ବ୍ୟାଙ୍କ ଲୋନ୍ ଶୁଝି ପାରୁ ନାହାନ୍ତି ଅମ୍ବାନୀ, ଜିନ୍ଦଲ ଓ ଜୟପ୍ରକାଶଙ୍କ ପରି ପ୍ରତିଷ୍ଠିତ ବିଜନେସମ୍ୟାନ୍। ଫଳରେ ଋଣ ଛାଡ଼ ପାଇଁ ବାଧ୍ୟ ହେଉଛନ୍ତି ସରକାରୀ ଓ ଘରୋଇ ବ୍ୟାଙ୍କ। ଗତ ୧୦ ବର୍ଷ ମଧ୍ୟରେ ଉଭୟ ସରକାରୀ ଓ ଘରୋଇ ବ୍ୟାଙ୍କଗୁଡ଼ିକ ୧୨ ଲକ୍ଷ କୋଟି ଛାଡ଼ କରିଛନ୍ତି।
ସେଥି ମଧ୍ୟରୁ ଗତ ୫ ବର୍ଷ ମଧ୍ୟରେ ଅଧାରୁ ଅଧିକ ଲୋନ୍ ସରକାରୀ ବ୍ୟାଙ୍କ ଛାଡ଼ କରିଛନ୍ତି। ଲୋନ୍ ଛାଡ଼ କରିବା ଲିଷ୍ଟରେ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଆଗରେ ରହିଛି। ସଂସଦରେ ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ ସରକାର ଏହି ସୂଚନା ପ୍ରଦାନ କରିଛନ୍ତି।
ଅର୍ଥ ବିଭାଗର ରାଷ୍ଟ୍ର ମନ୍ତ୍ରୀ ପଙ୍କଜ ଚୌଧୁରୀଙ୍କ ସୂଚନା ଅନୁଯାୟୀ, ୨୦୨୪ ମସିହା ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ସରକାରୀ କ୍ଷେତ୍ର ବ୍ୟାଙ୍କଗୁଡିକର ମୋଟ ଅଣ-ପ୍ରଦର୍ଶନ ସମ୍ପତ୍ତି (NPA) ୩, ୧୬, ୩୩୧ କୋଟି ଟଙ୍କା ଥିବାବେଳେ ଘରୋଇ କ୍ଷେତ୍ର ବ୍ୟାଙ୍କଗୁଡିକ ପାଇଁ ଏହା ୧, ୩୪, ୩୩୯ କୋଟି ଥିଲା। ସରକାରୀ କ୍ଷେତ୍ର ବ୍ୟାଙ୍କଗୁଡିକ ପାଇଁ ମୋଟ NPA ଅନୁପାତ ସେମାନଙ୍କର ମୋଟ ବକେୟା ଲୋନ୍ର ୩.୦୧% ହୋଇଥିବା ବେଳେ ଘରୋଇ କ୍ଷେତ୍ର ବ୍ୟାଙ୍କଗୁଡିକ ପାଇଁ ଏହା ୧.୮୬% ରହିଛି। ସରକାରଙ୍କ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, ଗତ ୫ ବର୍ଷରେ ସରକାରୀ ବ୍ୟାଙ୍କଗୁଡ଼ିକ ୬.୫ ଲକ୍ଷ କୋଟି ଟଙ୍କା ଛାଡ଼ କରିଛନ୍ତି।
ଅନ୍ୟ ଏକ ରିପୋର୍ଟ ମୁତାବକ, ଟପ୍ ଶହେ ଲୋନ୍ ଫାଙ୍କିଥିବା ଡିଫଲ୍ଟରଙ୍କ ପାଖରେ ସମୁଦାୟ ୪୩% NPA ରହିଛି। ଲୋନ୍ ଶୁଝି ପାରି ନ ଥିବା କମ୍ପାନୀଗୁଡ଼ିକ ମଧ୍ୟରେ ଅନୀଲ ଅମ୍ବାନୀଙ୍କ କମ୍ପାନୀ ରିଲାୟନ୍ସ କମ୍ୟୁନିକେସନ୍ ଲିମିଟେଡ, ଜିନ୍ଦଲ ଓ ଜେପି ଗ୍ରୁପ ପରି ପ୍ରତିଷ୍ଠିତ କମ୍ପାନୀ ବି ରହିଛି।
