Advertisment

ସେବିର ମୁଖ୍ୟ ହୋଇଥିବା ଓଡ଼ିଶା କ୍ୟାଡର ଆଇଏଏସ୍‌ ତୁହିନ କାନ୍ତ ପାଣ୍ଡେ କିଏ?

ମାଧବୀ ସେବିର ପ୍ରଥମ ମହିଳା ମୁଖ୍ୟ ଭାବେ କାର୍ଯ୍ୟ କରୁଥିଲେ ହେଁ ଆଦାନୀ-ହିଣ୍ଡେନ୍‌ବର୍ଗ ରିପୋର୍ଟକୁ ନେଇ ବିବାଦୀୟ ହୋଇପଡ଼ିଥିଲେ।

author-image
Hemant Lenka
ଅଦ୍ୟତନ ହୋଇଛି
Tuhin

Tuhin

ଓଡ଼ିଶା କ୍ୟାଡର ଆଇପିଏସ୍‌ ତୁହିନ କାନ୍ତ ପାଣ୍ଡେଙ୍କୁ ମିଳିଛି ବଡ଼ ଦାୟିତ୍ୱ। ଅର୍ଥ ଓ ରାଜସ୍ୱ ବିଭାଗ ସଚିବ ଭାବେ କାମ କରୁଥିବା ତୁହିନ କାନ୍ତ ପାଣ୍ଡେଙ୍କୁ ଗୁରୁବାର କେନ୍ଦ୍ର ସରକାର ପୁଞ୍ଜି ବଜାରର ନିୟାମକ ସଂସ୍ଥା ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ ବା ସେବିର ୧୧ତମ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି। ସେ ଏହି ପଦରେ ୩ ବର୍ଷ ଯାଏ କାର୍ଯ୍ୟ କରିବେ। ସେବି ମୁଖ୍ୟ ଭାବେ ପୂର୍ବରୁ ମାଧବୀ ପୁରୀ ବୁଚ୍‌ କାର୍ଯ୍ୟ କରୁଥିଲେ।

Advertisment

ମାଧବୀ ସେବିର ପ୍ରଥମ ମହିଳା ମୁଖ୍ୟ ଭାବେ କାର୍ଯ୍ୟ କରୁଥିଲେ ହେଁ ଆଦାନୀ-ହିଣ୍ଡେନ୍‌ବର୍ଗ ରିପୋର୍ଟକୁ ନେଇ ବିବାଦୀୟ ହୋଇପଡ଼ିଥିଲେ। ଶେଷରେ କେନ୍ଦ୍ର ସରକାର ତୁହିନ କାନ୍ତଙ୍କୁ ସେବି ମୁଖ୍ୟ କରିଛନ୍ତି। ମାଧବୀଙ୍କ କାର୍ଯ୍ୟକାଳ ମାର୍ଚ୍ଚ ୧ରେ ଶେଷ ହେବାକୁ ଯାଉଛି। ଏହା ଉପରେ ତୁହିନ କାନ୍ତ ସେବିର ଦାୟିତ୍ୱ ନେବେ।

୨୦୨୪ ସେପ୍ଟେମ୍ବର ମାସରେ ତୁହିନ କାନ୍ତ ଅର୍ଥ ସଚିବ ହୋଇଥିଲେ। ପୂର୍ବରୁ ଏହି ପଦରେ ଥିବା ଟିଭି ସୋମନାଥନ ପ୍ରମୋସନ ପାଇ କ୍ୟାବିନେଟ ସଚିବ ହେବାରୁ ଏହି ପଦ ଖାଲି ପଡ଼ିଥିଲା। ତେଣୁ ତୁହିନ କାନ୍ତ ଅର୍ଥ ସଚିବ ହୋଇଥିଲେ। ଏହାପୂର୍ବରୁ ସେ ନିବେଶ ଓ ପବ୍ଲିକ ଆସେସମେଣ୍ଟ ମ୍ୟାନେଜମେଣ୍ଟ (ଦିପମ) ସଚିବ ରହିଥିଲେ। ସେ ପବ୍ଲିକ ଏଣ୍ଟରପ୍ରାଇଜେସର ସଚିବ ଭାବେ ମଧ୍ୟ କାମ କରିଛନ୍ତି।

Advertisment

ବିଭିନ୍ନ ବିଭାଗରେ କାମ କରିବା ବେଳେ ତୁହିନ କାନ୍ତ ପାଣ୍ଡେ ଭାରତର ଅର୍ଥନୀତିକ ନୀତି ପ୍ରଣୟନ କରିବାରେ ବଡ଼ ଭୂମିକା ଗ୍ରହଣ କରିଥିଲେ। ପୁଞ୍ଜି ପ୍ରତ୍ୟାହାର ଓ ସରକାରୀ କ୍ଷେତ୍ର ଗୁଡ଼ିକର ପରିଚାଳନା ଦିଗରେ ନିଆଯାଇଥିବା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ତାଙ୍କ ସମୟରେ ହୋଇଥିଲା। ସରାକାରଙ୍କ ଅର୍ଥ ଓ ନିବେଶକୁ ପରିଚାଳନା କରିବାରେ ତୁହିନ କାନ୍ତ ବଡ଼ ନିଷ୍ପତ୍ତି ନେଇଥିବାରୁ ସେ ସେବି ମୁଖ୍ୟ ହେବାର ପ୍ରଥମ ସ୍ଥାନରେ ରହିଥିଲେ।

ନିକଟରେ ନିଆଯାଇଥିବା ଆର୍ଥିକ ନିଷ୍ପତ୍ତି ପାଣ୍ତେଙ୍କ ଦ୍ୱାରା ପରିଚାଳନା କରାଯାଇଥିଲା। ସେ ୨୦୨୫-୨୬ ବଜେଟର ରୂପରେଖ ତାଙ୍କ ନେତୃତ୍ୱରେ ପ୍ରସ୍ତୁତ କରାଯାଇଥିଲା। ବଜେଟରେ ନୂଆ ଟ୍ୟାକ୍ସ ବିଲ ଠାରୁ ଆରମ୍ଭ କରି ଟିକସ ରିଲିଫ ବ୍ୟବସ୍ଥା ତୁହିନ କାନ୍ତ କରିଥିଲେ। ସେ ଦିପମ୍‌ରେ ସବୁଠାରୁ ଅଧିକ ସମୟ ସଚିବ ଭାବେ କାମ କରିଥିଲେ। ଏହି ସମୟରେ ଏୟାର ଇଣ୍ଡିଆର ଘରୋଇକରଣ, ଏଲ୍‌ଆଇସିର ଆଇପିଓ ଆଣିବା, ଓଡ଼ିଶାରେ ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍‌ (ଏନ୍‌ଆଇଏନ୍‌ଏଲ୍‌)ରୁ ପୁଞ୍ଜି ପ୍ରତ୍ୟାହାର ଭଳି ନିଷ୍ପତ୍ତି ନିଆଯାଇଥିଲା। ୨୦୨୧ରେ ସେ କିଛି ସମୟ ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ସଚିବ ଭାବେ ମଧ୍ୟ କାମ କରୁଥିଲେ।

୧୯୮୭ ବ୍ୟାଚ୍‌ର ଓଡ଼ିଶା କ୍ୟାଡର୍‌ ଆଇଏଏସ୍ ଅଧିକାରୀ ତୁହିନ କାନ୍ତ ଓଡ଼ିଶାରେ ସ୍ୱାସ୍ଥ୍ୟ, ସାଧାରଣ ପ୍ରଶାସନ, ବାଣିଜ୍ୟିକ ଟିକସ, ପରିବହନ ଓ ଅର୍ଥ ବିଭାଗରେ କାର୍ଯ୍ୟ କରିଥିଲେ। ସେ ଓଡ଼ିଶା ରାଜ୍ୟ ଅର୍ଥ ନିଗମର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଓ ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମର ପରିଚାଳନା ନିର୍ଦ୍ଦେଶକ ଭାବେ ବି କାର୍ଯ୍ୟ କରିବାର ଅଭିଜ୍ଞତା ରଖିଛନ୍ତି। ସେ ସମ୍ବଲପୁରର ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ୍‌ ମଧ୍ୟ ଥିଲେ।

ପଞ୍ଜାବ ବିଶ୍ୱବିଦ୍ୟାଳୟରୁ ଅର୍ଥନୀତିରେ ସ୍ନାତକୋତ୍ତର ଓ ବ୍ରିଟେନ୍‌ର ବର୍ମିଂହାମ୍‌ ବିଶ୍ୱବିଦ୍ୟାଳୟରୁ ଏମ୍‌ବିଏ ଡିଗ୍ରୀ ହାସଲ କରିଥିବା ଶ୍ରୀ ପାଣ୍ଡେ ଉଭୟ ଓଡ଼ିଶା ସରକାର ଓ କେନ୍ଦ୍ର ସରକାରଙ୍କ ପାଇଁ କାର୍ଯ୍ୟ କରିଛନ୍ତି। କେନ୍ଦ୍ର ସରକାରଙ୍କ ଅଧୀନରେ ଯୋଜନା କମିସନ ଓ କ୍ୟାବିନେଟ୍ ସେକ୍ରେଟାରିଏଟ୍‌ର ଯୁଗ୍ମ ସଚିବ ଓ ବାଣିଜ୍ୟ ମନ୍ତ୍ରଣାଳୟର ଉପସଚିବ ଭାବେ କାର୍ଯ୍ୟ କରିଛନ୍ତି।

Odisha Ias SEBI SEBI Cheif Tuhin Kanta Pandey