Advertisment

୮୩୭କୋଟି ଟଙ୍କାର ୯ଟି ପ୍ରକଳ୍ପକୁ ସିଙ୍ଗଲୱିଣ୍ଡୋ ମଞ୍ଜୁରୀ,ଚିକିଟିରେ ହେବ ରିସୋର୍ଟ

ଗଞ୍ଜାମ ଜିଲ୍ଲାର ଚିକିଟିଠାରେ ଏକ ହୋଟେଲ ଓ ରିସୋର୍ଟ ସ୍ଥାପନ କରିବାକୁ ଏସଏନଏମ୍ ହୋଟେଲ ଆଣ୍ଡ ରିସୋର୍ଟ ପ୍ରାଃ ଲିମିଟେଡ୍ ପକ୍ଷରୁ ୨୧୪.୫୦କୋଟି ଟଙ୍କା ବ୍ୟୟ ହେବ ।

author-image
Ordigital Desk
ଅଦ୍ୟତନ ହୋଇଛି
Lokaseva Bhawan

Lokaseva Bhawan

ରାଜ୍ୟର ୮ଟି ଜିଲ୍ଲାରେ ମୋଟ ୮୩୭.୫୭କୋଟି ଟଙ୍କାର ୯ଟି ଶିଳ୍ପ ପ୍ରକଳ୍ପକୁ ଆଜି ରାଜ୍ୟସ୍ତରୀୟ ସିଙ୍ଗଲୱିଣ୍ଡୋ ମଞ୍ଜୁରୀ ମିଳିଛି । ଏହି ପ୍ରକଳ୍ପଗୁଡ଼ିକ ଖୋର୍ଦ୍ଧା, ସୁନ୍ଦରଗଡ଼, ଜଗତସିଂହପୁର, ଗଞ୍ଜାମ, ନବରଙ୍ଗପୁର, ଯାଜପୁର, ଦେବଗଡ଼ ଓ ଝାରସୁଗୁଡା ଜିଲ୍ଲାରେ ସ୍ଥାପନ ହେବ ଓ ପ୍ରାୟ ୨୫୦୦ଲୋକଙ୍କୁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହ ରାଜ୍ୟ ଅର୍ଥନୀତିକୁ ପ୍ରୋତ୍ସାହନ ମିଳିବ ବୋଲି ଜଣାପଡ଼ିଛି ।

Advertisment

ଆଜି ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସିଙ୍ଗଲୱିଣ୍ଡୋ କ୍ଲିଅରାନ୍ସ ଅଥରିଟି ବୈଠକରେ ଯେଉଁସବୁ ପ୍ରକଳ୍ପଗୁଡ଼ିକୁ ସିଙ୍ଗଲୱିଣ୍ଡୋ ମଞ୍ଜୁରୀ ମିଳିଛି ସେଥିରେ ଦେବଗଡ଼ ଜିଲ୍ଲାରେ ୮୫କୋଟି ଟଙ୍କା ବ୍ୟୟରେ ପେଟ୍ରୋନେଟ୍ ଏଲଏନଜି ଲିଃ କମ୍ପାନୀ ଦ୍ୱାରା ବାୟୋଗ୍ୟାସ ଓ ଅର୍ଗାନିକ ପ୍ଲାଣ୍ଟରୁ ବାର୍ଷିକ ୩୩୦୬୫ ମେଟ୍ରିକ ଟନ୍ କ୍ଷମତା ବିଶିଷ୍ଟ କେମିକାଲ ଉତ୍ପାଦନ ଓ ଅକ୍ଷୟ ଶକ୍ତି ଉତ୍ପାଦନ ହେବ । ପ୍ରାୟ ୫୩ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ ।

ପାରାଦୀପ ପ୍ଲାଷ୍ଟିକ ପାର୍କରେ ୧୦୦.୭୪କୋଟି ଟଙ୍କା ବ୍ୟୟରେ ପର୍ଲ ପ୍ରେସିସନ୍ ପ୍ରଡକ୍ଟ ପ୍ରାଃ ଲିଃ ଦ୍ୱାରା ପ୍ଲାଷ୍ଟିକ ଉତ୍ପାଦ ପ୍ରସ୍ତୁତ ହେବ । ଏଥିରେ ୭୦୦ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ । ସେହିପରି ଖୋର୍ଦ୍ଧାରେ ଇଣ୍ଡୋପେଟ୍ ପଲିପ୍ଲାଷ୍ଟ ପ୍ରାଃ ଲିଃ ଦ୍ୱାରା ୮୦କୋଟି ଟଙ୍କା ବ୍ୟୟରେ ପ୍ଲାଷ୍ଟିକ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ଏଥିରେ ୧୫୦ଜଣଙ୍କୁ ନିଯୁକ୍ତି ମିଳିବ ।

