୫୯୯୩ କୋଟି ଟଙ୍କାର ୨୬ ପ୍ରକଳ୍ପକୁ ସିଙ୍ଗଲୱିଣ୍ଡୋ ମଞ୍ଜୁରୀ

ଜିଏମ୍ ଆଇରନ୍ ଆଣ୍ଡ ଷ୍ଟିଲ କମ୍ପାନୀ ୭୪୫ କୋଟି ଟଙ୍କା ବ୍ୟୟରେ ମୟୂରଭଞ୍ଜ ଜିଲ୍ଲାରେ ୪୫ ମେଗାୱାଟ କ୍ୟାପଟିଭ ପାୱାର ପ୍ଲାଂଟ ଓ ବାର୍ଷିକ ୦.୨୩ ନିୟୁତ ଟନ୍ ସମନ୍ୱିତ ଇସ୍ପାତ ପ୍ଲାଂଟ ନିର୍ମାଣ କରିବ ବୋଲି ଦେଇଥିବା ପ୍ରସ୍ତାବକୁ ସିଙ୍ଗଲୱିଣ୍ଡୋ ମଞ୍ଜୁରୀ ମିଳିଛି ।

ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକ

  • Published: Wednesday, 10 July 2024
  • , Updated: 10 July 2024, 10:33 PM IST

ରାଜ୍ୟ ସରକାର ଆଜି ୫୯୯୨.୯୨ କୋଟି ଟଙ୍କାର ୨୬ଟି ପ୍ରକଳ୍ପକୁ ସିଙ୍ଗଲୱିଣ୍ଡୋ ମଞ୍ଜୁରୀ ପ୍ରଦାନ କରିଛନ୍ତି । ୧୪ଟି ଜିଲ୍ଲାରେ ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ୧୯୩୬୪ଟି ଅତିରିକ୍ତ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

ରାଜ୍ୟ ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସିଙ୍ଗଲୱିଣ୍ଡୋ କ୍ଲିଅରାନ୍ସ ଅଥରିଟି ବୈଠକରେ ଇସ୍ପାତ, ରସାୟତ, ଅକ୍ଷୟଶକ୍ତି, ଟେକ୍ସଟାଇଲ, ମ୍ୟାନୁଫାକଚରିଂ, ପ୍ୟାକେଜିଂ, ଫୁଡ୍ ପ୍ରୋସେସିଂ, ଆଇଟି, ଭିତ୍ତିଭୂମି ଓ ପର୍ଯ୍ୟଟନ କ୍ଷେତ୍ରର ମୋଟ ୨୬ଟି ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ଏହି ସମସ୍ତ ପ୍ରକଳ୍ପ ମୟୂରଭଞ୍ଜ, ସୁନ୍ଦରଗଡ଼, ସମ୍ବଲପୁର, କେନ୍ଦୁଝର, ଗଞ୍ଜାମ, ଜଗତସିଂହପୁର, ଖୋର୍ଦ୍ଧା, ଝାରସୁଗୁଡ଼ା, ବାଲେଶ୍ୱର, କଟକ, ଭଦ୍ରକ, ପୁରୀ, ବୌଦ୍ଧ ଓ କୋରାପୁଟ ଜିଲ୍ଲାରେ ସ୍ଥାପନ କରାଯିବ ।

ଜିଏମ୍ ଆଇରନ୍ ଆଣ୍ଡ ଷ୍ଟିଲ କମ୍ପାନୀ ୭୪୫ କୋଟି ଟଙ୍କା ବ୍ୟୟରେ ମୟୂରଭଞ୍ଜ ଜିଲ୍ଲାରେ ୪୫ ମେଗାୱାଟ କ୍ୟାପଟିଭ ପାୱାର ପ୍ଲାଂଟ ଓ ବାର୍ଷିକ ୦.୨୩ ନିୟୁତ ଟନ୍ ସମନ୍ୱିତ ଇସ୍ପାତ ପ୍ଲାଂଟ ନିର୍ମାଣ କରିବ ବୋଲି ଦେଇଥିବା ପ୍ରସ୍ତାବକୁ ସିଙ୍ଗଲୱିଣ୍ଡୋ ମଞ୍ଜୁରୀ ମିଳିଛି । ଏହି ପ୍ରକଳ୍ପ ଯୋଗୁ ୮୭୦ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ ।

