ମୁଦ୍ରା ଋଣର ଗତି କୁଆଡ଼େ?

ସରଳ କୁମାର ଦାସ

ଜାତୀୟ ନମୁନା ସର୍ବେକ୍ଷଣ ସଙ୍ଗଠନ ଦ୍ୱାରା ୨୦୧୩ ମସିହାରେ ହୋଇଥିବା ଏକ ସର୍ଭେ ଆଧାରରେ ଦେଶରେ ବ୍ୟକ୍ତିଗତ ମାଲିକାନାରେ ଥିବା ୫।୭୭ କୋଟି କ୍ଷୁଦ୍ର ଓ ଅଣୁ ଉଦ୍ୟୋଗରେ ପ୍ରାୟ ୧୨ କୋଟି ଲୋକ ନିଯୁକ୍ତ ହୋଇଥିଲେ ବି ସେଗୁଡିକ ମଧ୍ୟରୁ ଅଧିକାଂଶ ବ୍ୟାଙ୍କ ଋଣ ସୁବିଧା ପାଉ ନ ଥିଲେ। ସେଗୁଡିକୁ ବ୍ୟାଙ୍କ ଋଣ ସୁବିଧା ଯୋଗାଇ ଦେଇ ଅଧିକ ଉତ୍ପାଦନକ୍ଷମ କରିବା ସହିତ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଉଦ୍ଦେଶ୍ୟରେ ୨୦୧୫ ମସିହାରେ ପ୍ରଧାନମନ୍ତ୍ରୀ ମୁଦ୍ରା ଋଣ ଯୋଜନାର ଆରମ୍ଭ କରା ଯାଇଥିଲା। ଏହି ଯୋଜନାରେ ଉତ୍ପାଦନ (ମାନୁଫେକ୍ଚରିଂ), ପ୍ରକ୍ରିୟାକରଣ, ସେବା ଓ ବ୍ୟବସାୟ କ୍ଷେତ୍ରରେ ଥିବା ଛୋଟ ଛୋଟ ଉଦ୍ୟୋଗଗୁଡିକର ସ୍ଥାୟୀ ଓ କାର୍ଯ୍ୟକାରୀ ପୁଞ୍ଜିର ଆବଶ୍ୟକତାକୁ ମୁଦ୍ରା ଋଣ ମାଧ୍ୟମରେ ପରିପୂରଣ କରିବାର ଲକ୍ଷ୍ୟ ରଖା ଯାଇଥିଲା, ଯଦ୍ଦ୍ୱାରା ଅଧିକ ଉଦ୍ୟମୀ ସୃଷ୍ଟି ହୋଇ ସେମାନଙ୍କ ମାଧ୍ୟମରେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ। ଇତି ମଧ୍ୟରେ ଯୋଜନାକୁ ପାଞ୍ଚ ବର୍ଷ ପୂରି ଯାଇଥିବାରୁ ମୁଦ୍ରା ଋଣ ଯୋଜନାଟି ଧାର୍ଯ୍ୟ ଲକ୍ଷ୍ୟର କେତେ ନିକଟତର ହୋଇଛି ତାହା ଜାଣିବାର ଆବଶ୍ୟକତା ରହିଛି।

ବ୍ୟାଙ୍କ ଓ ଅନ୍ୟାନ୍ୟ ବିତ୍ତୀୟ ସଂସ୍ଥାଗୁଡିକ ଦ୍ୱାରା ଉତ୍ପାଦନ ସେବା ଓ ବ୍ୟବସାୟ ଉଦ୍ଦେଶ୍ୟରେ ଦିଆ ଯାଉଥିବା ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣକୁ ମୁଦ୍ରା ଋଣ ପର୍ଯ୍ୟାୟବାଚୀ କରାଯାଇଛି। ଅର୍ଥାତ୍ ମୁଦ୍ରା ଋଣ କୌଣସି ନୂଆ ଋଣ ଯୋଜନା ନୁହେଁ, ବ୍ୟାଙ୍କମାନେ ଉପରୋକ୍ତ ଉଦ୍ଦେଶ୍ୟରେ ପୂର୍ବରୁ ଦେଇ ଆସୁଥିବା ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣଗୁଡିକୁ ଏବେ ମୁଦ୍ରା ଋଣ ଅନ୍ତର୍ଭୁକ୍ତ କରାଯାଇଛି ଯାହା। ଏଥି ମଧ୍ୟରୁ ୫୦,୦୦୦ ଟଙ୍କା ପର୍ଯ୍ୟନ୍ତ ଋଣକୁ ‘ଶିଶୁ ଋଣ’, ୫୦ ହଜାରରୁ ୫ ଲକ୍ଷ ଟଙ୍କା ଯାଏଁ ଋଣକୁ ‘କିଶୋର ଋଣ’ ଓ ୫ ଲକ୍ଷରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣକୁ ‘ତରୁଣ ଋଣ’ କୁହା ଯାଇଥାଏ। ମାଇକ୍ରୋ ୟୁନିଟସ ଡେଭଲପମେଣ୍ଟ ଆଣ୍ଡ ରିଫାଇନାନ୍ସ ଏଜେନସି (ମୁଦ୍ରା) ଦ୍ୱାରା ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ପ୍ରକାଶିତ ବାର୍ଷିକ ରିପୋର୍ଟକୁ ଅନୁଧ୍ୟାନ କଲେ ଜଣା ପଡେ ଯେ ସମଗ୍ର ଦେଶରେ ପ୍ରାୟ ୬।୨୨ କୋଟି ଋଣଗ୍ରହୀତାଙ୍କୁ ୩।୩୭ ଲକ୍ଷ କୋଟି ଟଙ୍କାର ମୁଦ୍ରା ଋଣ ମଞ୍ଜୁର ହୋଇଛି। ଅର୍ଥାତ୍, ହାରାହାରି ଋଣର ଆକାର ମାତ୍ର ୫୪୨୧୮ ଟଙ୍କା। ତେବେ ଏମାନଙ୍କ ମଧ୍ୟରୁ ୫।୪୫ କୋଟି ଋଣଗ୍ରହୀତା, ଅର୍ଥାତ୍ ପ୍ରାୟ ୮୮ ପ୍ରତିଶତ, ଶିଶୁ ଋଣ ପାଇଛନ୍ତି। ଏମାନେ ପାଇଥିବା ଋଣର ପରିମାଣ ହାରାହାରି ମାତ୍ର ୩୦ ହଜାର ଟଙ୍କା। ସେହିପରି ସମୁଦାୟ ଋଣଗ୍ରହୀତାଙ୍କ ମଧ୍ୟରୁ ୬୪.୭୨ ଲକ୍ଷ ବା ୧୦ ପ୍ରତିଶତ କିଶୋର ଋଣ ପାଇଛନ୍ତି ଓ ସେମାନଙ୍କ ଋଣର ହାରାହାରି ପରିମାଣ ମାତ୍ର ୧.୪୮ ଲକ୍ଷ ଟଙ୍କା। ତରୁଣ ଋଣ ପାଇଥିବା ଋଣଗ୍ରହୀତାଙ୍କ ସଂଖ୍ୟା ୧୨.୮୫ ଲକ୍ଷ ବା ୨ ପ୍ରତିଶତ ହୋଇଥିବା ବେଳେ ସେମାନଙ୍କ ହାରାହାରି ଋଣର ପରିମାଣ ୬.୧୦ ଲକ୍ଷ ଟଙ୍କା। ଋଣଗ୍ରହୀତାଙ୍କ ମଧ୍ୟରୁ ୬୮ ପ୍ରତିଶତ ହେଉଛନ୍ତି ମହିଳା। ଉଲ୍ଲେଖଯୋଗ୍ୟ, ଏହି ଯୋଜନାର ପ୍ରଥମ ବର୍ଷ (୨୦୧୫-୧୬) ଶେଷ ସୁଦ୍ଧା ୩.୪୯ କୋଟି ଋଣଗ୍ରହୀତାଙ୍କୁ ୧.୩୩ ଲକ୍ଷ କୋଟି ଟଙ୍କା ଋଣ ପ୍ରଦାନ କରାଯାଇଥିଲା, ଅର୍ଥାତ୍ ହାରାହାରି ଋଣର ପରିମାଣ ଥିଲା ୩୮,୧୧୭ ଟଙ୍କା। ଏଇ ୫ ବର୍ଷରେ ହାରାହାରି ଋଣର ପରିମାଣ ମାତ୍ର ୧୬ ହଜାର ଟଙ୍କା ବଢିବା ଏହି ଋଣ ଯୋଜନାର ଅଗ୍ରଗତିର ମନ୍ଥରତାକୁ ଦର୍ଶାଉଛି। ସଂଖ୍ୟା ଦୃଷ୍ଟିରୁ ଭାରତର ପୂର୍ବାଞ୍ଚଳରେ, ଯେଉଁଥିରେ ଓଡିଶା ସାମିଲ, ସର୍ବାଧିକ ୩୧ ପ୍ରତିଶତ ଋଣଗ୍ରହୀତା ଥିବା ବେଳେ ଏଠାରେ ସମୁଦାୟ ଋଣର ମାତ୍ର ୨୫ ପ୍ରତିଶତ ଦିଆଯାଇଛି। ଏହି ଯୋଜନାରେ ରାଜ୍ୟଓ୍ୱାରୀ ପ୍ରଦର୍ଶନକୁ ଦେଖିଲେ ପ୍ରଥମ ଦଶଟି ରାଜ୍ୟ ମଧ୍ୟରେ ଓଡିଶା ନବମ ସ୍ଥାନରେ ଥିଲେ ବି ଏହା ଏକମାତ୍ର ରାଜ୍ୟ ଯେଉଁଠାରେ ଗତ ବର୍ଷ ତୁଳନାରେ ଏ ବର୍ଷ ବିକାଶ ୨ ପ୍ରତିଶତ ସଙ୍କୁଚିତ ହୋଇଛି।

ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି (ଏସଏଲବିସି)ର ତଥ୍ୟ ଅନୁଯାୟୀ ଓଡିଶାରେ ୨୦୧୯-୨୦ ଆର୍ଥିକ ବର୍ଷରେ ୩୭.୧୫ ଲକ୍ଷ ଋଣଗ୍ରହୀତାଙ୍କୁ ୧୫,୪୧୫ କୋଟି ଟଙ୍କାର ମୁଦ୍ରା ଋଣ ମଞ୍ଜୁର ହୋଇଛି। ଅର୍ଥାତ୍, ହାରାହାରି ଋଣର ଆକାର ମାତ୍ର ୪୧,୪୯୦ ଟଙ୍କା, ଯାହା ସର୍ବଭାରତୀୟ ହାରାହାରି ଋଣ ପରିମାଣ ତୁଳନାରେ ପ୍ରାୟ ୧୩ ହଜାର ଟଙ୍କା ଊଣା। ଏମାନଙ୍କ ମଧ୍ୟରୁ ୩୪.୦୯ ଲକ୍ଷ ଋଣଗ୍ରହୀତା ବା ପ୍ରାୟ ୯୨ ପ୍ରତିଶତ ଶିଶୁ ଋଣ ପାଇଛନ୍ତି। ଶିଶୁ ଋଣଗ୍ରହୀତାଙ୍କ ପ୍ରତିଶତ ସର୍ବଭାରତୀୟ ପ୍ରତିଶତ ତୁଳନାରେ ପ୍ରାୟ ୪ ପ୍ରତିଶତ ଅଧିକ। ସେହିପରି କିଶୋର ଓ ତରୁଣ ଋଣଗ୍ରହୀତାଙ୍କ ସଂଖ୍ୟା ଯଥାକ୍ରମେ ୨.୭୯ ଲକ୍ଷ ଓ ୨୭ ହଜାର ଯାହା ସମୁଦାୟ ଋଣଗ୍ରହୀତାଙ୍କ ମାତ୍ର ୭.୫ ଓ ୦.୫ ପ୍ରତିଶତ। ସମଗ୍ର ରାଜ୍ୟରେ ମାତ୍ର ୨୭ ହଜାର ଋଣଗ୍ରହୀତା ୫ ଲକ୍ଷରୁ ୧୦ ଲକ୍ଷ ଟଙ୍କା ଭିତରେ ଋଣ ପାଇବା ବାସ୍ତବିକ ଉଦବେଗଜନକ। ଓଡିଶାରେ ଶିଶୁ, କିଶୋର ଓ ତରୁଣ ଋଣଗ୍ରହୀତାଙ୍କୁ ମଞ୍ଜୁର ହୋଇଥିବା ହାରାହାରି ଋଣର ପରିମାଣ ଯଥାକ୍ରମେ ୨୯ ହଜାର, ୧.୧୯ ଲକ୍ଷ ଓ ୭.୫୫ ଲକ୍ଷ ଟଙ୍କା। ଓଡିଶାରେ ମହିଳା ଋଣଗ୍ରହୀତାଙ୍କ ସଂଖ୍ୟା ୨୭.୪୩ ଲକ୍ଷ, ଯାହା ସମୁଦାୟ ଋଣଗ୍ରହୀତାଙ୍କ ସଂଖ୍ୟାର ୭୪ ପ୍ରତିଶତ। ଏହା ସର୍ବ ଭାରତୀୟ ପ୍ରତିଶତ ତୁଳନାରେ ପ୍ରାୟ ୬ ପ୍ରତିଶତ ଅଧିକ ହେବାର ଏକ ବଡ଼ କାରଣ ହେଉଛି ଓଡିଶାରେ ଏସଏଚଜିର ମହିଳାମାନଙ୍କୁ ବିତ୍ତୀୟ ଅନୁଷ୍ଠାନମାନେ ଋଣ ଦେବାକୁ ଅଧିକ ଆଗ୍ରହ ଦେଖାଉଛନ୍ତି। ତେବେ ଅନ୍ୟମାନଙ୍କୁ ମଞ୍ଜୁର ହୋଇଥିବା ଋଣର ପରିମାଣ ହାରାହାରି ୬୬,୯୭୮ ଟଙ୍କା ହୋଇଥିଲା ବେଳେ ମହିଳାମାନଙ୍କ ଋଣର ପରିମାଣ ମାତ୍ର ୩୨,୪୫୭ ଟଙ୍କା, ଅର୍ଥାତ ଅଧାରୁ ବି କମ। ମହିଳାମାନେ ଋଣ ନେଇ ବଡ଼ ଧରଣର କିଛି କରି ପାରିବେ ବୋଲି ହୁଏତ ଏ ଯାଏଁ ବିତ୍ତୀୟ ଅନୁଷ୍ଠାନଗୁଡିକର ପ୍ରତ୍ୟୟ ସୃଷ୍ଟି ହୋଇ ପାରି ନାହିଁ, ଯାହା ଫଳରେ ରାଜ୍ୟରେ ପ୍ରଦତ୍ତ ସମୁଦାୟ ଶିଶୁ ଋଣର ଚାରିଭାଗରୁ ତିନି ଭାଗ କେବଳ ମହିଳାମାନଙ୍କୁ ଦିଆଯାଇଛି। ଓଡିଶାରେ ଦିଆ ଯାଇଥିବା ମୁଦ୍ରା ଋଣର ଅଧାରୁ ବେଶି କେବଳ ଖୋର୍ଦ୍ଧା, ଗଞ୍ଜାମ, କଟକ, ବାଲେଶ୍ୱର, ଭଦ୍ରକ, ଯାଜପୁର, ବଲାଙ୍ଗୀର, ସୁନ୍ଦରଗଡ, ବରଗଡ ଓ ମୟୂରଭଞ୍ଜ ଭଳି ୧୦ଟି ଜିଲ୍ଲାରେ ଦିଆ ହୋଇଥିଲା ବେଳେ ଦେବଗଡ, ଗଜପତି, ମାଲକାନଗିରି, ବୌଦ୍ଧ, କନ୍ଧମାଳ ଭଳି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାଗୁଡିକରେ ଏହି ଋଣ ଉଭୟ ସଂଖ୍ୟା ଓ ପରିମାଣ ଦୃଷ୍ଟିରୁ ଅତି ନଗଣ୍ୟ। ମୁଦ୍ରା ଋଣ ପ୍ରଦାନକାରୀ ବିତ୍ତୀୟ ଅନୁଷ୍ଠାନଗୁଡିକ ମଧ୍ୟରେ ଘରୋଇ ବ୍ୟାଙ୍କଗୁଡିକ ସର୍ବାଧିକ ୧୭.୧୪ ଲକ୍ଷ (୪୬ ପ୍ରତିଶତ) ଋଣ ଦେଇଥିବା ବେଳେ ଏମଏଫଆଇଗୁଡିକ ୧୪.୯୩ ଲକ୍ଷ (୪୦ ପ୍ରତିଶତ) ଋଣ ଦେଇଛନ୍ତି। ଅର୍ଥାତ୍, ମୁଦ୍ରା ଋଣ ପ୍ରଦାନରେ ସରକାରୀ ବ୍ୟାଙ୍କ, ଗ୍ରାମ୍ୟ ବ୍ୟାଙ୍କ, ସମବାୟ ବ୍ୟାଙ୍କଗୁଡିକର ପ୍ରଦର୍ଶନ ଉତ୍ସାହଜନକ ପରି ମନେ ହୁଏ ନାହିଁ। ଏମଏଫଆଇମାନେ ଛୋଟ ଛୋଟ ଋଣ ଦେଉଥିବାରୁ ଉପରୋକ୍ତ ବ୍ୟାଙ୍କଗୁଡିକ ମୁଦ୍ରା ଋଣପ୍ରଦାନରେ ଅଧିକ ତତ୍ପରତା ନ ଦେଖାଇଲେ ଓଡିଶାରେ ଭବିଷ୍ୟତରେ ଭଲ ଉଦ୍ୟମୀ ବିକାଶ କ୍ଷେତ୍ରରେ ସମସ୍ୟା ଦେଖା ଦେଇପାରେ। କାରଣ ଏ ଭଳି ଋଣଗ୍ରହୀତାମାନେ ବ୍ୟାଙ୍କ ସହ ଋଣ କାରବାର କରୁ ନ ଥିବାରୁ ବଡ କିଛି କରିବା ପାଇଁ ବ୍ୟାଙ୍କ ନିକଟରୁ ଋଣ ପାଇବା ସେମାନଙ୍କ ପାଇଁ କଷ୍ଟକର ହୋଇପାରେ।

ଓଡିଶାରେ ଗୋଟିଏ ବର୍ଷରେ ୩୭ ଲକ୍ଷରୁ ଊର୍ଦ୍ଧ୍ୱ ମୁଦ୍ରା ଋଣ ପ୍ରଦାନ ହେବା ଅର୍ଥ ପ୍ରତି ୨ରୁ ୩ଟି ପରିବାରରୁ ଗୋଟିଏ ପରିବାରକୁ ଏହି ଋଣ ମିଳିଛି। କିନ୍ତୁ ବାସ୍ତବତା ହେଉଛି ଜଣେ ଜଣେ ବ୍ୟକ୍ତି ଏକାଧିକ ଋଣ ନେଇଥିବା ଯୋଗୁ ଋଣ ଆକାଉଣ୍ଟ ସଂଖ୍ୟା ଅଧିକ ହୋଇଥିଲେ ବି ଋଣ ପାଇଥିବା ଲୋକଙ୍କ ସଂଖ୍ୟା ସେତେ ଅଧିକ ନୁହେଁ। ଅଧିକନ୍ତୁ, ଗୋଟିଏ ପରିବାରର