Advertisment

ବାହାଘରର ମାସ ପୂର୍ତ୍ତିରେ ସ୍ୱାମୀଙ୍କୁ ମାରିଥିବା ଶେଷରେ ସ୍ୱୀକାର କଲେ ବେୱାଫା ସୋନମ

ଆଜି ହେଉଛି ଜୁନ ୧୧। ମେ’ ୧୧ରେ ସେ ରାଜାଙ୍କ ହାତକୁ ସାତ ଜନ୍ମ ପାଇଁ ଧରିଥିଲେ।

author-image
Hemant Lenka
Sonam

Sonam

ଆଜିକୁ ଠିକ ମାସକ ତଳେ ୨୯ ବର୍ଷୀୟ ରାଜା ରଘୁବଂଶୀଙ୍କୁ ବିବାହ କରିଥିଲେ ୨୪ ବର୍ଷୀୟ ସୋନମ ରଘୁବଂଶୀ। ଆଜି ହେଉଛି ଜୁନ ୧୧। ମେ’ ୧୧ରେ ସେ ରାଜାଙ୍କ ହାତକୁ ସାତ ଜନ୍ମ ପାଇଁ ଧରିଥିଲେ। ହେଲେ ବାହାଘର ମାସ ପୂର୍ତ୍ତିରେ ସୋନମ ନିଜ ସ୍ୱାମୀଙ୍କୁ ସୁପାରି କିଲରଙ୍କ ଦ୍ୱାରା ହତ୍ୟା କରିଥିବା ବିଧିବଦ୍ଧ ଭାବେ ପୁଲିସ୍‌ ଆଗରେ ସ୍ୱୀକାର କରିଛନ୍ତି। ପୂର୍ବରୁ ପୁଲିସ୍‌ ଜାଣି ସାରିଥିଲା ଯେ ସୋନମ ସ୍ୱାମୀ ରାଜାଙ୍କ ସହ ମେଘାଳୟକୁ ହନିମୁନି ଟ୍ରିପରେ ଯାଇଥିବା ବେଳେ ସେଠାରେ ସୁପାରି କିଲରଙ୍କ ଦ୍ୱାରା ତାଙ୍କୁ ହତ୍ୟା କରିଥିଲେ।

Advertisment

ଏହାପରେ ସେ ବେଶ ନାଟକୀୟ ଢଙ୍ଗରେ ସୋମବାର ଉତ୍ତର ପ୍ରଦେଶର ଗାଜିପୁର ପୁଲିସ୍‌ ନିକଟରେ ଆତ୍ମସମର୍ପଣ କରିଥିଲେ। ସୋମବାର ଠାରୁ ତାଙ୍କୁ ଜେରା ଚାଲି ଥିବା ବେଳେ ଆଜି ପ୍ରଥମଥର ଅର୍ଥାତ ରାଜାଙ୍କ ସହ ତାଙ୍କ ବାହାଘରର ମାସେ ପୂରିବା ଦିନ ସେ ନିଜ ଅପରାଧକୁ ସ୍ୱୀକାର କରିଛନ୍ତି। ସେ ଜେରା ବେଳେ ଦେଇଥିବା ବୟାନକୁ ପୁଲିସ୍‌ ରେକର୍ଡ ମଧ୍ୟ କରିଛି।

ଭାରତୀୟ ଆଇନ ଅନୁସାରେ, ଯଦିଓ ପୁଲିସ୍‌ ହେପାଜତରେ ଅଭିଯୁକ୍ତ ସ୍ୱୀକାରୋକ୍ତି କୋର୍ଟରେ ଗ୍ରହଣୀୟ ନୁହେଁ, ତଥାପି ଏହାର ଗୁରୁତ୍ୱ ଯଥେଷ୍ଟ ଅଧିକ ରହିଛି। ଏହି ସ୍ୱୀକାରୋକ୍ତି ପୁଲିସ୍‌କୁ ପ୍ରମାଣ ଯୋଗାଡ଼ କରିବାରେ ସହାୟତା କରିଥାଏ। ସେହିପରି ମାଜିଷ୍ଟ୍ରେଟଙ୍କ ନିକଟରେ ମଧ୍ୟ ଏହି ବୟାନକୁ ରେକର୍ଡ କରାଯିବାର ପ୍ରାବଧାନ ରହିଛି।

Advertisment

ବାହାଘର ପୂର୍ବରୁ ସୋନମ ତାଙ୍କ ବାପାଙ୍କ ପ୍ଲାଏଉଡ ଫ୍ୟାକ୍ଟ୍ରୀରେ କାମ କରୁଥିବା ରାଜ କୁଶୱାଙ୍କୁ ପ୍ରେମ କରୁଥିଲେ। ରାଜାଙ୍କୁ ବାହା ହେବା ପରେ ବି ସେ ରାଜଙ୍କୁ ଭୁଲି ପାରି ନଥିଲେ। ଶେଷରେ ସେ ଓ ରାଜ ମିଳିତ ଭାବେ ୩ ସୁପାରି କିଲରଙ୍କ ଦ୍ୱାରା ରାଜାଙ୍କୁ ମେଘାଳୟରେ ହତ୍ୟା କରିଥିଲେ। ପୁଲିସ୍‌ ଏହି ଘଟଣାରେ ସୋନମ, ରାଜ, ସୁପାରି କିଲର ଆକାଶ, ବିକ୍କି ଓ ଆନ୍ଦଙ୍କୁ ଗିରଫ କରିଛି।

ମେ’ ୧୧ରେ ରାଜାଙ୍କୁ ବାହା ହେବାର ମାତ୍ର କିଛି ଦିନ ପରେ ସୋନମ ତାଙ୍କୁ ହତ୍ୟା କରିବା ପାଇଁ ପ୍ରେମିକ ରାଜଙ୍କ ସହ ମିଶି ଯୋଜନା କରିଥିଲେ। ବାହାଘରର ୯ ଦିନ ପରେ ସୋନମ ଓ ରାଜା ମେଘାଳୟକୁ ହନିମୁନ ଟ୍ରିପରେ ଯାଇଥିଲେ। ଦିନକ ପରେ ସେମାନେ ମେଘାଳୟର ରାଜଧାନୀ ଶିଲଂରେ ପହଞ୍ଚିଥିଲେ। ମେ’ ୨୧ ତାରିଖରେ ରାଜର ପିଲା ଦିନର ବନ୍ଧୁ ଆକାଶ, ଆନନ୍ଦ ଓ ବିକାଶ ଇନ୍ଦୋରରୁ ରାଜାଙ୍କୁ ହତ୍ୟା କରିବା ପାଇଁ ଗୁହାଟୀ ଆସିଥିଲେ। ସେଠାରୁ ସେମାନେ ଶିଲଂ ଗସ୍ତ କରିଥିଲେ। ହତ୍ୟାକାଣ୍ଡ ମେ’ ୨୩ରେ ହୋଇଥିଲା।

ଅପରାଧ ଘଟିଥିବା ସ୍ଥାନରୁ ୧୦ କିମି ଦୂରରେ ସୋନମକୁ ଦେଖିବାକୁ ମିଳିଥିଲା। ଏହାପୂର୍ବରୁ ରାଜାଙ୍କୁ ହତ୍ୟା କରାଯାଇ ସାରିଥିଲା। ସୋନମ ନିଜେ ହିଁ ୩ ସୁପାରୀ କିଲର୍‌ଙ୍କୁ ଚିତ୍କାର କରି ରାଜାଙ୍କୁ ମାରିବାକୁ ନିର୍ଦ୍ଦେଶ ଦେଇଥିଲେ। ହତ୍ୟାକାଣ୍ଡ ପରେ ସୋନମ ଓ ୩ ହତ୍ୟାକାରୀ ଘଟଣାସ୍ଥଳର ୧୧ କିମି ଦୂରରେ ଏକାଠି ହୋଇଥିଲେ।