Advertisment

ଝାରସୁଗୁଡ଼ା ଜିଲ୍ଲାରେ ଟିଆରଏଲ୍ କ୍ରୋସାକି ରିଫ୍ୟାକ୍ଟ୍ରିଜ ଲିଃ ଦ୍ୱାରା ୧୦୦କୋଟି ଟଙ୍କା ବ୍ୟୟରେ ଷ୍ଟିଲ୍ ଅନ୍ସଲାରୀ ପ୍ରକଳ୍ପ ସ୍ଥାପନ ହେବ । ଆଲୁମିନିୟମ ଗ୍ରାଇଣ୍ଡିଂ ୟୁନିଟ, ପ୍ରୋସେସିଂ ୟୁନିଟ୍ ଆଦି ପାଇଁ ଏହି  ଅର୍ଥ ଖର୍ଚ୍ଚ ହେବ ଓ ୧୫୦ଜଣଙ୍କୁ ନିଯୁକ୍ତି ସୁଯୋଗ ମିିଳିବ ।

ସୁନ୍ଦରଗଡ଼ର କୁଆଁରମୁଣ୍ଡା ବ୍ଲକରେ ୫୦.୩୫ କୋଟି ଟଙ୍କା ବ୍ୟୟରେ ଚୌସନ୍ ସର୍ଭେସ ରିଫାକ୍ଟ୍ରିଜ୍ ପ୍ରାଃ ଲିମିଟେଡ୍ ଦ୍ୱାରା ଷ୍ଟିଲ୍ ଅନ୍ସଲାରୀ ପ୍ରକଳ୍ପ ସ୍ଥାପନ କରାଯିବ । ଏଥିରେ ୮୫ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ । ଯାଜପୁରର କଳିଙ୍ଗନଗରରେ ସାଇଜର ଏଣ୍ଟରପ୍ରାଇଜେସ୍ ପ୍ରାଃ ଲିମିଟେଡ୍ ଦ୍ୱାରା ୮୯.୯୦କୋଟି ଟଙ୍କା ବ୍ୟୟରେ ଷ୍ଟିଲ(ଡାଉନଷ୍ଟ୍ରିମ) ପ୍ରକଳ୍ପ ସ୍ଥାପନ ହେବ ଓ ପ୍ରାୟ ୨୫୦ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ ।

ସୁନ୍ଦରଗଡ଼ର ଲହୁଣୀପଡ଼ାଠାରେ ଷ୍ଟିଲ କ୍ଷେତ୍ରରେ ୧୦୦କୋଟି ଟଙ୍କାର ପ୍ରକଳ୍ପ ସ୍ଥାପନ ହେବ । ଏହାଦ୍ୱାରା ୮୧୯ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ। ନବରଙ୍ଗପୁର ଜିଲ୍ଲାର ବାମୁଣୀ ଶିଳ୍ପାଂଚଳରେ କୋଷ୍ଟାଲ ବାୟୋଟେକ୍ ପ୍ରାଃ ଲିମିଟେଡ୍ ଦ୍ୱାରା  ୫୩.୦୮କୋଟି ଟଙ୍କା ବ୍ୟୟରେ ଆଗ୍ରୋ ଓ ଫୁଡ୍ ପ୍ରୋସସିଂ କ୍ଷେତ୍ରର ପ୍ରକଳ୍ପ ସ୍ଥାପନକୁ ମଞ୍ଜୁରୀ ମିଳିଛି । ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ୮୨ଜଣଙ୍କୁ ନିଯୁକ୍ତି ସୁଯୋଗ ମଳିପାରିବ ।

ଗଞ୍ଜାମ ଜିଲ୍ଲାର ଚିକିଟିଠାରେ ଏକ ହୋଟେଲ ଓ ରିସୋର୍ଟ ସ୍ଥାପନ କରିବାକୁ ଏସଏନଏମ୍ ହୋଟେଲ ଆଣ୍ଡ ରିସୋର୍ଟ ପ୍ରାଃ ଲିମିଟେଡ୍ ପକ୍ଷରୁ ୨୧୪.୫୦କୋଟି ଟଙ୍କା ବ୍ୟୟ ହେବ । ଏହା ଦ୍ୱାରା ୨୨୭ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ ଓ ପର୍ଯ୍ୟଟନ କ୍ଷେତ୍ରକୁ ପ୍ରୋତ୍ସାହନ ମଧ୍ୟ ମିଳିବ ।