Advertisment

‘ଶ୍ରେଷ୍ଠ ଗର୍‌ବା’ ପୁରସ୍କାର ଜିତିଲା ଝିଅ, ବାପାକୁ ପିଟିପିଟି ମାରିଦେଲେ ଆୟୋଜକ

ନବରାତ୍ରୀ ପାଇଁ ଆୟୋଜିତ ଗରବା ନାଚ କାର୍ଯ୍ୟକ୍ରମରେ ୧୧ ବର୍ଷୀୟ କୃପାଲି ଓଡେଡାରା ଅଂଶ ଗ୍ରହଣ କରିଥିଲେ।

author-image
Hemant Lenka
Gujarat

Gujarat

ଗର୍‌ବା ପୁରସ୍କାର ଜିତିବାର ଖୁସି ମାତ୍ର କିଛି ମିନିଟ୍‌ ମଧ୍ୟରେ ଜଣେ ୧୧ ବର୍ଷୀୟ ଝିଅ ପାଇଁ ଦୁଃଖର ପାହାଡ଼ ଆଣି ଦେଇଛି। ପୁରସ୍କାର ଜିତିବା ପରେ ଝିଅଟିର ବାପାଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ୬ ଜଣ ଲୋକ ହତ୍ୟା କରିଛନ୍ତି। ହତ୍ୟାକାରୀଙ୍କ ମଧ୍ୟରେ ଗୁଜରାଟର ପୋରବନ୍ଦରରେ ନବରାତ୍ରୀ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରିଥିବା ଆୟୋଜକମାନେ ମଧ୍ୟ ରହିଛନ୍ତି। ମଙ୍ଗଳବାର ରାତିରେ ପୂରା ଘଟଣା ଘଟିଥିବା ବେଳେ ଆଜି ଏହା ସାମ୍ନାକୁ ଆସିଛି।

Advertisment

ନବରାତ୍ରୀ ପାଇଁ ଆୟୋଜିତ ଗରବା ନାଚ କାର୍ଯ୍ୟକ୍ରମରେ ୧୧ ବର୍ଷୀୟ କୃପାଲି ଓଡେଡାରା ଅଂଶ ଗ୍ରହଣ କରିଥିଲେ। ଗର୍‌ବା ସରିବା ପରେ ତାଙ୍କୁ ଦୁଇଟି ବର୍ଗରେ ପୁରସ୍କାର ପାଇଁ ଚୟନ କରାଯାଇଥିଲା। କିନ୍ତୁ ତାଙ୍କ ମା’ ମଲି ଯେତେବେଳେ ଝିଅକୁ ଆଣିବା ପାଇଁ କାର୍ଯ୍ୟକ୍ରମରେ ପହଞ୍ଚିଥିଲେ ସେତେବେଳେ ତାଙ୍କୁ କେବଳ ଗୋଟିଏ ପୁରସ୍କାର ଦିଆଯାଇଥିବା ଜାଣିବାକୁ ପାଇଥିଲେ।

ଏହାକୁ ବିରୋଧ କରି ମଲି ଗରବାର ଆୟୋଜସ୍ ରାଜୁ କେଶୱାଲାଙ୍କ ପାଖକୁ ଯାଇଥିଲେ। ତାଙ୍କୁ ଏ ବିଷୟରେ ସେ ପଚାରିବାରୁ ରାଜୁ ରାଗି ଯାଇଥିଲେ ଓ କାର୍ଯ୍ୟକ୍ରମ ଶେଷ ହୋଇଥିବାରୁ ଆଉ କିଛି କରି ହେବ ନାହିଁ ବୋଲି କହିଥିଲେ। ଏହାକୁ ନେଇ ମଲିଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା।

Advertisment

ଏହି ସମୟରେ ରାଜୁଙ୍କ ଦୁଇ  ପତ୍ନୀ ଓ ସହ ଆୟୋଜକ ରାଜା କୁଚ୍ଛାଡିୟେ ମଧ୍ୟ ଆସି ଯାଇଥିଲେ। ସେମାନେ ମିଳିତ ଭାବେ ମଲିଙ୍କୁ ଧମକ ଦେବା ସହ ତୁରନ୍ତ ଚାଲିଯିବାକୁ କହିଥିଲେ।

ରାତି ପ୍ରାୟ ୧ଟା ବେଳେ ଝିଅକୁ ଧରି ସେ ଘରକୁ ଫେରିଥିଲେ। ଏହାପରେ ସ୍ୱାମୀ ସରମନଙ୍କ ସହ ଘର ବାହାରେ କିଛି ସମୟ ବସିଥିଲେ। ରାତି ପ୍ରାୟ ୨.୩୦ରେ ହଠାତ୍ ୪ଟି ବାଇକରେ କିଛି ଲୋକ ସେଠାରେ ପହଞ୍ଚିଥିଲେ। ସେମାନେ ମିଳିତ ଭାବେ ସରମନଙ୍କୁ କାଠ‍ଫାଳିଆରେ ଆକ୍ରମଣ କରିଥିଲେ।

ବାଇକରେ ସରମନଙ୍କୁ ବଳପୂର୍ବକ ବସାଇ ଗର୍‌ବା ଆୟୋଜନ ହେଉଥିବା ସ୍ଥାନକୁ ନେଇ ଯାଇଥିଲେ। ସେଠାରେ ମଧ୍ୟ ତାଙ୍କୁ ପୁଣି ମାଡ଼ ମାରିଥିଲେ। ଆକ୍ରମଣରେ ଭୟଭୀତ ହୋଇଯାଇଥିବା ମଲି ତୁରନ୍ତ ପୁଲିସକୁ ଖବର ଦେଇଥିଲେ ଓ ଗର୍‌ବା ଆୟୋଜନ ହେଉଥିବା ସ୍ଥାନରେ ପହଞ୍ଚିଥିଲେ।

ସେଠାରେ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ସରମନଙ୍କୁ ତୁରନ୍ତ ସେ ହସ୍ପିଟାଲ ନେଇଥିଲେ। କିନ୍ତୁ ହସ୍ପିଟାଲରେ ଡାକ୍ତର ସରମନଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ୍‌ ଏବେ ଅଭିଯୁକ୍ତମାନଙ୍କ ନାଁରେ ହତ୍ୟା, ଅପହରଣ ଓ ମାରପିଟ ଭଳି ଦଫା ଲଗାଇ ମାମଲା ରୁଜୁ କରିଛି।

Gujarat Garba Garba Event Gujarat