାଜ୍ୟ ଅର୍ଥ ମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨.୯୦ଲକ୍ଷ କୋଟି ଟଙ୍କାର ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କ ଏହା ଦ୍ୱିତୀୟ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ । ରାଜ୍ୟରେ ବିଜେପି ସରକାର ଗଠନ ହେବାପରେ ଶ୍ରୀ ମାଝୀ ୨୦୨୪-୨୫ରେ ପ୍ରଥମଥର ପାଇଁ ୨.୬୫ଲକ୍ଷ କୋଟି ଟଙ୍କାର ପୂର୍ଣ୍ଣାଙ୍ଗ ବଜେଟ୍ ଆଗତ କରିଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଚଳିତ ବଜେଟ ପଢ଼ିବାରେ ୨ ଘଣ୍ଟା ୪୩ ମିନିଟ ସମୟ ନେଇଥିଲେ। ନିଜର ପ୍ରଥମ ବଜେଟ ଅଭିଭାଷଣ(୨୦୨୪ ଜୁଲାଇ ୨୫)ର ଅବଧି ୨ ଘଣ୍ଟା ୯ ମିନଟରେ ସୀମିତ ରଖିଥିଲେ ଶ୍ରୀ ମାଝୀ।
ମୋହନ ଦେଲେ ‘ଜ୍ଞାନ’ ମନ୍ତ୍ର
ରାଜ୍ୟର ଅର୍ଥମନ୍ତ୍ରୀ ଭାବେ କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ତାଙ୍କ ସରକାରଙ୍କ ‘ଜ୍ଞାନ’ ମନ୍ତ୍ର ସମ୍ପର୍କରେ ସୂଚନା ଦେଇଛନ୍ତି । ତାଙ୍କ ସରକାର ‘ଜ୍ଞାନ’କୁ ସଶକ୍ତ କରିବାର ମନ୍ତ୍ର ଦେଉଛି । ଜ୍ଞାନ- ଗରିବ, ଯୁବ,ଅନ୍ନଦାତା ଓ ନାରୀଶକ୍ତି । ୨୦୨୫-୨୬ ବାର୍ଷିକ ବଜେଟର ପ୍ରାଥମିକତା କ୍ଷେତ୍ର ଭାବେ ଭିତ୍ତିଭୂମି ବିକାଶ, ବନ୍ଦରଭିତ୍ତିକ ବିକାଶ, ଶିଳ୍ପ ଓ ଏମଏସଏମଇରେ ପୁଞ୍ଜିନିବେଶ, ସମସ୍ତଙ୍କ ପାଇଁ କ୍ରୀଡ଼ା ସମେତ ମହିଳା ଓ ଶିଶୁବିକାଶ, କୃଷି ଓ ଜଳସେଚନ, ଅନୁସୂଚିତ ଜାତି, ଜନଜାତି ଓ ଓବିସିଙ୍କ ବିକାଶକୁ ଗୁରୁତ୍ୱ ଦିଆଯାଇଛି । ନିଯୁକ୍ତି ସୃଷ୍ଟି ଉପରେ ଗୁରୁତ୍ୱ ଦେଇ କୃଷି ଓ ଗ୍ରାମାଂଚଳର ବିକାଶକୁ ପ୍ରାଥମିକତା ଦିଆଯାଇଛି ।
ରାଜ୍ୟର ଆର୍ଥିକ ସ୍ଥିତି ଓ ଋଣବୋଝ
୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ୨.୯୦ଲକ୍ଷ କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରିଛନ୍ତି । ଯାହାକି ୨୦୨୪-୨୫ ଆର୍ଥିକ ବର୍ଷର ବଜେଟ୍ ପରିମାଣ ୨.୬୫ଲକ୍ଷ କୋଟି ଟଙ୍କା ତୁଳନାରେ ୯% ଅଧିକ । ୨୦୨୩-୨୪ରେ ରାଜ୍ୟର ଅର୍ଥନୀତିକ ଅଭିବୃଦ୍ଧି ହାର ୯.୬% ରହିଥିବାବେଳେ ୨୦୨୪-୨୫ରେ ଏହି ହାର ୭.୨%କୁ ହ୍ରାସ ପାଇଛି । ବଜେଟରେ ବିତ୍ତୀୟ ନିଅଣ୍ଟ ପରିମାଣରେ ୦.୧% ବୃଦ୍ଧି ପାଇଛି । ୨୦୨୪-୨୫ରେ ବିତ୍ତୀୟ ନିଅଣ୍ଟ ରାଜ୍ୟ ଜିଡିପିର ୩.୧% ଥିବାବେଳେ ଚଳିତ ବଜେଟରେ ଏହା ୩.୨%କୁ ବଢ଼ିବ । ଯଦିଓ ୨୦୨୩-୨୪ ଆର୍ଥିକ ବର୍ଷରେ ବିତ୍ତୀୟ ନିଅଣ୍ଟ ପରିମାଣ ରାଜ୍ୟ ଜିଡିପିର ୧.୮%(ସଂଶୋଧିତ ବଜେଟରେ) ରହିଥିଲା । ଅବଶ୍ୟ ଏଫଆରବିଏମ୍ ଆକ୍ଟ ଅନୁସାରେ ରାଜ୍ୟର ବିତ୍ତୀୟ ନିଅଂଟ ପରିମାଣ ସର୍ବାଧିକ ରାଜ୍ୟ ଜିଡିପିର ୩.୫% ପର୍ଯ୍ୟନ୍ତ ହୋଇପାରିବ । ସେହିପରି ରାଜ୍ୟର ଋଣବୋଝ ମଧ୍ୟ ଅନୁରୂପ ଭାବେ ୧% ବୃଦ୍ଧି ପାଇ ରାଜ୍ୟ ଜିଡିପିର ୧୨.୭%କୁ ଛୁଇଁବ ବୋଲି ଆକଳନ ହୋଇଛି ।
୨୦୨୪-୨୫ ଆର୍ଥିକ ବର୍ଷର ସଂଶୋଧିତ ବଜେଟରେ ରାଜ୍ୟର ଋଣବୋଝ ପରିମାଣ ୧ଲକ୍ଷ ୧୦ହଜାର ୭୧୪କୋଟି ଟଙ୍କା ଥିବାବେଳେ ୨୦୨୫-୨୬ରେ ଏହା ବୃଦ୍ଧି ପାଇ ୧ଲକ୍ଷ ୩୪ହଜାର ୯୧୪କୋଟି ଟଙ୍କା (ରାଜ୍ୟ ଜିଡିପିର ୧୨.୭%)ଛୁଇଁବ । ରାଜ୍ୟରେ ମୁଣ୍ଡପିଛା ଋଣବୋଝ ୨୮୭୦୫ଟଙ୍କା ହେବ । ତେବେ ୨୦୨୯-୩୦ ଆର୍ଥିକ ବର୍ଷ ବେଳକୁ ସରକାର ରାଜ୍ୟ ଜିଡିପିର ୧୫.୭% ପ୍ରତିଶତ ଋଣ ଆହରଣ କରିଥିବେ ବୋଲି ଆକଳନ କରିଛନ୍ତି । ଆଉ ଏଫଆରବିଏମ୍ ଆକ୍ଟ ଆଧାରରେ ଋଣ ପରିମାଣ ରାଜ୍ୟ ଜିଡିପିର ୨୫% ମଧ୍ୟରେ ରହିବା ଜରୁରୀ ଥିବାବେଳେ ଓଡ଼ିଶା ଏଦିଗରେ ବହୁତ ଭଲ ସ୍ଥିତିରେ ଅଛି ବୋଲି ବଜେଟରେ ସରକାର ଦାବି କରିଛନ୍ତି । ରାଜ୍ୟର ଡିଜିପି ପରିମାଣ ୨୦୨୪-୨୫ରେ ୯.୨୬ଲକ୍ଷ କୋଟି ଟଙ୍କା ଥିବାବେଳେ ୨୦୨୫-୨୬ରେ ଏହା ୮% ହାରରେ ବାସ୍ତବ ଅଭିବୃଦ୍ଧି କରି ୧୦.୬୭ଲକ୍ଷ କୋଟି ଟଙ୍କା ଛୁଇଁବ ବୋଲି ଆକଳନ ହୋଇଛି । ତେବେ ୨୦୨୪-୨୫ର ସଂଶୋଧିତ ଆକଳନ ଅନୁସାରେ ରାଜ୍ୟର ଜିଡିପି ପରିମାଣର ୯.୪୯ଲକ୍ଷ କୋଟି ଟଙ୍କା ଛୁଇଁବ ବୋଲି ଅର୍ଥନୀତିକ ଓ ପରିସଂଖ୍ୟାନ ନିର୍ଦ୍ଦେଶାଳୟର ଅଗ୍ରୀମ ଆକଳନରୁ ଜଣାପଡ଼ିଛି ।
୨୦୩୬ ସୁଦ୍ଧା ‘ସମୃଦ୍ଧ ଓଡ଼ିଶା’, ୨୦୪୭ ସୁଦ୍ଧା ‘ବିକଶିତ ଓଡ଼ିଶା’
ଓଡ଼ିଶାକୁ ସମୃଦ୍ଧ ଓ ବିକଶିତ କରିବା ନେଇ ମୋହନ ମାଝୀଙ୍କ ସରକାର ଏବେ ଦୁଇଟି ପର୍ଯ୍ୟାୟର ସମୟସୀମା ଧାର୍ଯ୍ୟ କରିଛନ୍ତି । ରାଜ୍ୟର ଅର୍ଥନୀତି ନିରନ୍ତର ୭ପ୍ରତିଶତ ହାରରେ ଅଭିବୃଦ୍ଧି କରି ଓଡ଼ିଶା ପ୍ରଦେଶ ଗଠନକୁ ୧୦୦ବର୍ଷ ପୂର୍ତ୍ତି ଅର୍ଥାତ୍ ୨୦୩୬ ମସିହା ସୁଦ୍ଧା ‘ସମୃଦ୍ଧ ଓଡ଼ିଶା’ ଲକ୍ଷ୍ୟକୁ ହାସଲ କରିବାକୁ ମୋହନ ସରକାର ରୂପରେଖ ପ୍ରସ୍ତୁତ କରିଛନ୍ତି । ଏହାସହିତ ୨୦୪୭ ମସିହା ସୁଦ୍ଧା ‘ବିକଶିତ ଓଡ଼ିଶା’ର ଲକ୍ଷ୍ୟକୁ ହାସଲ କରିବେ ବୋଲି ବଜେଟ୍ ପୁସ୍ତିକାରେ ଦାବି କରିଛନ୍ତି । ୨୦୩୬ରେ ୫୦୦ ବିଲିୟନ ଡଲାରର ଅର୍ଥନୀତି ଓ ୨୦୨୭ରେ ଦେଢ଼ ଟ୍ରିଲିୟନ ଡଲାରର ଅର୍ଥନୀତି ଓଡ଼ିଶା ହେବ ବୋଲି ଆଶା ବାନ୍ଧିଛନ୍ତି । ‘ସମୃଦ୍ଧ ଓଡ଼ିଶା, ବିକଶିତ ଓଡ଼ିଶା’ ର ସ୍ଲୋଗାନ ଦେଉଥିବା ବିଜେପି ସରକାର ୨୦୩୬ ମସିହା ସୁଦ୍ଧା ‘ସମୃଦ୍ଧ ଓଡ଼ିଶା’ ଗଠନ କରିବେ ଯେଉଁଥିରେ ସୁସ୍ଥ ଓଡ଼ିଶା ସହ ସମାନତା,ସମୃଦ୍ଧି,ଆଂଚଳିକ ବୈଷମ୍ୟ ଦୂରର ପ୍ରମାଣ ମିଳିବ । ଜଳବାୟୁ ଅନୁକୂଳ ଓଡ଼ିଶା, ଅନ୍ନଦାତା, ଓଡ଼ିଆ ଅସ୍ମିତା ଓ ଲୋକଙ୍କ ସରକାରକୁ ଗୁରୁତ୍ୱ ଦେଇ ‘ସମୃଦ୍ଧ ଓଡ଼ିଶା ଓ ବିକଶିତ ଓଡ଼ିଶା’ ଲକ୍ଷ୍ୟକୁ ହାସଲ ପାଇଁ ମୋହନ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି ।
ବଜେଟରେ କ’ଣ ଲକ୍ଷ୍ୟ ରଖିଛନ୍ତି ସରକାର
