/odisha-reporter/media/post_attachments/uploadimage/library/16_9/16_9_0/IMAGE_1755616653.jpg)
JSW AND POSCO
ଭାରତର ଅଗ୍ରଣୀ ଷ୍ଟିଲ୍ କମ୍ପାନୀ ଜେଏସଡବ୍ଲ୍ୟୁ ଷ୍ଟିଲ୍ ଓ ଦକ୍ଷିଣ କୋରିଆ କମ୍ପାନୀ ପସ୍କୋ ଗ୍ରୁପ୍ ମଧ୍ୟରେ କେନ୍ଦୁଝର ଜିଲ୍ଲାରେ ୬ ନିୟୁତ ଟନ୍ କ୍ଷମତାବିଶିଷ୍ଟ ଏକ ମେଗା ଷ୍ଟିଲ୍ ପ୍ଲାଣ୍ଟ ସ୍ଥାପନ ପାଇଁ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ରାଜ୍ୟ ସରକାର ଏହି ଚୁକ୍ତିକୁ ସ୍ୱାଗତ କରିବା ସହ ଓଡ଼ିଶା ଏବେ ଶିଳ୍ପପତିମାନଙ୍କ ପ୍ରଥମ ପସନ୍ଦ ପାଲଟିଛି ବୋଲି କହିଛନ୍ତି । କେନ୍ଦୁଝରରେ ଷ୍ଟିଲ ପ୍ଲାଣ୍ଟ ସ୍ଥାପନ ପାଇଁ ୨୦୨୫ ଜାନୁୟାରୀ ମାସରୁ ରାଜ୍ୟ ସରକାରଙ୍କ ସହ ଜେଏସଡବ୍ଲ୍ୟୁ ଷ୍ଟିଲ୍ ଏମଓୟୁ ସ୍ୱାକ୍ଷରିତ କରିଥିବାବେଳେ ଏଥିରେ ପସ୍କୋର ଯୋଗଦାନକୁ ବେଶ୍ ଗୁରୁତ୍ୱ ଦିଆଯାଉଛି ।
ଜେଏସଡବ୍ଲ୍ୟୁ ଓ ପସ୍କୋ ଚୁକ୍ତିନାମା
ପସ୍କୋ ଓ ଜେଏସଡବ୍ଲ୍ୟୁ ମଧ୍ୟରେ ଗତକାଲି ଅର୍ଥାତ୍ ଅଗଷ୍ଟ ୧୮ତାରିଖରେ ହେଡସ୍ ଅଫ ଏଗ୍ରିମେଂଟ(ଏଚଓଏ) ସ୍ୱାକ୍ଷରିତ ହୋଇଛି । ୨୦୨୪ ମସିହାରେ ହୋଇଥିବା ଏମଓୟୁର ଆଧାରରେ ଉଭୟ ଆଗକୁ ବଢ଼ିଛନ୍ତି । ଏହି ପ୍ରକଳ୍ପ ଓଡ଼ିଶାର ଅର୍ଥନୀତିକୁ ନୂଆ ଶିଖରକୁ ନେବା ସହ ହଜାର ହଜାର ରୋଜଗାର ସୃଷ୍ଟି କରିବ ବୋଲି ଆଶା କରାଯାଉଛି । ଏହି ପ୍ରକଳ୍ପ ୫୦ ପ୍ରତିଶତ ଲେଖାଏଁ ଭାଗିଦାରୀରେ ଯୌଥ ଉଦ୍ୟୋଗ ଭାବେ କାର୍ଯ୍ୟକାରୀ ହେବ । ପ୍ରାରମ୍ଭିକ ପର୍ଯ୍ୟାୟରେ ଏହାର କ୍ଷମତା ୫ ନିୟୁତ ଟନ୍ ହେବ, ଯାହା ପରେ ୬ ନିୟୁତ ଟନକୁ ବୃଦ୍ଧି କରାଯିବ । ପ୍ରକଳ୍ପର ମୋଟ ନିବେଶ ପ୍ରାୟ ୪୦ହଜାର କୋଟି ଟଙ୍କା ବୋଲି ଆକଳନ କରାଯାଉଛି । ଏହି ଷ୍ଟିଲ ପ୍ଲାଣ୍ଟକେନ୍ଦୁଝର ଜିଲ୍ଲାରେ ସ୍ଥାପନ ହେବ, ଯେଉଁଠାରେ ପ୍ରଚୁର ପରିମାଣରେ ଖଣିଜସମ୍ପଦ ରହିଛି । ଏହା ଓଡ଼ିଶାକୁ ଭାରତର ଷ୍ଟିଲ୍ ଉତ୍ପାଦନରେ ଏକ ପ୍ରମୁଖ ହବ୍ ଭାବେ ପ୍ରତିଷ୍ଠିତ କରିବ ବୋଲି କୁହାଯାଉଛି ।
