/odisha-reporter/media/post_attachments/uploadimage/library/16_9/16_9_0/Bank_1738340059.jpg)
Bank
ନିଜର ପରିଚାଳନାଗତ ତ୍ରୁଟି ପାଇଁ ବିଭିନ୍ନ ସମୟରେ ବିବାଦଘେରରେ ରହୁଥିବା ରାଜ୍ୟ ସମବାୟ ବ୍ୟାଙ୍କ ପୁଣିଥରେ ଚର୍ଚ୍ଚାରେ । ବ୍ୟାଙ୍କିଂ ନିୟମ ଅନୁପାଳନ କରିବାରେ ବିଫଳ ହୋଇଥିବା ଯୋଗୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଜୋରିମାନା ଧାର୍ଯ୍ୟ କରିଛନ୍ତି ।
ସୂତ୍ର ଅନୁସାରେ, ବ୍ୟାଙ୍କିଙ୍ଗ୍ ରେଗୁଲେସନ ଆକ୍ଟ-୧୯୪୯ର ଧାରା-୨୬(କ) ଓ ଧାରା ୯ରେ ପ୍ରାବଧାନକୁ ଅନୁପାଳନ କରିବାରେ ବିଫଳ ଥିବା ଯୋଗୁ ରାଜ୍ୟ ସମବାୟ ବ୍ୟାଙ୍କ ଉପରେ ୪ଲକ୍ଷ ଟଙ୍କାର ଜୋରିମାନା ଧାର୍ଯ୍ୟ କରିଛନ୍ତି ରିଜର୍ଭ ବ୍ୟାଙ୍କ କର୍ତ୍ତୃପକ୍ଷ । ଶୁକ୍ରବାର ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ୨୦୨୩ ମାର୍ଚ୍ଚ ମାସରେ ରିଜର୍ଭ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଦ୍ୱାରା ବୈଧାନିକ ନିରୀକ୍ଷଣବେଳେ ଏହି ଅସଙ୍ଗତି ଧରାପଡ଼ିଥିଲା । ସେହିସମୟରେ ନାବାର୍ଡ କର୍ତ୍ତୃପକ୍ଷ ମଧ୍ୟ ବୈଧାନିକ ନିରୀକ୍ଷଣ କରି ଏହି ଅସଙ୍ଗତି ଧରିଥିଲେ । ତେବେ ରିଜର୍ଭ ବ୍ୟାଙ୍କ କର୍ତ୍ତୃପକ୍ଷ ଏନେଇ ରାଜ୍ୟ ସମବାୟ ବ୍ୟାଙ୍କକୁ କାରଣ ଦର୍ଶାଅ ନୋଟିସ୍ ମଧ୍ୟ ଜାରି କରିଥିଲା । କିନ୍ତୁ ନୋଟିସର ଜବାବ ପାଇବା ପରେ ସନ୍ତୋଷଜନକ ଉତ୍ତର ଦେଇନପାରିବା ଓ ଆବଶ୍ୟକ ଯାଂଚ କରି ରିଜର୍ଭ ବ୍ୟାଙ୍କ କର୍ତ୍ତୃପକ୍ଷ ଏହି ଜୋରିମାନା ରୁଜୁ କରିଥିବା ଜଣାପଡ଼ିଛି । ନିର୍ଦ୍ଧାରିତ ଅବଧି ମଧ୍ୟରେ ଅଣବ୍ୟାଙ୍କିଙ୍ଗ ପରିସମ୍ପତ୍ତିର ସମାଧାନ ଓ ବ୍ୟାଙ୍କରେ ଜମା ଥିବା ଅଣଦାବିଦାର ପାଣ୍ଠିକୁ ଶିକ୍ଷା ଓ ସଚେତନତା ପାଣ୍ଠିକୁ ସ୍ଥାନାନ୍ତର କରିବାରେ ବିଫଳ ଥିବା ଯୋଗୁ ଏହି ଜୋରିମାନା ଧାର୍ଯ୍ୟ ହୋଇଥିବା ସୂଚନା ମିଳିଛି ।
ସୂଚନାଯୋଗ୍ୟ, ରାଜ୍ୟ ସମବାୟ ବ୍ୟାଙ୍କର ପରିଚାଳନା ସଭାପତି ପଦବୀରେ ନିଯୁକ୍ତିରେ ଅନିୟମିତତା ଓ ବ୍ୟାଙ୍କ ପରିଚାଳନାରେ ବ୍ୟାପକ ତ୍ରୁଟିକୁ ନେଇ ବ୍ୟାଙ୍କ ଅନେକ ସମୟରେ ବିବାଦଘେରକୁ ଆସିଛି । ଏହି ଜୋରିମାନା ସମ୍ପର୍କରେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ ପାଇଁ ଉଦ୍ୟମ ହୋଇଥିଲେ ମଧ୍ୟ ତାହା ସମ୍ଭବପର ହୋଇପାରିନି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
