Lab
ପିଏମ ସୂର୍ଯ୍ୟ ଘର ଯୋଜନା ମାଧ୍ୟମରେ ରାଜ୍ୟରେ ଗ୍ରୀନ୍ ଏନର୍ଜି ଉପଯୋଗକୁ ପ୍ରୋତ୍ସାହନ ଓ ରୂପାନ୍ତରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରି ‘ଭିଜନ ୨୦୩୬ ଓ ୨୦୪୭’ର ମହତ୍ୱାକାଂକ୍ଷୀ ଲକ୍ଷ୍ୟକୁ ହାସଲ ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି । ରାଜ୍ୟରେ ‘ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ଯୋଜନା-ମାଗଣା ବିଜୁଳି’ ଯୋଜନାକୁ ଲୋକାଭିମୁଖୀ କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ ଖର୍ଚ୍ଚର ୬୦ରୁ ୭୦ ପ୍ରତିଶତ ସବସିଡି ଦେଉଥିବାବେଳେ ଓଡ଼ିଶାରେ ବିଦ୍ୟୁତ ବଂଟନ ବ୍ୟବସ୍ଥା ଦାୟିତ୍ୱରେ ଥିବା ଟାଟା ପାୱାର ଏବେ ଓରେଡ଼ା ସହଭାଗିତାରେ ରାଜ୍ୟରେ ରୁଫଟଫ୍ ସୋଲାର ସ୍ଥାପନ ଦିଗରେ କାର୍ଯ୍ୟ କରୁଛି । ୩ବର୍ଷ ମଧ୍ୟରେ ରାଜ୍ୟରେ ୩ଲକ୍ଷ ଘରେ ରୁଫଟପ୍ ସୋଲାର ସ୍ଥାପନ ନିମନ୍ତେ ଲକ୍ଷ୍ୟ ରଖିଥିବା ଟାଟା ପାୱାର ଏବେ କେନ୍ଦ୍ର ସରକାରଙ୍କ ନିୟମ ଅନୁରୂପ ନିଜସ୍ୱ ‘ସୋଲାର ମଡ୍ୟୁଲ’ ବିକଶିତ କରି ରାଜ୍ୟରେ ଗ୍ରୀନ୍ ଏନର୍ଜି କ୍ଷେତ୍ରକୁ ଅଧିକ ଗତିଶୀଳ କରିବାକୁ ଯୋଜନା ନେଇଛି । ରାଜ୍ୟରେ ନିଜର ସମସ୍ତ ୪ଟି ବିଦ୍ୟୁତ ବଂଟନ କମ୍ପାନୀ ଅଧୀନରେ ଗୋଟିଏ ଲେଖାଁଏ ଦକ୍ଷତା ବିକାଶ ପ୍ରତିଷ୍ଠାନ ସ୍ଥାପନ କରି ଭବିଷ୍ୟତର ଗ୍ରୀନ୍ ଏନର୍ଜି ରୂପାନ୍ତରଣ ନିମନ୍ତେ ପ୍ରଶିକ୍ଷିତ ମାନବସମ୍ବଳ ସୃଷ୍ଟି ଓ ଆସନ୍ତା ବର୍ଷକ ମଧ୍ୟରେ ୧୨ହଜାରରୁ ଅଧିକ ବ୍ୟକ୍ତିଙ୍କୁ ଏହି ପ୍ରଶିକ୍ଷଣ ଦେବ ବୋଲି ଜଣାପଡ଼ିଛି ।
ପିଏମ ସୂର୍ଯ୍ୟ ଘର ଯୋଜନାରେ ସହଭାଗିତା