ଏକାଧିକ ସଦସ୍ୟ ଋଣ ନେଇଛନ୍ତି। ଫଳରେ ଏବେ ବି ସଂଖ୍ୟାଧିକ ପରିବାର ଏହି ଋଣ ପାଇବାରୁ ବଞ୍ଚିତ ହୋଇଛନ୍ତି। ଓଡିଶାରେ ଦିଆ ଯାଇଥିବା ଋଣ ସଂଖ୍ୟାର ବିଶ୍ୱସନୀୟତା ଉପରେ ମଧ୍ୟ ପ୍ରଶ୍ନ ଚିହ୍ନ ଲାଗୁଛି, କାରଣ ସମୁଦାୟ ଋଣର ଏକ ତୃତୀୟାଂଶ କେବଳ ଇଣ୍ଡସଇଣ୍ଡ ବ୍ୟାଙ୍କ ଦ୍ୱାରା ଦିଆ ଯାଇଥିବା ଦର୍ଶାଯାଇଛି। ରାଜ୍ୟରେ ଏହି ବ୍ୟାଙ୍କର ମାତ୍ର ୪୮ଟି ଶାଖା କାର୍ଯ୍ୟ କରୁଥିବାରୁ ତା’ ମାଧ୍ୟମରେ ଗୋଟିଏ ବର୍ଷରେ ୧୨.୬୬ ଲକ୍ଷ ସଂଖ୍ୟକ ଋଣ ପ୍ରଦାନ ଅବିଶ୍ୱାସ୍ୟ ପରି ମନେ ହେଉଛି। ତାହା ଯଦି ଠିକ ହୋଇଥାଏ, ତେବେ ସେହି ବ୍ୟାଙ୍କକୁ ରାଜ୍ୟ ସରକାର ସ୍ୱତନ୍ତ୍ର ଭାବେ ସମ୍ୱର୍ଦ୍ଧିତ କରିବା ଆବଶ୍ୟକ। ଏ ସମ୍ପର୍କରେ ଏସଏଲବିସି ଓ ସମ୍ପୃକ୍ତ ବ୍ୟାଙ୍କ ନିକଟରୁ ସ୍ପଷ୍ଟୀକରଣର ଆବଶ୍ୟକତା ଅନୁଭୂତ ହେଉଛି।

ମୁଦ୍ରା ଋଣର ଉଦ୍ଦେଶ୍ୟ ଉତ୍ପାଦନକ୍ଷମ ସମ୍ପତ୍ତି ପାଇଁ ଋଣ ପ୍ରଦାନ କରି ଉଦ୍ୟମୀ ସୃଷ୍ଟି କରିବା, ଉପଭୋଗ (କନଜମ୍ପସନ) ଋଣ  ବା ଅତ୍ୟାବଶ୍ୟକ (ଏମାର୍ଜେନ୍ସି) ଋଣ ପ୍ରଦାନ କରିବା ନୁହେଁ। ଅବଶ୍ୟ ଜନଧନ ଆକାଉଣ୍ଟରେ ଦିଆଯାଉଥିବା ୫ ହଜାର ଟଙ୍କାର ଓଭରଡ୍ରାଫ୍ଟକୁ, ଯାହା ଅତ୍ୟାବଶ୍ୟକ ଋଣ ଭାବେ ବ୍ୟବହୃତ ହୋଇଥାଏ, ମୁଦ୍ରା ଋଣ ଅନ୍ତର୍ଭୁକ୍ତ କରାଯାଉଛି ଓ ଏହା ଉପରୋକ୍ତ ଉଦ୍ଦେଶ୍ୟର ବିରୁଦ୍ଧାଚରଣ କରୁଛି। ଅଧିକନ୍ତୁ, ଶିଶୁ ଋଣ ଭାବେ ଦିଆ ଯାଉଥିବା ଅନେକ ଋଣ ଉତ୍ପାଦନକ୍ଷମ ସମ୍ପତ୍ତି ସୃଷ୍ଟିରେ ବିନିଯୋଗ ନ ହୋଇ ଉପଭୋଗ ବା ଅତ୍ୟାବଶ୍ୟକ ଋଣ ଭାବେ ବ୍ୟବହୃତ ହେଉଥିବାର ଅଭିଯୋଗମାନ ଶୁଣିବାକୁ ମିଳୁଛି ଓ ଏହା ଉପରେ କାହାର ନିୟନ୍ତ୍ରଣ ଥିଲା ପରି ମନେ ହେଉନାହିଁ। ଏହାକୁ ଗୁରୁତ୍ୱ ପ୍ରଦାନ କରି ନିୟନ୍ତ୍ରଣ କରା ନ ଗଲେ ମୁଦ୍ରା ଋଣର ଉଦ୍ୟମୀ ଓ ନିଯୁକ୍ତି ସୁଯୋଗ ସୃଷ୍ଟି ମୂଳ ଲକ୍ଷ୍ୟରୁ ବିଚ୍ୟୁତ ହେବାର ଆଶଙ୍କା ଦେଖା ଦେବ। ତେଣୁ ପ୍ରତି ବର୍ଷ କେତେ ଅଧିକ ସଂଖ୍ୟକ ଋଣଗ୍ରହୀତା ଶିଶୁ ଋଣ ସ୍ତରରୁ ଉପରକୁ ଉଠି କିଶୋର ଋଣ ବା ତରୁଣ ଋଣ ପାଇବା ଲାଗି ଯୋଗ୍ୟ ହେଲେ, ତାହା ହିଁ ନିର୍ଦ୍ଧାରଣ କରିବ ମୁଦ୍ରା ଯୋଜନାର ପ୍ରକୃତ ସଫଳତା।