୨୦୧୯ ମସିହାରେ ୨.୪ କୋଟି ଟଙ୍କା ଲୋନ୍ ଛାଡ଼ କରାଯାଇଥିଲା। ମାତ୍ର ୨୦୨୪ ମସିହାରେ ଏହା ୧.୭ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ୨୦୨୩ ମସିହାରେ ସରକାରୀ ବ୍ୟାଙ୍କଗୁଡ଼ିକର ସମୁଦାୟ ଲୋନ୍ ପରିମାଣର ୫୪ % ଥିବା ବେଳେ ୨୦୨୪ ମସିହାରେ ଏହା ୫୧%ରେ ପହଞ୍ଚିଛି।
ଋଣ ଛାଡ଼ କରିଥିବା ବ୍ୟାଙ୍କଗୁଡ଼ିକ ମଧ୍ୟରେ ଏସବିଆଇ ସବୁଠୁ ଆଗରେ ରହିଛି। ଗତ ୫ ବର୍ଷରେ ଏସବିଆଇ ପ୍ରାୟତଃ ଦେଢ ଲକ୍ଷ କୋଟି ଟଙ୍କା ଛାଡ଼ କରିଛି। ଦ୍ୱିତୀୟ ସ୍ଥାନରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ତୃତୀୟ ସ୍ଥାନରେ ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆ, ଚତୁର୍ଥ ସ୍ଥାନରେ ବ୍ୟାଙ୍କ ଅଫ୍ ବଡ଼ୋଦା ଓ ପଞ୍ଚମ ସ୍ଥାନରେ ବ୍ୟାଙ୍କ ଅଫ୍ ଇଣ୍ଡିଆ ରହିଛି।
ଚୌଧୁରୀଙ୍କ କହିବାନୁଯାୟୀ, ଆରବିଆଇ ଗାଇଡଲାଇନ୍ ଅନୁଯାୟୀ, ୪ ବର୍ଷ ପୂରା ହେବା ପରେ ବ୍ୟାଙ୍କଗୁଡ଼ିକ NPA ଛାଡ କରନ୍ତି। ଏହା ଲୋନ୍ କରିଥିବା ବ୍ୟକ୍ତିବିଶେଷଙ୍କ ପାଇଁ ଲାଭଦାୟକ ହୋଇପାରେନି। କାରଣ ଏହି ଲୋନ୍ ଟଙ୍କା ଫେରସ୍ତ ପାଇଁ ବ୍ୟାଙ୍କଗୁଡ଼ିକ ପକ୍ଷରୁ ଆରମ୍ଭ ହୋଇଥିବା ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଥାଏ।
ବକେୟା ଦେୟ ଆଦାୟ ନିମନ୍ତେ ବ୍ୟାଙ୍କଗୁଡ଼ିକ ଋଣ ଗ୍ରହିତାଙ୍କ ବିରୋଧରେ ସିଭିଲ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥାନ୍ତି। ଋଣ ପୁନରୁଦ୍ଧାର ଟ୍ରିବ୍ୟୁନାଲରେ ବି ଏନେଇ ମକଦ୍ଦମା ଦାୟର କରାଯାଇଥାଏ। ଏଥିସହ ନ୍ୟାସନାଲ କମ୍ପାନୀ ଲ’ ଟ୍ରିବ୍ୟୁନାଲରେ ମାମଲା ରୁଜୁ କରାଯାଇ ଆପୋଷ ବୁଝାମଣା ଓ NPA ବିକ୍ରି ମାଧ୍ୟମରେ ଏହାର ସମାଧାନ ନିମନ୍ତେ ଉଦ୍ୟମ ହୋଇଥାଏ।
ଏହାବାଦ ଅନ୍ୟ ଏକ ପୃଥକ ବିବୃତିରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି, ଚଳିତ ଆର୍ଥିକ ବର୍ଷରେ ଭାରତର ପବ୍ଲିକ ସେକ୍ଟର ବ୍ୟାଙ୍କଗୁଡ଼ିକ ସର୍ବାଧିକ ଲାଭ ୧.୪୧ ଲକ୍ଷ କୋଟି ଟଙ୍କା ରେକର୍ଡ କରିଛନ୍ତି।