ଶିଳ୍ପ ମନ୍ତ୍ରୀ କହିଲେ ଓଡ଼ିଶା ଶିଳ୍ପପତିଙ୍କ ପ୍ରଥମ ପସନ୍ଦ
ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଏହି ପ୍ରକଳ୍ପକୁ ରାଜ୍ୟର ଶିଳ୍ପ ଅଭିବୃଦ୍ଧି ପାଇଁ ଏକ ମାଇଲଖୁଂଟ ଭାବେ ଅଭିହିତ କରିଛନ୍ତି । ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଯେ, "କେନ୍ଦୁଝରରେ ଜେଏସଡବ୍ଲ୍ୟୁ ପାଇଁ ଜମି ଅଧିଗ୍ରହଣ ଚାଲିଛି । ଏହାରି ଭିତରେ ପସ୍କୋ ସହ ଜେଏସଡବ୍ଲ୍ୟୁ ଯୌଥ ଉଦ୍ୟୋଗ ପାଇଁ ଚୁକ୍ତି କରିଛି । ନୂଆ ସରକାର ଆସିବା ପରେ ମୁଖ୍ୟମନ୍ତ୍ରୀଙ୍କ ଉପରେ ଭରସା କରି ବହୁ ଶିଳ୍ପସଂସ୍ଥା ଏବେ ଓଡ଼ିଶାମୁହାଁ ହୋଇଛନ୍ତି । ଶିଳ୍ପ ଅଭିବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କ ଶିଳ୍ପ ଅନୁକୂଳ ନୀତି କାରଣରୁ ଶିଳ୍ପପତି ଏବେ ଓଡ଼ିଶା ଉପରେ ଅଧିକ ଭରସା କରୁଛନ୍ତି । ଓଡ଼ିଶାକୁ ପ୍ରଥମ ପସନ୍ଦ ଭାବେ ବାଛୁଛନ୍ତି । ପୂର୍ବରୁ ଶିଳ୍ପରେ ବାଧା ଉପୁଜିଥିଲା । ଏବେ ଓଡ଼ିଶାରେ ଶିଳ୍ପର ଧାରା ବହିବ । ସେମାନେ ଯେଉଁଠି କରିବାକୁ ଚାହିଁବେ ସରକାର ତାଙ୍କୁ ସହଯୋଗ କରିବେ ।
୨୦ବର୍ଷ ପରେ ଓଡ଼ିଶା ଫେରିବ ପସ୍କୋ
ଦକ୍ଷିଣ କୋରିଆର କମ୍ପାନୀ ପସ୍କୋ ପୂର୍ବରୁ ୨୦୦୫ ମସିହାରେ ଓଡ଼ିଶାର ପାରାଦୀପରେ ୧୨ ନିୟୁତ ଟନ୍ କ୍ଷମତାର ଷ୍ଟିଲ୍ ପ୍ଲାଂଟ ସ୍ଥାପନ ପାଇଁ ଚେଷ୍ଟା କରିଥିଲା । କିନ୍ତୁ ଜମି ଅଧିଗ୍ରହଣ ଏବଂ ପରିବେଶଗତ ସମସ୍ୟା ଯୋଗୁଁ ଏହି ପ୍ରକଳ୍ପ ବାତିଲ୍ ହୋଇଯାଇଥିଲା । ୨୦ ବର୍ଷ ପରେ ପସ୍କୋ ଓଡ଼ିଶାକୁ ପୁନରାଗମନ ରାଜ୍ୟର ଶିଳ୍ପ କ୍ଷେତ୍ରରେ ନୂଆ ଆଶା ସୃଷ୍ଟି କରିଛି । ଏହି ଯୌଥ ଉଦ୍ୟୋଗ ମାଧ୍ୟମରେ ପସ୍କୋର ବୈଶ୍ୱିକ ପ୍ରଯୁକ୍ତି ଓ ଜେଏସଡବ୍ଲ୍ୟୁ ସ୍ଥାନୀୟ ଅଭିଜ୍ଞତାକୁ ଏକାଠି କରି ଏକ ଅତ୍ୟାଧୁନିକ ଷ୍ଟିଲ୍ ପ୍ଲାଂଟ ସ୍ଥାପନ କରିବ ।
