/odisha-reporter/media/post_attachments/uploads/2022/09/RBI-1.jpg)
RBI
ନୂଆଦିଲ୍ଲୀ: ପୁଣିଥରେ ସୁଧହାର ବୃଦ୍ଧ କରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ ବା ଆରବିଆଇ। ଆର୍ଥିକ ମାନ୍ଦାବସ୍ଥା ଓ ଦରଦାମ ବୃଦ୍ଧିକୁ ନେଇ ଲୋକମାନେ ଚିନ୍ତାରେ ଥିବା ଆରବିଆଇ ସୁଧ ହାର ୫୦ ବେସିସ ପଏଣ୍ଟ ବୃଦ୍ଧି କରିଛି। ଫଳରେ ରେପୋ ରେଟ ୫.୯%ରେ ପହଞ୍ଚି ଯାଇଛି। ତତ୍କାଳ ଭାବେ ଏହି ବର୍ଦ୍ଧିତ ନିଷ୍ପତ୍ତି ଲାଗୁ କରିବାକୁ ଆରବିଆଇ କହିଛି। ଏହାର ଅର୍ଥ ଏବେ ସାଧାରଣ ଲୋକଙ୍କୁ ସେମାନଙ୍କ ଋଣ ପାଇଁ ଅଧିକ ପରିମାଣର ଇଏମଆଇ ଦେବାକୁ ପଡ଼ିବ।
କ୍ରମାଗତ ୪ର୍ଥ ଥର ପାଇଁ ଆରବିଆଇ ସୁଧହାର ବଢ଼ାଇଛି। ଅଗଷ୍ଟ ମାସରେ ଆରବିଆଇ ରେପୋ ରେଟ ୫୦ ବେସିସ ପଏଣ୍ଟ ବୃଦ୍ଧି କରିଥିଲା। ମେ’ରେ ଏହା ୪୦ ବେସିସ ପଏଣ୍ଟ ଓ ଜୁନରେ ରେପୋ ରେଟ୍ ୫୦ ବେସିସ ପଏଣ୍ଟ ବଢ଼ି ୪.୯୦% ହୋଇଥିଲା।
ସେପ୍ଟେମ୍ବର ୨୮ରୁ ୩ଦିନ ଧରି ଦେଶର ଆର୍ଥିକ ପରିସ୍ଥିତି ସମ୍ପର୍କରେ ଆଲୋଚନା କରିବା ପାଇଁ ମନିଟାରୀ ପଲିସି କମିଟିର ବୈଠକ ବସିଥିଲା। ଏହି ବୈଠକରେ ସ୍ଥିତି ଉପରେ ସମୀକ୍ଷା କରାଯାଇଥିଲା। ଏହାପରେ ରେପୋ ରେଟ୍କୁ ଆଉ ୫୦ ବେସିସ ପଏଣ୍ଟ ବୃଦ୍ଧି କରାଯାଇଛି।
ଆରବିଆଇ ଚଳିତ ଆର୍ଥିକ ବର୍ଷରେ ମୁଦ୍ରାସ୍ଫୀତି ୬.୭ % ରହିବ ବୋଲି ଆକଳନ କରିଛି। ସାଧାରଣତଃ ମୁଦ୍ରାସ୍ଫୀତି ୨ରୁ ୬% ମଧ୍ୟରେ ରହିବା ଅର୍ଥନୀତି ପାଇଁ ଭଲ ଖବର। ହେଲେ ଏହା ୬.୭% ରହିବା ଆଦୌ ଶୁଭଙ୍କର ନୁହେଁ ବୋଲି ଅର୍ଥନୀତିକ ବିଶାରଦମାନେ ମତ ଦେଇଛନ୍ତି। ଏପ୍ରିଲ ମାସରେ ଦେଶର ମୁଦ୍ରାସ୍ଫୀତି ୮ ବର୍ଷର ରେକର୍ଡ ଭାଙ୍ଗି ୭.୭୯% ରହିଥିଲା।
ମୁଦ୍ରାସ୍ଫୀତି ୬.୭% ରହିବ ବୋଲି ଆରବିଆଇ କହିଥିଲେ ମଧ୍ୟ ଅଭିବୃଦ୍ଧ ହାରକୁ ହ୍ରାସ କରିଛି। ପୂର୍ବରୁ ୨୦୨୨-୨୩ ଆର୍ଥିକ ବର୍ଷରେ ଦେଶର ଜିଡିପି ୭.୨% ରହିବ ବୋଲି ଆରବିଆଇ କହିଥିଲା। ହେଲେ ଏବେ ଏହାକୁ ୭%କୁ କମାଇ ଦିଆଯାଇଛି।
ସୂଚନାଯୋଗ୍ୟ, ଭାରତରେ ବ୍ୟାଙ୍କଗୁଡ଼ିକୁ ୨ ଭାଗରେ ବିଭକ୍ତ କରାଯାଇଛି। ପ୍ରଥମଟି ହେଲା ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଓ ଆଉ ବାକି ଯେତେ ସବୁ ବ୍ୟାଙ୍କ ରହିଲେ ତାହା ବାଣିଜ୍ୟିକ ବ୍ୟାଙ୍କ ବା କମର୍ସିଆଲ୍ ବ୍ୟାଙ୍କ। ସାଧାରଣ ଲୋକଙ୍କର ଆରବିଆଇ ସହିତ କୌଣସି ସିଧାସଳଖ ସମ୍ପର୍କ ନାହିଁ କହିଲେ ଚଳେ।
ଆମର ଜରୁରୀ ସମୟରେ ଆମେ ଯେମିତି କମର୍ସିଆଲ୍ ବ୍ୟାଙ୍କରୁ ଋଣ କରୁଛେ, ଆଉ ସୁଧ ଦେଉଛେ ଠିକ୍ ସେମିତି କମର୍ସିଆଲ୍ ବ୍ୟାଙ୍କଗୁଡ଼ିକର ଆବଶ୍ୟକତା ଉପୁଜିଲେ ଆରବିଆଇ ଠାରୁ ଋଣ ଆଣନ୍ତି। ଏହା ବଦଳରେ ଆରବିଆଇ ଯେଉଁ ସୁଧ ନିଏ ତାହାକୁ ରେପୋ ରେଟ୍ ବା ରିପ୍ରଡକ୍ଟିଭ୍ ରେଟ୍ ବୋଲି କୁହାଯାଏ।
ଆରବିଆଇ ଟଙ୍କା ଛାପୁଥିବାରୁ ତାହାର ଏକ ବୈଶିଷ୍ଟ୍ୟ ରହିଛି ଯାହାକୁ ଇଂରାଜୀରେ “ମନୋପଲି ଅଫ୍ ନୋଟ୍ ଇସୁ” ବୋଲି କୁହାଯାଏ। କିନ୍ତୁ ଜରୁରୀ ସମୟରେ ଆରବିଆଇ ମଧ୍ୟ କମର୍ସିଆଲ୍ ବ୍ୟାଙ୍କଗୁଡ଼ିକଠାରୁ ଋଣ କରେ। ଆଉ ସେଥିପାଇଁ ଆରବିଆଇ ସେମାନଙ୍କୁ ସୁଧ ମଧ୍ୟ ଦିଏ। ଯେଉଁ ହାରରେ ଆରବିଆଇ ସୁଧ ଦିଏ ତାହାକୁ ରିଭର୍ସ ରେପୋ ରେଟ କୁହାଯାଏ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
