Advertisment

କିଛି ସେକେଣ୍ଡରେ ୨୦ ଲକ୍ଷ କୋଟି ସ୍ୱାହା, ଶେୟାର ବଜାରରେ ହାହାକାର: କାହିଁକି ଏମିତି ହେଉଛି?

୧୦ ମାସ ମଧ୍ୟରେ ଶେୟାର ମାର୍କେଟରେ କେବେ ବି ଏପରି କ୍ଷତି ଘଟଇ ନଥିଲା। ସେନସେକ୍ସ ଓ ନିଫ୍ଟୀ ହ୍ରାସ ପାଇବା ଯୋଗୁ ନିବେଶକମାନେ ଲକ୍ଷାଧିକ କୋଟିର କ୍ଷତି ସହିବାରେ ଲାଗିଛନ୍ତି।

author-image
Hemant Lenka
Market

Market

ଭାରତୀୟ ଶେୟାର ବଜାରରେ ହାହାକାର ସ୍ଥିତି ଦେଖିବାକୁ ମିଳିଛି। ଶେୟାର ବଜାରରେ ଆଜି ବଡ଼ ଧରଣର କ୍ଷତି ହୋଇଛି। ଶେୟାର ମାର୍କେଟ ସକାଳୁ ଖୋଲିବା ମାତ୍ରେ ଏହା ତଳକୁ ଖସିବାରେ ଲାଗିଛି। କାରବାର ଆରମ୍ଭ ହେବା କ୍ଷଣି ସେନସେକ୍ସ ୩,୯୩୯.୬୮ ଅଙ୍କ ହ୍ରାସ ପାଇ ୭୧,୪୨୫,୦୧ରେ ପହଞ୍ଚିଥିଲା। ସେପରି ନିଫଟୀ ୧,୧୬୦.୮ ପଏଣ୍ଟ ହ୍ରାସ ପାଇ ୨୧,୭୩୪.୬୫ରେ ପହଞ୍ଚିଥିଲା।

Advertisment

୧୦ ମାସ ମଧ୍ୟରେ ଶେୟାର ମାର୍କେଟରେ କେବେ ବି ଏପରି କ୍ଷତି ଘଟଇ ନଥିଲା। ସେନସେକ୍ସ ଓ ନିଫ୍ଟୀ ହ୍ରାସ ପାଇବା ଯୋଗୁ ନିବେଶକମାନେ ଲକ୍ଷାଧିକ କୋଟିର କ୍ଷତି ସହିବାରେ ଲାଗିଛନ୍ତି। ବିଏସ୍‌ଇରେ ତାଲିକାଭୁକ୍ତ ହୋଇଥିବା କମ୍ପାନୀରେ ନିବେଶ କରିଥିବା ଲୋକମାନେ ମାତ୍ର କିଛି ସେକେଣ୍ଡରେ ୨୦.୧୬ ଲକ୍ଷ କୋଟି ଟଙ୍କା ହରାଇଛନ୍ତି। ଏବେ ଶେୟାର ବଜାରରେ କେବଳ ୩୮୩.୯୫ ଲକ୍ଷ କୋଟି ଟଙ୍କା ରହିଛି। ଶେୟାର ମାର୍କେଟ କ୍ରାଶ ହେଉଥିବାରୁ ଲୋକମାନେ ଆଗକୁ ମଧ୍ୟ କ୍ଷତି ସହିବାର ଆଶଙ୍କା ରହିଛି।

କେବଳ ଭାରତୀୟ ଶେୟାର ବଜାର ନୁହେଁ, ଅନ୍ୟ ଏସିଆନ ମାର୍କେଟ ମଧ୍ୟ କ୍ଷତି ସହିଛନ୍ତି। ହଂକଂର ହାଙ୍ଗ ସେଙ୍ଗ ମାର୍କେଟ ୧୧%, ଟୋକିଓର ନିକ୍କେଇ ୨୨୫ ପଏଣ୍ଟ, ସଙ୍ଘାଇ ଏସଏସ୍‌ଇ ୬% ଓ ଦକ୍ଷିଣ କୋରିଆର କୋସପି ଇଣ୍ଡେକ୍ସ ୫% ହ୍ରାସ ପାଇଛି। ଗତ ସପ୍ତାହରେ ଭାରତୀୟ ଶେୟାର ବଜାରରେ ସେନସେକ୍ସ ୨,୦୫.୨୩ ପଏଣ୍ଟ ବା ୨.୬୪% ଓ ନିଫ୍ଟୀ ୬୧୪.୮ ପଏଣ୍ଟ ବା ୨.୬୧% ହ୍ରାସ ପାଇଥିଲା।

Advertisment

ନିବେଶଙ୍କ ମନରେ ଡର

ବିଶ୍ୱ ବଜାରରେ ଏବେ ଟେନସେନ ଦେଖିବାକୁ ମିଳିଛି। ସେହିପରି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଭିନ୍ନ ରାଷ୍ଟ୍ର ଉପରେ ପାଲଟା ଶୁଳ୍କ ଲାଗୁ କରିଛନ୍ତି। ଆମେରିକାର ଟାରିଫ ଘୋଷଣା ପରେ ଚାଇନା ମଧ୍ୟ ଯେସାକୁ ତେସା ନୀତି ଆପଣାଇଛି। ଏହାକୁ ନେଇ ବିଶ୍ୱ ବଜାରରେ ଟାରିଫ ଯୁଦ୍ଧ ଆରମ୍ଭ ହେବାର ଆଶଙ୍କା ପ୍ରକାଶ ପାଇଛି। ବାଣିଜ୍ୟ ଯୁଦ୍ଧ ତୀବ୍ର ହେବାକୁ ଯାଉଥିବା ବେଳେ ଏହାକୁ ଦେଖି ଭାରତୀୟ ଶେୟାର ବଜାରରେ ନିବେଶ କରିଥିବା ଲୋକଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହୋଇଛି। ତେଣୁ ସେମାନେ ପୁଞ୍ଜି ପ୍ରତ୍ୟାହାର କରିବା ଆରମ୍ଭ କରିଛନ୍ତି। ଏଥିଯୋଗୁ ଶେୟାର ମାର୍କେଟ କ୍ରାଶ ହେଉଛି। ତେବେ ବିଶେଷଜ୍ଞମାନେ କହିଛନ୍ତି ଯେ ଶେୟାର ମାର୍କେଟରେ ଏପରି ହ୍ରାସକୁ ଦେଖି ଲୋକମାନେ ଡରିବା କଥା ନୁହେଁ। ସେମାନେ ନିଜର ଟର୍ମ ପ୍ଲାନରେ ପୂର୍ବ ଭଳି ସ୍ଥିର ରହିବା ଭଲ।

ରାଷ୍ଟ୍ରପତି ଟ୍ରମ୍ପ ଚାଇନା ଉପରେ ୩୪% ପାଲଟା ଶୁଳ୍କ ଲାଗୁ କରିଥିବାରୁ ଏହାର ଜବାବ ମଧ୍ୟ ବେଜିଂ ଦେଇଛି। ଚାଇନା ମଧ୍ୟ ଯେସାକୁ ତେସା ନୀତିରେ ଆମେରିକା ଦ୍ରବ୍ୟଗୁଡ଼ିକ ଉପରେ ଏପ୍ରିଲ ୧୦ରୁ ୩୪% ଅତିରିକ୍ତ ଟିକସ ଲଗାଇବ। ଏପରି ଯେସାକୁ ତେସା ନୀତି ଯୋଗୁ ବାଣିଜ୍ୟ ଯୁଦ୍ଧ ଆରମ୍ଭ ହେବାକୁ ଯାଉଛି। ଏହାର ପ୍ରଭାବ ଭାରତ ଠାରୁ ଆରମ୍ଭ କରି ୟୁରୋପ, ଏସିଆ ଓ ଆମେରିକାର ଶେୟାର ବଜାର ଉପରେ ପଡ଼ିଛି।

କୋଟାକ ଇନଷ୍ଟିଚ୍ୟୁସନାଲ ଇକ୍ୟୁଟିଜ୍‌ ଆନାଲିସଷ୍ଟ ସଞ୍ଜୀବ ପ୍ରସାଦ କହିଛନ୍ତି, “ରେସିପୋକାଲ ଟାରିଫ ବା ପାଲଟା ଶୁଳ୍କ ଅସ୍ଥାୟୀ ହୋଇଥିଲେ ହେଁ ବିଭିନ୍ନ କମ୍ପାନୀ ଓ ନିବେଶକଙ୍କ ମଧ୍ୟ ଅନିଶ୍ଚିତତା ସୃଷ୍ଟି କରିଛି। ଶୁଳ୍କକୁ ନେଇ ବୁଝାମଣା କିମ୍ବା ଶୁଳ୍କକୁ ନେଇ ପାଲଟା ଜବାବ ଉପରେ ଆସନ୍ତା କିଛି ସପ୍ତାହ ଧରି ଭାରତୀୟ ଶେୟାର ବଜାର ପ୍ରଦର୍ଶନ କରିବ। ଏହାବାଦ ଭାରତର ରିଟେଲ ଓ ଘରୋଇ ଇନଷ୍ଟିଚ୍ୟୁସନାଲ ନିବେଶକଙ୍କ ଆଚରଣ ଉପରେ ମଧ୍ୟ ଶେୟାର ମାର୍କେଟର ଭବିଷ୍ୟତ ନିର୍ଭର କରୁଛି।”

ମାର୍କେଟ ଉପରେ ଜ୍ଞାନ ରଖିଥିବା ଲୋକମାନଙ୍କ କହିବା କଥା ଯେ ଟ୍ରମ୍ପଙ୍କ ପାଲଟା ଶୁଳ୍କ ନୀତି ଯୋଗୁ ବିଶ୍ୱ ବଜାରରେ ହଇଚଇ ସୃଷ୍ଟି ହୋଇଛି। ସମସ୍ତେ ଅନିଶ୍ଚିତତା ମଧ୍ୟରେ ରହିଛନ୍ତି। ଏହାର ପ୍ରଭାବ ଭାରତୀୟ ଶେୟାର ବଜାର ଉପରେ ବି ପଡ଼ିଛି। ଏପରି ସ୍ଥିତିରେ ବିଚଳିତ ନ ହୋଇ କେବଳ ଉପଯୁକ୍ତ ସମୟକୁ ଅପେକ୍ଷା କରିବା ଭଲ।

Nifty Sensex BSE Stock Market Crash Share Market