Advertisment

କୁଆଡ଼େ ଗଲା ଜଣକୁ ନିଯୁକ୍ତି ଦେଲେ 10 ହଜାର ଟଙ୍କା?

ଏବେ ନୂଆ ରାଜ୍ୟ ସରକାର ଆଇଟି ପିଲିସି-2025ର ଚିଠା ପ୍ରସ୍ତାବକୁ ସାର୍ବଜନୀନ କରିଛନ୍ତି। ଏଥିରେ ଆଇଟି କମ୍ପାନୀମାନଙ୍କୁ ସମ୍ପୂର୍ଣ୍ଣ ରୂପେ ଜମି ରେଜିଷ୍ଟ୍ରେସନ ଫି ଛାଡ଼, ପୁଞ୍ଜି ବିନିଯୋଗରେ 20 ପ୍ରତିଶତ ପର୍ଯ୍ୟନ୍ତ ସରକାରୀ ସବସିଡି, ବ୍ୟାଙ୍କ ଋଣ ସୁଧ ଉପରେ ରିହାତି, ବିଦ୍ୟୁତ ଶୁଳ୍କ ଉପରେ ରିହାତି ଭଳି ଅନେକ ପ୍ରୋତ୍ସାହନ କଥା ରଖିଛନ୍ତି।

ଅଦ୍ୟତନ ହୋଇଛି
IT Company

IT Company

Advertisment

ଇନଫର୍ମେସନ୍ ଟେକନୋଲୋଜି ବା ଆଇଟି କ୍ଷେତ୍ରରେ ଓଡ଼ିଶାକୁ ଆଗକୁ ନେବା ପାଇଁ ପୂର୍ବ ସରକାର 2022ରେ ଆଣିଥିଲେ ଆଇଟି ନୀତି-2022। ଏଥିରେ ରାଜ୍ୟରେ ଆଇଟି କମ୍ପାନୀ ଖୋଲିବାକୁ ଚାହୁଁଥିବା କମ୍ପାନୀମାନଙ୍କୁ ଅନେକ ପ୍ରକାର ପ୍ରୋତ୍ସାହନ ଦିଆଯିବାର ବ୍ୟବସ୍ଥା ରହିଥିଲା। ଯେମିତି କମ୍ପାନୀରେ ଓଡ଼ିଶା ଲୋକଙ୍କୁ ନୂଆ ନିଯୁକ୍ତି ଦେଲେ ପ୍ରତି ବ୍ୟକ୍ତି ପାଇଁ ଗୋଟିଏ ଥର 10 ହଜାର ଟଙ୍କାର ଆର୍ଥିକ ପ୍ରୋତ୍ସାହନ ମିଳିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। ଏମିତିକି ଅନୁସୂଚିତ ଜାତି/ଜନଜାତି ଓ ଭିନ୍ନକ୍ଷମ ଲୋକଙ୍କୁ ଚାକିରି ଦେଲେ ଆଉ ଅଧିକ 1 ହଜାର ଟଙ୍କା ଦିଆଯିବ ବୋଲି ନୀତିରେ ଉଲ୍ଲେଖ ରହିଥିଲା। ମାତ୍ର ସୂଚନା ଅଧିକାର ଆଇନରେ ଏ ନେଇ ଆଇଟି ବିଭାଗ ଓ ଅନ୍ୟାନ୍ୟ ବିଭାଗରୁ ମିଳିଥିବା ତଥ୍ୟ ଦେଖିଲେ, ଓଡ଼ିଶାରେ କୌଣସି ଗୋଟିଏ କମ୍ପାନୀକୁ ବି ନୂଆ ନିଯୁକ୍ତି ପାଇଁ 10 ହଜାର ଟଙ୍କା ପ୍ରୋତ୍ସାହନ ମିଳିଥିବା ଦେଖାଯାଉନାହିଁ। ଅନେକ ପ୍ରୋତ୍ସାହନ କେବଳ କାଗଜ କଲମରେ ରହିଯାଇଛି ବୋଲି ଅଭିଯୋଗ କରିଛନ୍ତି ଆଇଟି ଉଦ୍ୟୋଗୀ ଶାକ୍ୟସିଂହ ମହାପାତ୍ର। ବରଂ ଓଡ଼ିଆ ଉଦ୍ୟୋଗୀଙ୍କୁ ଅଧିକ ପ୍ରୋତ୍ସାହନ ଦିଆଯିବା ଉଚିତ ବୋଲି ସେ ମତ ଦେଇଛନ୍ତି।

