Advertisment

ମୋଦିଜୀ ପଠାଉଥିବା ଟଙ୍କାକୁ ଠିକ୍ ଭାବେ ଖର୍ଚ୍ଚ କଲେ ଓଡ଼ିଶାର ବିକାଶ ହୋଇପାରିବ: କେନ୍ଦ୍ର ଅର୍ଥମନ୍ତ୍ରୀ

ଶ୍ରୀମତୀ ସୀତାରମଣ ଆହୁରି ମଧ୍ୟ କହିଥିଲେ ଯେ, ପୂର୍ବରୁ ଓଡ଼ିଶାକୁ ଜିଏସଟି ସଂଗ୍ରହ, ଖଣି ରାଜସ୍ୱ ଓ ଆର୍ଥକ କ୍ଷେତ୍ରରେ ଅନୁଦାନ ବାବଦକୁ ୩ ଲକ୍ଷ କୋଟି ଟଙ୍କା ଆସୁଥିବାବେଳେ ବିଗତ ୯ ବର୍ଷରେ ମୋଦି ସରକାରରେ ୧୮ ଲକ୍ଷ କୋଟି ଟଙ୍କା ଆସିଛି ।

ଅଦ୍ୟତନ ହୋଇଛି
Union Finance Minister

Union Finance Minister

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାକୁ ପଠାଉଥିବା ଟଙ୍କାକୁ ସଠିକ୍ ଭାବେ କାର୍ଯ୍ୟକାରୀ କରାଗଲେ ରାଜ୍ୟର ବିକାଶ ହୋଇପାରିବ । ଆଉ ଭାରତର ଚାର୍ଟାର୍ଡ ଆକାଉଣ୍ଟାଣ୍ଟମାନଙ୍କୁ ଗ୍ଲୋବାଲ୍ ଲିଡର ବନାଇବା ଓ ଏହା ସୁନିଶ୍ଚିତ କରିବା ପାଇଁ ଭାରତ ସରକାର ସକ୍ରିୟତାର ସହ କାର୍ଯ୍ୟ କରୁଛନ୍ତି ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି । ଶ୍ରୀମତୀ ସୀତାରମଣ ପୁରୀ ଓ ଭୁବନେଶ୍ୱରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇ ଆଜି ସନ୍ଧ୍ୟାରେ ଫେରିଯାଇଛନ୍ତି ।

Advertisment

ଆଜି ଭୁବନେଶ୍ୱରସ୍ଥିତ ସୋଆ ବିଶ୍ୱବିଦ୍ୟାଳୟରେ ଇନଷ୍ଟିଚ୍ୟୁଟ୍ ଅଫ୍ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଅଫ୍ ଇଣ୍ଡିଆ (ଆଇସିଏଆଇ) ପକ୍ଷରୁ ଆୟୋଜିତ ୨୦ତମ ଜାତୀୟ ଚାର୍ଟାର୍ଡ ଆକାଉଣ୍ଟା ସମ୍ମିଳନୀକୁ ଉଦଘାଟନ କରି କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ ସୀତାରମଣ ଯୋଗଦେଇ କହିଛନ୍ତି ଯେ, ଭାରତର ଚାର୍ଟାର୍ଡ ଆକାଉଣ୍ଟାଣ୍ଟମାନେ ବିଶ୍ୱର ନେତୃତ୍ୱ ନେବା ଦିଗରେ କାମ କରୁଛନ୍ତି ଏବଂ ଏଥିପାଇଁ ସରକାର ଅନ୍ୟ ରାଷ୍ଟ୍ର ମାନଙ୍କ ସହ ମଧ୍ୟ ଯୋଗାଯୋଗ ସ୍ଥାପନ କରୁଛି । ଗତ ମେ’ ମାସରେ ଆଇସିଏଆଇ ଇନଷ୍ଟିଚ୍ୟୁଟ୍ ଅଫ୍ ସିଏ ଇନ୍ ଇଂଲଣ୍ଡ ଆଣ୍ଡ ୱେଲ୍ସ (ଆଇସିଏଇଡବ୍ଲ୍ୟୁ) ସହ ବୁଝାମଣାପତ୍ର ସ୍ୱାକ୍ଷର କରିଛି । ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ଆୟର୍ଲାଣ୍ଡ, କାନାଡା, ମାଲେସିଆ, ୟୁଏଇ, ସାଉଦି ଆରବ, କତାର, ବାହାରିନ, ଓମାନ ଏବଂ ଦକ୍ଷିଣ ଆଫ୍ରିକା ସହିତ ପାରସ୍ପରିକ ସ୍ୱୀକୃତି ଏବଂ ଏମଓୟୁକୁ ସମ୍ପୂର୍ଣ୍ଣ ରୂପେ ଉପଯୋଗ କରାଯିବା ଉଚିତ୍ ବୋଲି ସେ କହିଥିଲେ ।‘ସମ୍ଭାବନା : ଡିଜିଟାଲ ଯୁଗରେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ବୃତ୍ତ’ ଶୀର୍ଷକରେ ବିଷୟବସ୍ତୁ ଉପରେ ଏହି ସମ୍ମିଳନୀ ଆୟୋଜିତ ହୋଇଥିଲା ।

