ରୟାଲିଟି ଟିକସ ନୁହେଁ। ସୁପ୍ରିମକୋର୍ଟ ଏହା ସ୍ପଷ୍ଟ କରିଦେବା ପରେ ଓଡ଼ିଶା ଭଳି ଖଣିଜ ସମ୍ପଦ ଭିତ୍ତିକ ରାଜ୍ୟ ପାଇଁ ବଡ଼ ଖବର ଆସିଛି। ଖଣିଜ ସମ୍ପଦ ଉପରେ ରୟାଲିଟିକୁ ବାଦ ଦେଇ ରାଜ୍ୟଗୁଡ଼ିକ ନିଜ ଅଂଚଳର ଖଣି ଉପରେ ଟିକସ ବା ସେସ୍ ବସାଇପାରିବେ। ଦୀର୍ଘ 13 ବର୍ଷ ଧରି 9-ଜଣିଆ ଖଣ୍ଡପୀଠରେ ଏ ନେଇ ମାମଲା ପଡ଼ି ରହିବା ପରେ ଗତ ଫେବ୍ରୁଆରୀ ମାସରୁ ରୟାଲିଟି ଓ ସେସ୍ ଉପରେ ଶୁଣାଣି ଆରମ୍ଭ କରିଥିଲେ ସୁପ୍ରିମକୋର୍ଟ।
ପୂର୍ବରୁ 1989ରେ ସୁପ୍ରିମକୋର୍ଟଙ୍କ 7-ଜଣିଆ ଖଣ୍ଡପୀଠ ଦେଇଥିବା ରାୟର ତର୍ଜମା କରି ରୟାଲିଟି ଓ ଟିକସ ଅଲଗା ବୋଲି ସ୍ପଷ୍ଟ କରିଦେଇଥିଲେ। ଏହାଦ୍ୱାରା ‘ଯଥାର୍ଥ ଆର୍ଥିକ ସଂଘୀୟ ବ୍ୟବସ୍ଥା’ ତିଆରି ହୋଇପାରିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ସୁପ୍ରିମକୋର୍ଟଙ୍କ ଏହି ରାୟ ଦ୍ୱାରା 2018-19ରେ ଓଡ଼ିଶା ସରକାର ଲାଗୁ କରିଥିବା `ଓରିଶେଡ୍’ ଟିକସକୁ ବର୍ତ୍ତମାନ ପାଇଁ ଆଦାୟ କରିବାର ସମ୍ଭାବନା ସୃଷ୍ଟି ହୋଇଛି ବୋଲି କହିଛନ୍ତି ବରିଷ୍ଠ ଆଇନଜୀବୀ ମାନସ ମହାପାତ୍ର।
ସୁପ୍ରିମକୋର୍ଟ ଜୁଲାଇ 25ରେ ତାଙ୍କ ରାୟରେ ରାଜ୍ୟଗୁଡ଼ିକ ଖଣି ଉପରେ ଟିକସ ବସାଇ ପାରିବେ ବୋଲି କହିବା ପରେ କେନ୍ଦ୍ର ସରକାର ଏହି ରାୟକୁ ପିଛିଲା ଭାବେ ଲାଗୁ ନ କରିବାକୁ ମତ ରଖିଥିଲେ। ମାତ୍ର ସୁପ୍ରିମକୋର୍ଟରେ ଓଡ଼ିଶା ସରକାର ଏହା ବିରୋଧରେ ମତ ଦେଇଥିଲେ। ଓଡ଼ିଶା ପାଇଁ ରାଜସ୍ୱ ଅଧିକ ଆବଶ୍ୟକ ବୋଲି ଦର୍ଶାଇଥିଲେ। 