ସେହିପରି ଶ୍ରୀଗଣେଶ ମେଟାଲିକ୍ସ ଲିମିଟେଡ୍ ତା’ର ସୁନ୍ଦରଗଡ଼ସ୍ଥିତ ପ୍ରକଳ୍ପକୁ ସମ୍ପ୍ରସାରଣ କରିବ । ଏଥିପାଇଁ କମ୍ପାନୀ ୬୦୪.୯୯କୋଟି ଟଙ୍କା ବ୍ୟୟ କରିବ ଓ ୩୨୩୯ଜଣ ଅତିରିକ୍ତ ନିଯୁକ୍ତି ସୁଯୋଗ ପାଇବେ ବୋଲି ଜଣାପଡ଼ିଛି ।

ଟାଇମ୍ସ ଷ୍ଟିଲ ଆଣ୍ଡ ପାୱାର ପ୍ରାଃ ଲିମିଟେଡ୍ କମ୍ପାନୀ ୪୩୨.୫୦କୋଟି ଟଙ୍କା ବ୍ୟୟରେ ସୁନ୍ଦରଗଡ଼ ଜିଲ୍ଲାରେ ନିଜର ପ୍ରକଳ୍ପର ସମ୍ପ୍ରସାରଣ କରିବ ଓ ଏଥିରେ ୬୧୫ଜଣଙ୍କୁ ଅତିରିକ୍ତ ନିଯୁକ୍ତି ମିଳିବ ।

ଆର‌୍ୟନ ଇସ୍ପାତ ଆଣ୍ଡ ପାୱାର ପ୍ରାଃ ଲିମିଟେଡ୍ ୩୨୩ କୋଟି ଟଙ୍କା ବ୍ୟୟରେ ସମ୍ବଲପୁରସ୍ଥିତ ପ୍ରକଳ୍ପର ସମ୍ପ୍ରସାରଣ କରିବ ଓ ଏଥିରେ ୧୫୦୦ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ ।

ଭାସ୍କର ଷ୍ଟିଲ ଆଣ୍ଡ ଫୋରୋ ଆଲଏଜ୍ ପ୍ରାଃ ଲମିଟେଡ୍ ୫୩୦କୋଟି ଟଙ୍କା ବ୍ୟୟରେ ସୁନ୍ଦରଗଡ଼ରେ ପ୍ରକଳ୍ପ ସ୍ଥାପନ କରିବ ଓ ଏଥିରେ ୮୮୦ଜଣଙ୍କୁ ନିଯୁକ୍ତି ମିଳିପାରିବ ।

ସେହିପରି ଏସଏସଏବି ଏନର୍ଜି ଆଣ୍ଡ ମିନେରାଲସ ଲିଃ ୨୧୨କୋଟି ଟଙ୍କା ବ୍ୟୟରେ କେନ୍ଦୁଝରରେ ନିଜର ପ୍ରକଳ୍ପର ସମ୍ପ୍ରସାରଣ କରିବ ଓ ଏଥିରେ ୧୧୦୭ଜଣଙ୍କୁ ଅତିରିକ୍ତ ନିଯୁକ୍ତି ମିଳିପାରିବ ବୋଲି କମ୍ପାନୀ ଦେଇଥିବା ପ୍ରସ୍ତାବକୁ ସିଙ୍ଗଲୱିଣ୍ଡୋ ମଞ୍ଜୁରୀ ମିଳିଛି ।

ସେହିପରି ସିଙ୍ଗଲୱିଣ୍ଡୋ ମଞ୍ଜୁରୀ ପାଇଥିବା ଅନ୍ୟ ପ୍ରକଳ୍ପଗୁଡ଼ିକ ହେଲା- ଶୈଳବାଳା ଇନଫ୍ରାଷ୍ଟକଚର ଲିଃ ୭୩.୨୦କୋଟି ଟଙ୍କା ବ୍ୟୟରେ ପୁରୀଠାରେ ଏକ ରିସୋର୍ଟ ସ୍ଥାପନ କରିବ ଓ ଏଥିରେ ୧୬୫ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ । ପଣ୍ଡା ଇଷ୍ଟେଟ୍ ୧୧୨.୮୦କୋଟି ଟଙ୍କା ବ୍ୟୟରେ ଖୋର୍ଦ୍ଧାଠାରେ ଆଇଟି କ୍ଷେତ୍ରରେ ପ୍ରକଳ୍ପ ସ୍ଥାପନ କରିବ ଓ ଏହାଦ୍ୱାରା ୪୫୦୦ଜଣଙ୍କୁ ନିଯୁକ୍ତି ମିଳିବ ବୋଲି ଜଣାପଡ଼ିଛି ।

Related story