ରାଜ ମେଘାଳୟ ଯାଇ ନଥିଲେ। କିନ୍ତୁ ସେ ନିୟମିତ ଭାବେ ସୋନମ ଯୋଗାଯୋଗରେ ଥିଲେ। ସୋନମ ସେଠାରୁ ଗୁହାଟୀ ଯାଇଥିଲେ। ଗୁହାଟୀରୁ ଟ୍ରେନ ଯୋଗେ ଇନ୍ଦୋରରେ ପହଞ୍ଚିଥିଲେ। ମେ’ ୨୫ରେ ସେ ଇନ୍ଦୋରରେ ପହଞ୍ଚି ରାଜଙ୍କୁ ଦେଖା ହୋଇଥିଲେ। ରାଜ ତାଙ୍କ ପାଇଁ ଭଡ଼ାରେ ରହିବାକୁ ଗୋଟିଏ ରୁମ ବ୍ୟବସ୍ଥା କରିଥିଲେ। କିନ୍ତୁ ଦୁଇ ଜଣ ଏକାଠି ରହି ନଥିଲେ। ରାଜ ନିକଟସ୍ଥ ହୋଟେଲରେ ରହିଥିଲେ।

ପରବର୍ତ୍ତୀ ଅବସ୍ଥାରେ ରାଜ ଓ ତାଙ୍କର ସହଯୋଗୀମାନେ ସୋନମଙ୍କ ପାଇଁ ଗୋଟିଏ କାରର ବ୍ୟବସ୍ଥା କରିଥିଲେ। ଉକ୍ତ କାରରେ ସେ ଉତ୍ତର ପ୍ରଦେଶ ଯାଇଥିଲେ। ଜୁନ ୮ ବିଳମ୍ବିତ ରାତିରେ ସୋନମ ବେଶ ଯୋଜନାବଦ୍ଧ ଭାବେ ନିଜେ ପୀଡ଼ିତା ବୋଲି ସମସ୍ତଙ୍କୁ ଜଣାଇବା ପାଇଁ ଗାଜିପୁର ପୁଲିସ୍‌ ନିକଟରେ ଆତ୍ମସମର୍ପଣ କରିଥିଲେ। ତାଙ୍କ ଦେହରେ ଜ୍ୱର ମଧ୍ୟ ରହିଥିଲା।

ପୁଲିସ୍‌ ନିକଟରେ ସୋନମ ନିଜକୁ ପୀଡ଼ିତା ଭାବେ ଚିତ୍ରିତ କରିଥିଲେ। ତାଙ୍କୁ ନିଶା ଦିଆଯାଇ ଏଠାକୁ ଅଣାଯାଇଥିବା ସେ ଦାବି କରିଥିଲେ। ସୋନମ ଏକଥା ନିଜ ପରିବାର ଲୋକଙ୍କୁ ମଧ୍ୟ ଜଣାଇଥିଲେ। ସୋମବାର ଭୋର ପ୍ରାୟ ୩ଟା ବେଳେ ସୋନମ ନିଜ ପରିବାର ଲୋକଙ୍କୁ ଫୋନ କରି ସେ ଗାଜିପୁର-ବାରାଣସୀ ରୋଡରେ ଥିବା ଗୋଟିଏ ଢାବାରେ ରହିଥିବା ଜଣାଇଥିଲେ।

ତାଙ୍କ ପରିବାର ତୁରନ୍ତ ଏସମ୍ପର୍କରେ ମଧ୍ୟପ୍ରଦେଶ ପୁଲିସ୍‌କୁ ଅବଗତ କରାଇଥିଲେ। ମଧ୍ୟପ୍ରଦେଶ ପୁଲିସ୍‌ ଉତ୍ତର ପ୍ରଦେଶ ପୁଲିସ ଓ ଉତ୍ତର ପ୍ରଦେଶ ପୁଲିସ୍‌ ସ୍ଥାନୀୟ ପୁଲିସ୍‌କୁ ଜଣାଇବାରୁ ସୋନମ ଗିରଫ ହୋଇଥିଲେ। ସେ ନିଜକୁ ପୀଡ଼ିତା ଭାବେ ସଜାଇ ଖସି ଯିବାକୁ ଚେଷ୍ଟା କରିଥିଲେ। କିନ୍ତୁ ସେ ବିଫଳ ହୋଇଛନ୍ତି।

କ’ଣ କହିଲା ଏସଆଇଟି?

