ରାଜ୍ୟର ସମସ୍ତ ବ୍ଲକ୍‌ରେ ହେବ କଏନ୍ ଏକ୍ସଚେଞ୍ଜ କାର୍ଯ୍ୟକ୍ରମ

୩ ମାସ ମଧ୍ୟରେ ସବୁ ବ୍ଲକ୍‌ର ବଜାର ସ୍ଥାନରେ ହେବ ଏହି ଏକ୍ସଚେଞ୍ଜ କାର୍ଯ୍ୟକ୍ରମ

RBIର ଆଞ୍ଚଳିକ ନିର୍ଦ୍ଦେଶକ ସାରଦା ପ୍ରସନ୍ନ ମହାନ୍ତି

  • Published: Wednesday, 29 November 2023
  • , Updated: 29 November 2023, 06:06 PM IST

ରାଜ୍ୟର ସମସ୍ତ ୩୧୪ଟି ବ୍ଲକରେ ହେବ କଏନ ଏକ୍ସଚେଞ୍ଜ କାର୍ଯ୍ୟକ୍ରମ। ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (RBI)ର ଆଞ୍ଚଳିକ ନିର୍ଦ୍ଦେଶକ ସାରଦା ପ୍ରସନ୍ନ ମହାନ୍ତି ଆଜି ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି, ବିଭିନ୍ନ ବ୍ୟାଙ୍କ ଜରିଆରେ ଡିସେମ୍ବରରୁ ଆରମ୍ଭ ହେବ ଏହି କଏନ ଏକ୍ସଚେଞ୍ଜ କାର୍ଯ୍ୟକ୍ରମ। ୩ ମାସ ମଧ୍ୟରେ ସବୁ ବ୍ଲକ୍‌ର ବଜାର ସ୍ଥାନରେ ହେବ ଏହି ଏକ୍ସଚେଞ୍ଜ କାର୍ଯ୍ୟକ୍ରମ। ଏଥିରେ ଲୋକମାନେ କଏନ ସହ ମଇଳା ଓ ଚିରାଫଟା ନୋଟ୍ ବି ବଦଳାଇ ପାରିବେ।

RBIର ଆଞ୍ଚଳିକ ନିର୍ଦ୍ଦେଶକ ଶ୍ରୀ ମହାନ୍ତି ଆହୁରି କହିଛନ୍ତି, ଏବେ ବଜାରରେ ପ୍ରଚଳନ ଥିବା ୫୦ ପଇସା ଠାରୁ ୨୦ ଟଙ୍କିଆ କଏନ ଯାଏଁ ସବୁ ଚାଲୁଛି ଓ ସବୁ ଲିଗାଲ ଟେଣ୍ଡର। ଏନେଇ ଅଧିକ ସଚେତନତା ଦରକାର। କୌଣସି ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ। ବ୍ୟାଙ୍କରେ ମଧ୍ୟ ଲୋକମାନେ ସେମାନଙ୍କ ପାଖରେ ଥିବା କଏନ ଜମା କରିପାରିବେ। ବ୍ୟାଙ୍କଗୁଡ଼ିକ କଏନ ନେବାକୁ ମନା କରିପାରିବ ନାହିଁ। ଯଦି ବ୍ୟାଙ୍କ କାଏନ ନେବାକୁ ମନା କରୁଛି, ଲୋକେ RBIର ଆଞ୍ଚଳିକ କାର୍ଯ୍ୟାଳୟରେ ଥିବା ବ୍ୟାଙ୍କିଙ୍ଗ ଲୋକପାଳରେ ଅଭିଯୋଗ କରିପାରିବେ। ତା’ହେଲେ ବ୍ୟାଙ୍କଗୁଡ଼ିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ।

ଅନ୍ୟପକ୍ଷରେ ୨ ହଜାର ଟଙ୍କିଆ ନୋଟ୍ ବଦଳ ପାଇଁ ଏବେ ବି ଭୁବନେଶ୍ୱର ସ୍ଥିତ ଭାରତୀୟ ରିଜର୍ଭ ବ୍ୟାଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଲାଗୁଛି ଲମ୍ବା ଲାଇନ। ଲାଇନରେ ଥିବା ଲୋକଙ୍କ କହିବା ଅନୁସାରେ, ପୂର୍ବରୁ କାହାର ଟଙ୍କା ବଦଳାଇ ଦେଲେ ୩ ଶହ ଟଙ୍କା ମିଳୁଥିଲା । ଏବେ ୫ଶହ ଟଙ୍କା ମିଳୁଛି। ତେବେ ରିଜର୍ଭ ବ୍ୟାଙ୍କ୍ ପକ୍ଷରୁ କରାଯାଇଥିବା ନିୟମ ଅନୁସାରେ ଜଣେ ଲୋକ ସପ୍ତାହରେ ଥରେ ଡିପୋଜିଟ କରିପାରିବ। ତେଣୁ ବର୍ତ୍ତମାନ ଦାଲାଲମାନେ ପ୍ରତ୍ୟେକ ଦିନ ନୂଆ ନୂଆ ଲୋକ ଆଣି ଲାଇନରେ ଛିଡ଼ା କରୁଥିବା ସୂଚନା ମିଳିଛି।

ଭୁବନେଶ୍ୱରରୁ କପିଳେନ୍ଦ୍ର ପ୍ରଧାନଙ୍କ ରିପୋର୍ଟ

 

Related story