1989ରେ ଇଣ୍ଡିଆ ସିମେଣ୍ଟ ଓ ତାମିଲନାଡୁ ସରକାରଙ୍କ ମାମଲାରେ ସୁପ୍ରିମେକାର୍ଟଙ୍କ ଏକ 7-ଜଣିଆ ଖଣ୍ଡପୀଠ ରୟାଲିଟି ଏକ ପ୍ରକାର ଟିକସ ବୋଲି ରାୟ ଦେଇଥିଲେ। ମାତ୍ର 2004ରେ କେଶୋରାମ୍ ଇଣ୍ଡଣ୍ଟ୍ରିଜ୍ ବନାମ ପଶ୍ଚିମବଙ୍ଗ ସରକାର ମାମଲାରେ ସୁପ୍ରିମକୋର୍ଟର ଏକ 5-ଜଣିଆ ବେଂଚ୍ ପୂର୍ବ ରାୟରେ ରୟାଲିଟି ଓ ସେସ୍ ନେଇ ଟାଇପ୍ ଜନିତ ତ୍ରୁଟି ରହିଥିବା ଦର୍ଶାଇଥିଲେ।
ସେ ଯାହାହେଉ 2011ରେ ସୁପ୍ରିମକୋର୍ଟର ତିନିଜଣିଆ ବେଂଚ୍ ଏହି ଦୁଇଟି ରାୟ ପରସ୍ପର ବିରୋଧୀ ଦର୍ଶାଇ ଏହାକୁ ଏକ 9-ଜଣିଆ ବେଂଚକୁ ପଠାଇ ଦେଇଥିଲେ। 2023ରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଡି ଓ୍ବାଇ ଚନ୍ଦ୍ରଚୁଡ୍ ପଡ଼ି ରହିଥିବା ସବୁ 9-ଜଣିଆ ବେଂଚ ମାମଲାକୁ ଶୁଣାଣି କରିବା ପାଇଁ ତାଲିକା କରିଥିଲେ। ଏ ନେଇ ମୋଟ 85ଟି ମାମଲା ରହିଥିଲା। ଫେବ୍ରୁଆରୀ ମାସରୁ 9-ଜଣିଆ ବେଂଚ୍ ଶୁଣାଣି କରିବା ପରେ ରୟାଲିଟି ଟ୍ୟାକ୍ସ ନୁହେଁ, ରାଜ୍ୟ ସରକାର ଟିକସ ବା ସେସ୍ ଆଦାୟ କରିପାରିବେ ବୋଲି ରାୟ ଦେଇଥିଲେ।
ଏହି ରାୟ ଦ୍ବାରା ଖଣି-ଭିତ୍ତିକ ରାଜ୍ୟଗୁଡ଼ିକ 12 ବର୍ଷରେ ପ୍ରାୟ ଦେଢ଼ରୁ ଦୁଇ ଲକ୍ଷ କୋଟି ଟଙ୍କାର ରାଜସ୍ବ ପାଇବେ ବୋଲି ଆକଳନ କରାଯାଉଛି। ଓଡ଼ିଶା ସରକାର ରାଜସ୍ୱ ଚାହାନ୍ତି। ଏ ନେଇ ତର୍ଜମା କରିବୁ ବୋଲି କହିଛନ୍ତି ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା।
ଜୁଲାଇ 25ରେ ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ପରେ ଅଗଷ୍ଟ 2 ତାରିଖରେ ଝାଡ଼ଖଣ୍ଡ ସରକାର ଅଧିକ ରାଜସ୍ବ ପାଇବା ପାଇଁ ଖଣିଜ ପଦାର୍ଥ ଉପରେ ସେସ୍ ବସାଇବା ପାଇଁ ବିଧାନସଭାରେ ବିଲ୍ ଆଣିଛନ୍ତି। ଓଡ଼ିଶା ମଧ୍ୟ ଏ ଦିଗରେ ଆଗେଇବ ବୋଲି ଆଶା କରାଯାଉଛି।
ଲକ୍ଷ୍ମୀନାରାୟଣ କାନୁନଗୋଙ୍କ ରିପୋର୍ଟ