Advertisment

Stop Rape: ମା’ କୋଳରୁ ୧୪ ମାସର ଛୁଆକୁ ନେଇ ଦୁଷ୍କର୍ମ ପରେ ହତ୍ୟା

ଶିଶୁ କନ୍ୟାକୁ ଅଭିଯୁକ୍ତ ଜଣକ ହତ୍ୟା କରି ଗୋଟିଏ ଚାଷ ଜମିରେ ପୋତି ଫେରାର ହୋଇଯାଇଥିଲା। ପୁଲିସ୍‌ ଅଭିଯୁକ୍ତକୁ ରବିବାର ଗିରଫ କରିଥିବା ପାନିସାଗର ପୁଲିସ୍‌ ଷ୍ଟେସନର ଅଧିକାରୀ ସୁମନ୍ତ ଭଟ୍ଟାଚାର୍ଯ୍ୟ ସୂଚନା ଦେଇଛନ୍ତି।

author-image
Hemant Lenka
Rape

representational image

ପଶ୍ଚିମବଙ୍ଗ ଗଣଦୁଷ୍କର୍ମ(Stop Rape) ଘଟଣାକୁ ନେଇ ସାରା ଦେଶ ଉଠୁଛି ପଡ଼ୁଛି। ଏସବୁ ଭିତରେ ତ୍ରିପୁରା(Tripura)ରୁ ଆସିଛି ଅତ୍ୟନ୍ତ ଲଜ୍ଜା ତଥା ଭୟଙ୍କର ଘଟଣା। ଏଠାରେ ଜଣେ ୧୪ ମାସର ଶିଶୁ କନ୍ୟା ସହ ଘଟିଛି ଜଘନ୍ୟକାଣ୍ଡ। ତାଙ୍କୁ ଜଣେ ବ୍ୟକ୍ତି ଦୁଷ୍କର୍ମ କରିବା ପରେ ହତ୍ୟା କରି ପୋତି ଦେବା ଭଳି ଅମାନୁଷିକ କାଣ୍ଡ ଘଟାଇଛି। 

Advertisment

ଉତ୍ତର ତ୍ରିପୁରାର ପାନିସାଗର ଅଞ୍ଚଳରେ ଏପରି ଘଟଣା ଘଟିଛି। ପୁଲିସ୍‌ ଏହି ଘଟଣାରେ ଅଭିଯୁକ୍ତକୁ ଆସାମ(Assam)ର ନୀଲବଜାରରୁ ଗିରଫ କରିଛି। ଅଭିଯୁକ୍ତ ଜଣକ ଜଣେ ଦିନମୁଜୁରିଆ। 

ବାସ୍ତବରେ ଦୁଷ୍କର୍ମ ଘଟଣା ଶନିବାର ଘଟିଥିଲା। ଏହାପରେ ଶିଶୁ କନ୍ୟାକୁ ଅଭିଯୁକ୍ତ ଜଣକ ହତ୍ୟା କରି ଗୋଟିଏ ଚାଷ ଜମିରେ ପୋତି ଫେରାର ହୋଇଯାଇଥିଲା। ପୁଲିସ୍‌ ଅଭିଯୁକ୍ତକୁ ରବିବାର ଗିରଫ କରିଥିବା ପାନିସାଗର ପୁଲିସ୍‌ ଷ୍ଟେସନର ଅଧିକାରୀ ସୁମନ୍ତ ଭଟ୍ଟାଚାର୍ଯ୍ୟ ସୂଚନା ଦେଇଛନ୍ତି।

Advertisment

ତାଙ୍କ କହିବା କଥା ଯେ ଅଭିଯୁକ୍ତ ଜଣକ ଶିଶୁ କନ୍ୟାଙ୍କୁ ବୁଲାଇ ନେବା ନାଁରେ ତାଙ୍କ ମା’ଙ୍କ ପାଖରୁ ଆଣିଥିଲା। ଅଭିଯୁକ୍ତକୁ ପିଲାଟିର ମା’ ଜାଣି ଥିବାରୁ ତା’ କଥାରେ ରାଜି ହୋଇ ଯାଇଥିଲେ। କିନ୍ତୁ ମା’ କୋଳରୁ ଝିଅକୁ ନେବା ପରେ ୩ ଘଣ୍ଟା ଧରି ଆଉ ସେ ଫେରି ନଥିଲା। ଏହାକୁ ନେଇ ଶିଶୁ କନ୍ୟାର ପରିବାର ଲୋକ ପୂରା ବ୍ୟସ୍ତ ହୋଇପଡ଼ିଥିଲେ। ବଜୁଳି ବେଗରେ ଖବର ଗାଁ ଲୋକଙ୍କ ପାଖରେ ପହଞ୍ଚିଥିଲା। ଶେଷରେ ଶତାଧିକ ଗାଁ ଲୋକ ଅଭିଯୁକ୍ତ ଓ ଶିଶୁ କନ୍ୟାଙ୍କୁ ଖୋଜିବାରେ ଲାଗିପଡ଼ିଥିଲେ।

ବେଶ କିଛି ଘଣ୍ଟାର ଖୋଜାଖୋଜି ପରେ ସ୍ଥାନୀୟ ଅଞ୍ଚଳର ଗୋଟିଏ ଚାଷ ଜମିରୁ ଶିଶୁ କନ୍ୟାକୁ ମୃତ ଅବସ୍ଥାରେ ମାଟି ତଳୁ ଉଦ୍ଧାର କରାଯାଇଥିଲା। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହକୁ ହସ୍ତାନ୍ତର କରାଯାଇଥିଲା।

ଘଟଣାର ଦିନକ ପରେ ଅଭିଯୁକ୍ତକୁ ଆସାମରୁ ଗିରଫ କରାଯାଇଛି। ଏବେ ଘଟଣାର ଅଧିକ ତଦନ୍ତ ଚାଲିଥିବା ସେ କହିଛନ୍ତି। ଅଭିଯୁକ୍ତକୁ ପୁଲିସ୍‌ ଆଜି କୋର୍ଟରେ ହାଜର କରି ରିମାଣ୍ଡରେ ନେଇଥିବା ମଧ୍ୟ ଜଣାପଡ଼ିଛି। 

Assam Tripura Stop Rape