Advertisment

ଦୀପାବଳି ଉପହାର: କର୍ମଚାରୀଙ୍କୁ ରୋୟାଲ ଏନ୍‌ଫିଲ୍‌ଡ ବାଇକ୍‌ ବାଣ୍ଟିଲା ଚା’ କମ୍ପାନୀ

ଏକ କାର୍ଯ୍ୟକ୍ରମରେ ଉକ୍ତ କମ୍ପାନୀର କର୍ମଚାରୀଙ୍କୁ ରୋୟାଲ ଏନ୍‌ଫିଲ୍‌ଡ ବାଇକ୍‌ର ଚାବି ଦିଆଯାଉଥିବା ଭିଡିଓ ସାମ୍ନାକୁ ଆସିଛି।

author-image
Jitendra Garnayak
ଅଦ୍ୟତନ ହୋଇଛି
Royal Enfield Bikes

Royal Enfield Bikes

ଆଉ ସପ୍ତାହେ ପରେ ପଡ଼ୁଛି ଆଲୋକର ପର୍ବ ଦୀପାବଳି। ସେଥିପାଇଁ ବିଭିନ୍ନ କଂପାନୀ ସେମାନଙ୍କ କର୍ମଚାରୀଙ୍କୁ ବୋନସ ଓ ଉପହାର ଆଦି ପ୍ରଦାନ କରୁଛନ୍ତି। ଉପହାରରେ କିଏ ଗିଫ୍ଟ ଭାଉଚର ଦେଉଛି ତ ଆଉ କିଏ ମିଠା ବା ପୋଷାକ ଦେଉଛନ୍ତି। କେହି କେହି ତାଙ୍କ କର୍ମଚାରୀଙ୍କୁ ଇନ୍‌ସେନ୍‌ଟିଭ୍ ବା ପ୍ରୋତ୍ସାହନ ରାଶି ପ୍ରଦାନ କରୁଛନ୍ତି। ତେବେ ତାମିଲନାଡୁର ନୀଳଗିରି ଜିଲ୍ଲାର କୋଟାଗିରି ସହରର ଏକ ଚା’ କମ୍ପାନୀ ତା’ର କର୍ମଚାରୀମାନଙ୍କୁ ଦୀପାବଳି ଅବସରରେ ବୋନସ ସ୍ୱରୂପ ବାଣ୍ଟିଛି ରୋୟାଲ ଏନ୍‌ଫିଲ୍‌ଡ ବାଇକ୍‌। କମ୍ପାନୀର ଏଭଳି ଉପହାରରେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି କର୍ମଚାରୀ। ଏହି ଖବର ଏବେ ସେଠାରେ ଚର୍ଚ୍ଚାର ବିଷୟ ପାଲଟିଛି।

Advertisment

ଏକ କାର୍ଯ୍ୟକ୍ରମରେ ଉକ୍ତ କମ୍ପାନୀର କର୍ମଚାରୀଙ୍କୁ ରୋୟାଲ ଏନ୍‌ଫିଲ୍‌ଡ ବାଇକ୍‌ର ଚାବି ଦିଆଯାଉଥିବା ଭିଡିଓ ସାମ୍ନାକୁ ଆସିଛି। ଚାବି ବଣ୍ଟା ଯିବା ପରେ ଏହି ଚା’ କମ୍ପାନୀର ମାଲିକ କର୍ମଚାରୀଙ୍କ ସହିତ ରୋୟାଲ ଏନ୍‌ଫିଲ୍‌ଡ ବାଇକ୍‌ରେ ବୁଲିବାକୁ ଯାଉଥିବାର ଦେଖିବାକୁ ମିଳିଛି। ଏହା କହିବା ଅନାବଶ୍ୟକରେ ରୋୟାଲ ଏନ୍‌ଫିଲ୍‌ଡ ବାଇକ୍‌ ପାଇବା ପରେ କମ୍ପାନୀ କର୍ମଚାରୀଙ୍କ ପାଦ ଆଉ ତଳେ ଲାଗୁ ନାହିଁ। ସେମାନେ ବହୁତ ଖୁସି ଅଛନ୍ତି। ଏଥର ଦୀପାବଳି ସ୍ମୃତି ହୋଇ ରହିବ ବୋଲି ସେମାନେ କହିଛନ୍ତି।

ଜଣେ କର୍ମଚାରୀ ନ୍ୟୁଜ୍ ଏଜେନ୍ସୀ ପିଟିଆଇକୁ କହିଛନ୍ତି, ଆମେ କେବେ ବି ଏଭଳି ଉପହାର ଆଶା କରି ନଥିଲୁ। ସେ (ଚା’ କମ୍ପାନୀର ମାଲିକ) ୧୫ଟି ରୋୟାଲ ଏନ୍‌ଫିଲ୍‌ଡ ବାଇକ୍‌ ଉପହାରରେ ଦେଇଛନ୍ତି। ଆମ କାର୍ଯ୍ୟରେ ସନ୍ତୁଷ୍ଟ ହୋଇ ସେ ଏହି ଉପହାର ଦେଇଛନ୍ତି।

Advertisment

ଏହା ପୂର୍ବରୁ ହରିୟାଣାର ଏକ ଔଷଧ କମ୍ପାନୀ MitsKart ତା’ର କର୍ମଚାରୀମାନଙ୍କୁ ଦୀପାବଳି ପହାର ସ୍ୱରୂପ କାର ପ୍ରଦାନ କରିଛି। କମ୍ପାନୀର ଅଧ୍ୟକ୍ଷ ତାଙ୍କର ୧୨ ଜଣ କର୍ମଚାରୀଙ୍କୁ ଟାଟା ପଞ୍ଚ କାରର ଚାବି ପ୍ରଦାନ ବେଳର ଭିଡିଓ ସାମ୍ନାକୁ ଆସିଥିଲା। କାର୍ ପାଇଥିବା ଏହି କର୍ମଚାରୀଙ୍କ ମଧ୍ୟରେ ଜଣେ ଅଫିସ୍ ହେଲ୍‌ପର ମଧ୍ୟ ଥିଲେ। ଏହି ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେଉଛି। 

Diwali Bonus Royal Enfield Bikes