ଓଡ଼ିଶାରେ ‘ପିଏମ ସୂର୍ଯ୍ୟ ଘର-ମାଗଣା ବିଜୁଳି ଯୋଜନା’କୁ ପ୍ରୋତ୍ସାହିତ କରିବା ନିମନ୍ତେ ରାଜ୍ୟରେ ବିଦ୍ୟୁତ ବଂଟନକାରୀ ସଂସ୍ଥା ଟାଟା ପାୱାର ଆଗକୁ ଆସିଛି । ଆସନ୍ତା ୩ବର୍ଷ ମଧ୍ୟରେ ଓଡ଼ିଶାରେ ୩ଲକ୍ଷରୁ ଅଧିକ ରୁଫଟପ୍ ସୋଲାର ସ୍ଥାପନ କରିବାକୁ କମ୍ପାନୀ ଲକ୍ଷ୍ୟ ରଖିବା ସହ ରାଜଧାନୀ ଭୁବନେଶ୍ୱରରେ ‘ଘର ଘର ସୋଲାର’ ଅଭିଯାନ ଆରମ୍ଭ କରିସାରିଛି । ନିଜର ଉଚ୍ଚଦକ୍ଷତା ସମ୍ପନ୍ନ ସୋଲାର ମଡ୍ୟୁଲ ଓ ସେଲର ଉତ୍ପାଦନ ବ୍ୟତୀତ ଓଡ଼ିଶା ଅକ୍ଷୟଶକ୍ତି ବିକାଶ ଏଜେନ୍ସୀ(ଓରେଡ଼ା) ସହଭାଗିତାରେ ବ୍ୟାପକ ସଚେତନତା ଅଭିଯାନ, ଅଂଚଳଭିତ୍ତିକ ତାଲିମ କାର୍ଯ୍ୟକ୍ରମ ଓ ସ୍ଥାନୀୟ ଲୋକଙ୍କୁ ସୁହାଇବା ଭଳି ଫାଇନାନ୍ସ ସ୍କିମ୍ କରି ତୃଣମୂଳସ୍ତରରେ ‘ପିଏମ ସୂର୍ଯ୍ୟ ଘର’ ଯୋଜନାର ଗ୍ରହଣୀୟତା ବୃଦ୍ଧି ଦିଗରେ କାର୍ଯ୍ୟ କରିଛି । ପିଏମ ସୂର୍ଯ୍ୟଘର-ମାଗଣା ବିଦ୍ୟୁତ ଯୋଜନା ଦିଗରେ ଲୋକଙ୍କୁ ଅଧିକ ଆକୃଷ୍ଟ କରିବା ନିମନ୍ତେ ଟାଟା ପାୱାର ଦ୍ୱାରା ଫାଇନାନ୍ସ ସୁବିଧା ଦିଆଯାଉଛି, ଯାହାଫଳରେ ଜଣେ ବ୍ୟକ୍ତି ମାତ୍ର ୨୪୯୯ରୁ ୭୯୯୯ଟଙ୍କା ଦେଇ ସୋଲାର ରୁଫଟପ୍ ସ୍ଥାପନ କରିବା ସହ ନିଜର ବିଦ୍ୟୁତ ଆବଶ୍ୟକତା ପୂରଣ କରିପାରିବ । କମ୍ପାନୀ ମଧ୍ୟ ୨୫ବର୍ଷର ୱାରେଣ୍ଟି ଥିବା ସୌର ପ୍ୟାନେଲ ପ୍ରଦାନ କରି ସୌରଶକ୍ତି ଗ୍ରହଣୀୟତାକୁ ଆର୍ଥିକ ଦୃଷ୍ଟିରୁ ବିକଳ୍ପ ଭାବେ ପରିଣତ କରାଇପାରିଛି । ପିଏମ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ସରକାର ୩୦ହଜାର ଟଙ୍କାରୁ ୭୮ହଜାର ଟଙ୍କା ପର୍ଯ୍ୟନ୍ତ(୧ରୁ ୩ କିଲୋୱାଟ) ସବସିଡି ଦେଉଥିବାବେଳେ ରାଜ୍ୟର ମୋହନ ମାଝୀ ସରକାର ମଧ୍ୟ ଅତିରିକ୍ତ ୨୫ରୁ ୬୦ହଜାର ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି । ପିଏମ ସୂର୍ଯ୍ୟ ଘର ଯୋଜନାର ଏହି ସରକାରୀ ସବସିଡି ପ୍ରଦାନ ଦିଗରେ ମଧ୍ୟ ଟାଟା ପାୱାର ସହଯୋଗ ଯୋଗାଇ ଦେଉଥିବା ଜଣାପଡ଼ିଛି ।
ଦେଶର ସର୍ବବୃହତ୍ ଏକକ ସୋଲାର ଉତ୍ପାଦନ କାରଖାନା
ଦେଶରେ ପିଏମ ସୂର୍ଯ୍ୟଘର ଯୋଜନା ମାଧ୍ୟମରେ ରୁଫଟପ୍ ସୋଲାର ବ୍ୟବସ୍ଥାର ଆବଶ୍ୟକତା ବୃଦ୍ଧି ପାଇଥିବାବେଳେ ଟାଟା ପାୱାରର ସହାୟକ କମ୍ପାନୀ ଟିପି ସୋଲାର ଲିମିଟେଡ୍ ଦ୍ୱାରା ତାମିଲନାଡୁର ତେରୁନେଲଭେଲିଠାରେ ଦେଶର ସର୍ବବୃହତ୍ ଏକକ ସୋଲାର ଉତ୍ପାଦନ କାରଖାନା ସ୍ଥାପନ କରିଛି । କେନ୍ଦ୍ର ନବୀକରଣ ଓ ଅକ୍ଷୟଶକ୍ତି ମନ୍ତ୍ରଣାଳୟର ମାନଦଣ୍ଡ ଅନୁରୂପ ଘରୋଇ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଅତ୍ୟାଧୁନିକ ପ୍ରଯୁକ୍ତିରେ ଉଚ୍ଚ ଦକ୍ଷତାସମ୍ପନ୍ନ ସୋଲାର ସେଲ୍ ଓ ମଡ୍ୟୁଲ ଉତ୍ପାଦନ କରୁଛି । ଯାହାକି ୨୫ରୁ ୩୦ବର୍ଷର ୱାରେଣ୍ଟିଂ ସହ ଉପଲବ୍ଧ ହେଉଛି । ଏହି ସୋଲାର ସେଲ୍ ମାଧ୍ୟମରେ ଓଡ଼ିଶାରେ ସୋଲାର ରୁଫଟପ୍ ସ୍ଥାପନ କାର୍ଯ୍ୟକୁ ଟାଟା ପାୱାର ତ୍ୱରାନ୍ୱିତ କରିବାରେ ଲାଗିଛି । ଏହି ସୋଲାର ମଡ୍ୟୁଲ୍ ଓଡ଼ିଶାରେ ସୌରଶକ୍ତି ରୂପାନ୍ତରଣରେ ପ୍ରମୁଖ ଭୂମିକା ନେବାର ସମ୍ଭାବନା ସୃଷ୍ଟି ହୋଇଛି ।
ଯୁବବର୍ଗଙ୍କ ଦକ୍ଷତା ବିକାଶ ଓ ରୋଜଗାର ସୁଯୋଗ
ରାଜ୍ୟରେ ଗ୍ରୀନ୍ ଏନର୍ଜିର ଉପଯୋଗ ଓ ଭବିଷ୍ୟତକୁ ଦୃଷ୍ଟିରେ ରଖି ଦକ୍ଷ ମାନବ ସମ୍ବଳ ବିକଶିତ କରିବା ପାଇଁ ଟାଟା ପାୱାର ପକ୍ଷରୁ ରାଜ୍ୟରେ ୪ଟି ଦକ୍ଷତା ବିକାଶ କେନ୍ଦ୍ର(ଟାଟା ପାୱାର ସ୍କିଲ ଡେଭଲପମେଂଟ ଇନଷ୍ଟିଚ୍ୟୁଟ) ନିର୍ମାଣ କରାଯାଉଛି । ଟାଟା ପାୱାର ନିଜର ସମସ୍ତ ୪ଟି ବଂଟନକାରୀ କମ୍ପାନୀ ଅଧୀନରେ ଗୋଟିଏ ଲେଖାଏଁ ଏହି କେନ୍ଦ୍ର ଖୋଲି ସୌରଶକ୍ତି ସ୍ଥାପନା, ପରିଚାଳନା ଓ ରକ୍ଷଣାବେକ୍ଷଣ ଆଦି କ୍ଷେତ୍ରରେ ଆସନ୍ତା