Advertisment

ଲୁଟେରାଙ୍କ ଚରାଭୂଇଁ ପାଲଟିଛି ରାଜଧାନୀ; ଏଟିଏମ୍‌ ଭାଙ୍ଗି ୧୦ ଲକ୍ଷ ଲୁଟ୍

ହାଟସାହିର ଏସବିଆଇ ଏଟିଏମରୁ ଦୁର୍ବୃତ୍ତ ଲୁଟିନେଇଛନ୍ତି ୧୦ ଲକ୍ଷରୁ ଅଧିକ ଟଙ୍କା।

author-image
Biswajit Samal
ଅଦ୍ୟତନ ହୋଇଛି
ATM Loot

ATM Loot

କମିଶନରେଟ୍ ପୁଲିସକୁ ଲୁଟେରାଙ୍କ ଖୋଲା ଚ୍ୟାଲେଞ୍ଜ୍। ରବିବାର ରାତିରେ ଲୁଟେରା ଟାର୍ଗେଟ କରିଥିଲେ ଲିଙ୍ଗରାଜ ଥାନା ଅଞ୍ଚଳର ହାଟସାହିର ଏସବିଆଇ ଏଟିଏମକୁ। ଗ୍ୟାସ୍ କଟରରେ ଏଟିଏମକୁ କାଟିବା ପରେ ପୂରା କ୍ୟାସ୍ ଚ୍ୟାମ୍ବରରେ କଳାକନା ବୁଲାଇ ଚମ୍ପଟ୍ ମାରିଥିଲେ ଲୁଟେରା। ନେଇଯାଇଥିଲେ ୧୦ ଲକ୍ଷ ୫୯ ହଜାର ଟଙ୍କା। ସିସିଟିଭିରୁ ବର୍ତ୍ତିବା ପାଇଁ ତା’ଉପରେ କିଛି ତରଳ ପଦାର୍ଥ ସ୍ପ୍ରେ କରି ଦେଇଥିଲେ।

Advertisment

ଗତ କିଛି ଦିନ ମଧ୍ୟରେ ରାଜଧାନୀରେ ଘନଘନ ଚୋରି ହେଉଥିବା ବେଳେ ଗତକାଲି ରାତିର ଏହି ଘଟଣା ପୁଲିସର ନିଦ ହଜାଇ ଦେଇଛି। ଲୁଟ୍ ଖବର ପାଇବା ପରେ ଖୋଦ୍ ଡିସିପି ଘଟଣା ସ୍ଥଳକୁ ଯିବା ସହ ଲୁଟେରାଙ୍କ ଲୁଟ୍ ଷ୍ଟାଇଲ ନେଇ ଅନୁଧ୍ୟାନ କରିଛନ୍ତି। ଏଥିସହ ଆଖପାଖରେ ଲାଗିଥିବା ସିସିଟିଭିକୁ ମଧ୍ୟ ଯାଞ୍ଚ କରିଛନ୍ତି। ଗତ କିଛି ଦିନ ଧରି ରାଜଧାନୀରେ ଚାଲିଥିବା ଲୁଟପାଟ୍ ସହ ଏଟିଏମ୍ ଲୁଟରେ ରାଜ୍ୟ ବାହାର ଲୁଟେରା ଗ୍ୟାଙ୍ଗର ହାତ ଥିବା ପୁଲିସ ସନ୍ଦେହ କରୁଛି। ଲିଙ୍ଗରାଜ ମନ୍ଦିରଠାରୁ ମାତ୍ର ୨ ଶହ ମିଟର ଦୂରରେ ଥିବା ଏସବିଆଇ ଏଟିଏମ୍‌ରୁ କିଭଳି ଲୁଟ୍ ହେଲା, ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଗୋଟିଏ ପରେ ଗୋଟିଏ ଲୁଟ୍ ସହ ସତେ ଯେମିତି ଏବେ ଲୁଟେରାଙ୍କ ଚରାଭୂଇଁ ପାଲଟିଛି ରାଜଧାନୀ ଭୁବନେଶ୍ୱର। ଗତ କିଛି ଦିନ ମଧ୍ୟରେ ପାଖାପାଖି ୧୨ଟି ଆପାର୍ଟମେଣ୍ଟରୁ କୋଟିଏରୁ ଅଧିକ ଟଙ୍କାର ସୁନା ଗହଣା ଚୋରି ହୋଇଥିବା ବେଳେ ପୁଲିସର ହାତ ଏ ପର୍ଯ୍ୟନ୍ତ ଖାଲି ପଡ଼ିଛି। ନନ୍ଦନକାନନ ଅଞ୍ଚଳରେ ଦମ୍ପତିଙ୍କୁ ବାନ୍ଧି ସଶସ୍ତ୍ର ଡକାୟତି ମାମଲାରେ ମଧ୍ୟ ପୁଲିସ କାହାକୁ ପାଉନାହିଁ। ଏକାଧିକ ଲୁଟ୍ ମାମଲାରେ ଲୁଟେରାମାନେ ସିସିଟିଭିରେ ନଜରକୁ ଆସିଥିଲେ ବି ପୁଲିସ୍ ସେମାନଙ୍କ ପାଖରେ ପହଞ୍ଚି ପାରିନାହିଁ।

Advertisment

Bhubaneswar Crime ATM Loot