Advertisment

ଏବେ ନୂଆ ରାଜ୍ୟ ସରକାର ଆଇଟି ପିଲିସି-2025ର ଚିଠା ପ୍ରସ୍ତାବକୁ ସାର୍ବଜନୀନ କରିଛନ୍ତି। ଏଥିରେ ଆଇଟି କମ୍ପାନୀମାନଙ୍କୁ ସମ୍ପୂର୍ଣ୍ଣ ରୂପେ ଜମି ରେଜିଷ୍ଟ୍ରେସନ ଫି ଛାଡ଼, ପୁଞ୍ଜି ବିନିଯୋଗରେ 20 ପ୍ରତିଶତ ପର୍ଯ୍ୟନ୍ତ ସରକାରୀ ସବସିଡି, ବ୍ୟାଙ୍କ ଋଣ ସୁଧ ଉପରେ ରିହାତି, ବିଦ୍ୟୁତ ଶୁଳ୍କ ଉପରେ ରିହାତି ଭଳି ଅନେକ ପ୍ରୋତ୍ସାହନ କଥା ରଖିଛନ୍ତି। ଆଇଟି କମ୍ପାନୀରେ ଓଡ଼ିଶାର ଲୋକଙ୍କୁ ନୂଆ ନିଯୁକ୍ତି ଦେଲେ, ପ୍ରତି ନିଯୁକ୍ତି ପାଇଁ କମ୍ପାନୀକୁ ସରକାର ଏକକାଳୀନ 25 ହଜାର ଟଙ୍କା ସହାୟତା ଦେବେ ବୋଲି ଉଲ୍ଲେଖ କରିଛନ୍ତି। ମାତ୍ର ଏ ସବୁ କେତେ କାର୍ଯ୍ୟକାରୀ ହେବ ସେ ନେଇ ପ୍ରଶ୍ନ ସୃଷ୍ଟି ହେଉଛି। ଇଲୋକଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି- ପୂର୍ବ ସରକାର ଆଇଟି ପିଲିସି 2022ରେ ଘୋଷଣା ମୁତାବକ ପ୍ରତିଶ୍ରୁତି ପୂରଣ କରିପାରିନି। ରାଜ୍ୟରେ ଆଇଟି ଇକୋସିଷ୍ଟମକୁ ସୁଦୃଢ଼ କରିବା ଓ ଯୁବକଙ୍କୁ ନିଯୁକ୍ତି ଦେବା ପାଇଁ ଆମେ 2025 ପଲିସିରେ ବ୍ୟାପକ ପରିବର୍ତ୍ତନ ଆଣିବାକୁ ଯାଉଛି। ଏହି ପଲିସି ଏବେ ଓ୍ବେବସାଇଟରେ ଦିଆଯାଇଛି। କ୍ୟାବିନେଟରେ ପାସ୍ ହେଲା ପରେ କାର୍ଯ୍ୟକାରୀ ହେବ। ଆଇଟି ପାଇଁ ସ୍ପେସର ଆବଶ୍ୟକତା ରହିଥିବାବେଳେ ଭୁବନେଶ୍ବର ରେଳ ଷ୍ଟେସନ ଉପରେ ବି ତିନିଟି ଫ୍ଲୋରରେ ଆଇଟି ସେକ୍ଟର ପାଇଁ ସ୍ପେସ୍ ରଖାଯାଉଛି।

୧୯୯୦ରେ ପ୍ରଥମେ ଦେଶର ତିନିଟି ରାଜ୍ୟର ତିନିଟି ପ୍ରମୁଖ ସହର- ବେଙ୍ଗାଳୁରୁ, ପୁନେ ଓ ଭୁବନେଶ୍ବରରେ ଇଲୋକଟ୍ରୋନିକ୍ସ ଓ ଇନଫରମେସନ୍ ଟେକନୋଲୋଜି ମନ୍ତ୍ରଣାଳୟ ପକ୍ଷରୁ ତିନିଟି ସଫଟଓ୍ବେର ଟେକନୋଲୋଜି ପାର୍କ ଅଫ୍ ଇଣ୍ଡିଆ ବା ଏସଟିପିଆଇ ପ୍ରତିଷ୍ଠା କରାଯାଇଥିଲା। ସଫଟଓ୍ବେୟର ତିଆରି ସହ ରପ୍ତାନି କରିବା ଥିଲା ଏହାର ମୁଖ୍ୟ ଲକ୍ଷ୍ୟ। ଏହି ସମୟରେ ବେଙ୍ଗାଳୁରୁ, ପୁନେ ଭଳି ରାଜ୍ୟ ଆଇଟି ଉତ୍ପାଦନରେ ଯଥେଷ୍ଟ ଆଗରେ ଥିବାବେଳେ ଓଡ଼ିଶାକୁ ବହୁତ ବାଟ ଯିବାକୁ ଅଛି।

Advertisment

(ରିପୋର୍ଟ: ସ୍ବାତୀ ଜେନା ଓ ଲକ୍ଷ୍ମୀନାରାୟଣ କାନୁନଗୋ, ଓଡ଼ିଶା ରିପୋର୍ଟର)

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe