ଭାରତୀୟ ରିଜର୍ଭ ବ୍ୟାଙ୍କ ବା ଆରବିଆଇ ଆଜି ରେପୋ ରେଟ୍କୁ ୨୫ ବେସିକ ପଏଣ୍ଟ ହ୍ରାସ କରିଛି। ଫଳରେ ରେପୋ ରେଟ ୬.୨୫%ରୁ ୬%କୁ ଖସି ଆସିଛି। ଆରବିଆଇର ଏପରି ପଦକ୍ଷେପ ସାଧାରଣ ଲୋକ ଓ ବ୍ୟବସାୟିକଙ୍କ ଋଣ ବୋଝକୁ ସମାନ୍ୟ କମାଇ ପାରେ। ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା ୨୦୨୬ ଆର୍ଥିକ ବର୍ଷର ପ୍ରଥମ ମନିଟାରୀ ପଲିସି କମିଟିର ବୈଠକ ପରେ ରେପୋ ରେଟ ହ୍ରାସ ନେଇ ଘୋଷଣା କରିଛନ୍ତି। ଏହି ବୈଠକ ଏପ୍ରିଲ ୭ରୁ ୯ ଯାଏ ହୋଇଥିଲା। ଏହାପୂର୍ବରୁ ଫେବୃଆରୀ ମାସରେ ମଧ୍ୟ ଆରବିଆଇ ପକ୍ଷରୁ ରେପୋ ରେଟକୁ ସମାନ ୨୫ ବେସିକ ପଏଣ୍ଟ ହ୍ରାସ କରାଯାଇଥିଲା।
ରେପୋ ରେଟର ଅର୍ଥ କ’ଣ?
ଭାରତରେ ବ୍ୟାଙ୍କଗୁଡ଼ିକୁ ୨ ଭାଗରେ ବିଭକ୍ତ କରାଯାଇଛି। ପ୍ରଥମଟି ହେଲା ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଓ ଆଉ ବାକି ଯେତେ ସବୁ ବ୍ୟାଙ୍କ ରହିଲେ ତାହା ବାଣିଜ୍ୟିକ ବ୍ୟାଙ୍କ ବା କମର୍ସିଆଲ୍ ବ୍ୟାଙ୍କ। ସାଧାରଣ ଲୋକଙ୍କର ଆରବିଆଇ ସହିତ କୌଣସି ସିଧାସଳଖ ସମ୍ପର୍କ ନାହିଁ କହିଲେ ଚଳେ।
ଆମର ଜରୁରୀ ସମୟରେ ଆମେ ଯେମିତି କମର୍ସିଆଲ୍ ବ୍ୟାଙ୍କରୁ ଋଣ କରୁଛେ, ଆଉ ସୁଧ ଦେଉଛେ ଠିକ୍ ସେମିତି କମର୍ସିଆଲ୍ ବ୍ୟାଙ୍କଗୁଡ଼ିକର ଆବଶ୍ୟକତା ଉପୁଜିଲେ ଆରବିଆଇ ଠାରୁ ଋଣ ଆଣନ୍ତି। ଏହା ବଦଳରେ ଆରବିଆଇ ଯେଉଁ ସୁଧ ନିଏ ତାହାକୁ ରେପୋ ରେଟ୍ ବା ରିପ୍ରଡକ୍ଟିଭ୍ ରେଟ୍ ବୋଲି କୁହାଯାଏ। ଆରବିଆଇ ବ୍ୟାଙ୍କ ଗୁଡ଼ିକୁ ସ୍ୱଳକାଳୀନ ସମୟ ପାଇଁ ଦେଉଥିବା ଋଣ ପାଇଁ କୌଣସି ସରକାରୀ ଗ୍ୟାରେଣ୍ଟୀର ଆବଶ୍ୟକ ପଡ଼ି ନଥାଏ। ଅର୍ଥନୀତିକ ଅଭିବୃଦ୍ଧିରେ ଦେଖା ଯାଉଥିବା ମାନ୍ଦାବସ୍ଥା ଓ ମହଙ୍ଗା ମାଡ଼କୁ ନିୟନ୍ତ୍ରଣ ମଧ୍ୟରେ ଆରବିଆଇ ଏପରି ଋଣ ଦେଇଥାଏ।
କାହିଁକି ରେପୋ ରେଟ ହ୍ରାସ କଲା ଆରବିଆଇ?