ସହଜରେ ପୁଞ୍ଜି ଉପଲବ୍ଧ ହେଲେ ତାହା ହୁଏତ ଜଣକୁ ଉଦ୍ୟମୀ କରିବାରେ ସାହାଯ୍ୟ କରିପାରେ। କିନ୍ତୁ କେବଳ ଋଣ ବା ପୁଞ୍ଜି ଉପଲବ୍ଧ ହୋଇଗଲେ ଯେ ଜଣେ ନିଶ୍ଚିତ ଭାବେ ଉଦ୍ୟମୀ ହୋଇ ଯାଇପାରିବ, ତାହା ଭାବିବା ଠିକ ନୁହେଁ। ତେଣୁ ମୁଦ୍ରା ଋଣ ଯୋଜନାରେ ଏତେ ସଂଖ୍ୟକ ଲାଭାର୍ଥୀ ଋଣ ପାଇ ପାରିଥିବାରୁ ସେତିକି ସଂଖ୍ୟକ ଉଦ୍ୟମୀ ସୃଷ୍ଟି ହୋଇ ସେମାନେ ଆତ୍ମନିର୍ଭର ହେବା ସହ ଅନେକ ନିଯୁକ୍ତି ସୁଯୋଗ ସୃଷ୍ଟି କରି ସାରିଛନ୍ତି ବୋଲି ଧରି ନେବା ଠିକ ହେବ ନାହିଁ। ସହଜରେ ଋଣ ଉପଲବ୍ଧ ହୋଇ ପାରୁଥିବାରୁ ଅନେକ ଋଣଗ୍ରହୀତା ଏକାଧିକ ଋଣପ୍ରଦାନକାରୀ ସଂସ୍ଥାଙ୍କ ନିକଟରୁ ଋଣ ନେବାକୁ ପଛାଉ ନାହାନ୍ତି। ବେଳେବେଳେ ତ କୌଣସି ବ୍ୟବସାୟରେ ପୁଞ୍ଜି ବିନିଯୋଗ ନ କରି ମଧ୍ୟ ଗୋଟିଏ ସଂସ୍ଥାର ଋଣକୁ ପରିଶୋଧ କରିବା ପାଇଁ କେହି କେହି ଅନ୍ୟ ଗୋଟିଏ ସଂସ୍ଥାରୁ ଋଣ ନେଉଥିବାର ନଜିର ମଧ୍ୟ ଦେଖିବାକୁ ମିଳୁଛି। ଫଳରେ ସେମାନେ ଉଦ୍ୟମୀ ହୋଇ ଆତ୍ମନିର୍ଭର ହେବା ତ ଦୂରର କଥା ବରଂ ଋଣଯନ୍ତାରେ ପଡି ଚରମ ଆର୍ଥିକ ଦୁଃସ୍ଥିତି ଭିତରକୁ ଠେଲି ହୋଇ ଯାଉଛନ୍ତି, ଯାହା ଅତ୍ୟନ୍ତ ଉଦବେଗଜନକ। କାଗଜ କଲମରେ ଋଣର ଉଦ୍ଦେଶ୍ୟ ଲେଖା ହେଉଥିଲେ ବି ପ୍ରତିଟି ଋଣଗ୍ରହୀତା (ବିଶେଷ କରି ଶିଶୁ ମୁଦ୍ରାଋଣ ଗ୍ରହୀତା) ଋଣକୁ ସେହି ଉଦ୍ଦେଶ୍ୟରେ ଲଗାଉଛନ୍ତି କି ନାହିଁ ଏବଂ ଋଣର ସୁବିନିଯୋଗ କରି କି ଭଳି ଲାଭାନ୍ୱିତ ହୋଇଛନ୍ତି, ସେ ସମ୍ପର୍କରେ ନା ସରକାର ନା ଋଣ ପ୍ରଦାନକାରୀ ସଂସ୍ଥା, କାହା ନିକଟରେ କୌଣସି ନିର୍ଭରଯୋଗ୍ୟ ତଥ୍ୟ ଉପଲବ୍ଧ ନାହିଁ। ଏପରିକି ଏ ଭଳି ତଥ୍ୟ ସଂଗ୍ରହର କୌଣସି ବିଧିବଦ୍ଧ ପ୍ରକ୍ରିୟା ବା ବ୍ୟବସ୍ଥା ମଧ୍ୟ ନାହିଁ। ସ୍ଥଳ ବିଶେଷରେ ଋଣ ପ୍ରଦାନକାରୀ ସଂସ୍ଥା ଓ ସରକାରୀ ସଂସ୍ଥାଗୁଡିକ ଅଳ୍ପ କେତେକ ସଫଳ କାହାଣୀକୁ ସଂଗ୍ରହ କରି ସେଗୁଡିକୁ ଏ ଭଳି ଢଙ୍ଗରେ ଉପସ୍ଥାପିତ କରି ଥାଆନ୍ତି ଯେପରି ଯୋଜନାରେ ଅଂଶ ଗ୍ରହଣ କରୁଥିବା ଅଧିକାଂଶ ସଫଳତାର ସ୍ୱାଦ ଚାଖୁଛନ୍ତି। କିନ୍ତୁ ବାସ୍ତବତା ହେଉଛି, ଦୃଷ୍ଟିଗୋଚର ହେଉଥିବା ଗୋଟିଏ ସଫଳ କାହାଣୀ ପଛରେ ଆହୁରି ଶହ ଶହ ଅସଫଳ କାହାଣୀ ଥାଏ, ଯାହାର ହିସାବ କେହି ରଖନ୍ତି ନାହିଁ। କାରଣ ଋଣ ପ୍ରଦାନକାରୀ ସଂସ୍ଥା ପକ୍ଷରେ ଛୋଟ ଛୋଟ ଋଣଗୁଡିକର ସୁବିନିଯୋଗ ଅପେକ୍ଷା ଋଣ ଆଦାୟ ମୁଖ୍ୟ ଲକ୍ଷ୍ୟ ହୋଇଥାଏ। ଫଳସ୍ୱରୂପ ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଲୋକମାନେ ଋଣ ନେଇ ଅଗ୍ରଗତି କରିବା ତ ଦୂରର କଥା ବରଂ ଋଣଗ୍ରସ୍ତ ହୋଇ ଆର୍ଥିକ ଦୁର୍ଗତିର ସମ୍ମୁଖୀନ ହେଉଥିବାର ଖବରମାନ ଶୁଣିବାକୁ ମିଳୁଛି। ଏହି ସମସ୍ୟାକୁ ଆଖି ବୁଜି ଦେବା ଆଦୌ ସ୍ପୃହଣୀୟ ନୁହେଁ ଏବଂ ସମସ୍ୟାଟି ବଡ ଆକାର ଧାରଣ କରି ନିୟନ୍ତ୍ରଣ ବାହାରକୁ ଚାଲିଯିବା ଆଗରୁ ସରକାରଙ୍କ ତରଫରୁ ଅନ୍ତତଃ କେତୋଟି ଦିଗ ପ୍ରତି ଧ୍ୟାନ ଦେଇ ବିହିତ ପଦକ୍ଷେପ ଗ୍ରହଣ କରାଯାଇପାରେ। ଉଦାହରଣ ସ୍ୱରୂପ, ସ୍ୱୟଂ ସହାୟକ ଗୋଷ୍ଠୀ ବ୍ୟାଙ୍କରୁ ଋଣ ଆଣି ସଦସ୍ୟମାନଙ୍କୁ ଋଣପ୍ରଦାନ କରିଥାଏ। ସେହି ସଦସ୍ୟମାନେ ଏକାଧିକ ଏମଏଫଆଇ ନିକଟରୁ ମଧ୍ୟ ଋଣ ନେଉଛନ୍ତି। ଅବଶ୍ୟ ଏମଏଫଆଇଗୁଡିକ ଋଣ ଦେଲା ବେଳେ ଜଣେ ଋଣଗ୍ରହୀତା ଯେପରି ଦୁଇଟିରୁ ଅଧିକ ଏମଏଫଆଇରୁ ଋଣ ନେଇ ନ ପାରେ ତାହା ସୁନିଶ୍ଚିତ କରିବା ପାଇଁ ‘ଉଦ୍ୟମୀ ମିତ୍ର’ ସଫ୍ଟଓ୍ୱେୟାରର ସହାୟତା ନେଇଥାଆନ୍ତି। ତେବେ ସେମାନେ ଋଣ ପ୍ରଦାନ କଲା ବେଳେ ସମ୍ପୃକ୍ତ ଋଣଗ୍ରହୀତା ବ୍ୟାଙ୍କରୁ ସିଧାସଳଖ ନେଇଥିବା ଋଣ ବା ଏସଏଚଜି ଜରିଆରେ ମିଳିଥିବା ବ୍ୟାଙ୍କ ଋଣରୁ ମିଳିଥିବା ସହାୟତାକୁ ବିଚାରକୁ ନେଇ ପାରି ନ ଥାଆନ୍ତି। ତେଣୁ ଏକ ନିର୍ଦ୍ଦିଷ୍ଟ ସମୟରେ ଜଣେ ଋଣଗ୍ରହୀତା ଚାରିଟି ଋଣ ନେଇ ପାରିବାର ସମ୍ଭାବନା ଥିବାରୁ ଓ କେହି କେହି ନେଉଥିବାରୁ ସେ କେଉଁ କେଉଁ ସଂସ୍ଥାରୁ କେଉଁ ଉଦ୍ଦେଶ୍ୟରେ କେତେ କେତେ ଟଙ୍କା ଋଣ ନେଇଛି, ତାହା ଜାଣି ହୋଇ ନ ଥାଏ। ଏ ଭଳି ଋଣଗ୍ରହୀତାଙ୍କ ମଧ୍ୟରୁ ଅଧିକାଂଶ ଆର୍ଥିକ ପରିଚାଳନାରେ ସେ ଭଳି ଦକ୍ଷ ହୋଇ ନ ଥିବାରୁ ଏକାଧିକ ଋଣ ନେଇ ତାହା ସଠିକ ପରିଚାଳନା କରିବାକୁ ଅସମର୍ଥ ହୋଇ ଋଣଯନ୍ତାରେ ପଡି ଯାଉଛନ୍ତି। ଏମଏଫଆଇଙ୍କ ଦ୍ୱାରା ଋଣ କିସ୍ତି ଆଦାୟ ବେଳେ ପ୍ରତ୍ୟହ ଘଟୁଥିବା ଅପ୍ରୀତିକର ଘଟଣାମାନ ଏଣିକି ଅଧିକ ସଂଖ୍ୟାରେ ଶୁଣିବାକୁ ମିଳୁଛି, ଯାହାର ଅର୍ଥ ଋଣ ପରିଶୋଧଜନିତ ସମସ୍ୟା କ୍ରମଶଃ ଅଧିକ ଉତ୍କଟ ହେବାରେ ଲାଗିଛି। ଏହି ସମସ୍ୟା ହିଂସା ଓ ଆତ୍ମହତ୍ୟା ଭଳି ଅପରାଧକୁ ପ୍ରଶ୍ରୟ ଦେଇ ପାରିବାରିକ ଓ ସାମାଜିକ ଅସ୍ଥିରତାର ଏକ ବଡ କାରଣ ହେବାକୁ ଯାଉଛି। ତେଣୁ ସରକାରଙ୍କ ପକ୍ଷରେ କେବଳ ମୁଦ୍ରାଋଣର ବଣ୍ଟନକୁ ସୁନିଶ୍ଚିତ କରିବା ଯଥେଷ୍ଟ ହେବ ନାହିଁ। ସେହି ଋଣର ସଦୁପଯୋଗ କି ଭଳି ହେଉଛି ତାହା ସୁନିଶ୍ଚିତ କରିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବା ଆବଶ୍ୟକ। ମୁଦ୍ରା ଋଣ ଲାଗି ଆବେଦନ କରିବା ପାଇଁ ସ୍ୱତନ୍ତ୍ର ମୋବାଇଲ ଆପ୍ ପ୍ରଚଳନ କରିବା କଥା ଚିନ୍ତା କରା ଯାଇପାରେ। ଏଥି ସହିତ ପ୍ରତ୍ୟେକ ଋଣଗ୍ରହୀତାଙ୍କ ବିଭିନ୍ନ ସୂତ୍ରରୁ ନିଆ ଯାଇଥିବା ସର୍ବମୋଟ ଋଣ ପରିମାଣ (ଇନଡେଟେଡନେସ) ଜାଣିବା ସହ ଓ ଏହି ଋଣ ପରିଶୋଧ କରିବା ଲାଗି ତାଙ୍କ ଆୟ ଯଥେଷ୍ଟ କି ନୁହେଁ ତା’ ଉପରେ ମଧ୍ୟ ତୀକ୍ଷ୍ଣ ନଜର ରଖିବାର ଆବଶ୍ୟକତା ରହିଛି। ଅର୍ଥାତ୍, ସହଜରେ ଋଣ ଉପଲବ୍ଧ ହେଉଛି କି ନାହିଁ ତାହା ସୁନିଶ୍ଚିତ କରିବା ସହ ଋଣଗ୍ରହୀତାଙ୍କ ମଧ୍ୟରୁ ଅଧିକାଂଶ ପ୍ରଥମ ପିଢିର ଉଦ୍ୟମୀ ହୋଇଥିବାରୁ ସେମାନଙ୍କୁ ହାତ ଧରା ସହାୟତା (ହ୍ୟାଣ୍ଡହୋଲଡିଂ) ପ୍ରଦାନ କରିବାର ଆବଶ୍ୟକତା ରହିଛି। ତେଣୁ କେବଳ ଆର୍ଥିକ ସଂସ୍ଥାଙ୍କ ଦ୍ୱାରା ଋଣ ବଣ୍ଟନ ପରିମାଣକୁ ଯୋଜନା ସଫଳତାର ଆଧାର ନ କରି ଏହାର ସଦୁପଯୋଗତାକୁ ସୁନିଶ୍ଚିତ କରା ଯାଇପାରିଲେ ମୁଦ୍ରା ଋଣ ଯୋଜନାର ଈପସିତ ଲକ୍ଷ୍ୟ ହାସଲ ହେବା ସହ ହୁଏତ ଏଥି ଯୋଗୁ ଭୟଙ୍କର ଆକାର ଧାରଣ କରିବାକୁ ଯାଉଥିବା ପାରିବାରିକ ଓ ସାମାଜିକ ଅସ୍ଥିରତାର ଆଶଙ୍କାକୁ ମଧ୍ୟ ଏଡାଇ ଦେଇ ହେବ।

ଭୁବନେଶ୍ଵର, ମୋ. ୯୪୩୭୦୩୮୦୧୫