/odisha-reporter/media/post_attachments/uploadimage/library/16_9/16_9_0/Attack_1697771167.jpg)
Attack
ରାଜନୈତିକ ଆକ୍ରୋଶକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅନ୍ତର୍ଗତ ଶରତରପୁର ଗାଁରେ। ଆହତ ବ୍ୟକ୍ତି ଜଣଙ୍କ ହେଲେ ରତିକାନ୍ତ ଦଳାଇ ଓରଫ ଲିଙ୍କୁନୁ। ତାଙ୍କ ଘର ଶରତରପୁର ଗାଁରେ। ଲିଙ୍କୁନୁଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକର ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଛି। ଲିଙ୍କୁନଙ୍କ ଗୋଡ, ହାତ ଓ ଛାତିରେ ଗଭୀର ଆଘାତ ଲାଗିଛି।
ଗତ ରାତିରେ ଲିଙ୍କୁନ ଦୋକାନ ବନ୍ଦ କରି ଘରକୁ ଫେରୁଥିଲେ। ପଦ୍ମପୁର ବଜାରର ଅନତି ଦୂରରେ ଥିବା ସୁଇସ ଗେଟ ନିକଟରେ କିଛି ବ୍ୟକ୍ତି ତାଙ୍କୁ ସଂଘବଦ୍ଧ ଭାବରେ ଭୁଜାଲି ଏବଂ ଲୁହା ରଡରେ ଆକ୍ରମଣ କରିଥିଲେ। ରାସ୍ତାରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଲିଙ୍କୁନ ପଡ଼ିଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ବାସୁଦେବ ପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତାଙ୍କ ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା କରାଯାଇ ଭଦ୍ରକ ସ୍ଥାନାନ୍ତର କରାଯାଇଥିଲା। ପରେ ଲିଙ୍କୁନଙ୍କୁ କଟକର ଏକ ଘରୋଇ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି।
ସୁଜିତ କୁମାର ଦାସଙ୍କ ସମେତ ୧୦ରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କ ନାମରେ ଲିଙ୍କୁନଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି। ଅନ୍ୟପକ୍ଷରେ ସୁଜିତ ମଧ୍ୟ ଲିଙ୍କୁନଙ୍କ ନାଁରେ ଥାନାରେ ଅଭିଯୋଗ କରିଛନ୍ତି। ସୁଜିତ ରାତିରେ ଘରକୁ ଫେରୁଥିବା ବେଳେ ତାଙ୍କୁ ଲିଙ୍କୁନ ଗାଳିଗୁଲଜ କରିବା ସହ ଅକ୍ରମଣ କରିଥିଲେ। ଏନେଇ ଲିଙ୍କୁନଙ୍କ ସମେତ ୧୨ଜଣଙ୍କ ନାଁରେ ଥାନାରେ ଅଭିଯୋଗ କରିଛନ୍ତି ସୁଜିତ। ବାସୁଦେବପୁର ଥାନାରେ ପୃଥକ ପୄଥକ ୨ଟି ମାମଲା ହୋଇଛି। ପୁଲିସ ଘଟଣାର ତଦନ୍ତ କରୁଛି। ଏପର୍ଯ୍ୟନ୍ତ ପୁଲିସ କାହାକୁ ଗିରଫ କରି ନାହିଁ ଅଟକ ମଧ୍ୟ ରଖି ନାହିଁ।
ଏହି ଘଟଣାକୁ ନେଇ ଗାଁରେ ଚାପା ଉତ୍ତେଜନା ଦେଖାଦେଇଛି। କୌଣସି ବିଶୃଙ୍ଖଳା ପରିସ୍ଥିତି ନ ଘଟିବା ପାଇଁ ଗାଁରେ ପୁଲିସ ଫୋର୍ସ ମୁତୟନ କରାଯାଇଛି।
ସୂଚନା ଅନୂଯାୟୀ, ଲିଙ୍କୁନ ଦଳାଇ ପୂର୍ବରୁ ବିଜେଡିରେ ଥିଲେ। ୨୦୨୨ପଞ୍ଚାୟତ ନିର୍ବାଚନରେ ଦଳରୁ ଅସନ୍ତୁଷ୍ଟ ହୋଇ ସ୍ୱାଧିନ ପ୍ରାର୍ଥି ଭାବରେ ନିର୍ବାଚନ ଲଢି ପରାସ୍ତ ହୋଇଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