୨୦୨୫-୨୬ ଆର୍ଥିକ ବର୍ଷରେ ୨.୭୭ଲକ୍ଷ ହେକ୍ଟର ସମେତ ୨୦୨୯ ମସିହା ସୁଦ୍ଧା ଅତିରିକ୍ତ ୧୦ଲକ୍ଷ ହେକ୍ଟର ଜମିକୁ ଅତିରିକ୍ତ ଜଳସେଚନ ସୁବିଧା କରିବା ସହ ପ୍ରାଚୀ, ମୂଷି ଓ ଗୋବରୀ ନଦୀର ପୁନରୁଦ୍ଧାର ପାଇଁ ମଧ୍ୟ ବଜେଟରେ ପର୍ଯ୍ୟାୟକ୍ରମେ ବ୍ୟବସ୍ଥା କରାଯାଇଛି । ଏହାସହିତ ବିସ୍ତୃତ ବନ୍ୟା ପରିଚାଳନା ବ୍ୟବସ୍ଥା ନିମନ୍ତେ ମଧ୍ୟ ସରକାର ପଦକ୍ଷେପ ନେଇଛନ୍ତି । ୪୮୦କିମି ଉପକୂଳ ଓ ଗୁଣାତ୍ମକମାନର କୃଷି ଜମି ଓ ପ୍ରଚୁର ଖଣିଜ ସମ୍ପଦ ପାଇଁ ଓଡ଼ିଶା ଦେଶର ପ୍ରମୁଖ ଶିଳ୍ପ ହବ୍ ପାଲଟିଛି । ସେଥିପାଇଁ ରାଜ୍ୟ ସରକାର ବନ୍ଦରଭିତ୍ତିକ ବିକାଶ ଯୋଜନାକୁ ଗୁରୁତ୍ୱ ଦେଇଛନ୍ତି ଯାହାକି ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନର ମୁଖ୍ୟ କାରକ ପାଲଟିବ ।
ସଡ଼କ ବିକାଶ କାର୍ଯ୍ୟକ୍ରମ ଅନ୍ତର୍ଗତ ରାଜ୍ୟର ସମସ୍ତ ରାଜ୍ୟ ରାଜପଥକୁ ୪ଲେନ୍ ବିଶିଷ୍ଟ କରିବା ସହ ଜିଲ୍ଲାର ପ୍ରମୁଖ ରାସ୍ତାକୁ ୨ଲେନ୍ ବିଶିଷ୍ଟ କରିବାକୁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି । ଏହି ଯୋଜନାରେ ଆଗାମୀ ଆର୍ଥିକ ବର୍ଷରେ ବ୍ରହ୍ମପୁର-ଜୟପୁର ରାସ୍ତାକୁ ୬ଲେନ୍ ବିଶିଷ୍ଟ ଗ୍ରୀନ୍ ଫିଲଡ୍ ଏକ୍ସପ୍ରେସୱେ ସହ ୩ହଜାର କିମି ରାସ୍ତାର ଉନ୍ନତିକରଣ କରାଯିବ।
କେନ୍ଦ୍ର ସରକାରଙ୍କ ରାଜପଥ ପ୍ରାଧିକରଣ ଢାଂଚାରେ ‘ଓଡ଼ିଶା ରାଜପଥ ପ୍ରାଧିକରଣ’ ଗଠନ ହେବ । ଯାହାକି ଏକ ସ୍ୱୟଂଶାସିତ ସଂସ୍ଥା ଭାବେ କାର୍ଯ୍ୟ କରିବ । ଏହା ରାଜ୍ୟର ଉଚ୍ଚମାନର ଭିତ୍ତିଭୂମି ପ୍ରକଳ୍ପର ବିକାଶ, ମରାମତି ଓ ପରିଚାଳନା କରିବ । ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ରାଜ୍ୟ ସରକାର ସମସ୍ତ ଦୁର୍ଗମ ଅଂଚଳକୁ ସବୁଦିନିଆ ରାସ୍ତା ନିର୍ମାଣ ପାଇଁ ଲକ୍ଷ୍ୟ ରଖିଛନ୍ତି ।
ସୁଭଦ୍ରା ଓ ପିଏମଆବାସ ପାଣ୍ଠି ହ୍ରାସ
