/odisha-reporter/media/post_attachments/uploadimage/library/16_9/16_9_0/IMAGE_1699446853.jpg)
Vishal Mega Mart
ରିଟେଲ ଚେନ୍ ‘ବିଶାଳ’ ମେଗା ମାର୍ଟକୁ ୧୧ ଲକ୍ଷ ଟଙ୍କା ଜରିମାନା। ‘ବିଶାଳ’ର ଭୁବନେଶ୍ୱର ସ୍ଥିତ ରସୁଲଗଡ଼ ଓ କଟକ ବିଡାନାସୀ ଷ୍ଟୋର ଉପରେ ଏହି ଜରିମାନା ହୋଇଛି। କଟକ ଜିଲ୍ଲା ଖାଉଟି ଅଦାଲତ ଏହି ନିର୍ଦ୍ଦେଶ ଦେଇଛନ୍ତି। ଉଭୟ ମାମଲାରେ ଏକ୍ସପାଇରୀ ଖାଦ୍ୟ ପଦାର୍ଥ ବିକ୍ରି ଅଭିଯୋଗରେ ଏହି ଜରିମାନା ହୋଇଛି। ଦୁଇଟିଯାକ ମାମଲାର ଆବେଦନକାରୀ ସୁନୀଲ ରଥଙ୍କ ଆବେଦନକୁ ଗ୍ରହଣ କରି ଖାଉଟି ଅଦାଲତ ଏହି ନିର୍ଦ୍ଦେଶ ଦେଇଛନ୍ତି।
ଉଭୟ ଷ୍ଟୋର ଉପରେ ୫ ଲକ୍ଷ ୫୦ ହଜାର ଟଙ୍କା ଲେଖାଏଁ ଜରିମାନା କରିଛନ୍ତି ଅଦାଲତ। ସେଥିମଧ୍ୟରୁ ଆବେଦନକାରୀଙ୍କୁ ୨୦ ହଜାର ଟଙ୍କା କ୍ଷତିପୂରଣ ବାବଦରେ, ୩୦ ହଜାର ଟଙ୍କା ମକଦ୍ଦମା ଖର୍ଚ୍ଚ ବାବଦରେ ଓ ୫ ଲକ୍ଷ ଟଙ୍କା ରାଜ୍ୟ ଖାଉଟି କଲ୍ୟାଣ ପାଣ୍ଠିକୁ ଦେବାକୁ ଅଦାଲତ ରାୟରେ ସ୍ପଷ୍ଟ କରିଛନ୍ତି। ୩୦ ଦିନ ମଧ୍ୟରେ ଏହି ଜରିମାନା ଦାଖଲ କରିବାକୁ ଅଦାଲତ ‘ବିଶାଳ’କୁ ନିର୍ଦ୍ଦେଶ ଦେଇଛନ୍ତି।
ମାମଲାକାରୀ ସୁନୀଲ ରଥ ରସୁଲଗଡ ଷ୍ଟୋରରୁ ଏକ ହକ୍କା ନୁଡୁଲ୍ସ ଓ ବିଡାନାସୀ ଷ୍ଟୋରରୁ ବିକାନୀର ମିକ୍ସଚର କିଣିଥିଲେ। ହେଲେ ସେହି ସାମଗ୍ରୀର ବ୍ୟବହାର ଅବଧି ଶେଷ ହୋଇଥିବା ନେଇ ଷ୍ଟୋର କର୍ମଚାରୀଙ୍କୁ ଜଣାଇଥିଲେ ସୁନୀଲ। ଏହା ସତ୍ତ୍ୱେ କୌଣସି ସୁଫଳ ମିଳିନଥିଲା। ଏହାକୁ ନେଇ ସୁନୀଲ ପୃଥକ୍ ମାମଲା ଖାଉଟି ଅଦାଲତରେ ଦାୟର କରିଥିଲେ। ଜାଣିଶୁଣି ଗ୍ରାହକଙ୍କୁ ଠକିବା ଉଦ୍ଦେଶ୍ୟରେ ଷ୍ଟୋର କର୍ତ୍ତୃପକ୍ଷ ଏପରି କରୁଥିବା ଦର୍ଶାଇ ସୁନୀଲ କଟକ ଜିଲ୍ଲା ଖାଉଟି ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ। ଉପଯୁକ୍ତ ଦଣ୍ଡବିଧାନ କରିବା ସହ କ୍ଷତିପୂରଣ ଦେବାକୁ ଅନୁରୋଧ କରିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