ବର୍ଷକ ମଧ୍ୟରେ ୧୨ହଜାରରୁ ଅଧିକ ଲୋକଙ୍କୁ ତାଲିମ ଦେବାକୁ ଯୋଜନା କରିଛି । ଗ୍ରୀନ୍ ଏନର୍ଜିର ଉପଯୋଗ ଓ ପ୍ରଶିକ୍ଷଣପ୍ରାପ୍ତ ମାନବସମ୍ବଳ ରାଜ୍ୟରେ ରୋଜଗାର ପ୍ରକ୍ରିୟାକୁ ଗତିଶୀଳ କରାଇବ ବୋଲି ଜଣାପଡ଼ିଛି । ନିଜର ଡିସକମଗୁଡ଼ିକ ଜରିଆରେ ଗ୍ରୀଡ୍ ଦକ୍ଷତାରେ ଉନ୍ନତି, ଏଟିଆଣ୍ଡସି କ୍ଷତି ହ୍ରାସ, ବିଦ୍ୟୁତ ଭରସାଯୋଗ୍ୟତାରେ ଉନ୍ନତି ଓ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରିବା ଦିଗରେ ଟାଟା ପାୱାର ଗୁରୁତ୍ୱ ଦେଉଥିବା ସୂଚନା ମିଳିଛି ।
ପିଏମ ସୂର୍ଯ୍ୟଘର ଯୋଜନା, ସମୀକ୍ଷା କଲେ କେନ୍ଦ୍ର ସଚିବ
ପିଏମ ସୂର୍ଯ୍ୟ ଘର-ମାଗଣା ବିଦ୍ୟୁତ ଯୋଜନାକୁ ଗତିଶୀଳ କରିବା ନିମନ୍ତେ ଶୁକ୍ରବାର ଭୁବନେଶ୍ୱରରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । କେନ୍ଦ୍ର ନବୀକରଣ ଓ ଅକ୍ଷୟଶକ୍ତି ମନ୍ତ୍ରଣାଳୟର ସଚିବ ସନ୍ତୋଷ ଷଡ଼ଙ୍ଗୀଙ୍କ ଉପସ୍ଥିତିରେ ରାଜ୍ୟ ମୁଖ୍ୟ ସଚିବ, ଉନ୍ନୟନ ସଚିବଙ୍କ ସମେତ ବିଭିନ୍ନ ଡିସକମର ବରିଷ୍ଠ ପ୍ରତିନିଧି, ଗ୍ରୀଡକୋର ଓ ରାଜ୍ୟ ଶକ୍ତି ବିଭାଗର ଅଧିକାରୀ, ଆରଇସି ସିଏମଡି ପ୍ରମୁଖ ଯୋଗ ଦେଇ ରାଜ୍ୟରେ ରୁଫଟପ୍ ସୋଲାର ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବା ଉପରେ ବିଚାରବିମର୍ଶ କରିଛନ୍ତି । ଏହି ଯୋଜନାର ବର୍ତ୍ତମାନର ସ୍ଥିତି, ହିତାଧିକାରୀଙ୍କ ଚିହ୍ନଟ, ଆବେଦନ ପ୍ରକ୍ରିୟାକୁ ସୁବ୍ୟବସ୍ଥିତ କରିବା ସହ ଅନ୍ୟାନ୍ୟ ସମସ୍ୟାର ତତ୍କାଳ ସମାଧାନ ସହ ବ୍ୟାପକ ଜନସଚେତନତା ସୃଷ୍ଟି ଉପରେ କେନ୍ଦ୍ର ସଚିବ ଶ୍ରୀ ଷଡ଼ଙ୍ଗୀ ଗୁରୁତ୍ୱ ଦେଇଛନ୍ତି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Lab_1752324525.jpg)