୨୦୨୫-୨୬ ଆର୍ଥିକ ବର୍ଷ ବଜେଟରେ ରାଜ୍ୟ ସରକାର ନିଜର ଯୋଜନାଗୁଡ଼ିକୁ ଚଳାଇ ରଖିବା ପାଇଁ କାର୍ଯ୍ୟକ୍ରମ ବ୍ୟୟ ପରିମାଣକୁ ୧.୭୦ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି କରିଛନ୍ତି । ଯାହାକି ମୋଟ ବଜେଟର ୫୮.୬% । ୨୦୨୪-୨୫ ଆର୍ଥିକ ବର୍ଷରେ ଏହି କାର୍ଯ୍ୟକ୍ରମବାବଦ ବ୍ୟୟବରାଦ ୧.୫୫ଲକ୍ଷ କୋଟି ଟଙ୍କାରେ ସୀମିତ ରହିଥିଲା । ତେବେ ୨୦୨୫-୨୬ ବାର୍ଷିକ ବଜେଟରେ ସୁଭଦ୍ରା ଯୋଜନା ବାବଦ ବ୍ୟୟବରାଦକୁ ୧୧୧୮୬କୋଟି ଟଙ୍କାରୁ ୧୦୧୪୫କୋଟି ଟଙ୍କାକୁ ହ୍ରାସ କରିଛନ୍ତି । ଏହାସହିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ପାଣ୍ଠିକୁ ୬୦୯୦କୋଟି ଟଙ୍କାରୁ ୪୫୦୦କୋଟି ଟଙ୍କାକୁ କମାଇଛନ୍ତି ।
ସେହିପରି ସମୃଦ୍ଧ କୃଷି ଯୋଜନାରେ ମାତ୍ର ୧ହଜାର କୋଟି ଟଙ୍କା ବୃଦ୍ଧି ହୋଇଛି । କୃଷି ବଜେଟର ଆକାରକୁ ମଧ୍ୟ ସରକାର ୩୩୯୧୯କୋଟି ଟଙ୍କାରୁ ୩୭୯୮୫କୋଟି ଟଙ୍କା ଅର୍ଥାତ୍ ପ୍ରାୟ ୪ହଜାର କୋଟି ଟଙ୍କାକୁ ବଢ଼ାଇଛନ୍ତି ।
୪ ଲକ୍ଷ କୋଟି ଟଙ୍କା ଛୁଇଁବ ବଜେଟ୍ ଆକାର
ରାଜ୍ୟର ମୋହନ ମାଝୀଙ୍କ ନେତୃତ୍ୱାଧୀନରେ ବିଜେପି ସରକାରର ପ୍ରଥମ ୫ବର୍ଷରେ ରାଜ୍ୟର ବଜେଟ୍ ଆକାର ପ୍ରାୟ ୪ଲକ୍ଷ କୋଟି ଟଙ୍କା ଛୁଇଁବ । ମୋହନ ସରକାରଙ୍କ ପ୍ରଥମ ବଜେଟ ୨୦୨୪-୨୫ରେ ବଜେଟର ଆକାର ୨.୬୫ଲକ୍ଷ କୋଟି ଟଙ୍କା ଥିଲା । ଯାହାକି ୨୦୨୩-୨୪ ତୁଳନାରେ ୧୫ପ୍ରତିଶତ ଅଧିକ ଥିଲା । ୨୦୨୫-୨୬ରେ ଏହି ବଜେଟ୍ ଆକାର ୯ପ୍ରତିଶତ ଅପେକ୍ଷାକୃତ ବୃଦ୍ଧି ପାଇ ୨.୯୦ଲକ୍ଷ କୋଟି ଟଙ୍କା ହୋଇଛି । ସେହିପରି ୨୦୨୬-୨୭ରେ ଏହି ବଜେଟ୍ ପରିମାଣ ୩.୨୦ଲକ୍ଷ କୋଟି, ୨୦୨୭-୨୮ରେ ୩.୫୫ଲକ୍ଷ କୋଟି ଟଙ୍କା ଓ ୨୦୨୮-୨୯ରେ ୩.୯୫ଲକ୍ଷ କୋଟି ଟଙ୍କା ଏବଂ ୨୦୨୯-୨୦ରେ ବଜେଟ୍ ଆକାର ଐତିହାସିକ ମାଇଲଖୁଂଟ ହାସଲ କରି ୪.୪୦ଲକ୍ଷ କୋଟି ଟଙ୍କାର ହେବ ବୋଲି ଆକଳନ କରାଯାଇଛି ।