ମାମଲାର ତଦନ୍ତ କରୁଥିବା ଏସ୍‌ଆଇଟି ପକ୍ଷରୁ କୁହାଯାଇଛି ଯେ ୩ ସୁପାରି କିଲର ଆକାଶ, ଆନନ୍ଦ ଓ ବିକାଶ ପର୍ଯ୍ୟାୟକ୍ରମେ ଇନ୍ଦୋରରୁ ଶିଲଂ ଯାଇଥିଲା। ସିସିଟିଭି ଫୁଟେଜ, ଟ୍ରେନ ଟିକେଟ ଓ ଆଧାର କାର୍ଡ ଫଟୋକପି ଜରିଆରେ ସେମାନଙ୍କୁ ଚିହ୍ନଟ କରାଯାଇଥିଲା। ମେ’ ୨୩ରେ ୩ ସୁପାରି ପର୍ଯ୍ୟଟକର ପରିଚୟ ଦେଇ ରାଜା ଓ ସୋନମଙ୍କୁ ପାହାଡ଼ ଚଢ଼ିବା ବେଳେ ଦେଖା ହୋଇଥିଲେ। ସ୍ଥାନୀୟ ଗାଇଡ ଆଲବର୍ଟ ସେଠାରେ ଏମାନଙ୍କୁ ଦେଖିଥିଲେ। ପର୍ଯ୍ୟଟକଙ୍କୁ ସେବା ଯୋଗାଇ ଦେବା ପାଇଁ ଆଲବର୍ଟ ପ୍ରସ୍ତାବ ଦେଇଥିଲେ ହେଁ ସେମାନେ ମନା କରି ଦେଇଥିଲେ। ସେମାନେ ସମସ୍ତେ ହିନ୍ଦୀରେ କଥା ହେଉଥିଲେ ଓ ପାହାଡ଼ର ଉପାନ୍ତ ଅଞ୍ଚଳକୁ ଯାଇଥିଲେ ବୋଲି ଆଲବର୍ଟ ପୁଲିସ୍‌କୁ ସୂଚନା ଦେଇଥିଲେ।

ଫଟୋ ଶୁଟ ନାଁରେ ସୋନମ ସ୍ୱାମୀ ରାଜାଙ୍କୁ ଗୋଟିଏ ପାହାଡ଼ିଆ ଅଞ୍ଚଳକୁ ନେଇ ଯାଇଥିଲେ। ରାଜ ପଠାଇଥିବା ୩ ବନ୍ଧୁ ମଧ୍ୟ ସେମାନଙ୍କ ପଛରେ ଯାଇଥିଲେ। ପ୍ରଥମେ ସେମାନେ ରାଜାଙ୍କ ସହ ହିନ୍ଦୀରେ କଥା ହୋଇଥିଲେ।

ଏସବୁ ଭିତରେ ସୋନମ ଥକି ଯାଇଥିବାର ଅଭିନୟ କରି ରାଜା ଓ ରାଜଙ୍କ ୩ ବନ୍ଧୁଙ୍କ ପଛରେ ଧୀରେ ଧୀରେ ଚାଲିବା ଆରମ୍ଭ କରିଥିଲେ। ଚାଲିଚାଲି ସେମାନେ ଗୋଟିଏ ନିଛାଟିଆ ସ୍ଥାନରେ ପହଞ୍ଚିଥିଲେ। ଏତିକି ବେଳେ ଥକିବାର ଅଭିନୟ କରି ପଛରେ ଚାଲୁ ଥିବା ସୋନମ ହଠାତ୍‌ ଚିତ୍କାର କରି ରାଜାଙ୍କୁ ମାରି ଦେବାକୁ କହିଥିଲେ।

ସୋନମ ‘ତାଙ୍କୁ ମାରିଦିଅ’ ବୋଲି ଚିତ୍କାର କରିବା କ୍ଷଣି ୩ ବନ୍ଧୁ ମିଳିତ ଭାବେ ରାଜାଙ୍କୁ ଆକ୍ରମଣ କରିଥିଲେ। ରାଜଙ୍କ ୩ ବନ୍ଧୁ ସଂଘବଦ୍ଧ ଭାବେ ରାଜାଙ୍କୁ ଆକ୍ରମଣ କରିଥିଲେ। ଧାରୁଆ ଅସ୍ତ୍ରରେ ସେମାନେ ରାଜାଙ୍କ ମୁଣ୍ଡ ଓ ଶରୀରକୁ ଆକ୍ରମଣ କରିବାକୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା।

Murder Madhya Pradesh Sonam Raghuvanshi Raja Raghuvanshi