ଅର୍ଥନୀତିକ ବ୍ୟବସ୍ଥାକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ଓ ମାର୍କେଟରେ ଆର୍ଥିକ କାରବାରକୁ ବୃଦ୍ଧି କରିବା ପାଇଁ ଆରବିଆଇ ରେପୋ ରେଟ ହ୍ରାସ କରିଥାଏ। ବିଶେଷ କରି ମୁଦ୍ରାସ୍ଫୀତି ନିୟନ୍ତ୍ରଣ ମଧ୍ୟରେ ରହିଥିବା ବେଳେ ଆରବିଆଇ ଏପରି ପଦକ୍ଷେପ ନେଇଥାଏ। ୨୦୨୬ ଆର୍ଥିକ ବର୍ଷ ପାଇଁ ଆରବିଆଇ ପକ୍ଷରୁ ଗ୍ରାହକ ଦର ସୂଚକାଙ୍କ ବା ସିପିଆଇ ମୁଦ୍ରାସ୍ଫୀତି ୪% ରହିବ ବୋଲି କୁହାଯାଇଛି। ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ସବୁବେଳେ ସିପିଆଇ ମୁଦ୍ରାସ୍ଫୀତି ୨ରୁ ୬% ରଖିବା ଉପରେ ଗୁରୁତ୍ୱ ଦେଇଥାଏ। ଏହାଦ୍ୱାରା ଅର୍ଥନୀତି ଉପରେ ଦରମଦାର ବୃଦ୍ଧିର ପ୍ରଭାବ କମ ହୁଏ। ୨୦୨୬ରେ ଯେହେତୁ ମୁଦ୍ରାସ୍ଫୀତି ୪% ରହିବ ବୋଲି ଆରବିଆଇ ଆକଳନ କରିଛି, ତେଣୁ ଅର୍ଥନୀତିକୁ ବୁଷ୍ଟ ଦେବାକୁ ରେପୋ ରେଟ ହ୍ରାସ କରିଛି।
ଏହାବାଦ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ ନୀତି ଯୋଗୁ ବିଶ୍ୱ ଅର୍ଥନୀତିରେ ଅନିଶ୍ଚିତତା ଦେଖାଯାଇଛି। ଏସିଆରୁ ୟୁରୋପ ଯାଏ ସବୁ ଆଡ଼େ ଆର୍ଥିକ ମାନ୍ଦାବସ୍ଥା ଚରମସୀମାରେ ପହଞ୍ଚିଛି। ବିଶ୍ୱର ଅର୍ଥନୀତିକ ଅଭିବୃଦ୍ଧି ଓ ଭାରତର ରପ୍ତାନୀକୁ ଟ୍ରମ୍ପଙ୍କ ଟାରିଫ ନୀତି ପ୍ରଭାବିତ କରିପାରେ। ତେଣୁ ଆରବିଆଇ ରେପୋ ରେଟ ହ୍ରାସ କରି ଘରୋଇ ମାର୍କେଟକୁ ତ୍ୱାରାନ୍ୱିତ କରିବାକୁ ଲକ୍ଷ୍ୟ ରଖିଛି।
ରେପୋ ରେଟ ହ୍ରାସ ଦ୍ୱାରା କେମିତି ପ୍ରଭାବିତ ହେବେ?
୧- ଋଣ ବାବଦ ଇଏମଆଇ ଶସ୍ତା ହେବ: ରେପୋ ରେଟ ହ୍ରାସ ପାଇଥିବାରୁ ବ୍ୟାଙ୍କ ଓ ଆର୍ଥିକ ଅନୁଷ୍ଠାନଗୁଡ଼ିକ ଆରବିଆଇ ଠାରୁ କମ ଦାମରେ ଋଣ ଆଣିବେ। ବ୍ୟାଙ୍କ ପକ୍ଷରୁ ମିଳୁଥିବା ଗୃହ ଋଣ, ଗାଡ଼ି ଋଣ ଓ ନୂଆ ପର୍ସନାଲ ଋଣ ବାବଦ ସୁଧ ହାର କମିବ। ତେବେ ଇଏମଆଇ କେତେ କମିବ, ତାହା ବ୍ୟାଙ୍କ କେତେ ଶୀଘ୍ର ଓ କେତେ ମାତ୍ରାରେ ଏହାର ଫାଇଦା ଗ୍ରାହକଙ୍କୁ ଦେଉଛି, ତା’ ଉପରେ ନିର୍ଭର କରିବ।
୨- ଫିକ୍ସଡ ଜମା ଉପରେ ପ୍ରଭାବ: ଋଣ କରୁଥିବା ଲୋକଙ୍କ ପାଇଁ ରେପୋ ରେଟ ଉତ୍ସାହ ଆଣିଥିବା ବେଳେ ଫିକ୍ସଡ ଜମା କରିଥିବା ନିବେଶକଙ୍କ ପାଇଁ ଏହା ଆଦୌ ଭଲ ଖବର ନୁହେଁ। ଋଣ ଉପରେ ସୁଧର ପରିମାଣର ହ୍ରାସ ପାଇବାକୁ ଥିବାରୁ ବ୍ୟାଙ୍କଗୁଡ଼ିକ ଏଫଡି ଉପରେ ମିଳୁଥିବା ସୁଧକୁ ସେମାନଙ୍କ ଭାଗ ପାଇଁ ହ୍ରାସ କରିବେ। ନୂଆ ଏଫଡି ନିବେଶକମାନଙ୍କୁ ନିଜର ଅର୍ଥ ଉପରେ କମ ସୁଧ ମିଳିବ। ଯଦି ଆପଣ ଏଫଡିରେ ନିବେଶ କରିବାକୁ ଚାହୁଁଛନ୍ତି, ତା’ହେଲେ ବ୍ୟାଙ୍କ ସଂଶୋଧିତ ସୁଧ ହାର ଜାରି କରିବା ପୂର୍ବରୁ ଅର୍ଥ ଲଗାଇ ପାରିବେ।
୩- ପର୍ସନାଲ ଋଣ କରୁଥିବା ଲୋକ: ଯଦି ଆପଣ ପର୍ସନାଲ ଋଣ କରି ସାରିଛନ୍ତି ଓ ଗୋଟିଏ ଫିକ୍ସଡ ସୁଧ ହାରରେ ଋଣ କରିଛନ୍ତି, ତା’ହେଲେ ଆପଣଙ୍କ ଇଏମଆଇ ଅପରିବର୍ତ୍ତିତ ରହିବ। କିନ୍ତୁ ଯଦି ଆପଣ ନୂଆ ବ୍ୟକ୍ତିଗତ ଋଣ ନେବାକୁ ଚାହୁଁଛନ୍ତି, ତା’ହେଲେ ଆପଣ କମ ସୁଧ ହାରରେ ଏହା ପାଇ ପାରିବେ। ଏଥିସହ ଇଏମଆଇ ପରିମାଣ ମଧ୍ୟ କମ ରହିବ।
ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା କହିଛନ୍ତି ଭାରତୀୟ ଅର୍ଥନୀତି ଉପଯୁକ୍ତ ଟ୍ରାକରେ ରହିଛି। ୨୦୨୫-୨୬ ଆର୍ଥିକ ବର୍ଷରେ ଦେଶର ଜିଡିପି ବା ଅଭିବୃଦ୍ଧି ହାର ୬.୫% ରହିବ। ପ୍ରଥମ ୩ ମାସରେ ଏହା ୬.୫%, ପରବର୍ତ୍ତୀ ୩ ମାସରେ ୬.୭%, କ୍ୱାର୍ଟର ୩ରେ ୬.୬% ଓ କ୍ୱାର୍ଟର ୪ରେ ଅଭିବୃଦ୍ଧି ହାର ୬.୩% ରହିବାର ସମ୍ଭାବନା ରହିଛି।
କୃଷି କ୍ଷେତ୍ରର ଅଭିବୃଦ୍ଧି ବେଶ ଉତ୍ସାହନଜନକ ରହିଛି। ଉତ୍ପାଦନ ଓ ସେବା କ୍ଷେତ୍ର ମଧ୍ୟ ପୁଣି ଟ୍ରାକକୁ ଫେରିବାର ସଙ୍କେତ ଦେଇଛନ୍ତି। ସହରୀ ଉପଭୋଗ ନିୟମିତ ଭାବେ ଉପର ମୁହାଁ ହେଉଛି। ନିବେଶ କାର୍ଯ୍ୟକଳାପ ବୃଦ୍ଧି ପାଉଛି ଓ ସରକାର ଭିତ୍ତିଭୂମିର ବିକାଶକୁ ଗୁରୁତ୍ୱ ଦେଉଥିବାରୁ ଏହା ଅର୍ଥନୀତିକୁ ଉଠାଇବାରେ ସହାୟକ ହେଉଥିବା ଶ୍ରୀ ମାଲହୋତ୍ରା କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।