ରାଜ୍ୟରେ ବିଶେଷକରି ବାଣିଜ୍ୟକର, ଖଣି ଭିତ୍ତିକ ରାଜସ୍ୱ ଓ କେନ୍ଦ୍ରୀୟ ଟିକସ ହାର ବୃଦ୍ଧି ଯୋଗୁ ରାଜ୍ୟ ରାଜସ୍ୱ ସଂଗ୍ରହରେ ସୁଧାର ଆସିଛି । ୨୦୨୩-୨୪ରେ ରାଜ୍ୟ ବଜେଟରେ ରାଜସ୍ୱ ସଂଗ୍ରହ ମାତ୍ର ୧ଲକ୍ଷ ୭୯ହଜାର ୫୯୩ଟଙ୍କା(ମୋଟ ବଜେଟର ୭୮%) ଥିବାବେଳେ ୨୦୨୪-୨୫ ସଂଶୋଧିତ ବଜେଟରେ ଏହି ରାଜସ୍ୱ ସଂଗ୍ରହ ପରିମାଣ ୨.୧୧ଲକ୍ଷ କୋଟି ଟଙ୍କା(୧୭% ଅଧିକ) ଓ ୨୦୨୫-୨୬ରେ ଏହି ରାଜସ୍ୱ ସଂଗ୍ରହ ପରିମାଣ ୨.୩୨ଲକ୍ଷ କୋଟି ଟଙ୍କା ହେବ ବୋଲି ଆକଳନ ହୋଇଛି । ସେହିପରି ଅଷ୍ଟମ ବେତନ କମିଶନରେ ରାଜ୍ୟ କର୍ମଚାରୀଙ୍କ ଦରମାରେ ୨୦ପ୍ରତିଶତ ବୃଦ୍ଧି ହେବ ବୋଲି ଆକଳନ କରି ରାଜ୍ୟ ସରକାର ୨୦୨୫-୨୬ ଆର୍ଥିକ ବର୍ଷରେ ପ୍ରଶାସନିକ ଖର୍ଚ୍ଚରେ ୨୦୨୪-୨୫ ତୁଳନାରେ ୧୧ ପ୍ରତିଶତ ବୃଦ୍ଧି କରିଛନ୍ତି ।
୧୬ ନୂଆ ଯୋଜନା
୧- ଅନ୍ତ୍ୟୋଦୟ ଗୃହ ଯୋଜନା-୨୬୩୦କୋଟି ଟଙ୍କା
୨- ସୁଭଦ୍ରା ସୁରକ୍ଷା ଯୋଜନା-୧୫୩କୋଟି
୩- ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା- ୩୦କୋଟି
୪- ଉତ୍ତର ଓଡ଼ିଶା ବିକାଶ ପରିଷଦ-୨୦୦କୋଟି ଟଙ୍କା
୫- ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ-୨୦୦କୋଟି ଟଙ୍କା
୬- ଓଡ଼ିଶା ପୃଷ୍ଟି ମିଶନ-୧୦୦କୋଟି ଟଙ୍କା
୭- ବକୁଳ ବନ ଉନ୍ନୟନ- ୫୦କୋଟି
୮- ଆମ ଶିମିଳିପାଳ- ୫୦କୋଟି
୯- ମଡେଲ ମଣ୍ଡି-୫୦କୋଟି
୧୦-ଶହୀଦ ଲକ୍ଷ୍ମଣ ନାୟକ ଆଦର୍ଶ ବିଦ୍ୟାଳୟ-୧୦୦କୋଟି
୧୧- ଓଡ଼ିଶା ପ୍ରବାସୀ ଓ ସମ୍ପର୍କ- ୧୦କୋଟି
୧୨- ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା-୧୨କୋଟି(ସାମୁହିକ ମାଗଣା ବିବାହ)
୧୩- ସ୍ୱଚ୍ଛ ଓଡ଼ିଶା -୨୬୧କୋଟି ଟଙ୍କା
୧୪- ଆମେ ପଢ଼ିବା ଆମ ଭାଷାରେ-୨୫କୋଟି ଟଙ୍କା
୧୫- ସମୃଦ୍ଧ ସହର- ୪୦୮କୋଟି ଟଙ୍କା
୧୬- ଅଟଳ ବସ ଷ୍ଟାଣ୍ଡ- ୧୨୬୬ କୋଟି