ଶ୍ରୀମତୀ ସୀତାରମଣ ଆହୁରି ମଧ୍ୟ କହିଥିଲେ ଯେ, ପୂର୍ବରୁ ଓଡ଼ିଶାକୁ ଜିଏସଟି ସଂଗ୍ରହ, ଖଣି ରାଜସ୍ୱ ଓ ଆର୍ଥକ କ୍ଷେତ୍ରରେ ଅନୁଦାନ ବାବଦକୁ ୩ ଲକ୍ଷ କୋଟି ଟଙ୍କା ଆସୁଥିବାବେଳେ ବିଗତ ୯ ବର୍ଷରେ ମୋଦି ସରକାରରେ ୧୮ ଲକ୍ଷ କୋଟି ଟଙ୍କା ଆସିଛି । ଯଦି ଓଡ଼ିଶାର ମହିଳାଙ୍କୁ ପ୍ରଯୁକ୍ତିବିଦ୍ୟା ସହ ଯୋଡ଼ାଯିବ ଓ ମୋଦିଜୀ ଓଡ଼ିଶାକୁ ପଠାଇଥିବା ଟଙ୍କାର ସଠିକ୍ କ୍ରିୟାନ୍ୱୟନ ହେବ ତେବେ ଓଡ଼ିଶାର ବିକାଶ ହୋଇପାରିବ । ଏହି ଅବସରରେ ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ କଦଳୀଗଡ ପଂଚାୟତ କନ୍ଧରା ଗ୍ରାମର ବୁଣାକାର ପରିବାରର ମହିଳାମାନେ ଆଜି ଶ୍ରୀମତୀ ସୀତାରମଣଙ୍କୁ ଭେଟି ସେମାନଙ୍କ ଦ୍ୱାରା ପ୍ରସ୍ତୁତ ଶାଢୀ ପ୍ରଦାନ କରିବା ସହ ଭାରତ ସରକାରଙ୍କ ୨ କୋଟି ମହିଳାଙ୍କୁ ‘ଲକ୍ଷପତି ଦିଦି’ ସୃଷ୍ଟି କରିବାର ନିଷ୍ପତ୍ତି ପାଇଁ ଧନ୍ୟବାଦ ଜଣାଇଥିଲେ ।

Advertisment

ଏହାପୂର୍ବରୁ ଶ୍ରୀମତୀ ସୀତାରମଣ ହୋଟେଲ ମେ’ଫେୟାରରେ କୁଇ ଏବଂ ଦେଶିଆ ଭାଷା ଶିକ୍ଷା ପୁସ୍ତକ ଏବଂ ଡାକ ଲଫାପା ଉନ୍ମୋଚନ କରିଥିଲେ । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅନ୍ୟମାନଙ୍କ ଉପସ୍ଥିତିରେ ଏହି ପୁସ୍ତକ ଉନ୍ମୋଚନ କରାଯାଇଛି । ଜାତୀୟ ଶିକ୍ଷା ଗବେଷଣା ଓ ତାଲିମ ପରିଷଦ (ଏନସିଇଆରଟି) ଏବଂ କୋରାପୁଟ ସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓଡ଼ିଶା ସହଭାଗିତାରେ ଦୁଇଟି ପୁସ୍ତକ ପ୍ରସ୍ତୁତ କରାଯାଇଛି । କୁଇ ଏବଂ ଦେଶିଆ ଭାଷାଭାଷୀ ପିଲାମାନଙ୍କୁ ସେମାନଙ୍କ ମାତୃଭାଷାରେ ଶିକ୍ଷାଦାନ ଲାଗି ପୁସ୍ତକ ଦୁଇଟି ସହାୟକ ହୋଇପାରିବ ବୋଲି ମନ୍ତ୍ରୀ ଶ୍ରୀମତୀ ସୀତାରମଣ କହିଥିଲେ ।

