ମହାଙ୍ଗା ମାଡ଼ରେ ଆଉଟ ପାଉଟୁ ହେଉଥିବା ଦେଶବାସୀଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। କାରଣ ଖୁଚୁରା ମୁଦ୍ରାସ୍ଫୀତି ଅଗଷ୍ଟରେ ୬.୮୩%କୁ ହ୍ରାସ ପାଇଛି। ଜୁଲାଇ ମାସରେ ମୁଦ୍ରାସ୍ଫୀତି ୭.୪୪% ରହିଥିଲା।
ଅଗଷ୍ଟରେ ଏହା ହ୍ରାସ ପାଇଥିଲେ ମଧ୍ୟ ଆରବିଆଇ ଧାର୍ଯ୍ୟ କରିଥିବା ରେଞ୍ଜ ତୁଳନାରେ ଅଧିକ ରହିଛି। ତେଣୁ ମହଙ୍ଗା ମାଡ଼ରୁ ସଂପୂର୍ଣ୍ଣ ଆଶ୍ୱସ୍ତି ମିଳିଛି ବୋଲି କୁହାଯାଇ ପାରିବ ନାହିଁ।
ବିଭିନ୍ନ ପନି ପରିବାର ଦାମ ଏବେ ସାମାନ୍ୟ ହ୍ରାସ ପାଇଛି। କିନ୍ତୁ କ୍ଷୀର ଠାରୁ ଆରମ୍ଭ କରି ଡାଲି ଓ ଅନ୍ୟ ଖାଦ୍ୟ ଦ୍ରବ୍ୟର ଦାମ ବୃଦ୍ଧି ପାଇଥିବାରୁ ମୁଦ୍ରାସ୍ଫୀତି ନିୟନ୍ତ୍ରଣ ବାହାରକୁ ଯାଇଛି।
ଜୁନ ମାସରେ ଖୁଚୁରା ମୁଦ୍ରାସ୍ଫୀତି ୪.୮୭% ରହିଥିବା ବେଳେ ମେ’ ମାସରେ ଏହା ୪.୨୫% ରହିଥିଲା। କିନ୍ତୁ ଖାଦ୍ୟ ସାମଗ୍ରୀ ଦାମ ବୃଦ୍ଧି ପାଇବା ଯୋଗୁ ମୁଦ୍ରାସ୍ଫୀତି ଜୁଲାଇରୁ ପୁଣି ବେକାବୁ ହୋଇଛି। ଅବଶ୍ୟ ଅଗଷ୍ଟରେ ସାମାନ୍ୟ କମିଛି।
ସିପିଆଇ ବାସ୍କେଟର ପ୍ରାୟ ଅଧା ଅବଦାନ ଖାଦ୍ୟ ମୁଦ୍ରାସ୍ଫୀତି ଉପରେ ନିର୍ଭର କରେ। ସିପିଆଇ(ଗ୍ରାହକ ଦର ସୂଚକାଙ୍କ) ମୁଦ୍ରାସ୍ଫୀତି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ବା ଆରବିଆଇର ଧାର୍ଯ୍ୟର ମଧ୍ୟ ଭାଗରେ ରହିଛି। ଆରବିଆଇ ସବୁବେଳେ ଖାଦ୍ୟ ସାମଗ୍ରୀର ଖୁଚୁରା ମୁଦ୍ରାସ୍ଫୀତି ୨ରୁ ୬% ରଖିବା ଉପରେ ଗୁରୁତ୍ୱ ଦେଇଥାଏ। ଏହାଦ୍ୱାରା ଅର୍ଥନୀତି ଉପରେ ଦରମଦାର ବୃଦ୍ଧିର ପ୍ରଭାବ କମ ହୁଏ। ଏବେ ଏହା ୬.୮୩% ରହିଥିବାରୁ ଅର୍ଥନୀତି ପାଇଁ ଏହା ସେତେଟା ଭଲ ଖବର ନୁହେଁ।
ଅଗଷ୍ଟ ମାସରେ ଗ୍ରାମାଞ୍ଚଳରେ ମୁଦ୍ରାସ୍ଫୀତି ୭.୦୨% ରହିଥିବା ବେଳେ ସହରାଞ୍ଚଳରେ ଏହା ୬.୫୯% ରହିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, କ୍ରମାଗତ ୪ ମାସ ହେଲା ମୁଦ୍ରାସ୍ଫୀତି ଆରବିଆଇର ନିୟନ୍ତ୍ରଣ ସୀମା ମଧ୍ୟରେ ରହୁଥିଲା। ଏପ୍ରିଲ ମାସରେ ମୁଦ୍ରାସ୍ଫୀତି ୪.୭% ଓ ମାର୍ଚ୍ଚରେ ଏହା ୫.୬୬% ରହିଥିଲା।