Shubham Soni & Chhattisgarh CM Bhupesh Baghel
ମହାଦେବ ବେଟିଂ ଆପ୍କୁ ନେଇ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ହରଡ଼ଘଣାରେ ପଡ଼ିଥିବା ବେଳେ ଏବେ ଆଉ ଚାଞ୍ଚଲ୍ୟକର ତଥ୍ୟ ସାମନାକୁ ଆସିଛି। ବଘେଲଙ୍କ ବିରୋଧରେ ଏପରି ସାଂଘାତକି ଅଭିଯୋଗ ଆଣିଛନ୍ତି ଖୋଦ ମହାଦେବ ବେଟିଂ ଆପ୍ର ମାଲିକ ଶୁଭମ ସୋନି। ମାତ୍ର ଶୁଭମ ସୋନିଙ୍କ ସମସ୍ତ ଅଭିଯୋଗକୁ ବଘେଲ ସିଧାସଳଖ ଖଣ୍ଡନ କରି ଦେଇଛନ୍ତି।
ନିଜ ଆପ୍କୁ ସୁରୁଖୁରରେ ପରିଚାଳନା କରିବା ପାଇଁ ଓ ଆଇନଗତ କାର୍ଯ୍ୟାନୁଷ୍ଠାନରୁ ବଞ୍ଚିବା ପାଇଁ ମୁଖ୍ୟମନ୍ତ୍ରୀ ବଘେଲଙ୍କୁ ୫୦୮ କୋଟି ଦେଇଥିବା ସେ କହିଛନ୍ତି। ଦୁବାଇରେ ଥିବା ଶୁଭମ ସୋନି ଏପରି ଏକ ଚାଞ୍ଚଲ୍ୟକର ଅଭିଯୋଗର ଭିଡିଓ କରି ଛାଡ଼ିଛନ୍ତି।
ନିଜ ଭିଡିଓରେ ସେ କହିଛନ୍ତି, ମୁଁ ୨୦୨୧ ମସିହାରୁ ଏହି ଆପ୍ ଖୋଲିଛି । ଏଥିନିମନ୍ତେ ଆବଶ୍ୟକ ସମସ୍ତ କାଗଜପତ୍ର ବି ମୋ ପାଖରେ ଅଛି। ଖୁବ୍ ଶୀଘ୍ର ଏହି ଆପ୍ ଜରିଆରେ ବହୁ ଅର୍ଥ ରୋଜଗାର ହେଲା। ଏହାପରେ ଧୀରେ ଧୀରେ ମୋ’ ସହଯୋଗୀମାନଙ୍କୁ ଟାର୍ଗେଟ କରାଗଲା। ଏଥିରୁ ରକ୍ଷା ପାଇବାକୁ ମୁଁ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସହଯୋଗୀ ବିନୋଦ ବର୍ମାଙ୍କୁ ସବୁ ମାସ ୧୦ ଲକ୍ଷ ଲେଖାଏ ଦେଲି।
ମାତ୍ର କିଛି ଦିନ ପରେ ପୁଣି ଥରେ ନାନା ସମସ୍ୟ ଦେଖାଦେଲା। ଏହାପରେ ବିନୋଦ ବର୍ମାଙ୍କ ମଧ୍ୟସ୍ଥତାରେ ମୁଁ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କୁ ସାକ୍ଷାତ କଲି। ସେଠାରେ ସେମାନେ ମୋତେବ ଦୁବାଇରେ ବି ବିଜନେସ କରିବାକୁ ଉପଦେଶ ଦେଲେ।
ଦୁବାଇରେ ବି ବିଜନେସ୍ ଭଲ ଲାଭ ଦେଲା। ମାତ୍ର ଇତି ମଧ୍ୟରେ ଭିଲାଇରେ ଥିବା ମୋ’ ସହଯୋଗୀଙ୍କୁ ଗିରଫ କରାଗଲା। ଏହାପରେ ମୁଁ ଛତିଶଗଡ଼ ଫେରି ତତ୍କାଳିନ ଭିଲାଇ ଏସ୍ପି ପ୍ରଶାନ୍ତ ଅଗ୍ରୱାଲଙ୍କୁ ଭେଟିଲି। ଏହାପରେ ସେ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ୫୦୮ କୋଟି ମାଗିଥିବା କହିଲେ ବୋଲି କହିଛନ୍ତି ସୋନି।
ଏହାପରେ ମୁଁ ତୁରନ୍ତ ୫୦୮ କୋଟି ଟଙ୍କା ଏସ୍ପି ପ୍ରଶାନ୍ତ ଅଗ୍ରୱାଲଙ୍କୁ ଦେଲି । ଏନେଇ ସମସ୍ତ ଦସ୍ତାବିଜ ମୁଁ ଦାଖଲ କରି ସାରିଛି। ମୁଁ ଏହି ସମସ୍ୟାରୁ ମୁକୁଳି ଭାରତ ଫେରିବାକୁ ଚାହୁଁଥିବା ସେ ନିଜ ଭିଡିଓ ମେସେଜରେ କହିଛନ୍ତି ।
ସୂଚନାଯୋଗ୍ୟ, ଏହି ଘଟଣାର ଇଡି ତଦନ୍ତ କରୁଥିବା ବେଳେ ଦୁବାଇରେ ଥିବା ମହାଦେବ ଆପ୍ ପ୍ରମୋଟର ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ନିକଟରୁ ୫୦୮ କୋଟି ଟଙ୍କାର କ୍ୟାସ୍ ପଠାଯାଇଥିବା ଖୁଲାସା ହୋଇଥିଲା।
ଏହି ଆପ୍କୁ ଛତିଶଗଡ଼ର ସୌରଭ ଚନ୍ଦ୍ରକର ଓ ତାଙ୍କ ସାଙ୍ଗ ରବି ଉପ୍ପଲ ଆରମ୍ଭ କରିଥିବା ଇଡି ତଦନ୍ତରୁ ଜଣାପଡ଼ିଛି। ମାତ୍ର ଏବେ ଶୁଭମ ସୋନି ନିଜକୁ ଏହି ଆପ୍ର ମାଲିକ ବୋଲି ଦର୍ଶାଇ ଭିଡିଓ ପୋଷ୍ଟ କରିଛନ୍ତି।
ଶୁଭମ ସୋନିଙ୍କ ଅଭିଯୋଗକୁ ବଘେଲ ସିଧାସିଧା ଅସ୍ୱୀକାର କରିବା ସହ ଏହା ପଛରେ ବିଜେପିର ହାତ ଥିବା କହିଛନ୍ତି। ଠିକ୍ ନିର୍ବାଚନ ପୂର୍ବରୁ ବିଜେପି ଇଡିକୁ ଅସ୍ତ୍ର କରି ମୋତେ ହଇରାଣ କରିବା ସହ ମୋ’ ସମ୍ମାନରେ ଆଞ୍ଚ ଆଣୁଥିବା ସେ ଅଭିଯୋଗ କରିଛନ୍ତି।
ଏଥିସହ କହିଛନ୍ତି ମୁଁ କେବେ କୌଣସି ଶୁଭମ ସୋନିଙ୍କୁ ଜାଣି ନ ଥିବା ବେଳେ ତାଙ୍କୁ ସାକ୍ଷାତ ବି କରିନି। ତେଣୁ ଏବେ ନିର୍ବାଚନ ସମୟରେ ମୋତେ ଟାର୍ଗେଟ କରି ଶୁଭମ ସୋନିଙ୍କ ଭିଡିଓ ଛଡ଼ା ଯାଉଥିବା ବେଳେ ଏହା ପଛରେ କିଏ ଅଛି ତାହା ସ୍ପଷ୍ଟ ଭାବେ ଜଣାପଡ଼ୁଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us