ଆଜି ପୂର୍ବାହ୍ନରେ ଦୁଇ କେନ୍ଦ୍ର ମନ୍ତ୍ରୀ ଦେଶବ୍ୟାପୀ ଆୟୋଜିତ ‘ମେରୀ ମାଟି ମେରା ଦେଶ’ ଅଭିଯାନର ଅଂଶବିଶେଷ ସ୍ୱରୂପ ଏକାଧିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ପୁରୀ ବେଳାଭୂମିରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ୱାରା ପ୍ରସ୍ତୁତ ‘ମେରୀ ମାଟି ମେରା ଦେଶ’ ବାଲୁକା କଳା ବୁଲି ଦେଖିବା ସହ ଏହାର ପ୍ରଂଶସା କରିଥିଲେ । ସେହିପରି ପୁରୀସ୍ଥିତ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ସଦାଶିବ କ୍ୟାମ୍ପସ ପରିସରରେ ଶିଳାଫଳକମ୍ ପ୍ରତିଷ୍ଠା ଓ ବସୁଧା ବନ୍ଦନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଦୁଇ କେନ୍ଦ୍ର ମନ୍ତ୍ରୀ ଏଠାରେ ଛାତ୍ରଛାତ୍ରୀଙ୍କ ସହ ମିଶି ସହିଦମାନଙ୍କ ସ୍ମୃତିରେ ସ୍ମୃତିଫଳକ ସ୍ଥାପନ କରିଥିଲେ ଏବଂ ବୃକ୍ଷରୋପଣ କରିଥିଲେ । କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ସମାରୋହରେ କେନ୍ଦ୍ରମନ୍ତ୍ରୀମାନେ ପଂଚପ୍ରାଣ ଶପଥ ପାଠ କରିଥିଲେ । ଏହାପରେ ଉଭୟ ମନ୍ତ୍ରୀ ପୁରୀ ଜିଲ୍ଲାର ବୀରହରେକୃଷ୍ଣପୁର ଗ୍ରାମ ସ୍ଥିତ ସହିଦ ଜୟୀ ରାଜଗୁରୁଙ୍କ ଘରୁ ଅମୃତ କଳସରେ ମାଟି ଓ ଧାନ ସଂଗ୍ରହ କରିଥିଲେ । ଗାଁର ପ୍ରତ୍ୟେକ ଘରକୁ ଚାଲି ଚାଲି ଯାଇ ଶ୍ରୀମତୀ ସୀତାରମଣ ଏହି ମାଟି ସଂଗ୍ରହ କରିବା ସହ କଳସକୁ ମୁଣ୍ଡରେ ବୋହଥିଲେ । ଏହି କଳସ ଦିଲ୍ଲୀସ୍ଥିତ ଅମୃତ ବାଟିକାରେ ସ୍ଥାପନ କରାଯିବ । ସେମାନେ ମଧ୍ୟ ସହିଦ ଜୟୀ ରାଜଗୁରୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ଉଭୟ କେନ୍ଦ୍ର ମନ୍ତ୍ରୀ ଆଜି ପୁରୀ ଜିଲ୍ଲାର ଐତିହ୍ୟ ଗ୍ରାମ ରଘୁରାଜପୁର ଠାରେ କାରିଗରମାନଙ୍କ ସହିତ ଆଲୋଚନା କରିଥିଲେ । ଆଲୋଚନା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ପିଏମ ବିଶ୍ୱକର୍ମା ଯୋଜନା’ର ଲାଭ ବିଷୟରେ କେନ୍ଦ୍ର ଅର୍ଥ ମନ୍ତ୍ରୀ ଶ୍ରୀମତୀ ସୀତାରମଣ ସେମାନଙ୍କୁ କହିଥିଲେ ।

ସୂଚନାଯୋଗ୍ୟ, ଗତକାଲି ସନ୍ଧ୍ୟାରେ ଦୁଇଦିନିଆ ଗସ୍ତରେ କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ ସୀତାରମଣ ଓଡ଼ିଶା ଆସିଥିଲେ ଓ ଆଜି ସନ୍ଧ୍ୟାରେ ଫେରିଯାଇଛନ୍ତି ।

Bhubaneswar Bjp Bhubaneswar News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe