ଆଜି ରାଜ୍ୟ ବଜେଟ୍, ଆଗତ କରିବ ବିଜେପି ସରକାର

ନୂଆ ସରକାର, ନୂଆ ବଜେଟ୍। ଆଜି ଆସିବ ରାଜ୍ୟ ବଜେଟ୍। ପ୍ରଥମ ଥର ପାଇଁ ବିଜେପି ସରକାର ରାଜ୍ୟରେ ଶାସନକୁ ଆସିବା ପରେ ଆସୁଛି ବଜେଟ୍।

ମୁଖ୍ୟମନ୍ତ୍ରୀ ତଥା ଅର୍ଥ ମନ୍ତ୍ରୀ ମୋହନ ମାଝୀ ।

  • Published: Thursday, 25 July 2024
  • , Updated: 25 July 2024, 08:47 AM IST

ନୂଆ ସରକାର, ନୂଆ ବଜେଟ୍। ଆଜି ଆସିବ ରାଜ୍ୟ ବଜେଟ୍। ପ୍ରଥମ ଥର ପାଇଁ ବିଜେପି ସରକାର ରାଜ୍ୟରେ ଶାସନକୁ ଆସିବା ପରେ ଆସୁଛି ବଜେଟ୍।

ଆଜି ଅପରାହ୍ନରେ ଚଳିତ ବର୍ଷର ପୂର୍ଣ୍ଣାଙ୍ଗ ବଜେଟକୁ ଗୃହରେ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ତଥା ଅର୍ଥ ମନ୍ତ୍ରୀ ମୋହନ ମାଝୀ। ନିର୍ବାଚନରେ ଦିଆଯାଇଥିବା ପ୍ରତିଶ୍ରୁତି ଓ ବିକଶିତ ଓଡ଼ିଶା ଗଠନ ନେଇ ଯେଉଁ ସଙ୍କଳ୍ପ ରହିଛି ତାକୁ ଗୁରୁତ୍ୱ ଦେଇ ଗଠନ କରାଯାଇଛି ବଜେଟ୍। ତେଣୁ ପୂର୍ବ ଅପେକ୍ଷା ଏଥର ବଜେଟର ଆକାର ବୃଦ୍ଧି ପାଇପାରେ ବୋଲି ଅନୁମାନ କରାଯାଉଛି।

ପାଖାପାଖି ତିନି ଲକ୍ଷ କୋଟିରୁ ଅଧିକ ଟଙ୍କାର ବଜେଟ୍ ଆଣିପାରନ୍ତି ସରକାର।  ପୂର୍ବ ସରକାର ଫେବୃଆରୀ ମାସରେ ୨ ଲକ୍ଷ ୫୫ ହଜାର କୋଟି ଟଙ୍କାର କାମଚଳା ବଜେଟ୍ ଆଣିଥିଲେ। ପ୍ରଥମ ବଜେଟରେ ରାଜ୍ୟବାସୀଙ୍କୁ କଣ ଭେଟି ଦେଉଛନ୍ତି ନୂଆ ସରକାର ତାହା ଉପରେ ସମସ୍ତଙ୍କ ନଜର ରହିଛି ।

ଆଜି ବିଧାନସଭାରେ ବଜେଟ ଉପସ୍ଥାପିତ ହେବାକୁ ଥିବା ବେଳେ ଏହା ପୂର୍ବରୁ ଗତକାଲି ପ୍ରକାଶିତ ହୋଇଛି ୨୦୨୩-୨୪ ମସିହାର ଓଡ଼ିଶା ଅର୍ଥନୀତିକ ସର୍ଭେ ରିପୋର୍ଟ।

ଏହି ସର୍ଭେ ରିପୋର୍ଟ ଅନୁସାରେ ରାଜ୍ୟରେ ମୋଟ ଜନସଂଖ୍ୟା ହାରାହାରି ୪.୬୪କୋଟି ଆକଳନ କରାଯାଇଛି । ଯାହାକି ଗତ ୨୦୨୨-୨୩ ମସିହା ତୁଳନାରେ ପ୍ରାୟ ୨୦ଲକ୍ଷ ଅଧିକ । ରାଜ୍ୟବାସୀଙ୍କ ମୁଣ୍ଡପିଛା ବାର୍ଷିକ ଆୟ ୨୦୨୨-୨୩ରେ ୧ଲକ୍ଷ ୪୫ ୨୦୨ଟଙ୍କା ଥିବାବେଳେ ୨୦୨୩-୨୪ରେ ଏହା ବୃଦ୍ଧି ପାଇ ୧ଲକ୍ଷ ୬୧ହଜାର ୪୩୭ରେ ପହଂଚିଛି । ଅର୍ଥାତ୍ ବର୍ଷକରେ ରାଜ୍ୟବାସୀଙ୍କ ମୁଣ୍ଡପିଛା ଆୟରେ ୧୬ହଜାର ୨୩୫ଟଙ୍କା ବୃଦ୍ଧି ହୋଇଛି ।

ସେହିପରି ମୁଣ୍ଡପିଛା ବ୍ୟୟ ଗ୍ରାମାଂଚଳରେ ମାସିକ ୨୯୫୦ଟଙ୍କା ଓ ସହରାଂଚଳରେ ୫୧୮୭ଟଙ୍କା ରହିଛି । ଯାହାକି ଜାତୀୟ ହାର ତୁଳନାରେ ବେଶ୍ ପଛରେ ରହିଛି । ଜାତୀୟସ୍ତରରେ ଗ୍ରାମାଂଚଳରେ ହାରାହାରି ମାସିକ ମୁଣ୍ଡପିଛା ବ୍ୟୟ ୩୭୭୩ଟଙ୍କା ଓ ସହରାଞ୍ଚଳରେ ୬୪୫୯ଟଙ୍କା ରହିଛି ।

ରାଜ୍ୟର ଅର୍ଥନୀତି ୨୦୨୩-୨୪ ବର୍ଷରେ ୮.୫% ହାରରେ ଅଭିବୃଦ୍ଧି କରିବ ବୋଲି ଅଗ୍ରୀମ ଆକଳନ ହୋଇଛି । ୨୦୨୧-୨୨ରେ ରାଜ୍ୟର ଅର୍ଥନୀତି ୧୦.୬% ଓ ୨୦୨୨-୨୩ରେ ୭.୯ ପ୍ରତିଶତ ହାରରେ ଅଭିବୃଦ୍ଧି କରିଥିଲା ।

ରାଜ୍ୟର ଆର୍ଥିକ ଅଭିବୃଦ୍ଧିର ଗୋଲାପୀ ଚିତ୍ର ସରକାର ଦେଉଥିଲେ ମଧ୍ୟ ଏବେବି ୧୫.୬୮ପ୍ରତିଶତ ଲୋକ ଦାରିଦ୍ର‌୍ୟ ସ୍ଥିତିରେ ରହିଛନ୍ତି । ୨୦୧୫-୧୬ରେ ଏହି ଦାରିଦ୍ର‌୍ୟ ହାର ୨୯.୩୪% ଥିବାବେଳେ ୨୦୧୯-୨୦ରେ ଏହା ୧୫.୬୮%କୁ ହ୍ରାସ ପାଇଥିଲଶ । ପ୍ରାୟ ୬୨.୬ଲକ୍ଷ ଲୋକ ଦାରିଦ୍ର‌୍ୟ କବଳରୁ ମୁକ୍ତି ପାଇଥିଲେ । କିନ୍ତୁ ଜାତୀୟସ୍ତରରେ ଦାରିଦ୍ର‌୍ୟ ହାର  ହାରାହାରି ୧୪.୯୬ % ରହିଛି । ଯାହାକି ଓଡ଼ିଶା ତୁଳନାରେ କମ୍ ।

କେବଳ ସେତିକି ନୁହେଁ ରାଜ୍ୟର ଲୋକଙ୍କ ହାରାହାରି ଆୟୁଷ(ଜୀବନକାଳ) ବିଗତ ୧୬ବର୍ଷ ମଧ୍ୟରେ ପ୍ରାୟ ୧୦ବର୍ଷ ବୃଦ୍ଧି ପାଇଛି । ରାଜ୍ୟର ଅର୍ଥନୀତିର ଆକାରରେ ଆଖିଦୃଶିଆ ବୃଦ୍ଧି ହୋଇଛି । 

ରାଜ୍ୟ ସରକାରଙ୍କ ଆର୍ଥିକ ଅଭିବୃଦ୍ଧି ହାର ଜାତୀୟ ହାର ତୁଳନାରେ ଅଧିକ ରହୁଥିଲେ ମଧ୍ୟ ଆର୍ଥିକ ପ୍ରଦର୍ଶନ ଉତ୍ସାହଜନକ ରହିନାହିଁ । ରାଜ୍ୟର ବଜେଟ୍ ଆକାର କ୍ରମାଗତ ବଡ଼ ହୋଇଥିବାବେଳେ ତଦନୁସାରେ ରାଜ୍ୟର ଆର୍ଥିକ ପ୍ରଦର୍ଶନ ହୋଇନଥିବା ଜଣାପଡ଼ିଛି ।

୨୦୨୨-୨୩ରେ ମୋଟ ରାଜସ୍ୱ ୧ଲକ୍ଷ ୬୪ହଜାର ୧୬୬କୋଟି ଟଙ୍କା ଥିବାବେଳେ ଖର୍ଚ୍ଚ ୧ଲକ୍ଷ ୮୫ହଜାର ୯୯୯କୋଟି ଟଙ୍କା ଥିଲା । ଯାହାକି ରାଜସ୍ୱ ତୁଳନାରେ ୨୧୮୩୩କୋଟି ଟଙ୍କା ଅଧିକ ବ୍ୟୟକୁ ଦର୍ଶାଉଛି । ସେହିପରି ୨୦୨୩-୨୪ ଆର୍ଥିକ ବର୍ଷରେ ରାଜସ୍ୱ ୧ଲକ୍ଷ ୮୫ହଜାର ୩୭୦କୋଟି ଟଙ୍କା ଥିବାବେଳେ ବ୍ୟୟ ୨ଲକ୍ଷ ୧୧ହଜାର ୨୧୪କୋଟି ଟଙ୍କା ରହିଛି । ରାଜସ୍ୱ ତୁଳନାରେ ବ୍ୟୟ ୨୫୮୪୪କୋଟି ଟଙ୍କା ଅଧିକ ରହିଛି ।

Related story