ଉତ୍କର୍ଷ ଓଡ଼ିଶା କନକ୍ଲେଭରେ ଏମଓୟୁ କରିଥିଲା ଜେଏସଡବ୍ଲ୍ୟୁ
୨୦୨୫ ମସିହା ଜାନୁୟାରୀ ମାସରେ ଓଡ଼ିଶା ସରକାରଙ୍କ ସହ ‘ଉତ୍କର୍ଷ ଓଡ଼ିଶା କନକ୍ଲେଭ’ରେ ଜେଏସଡବ୍ଲ୍ୟୁ ଗ୍ରୁପ୍ ୫ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ମେଗା ଷ୍ଟିଲ୍ ପ୍ଲାଂଟ ୍ସ୍ଥାପନ ନିମନ୍ତେ ଏକ ଏମଓୟୁ ସ୍ୱାକ୍ଷର କରିଥିଲା । ପସ୍କୋ ସହ ଯୌଥ ଉଦ୍ୟୋଗ ବା ଯୋଗଦାନ ସହ ଏହି ପ୍ରକଳ୍ପର ଆକାର ଏବଂ ଗୁରୁତ୍ୱ୍ୱ ଆହୁରି ବୃଦ୍ଧି ପାଇଛି । ଏବେ କେନ୍ଦୁଝରରେ ଜମି ଅଧିଗ୍ରହଣ ପ୍ରକ୍ରିୟା ଜୋରଦାର ଚାଲିଛି ଏବଂ ରାଜ୍ୟ ସରକାର ଏହି ପ୍ରକଳ୍ପ ପାଇଁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୁତିବଦ୍ଧ ।
ଏହି ପ୍ରକଳ୍ପକୁ ବିଭିନ୍ନ ମହଲରୁ ମଧ୍ୟ ସ୍ୱାଗତ କରାଯାଇଛି । ଏହା ରାଜ୍ୟର ଶିଳ୍ପ ଅଭିବୃଦ୍ଧି ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ସରକାର ଏହି ପ୍ରକଳ୍ପକୁ ସଫଳ କରିବା ପାଇଁ ସମସ୍ତ ଆବଶ୍ୟକୀୟ ସହଯୋଗ ଯୋଗାଇବେ ବୋଲି ସେ ଆଶ୍ୱାସନା ଦେଇଛନ୍ତି । ଓଡ଼ିଶାର ଅର୍ଥନୀତି ଓ ରୋଜଗାର ଉପରେ ପ୍ରଭାବଏହି ପ୍ଲାଂଟ ସ୍ଥାପନ ହେଲେ କେନ୍ଦୁଝର ଜିଲ୍ଲାରେ ସ୍ଥାନୀୟ ଲୋକଙ୍କ ପାଇଁ ପ୍ରତ୍ୟକ୍ଷ ଓ ପରୋକ୍ଷ ରୋଜଗାର ସୃଷ୍ଟି ହେବ । ଏହା ସହ ଅନ୍ୟାନ୍ୟ ଆନୁଷଙ୍ଗିକ ଶିଳ୍ପ ଯେପରି ପରିବହନ, ନିର୍ମାଣ, ଏବଂ ସେବା କ୍ଷେତ୍ରରେ ମଧ୍ୟ ଅନେକ ନୂଆ ସୁଯୋଗ ସୃଷ୍ଟି ହୋଇପାରିବ ବୋଲି କୁହାଯାଉଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
