ବୃଦ୍ଧ ଦମ୍ପତିଙ୍କୁ ପୋଡ଼ି ମାରିବା ମାମଲାରେ ୧୭ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଯାଜପୁର ଅତିରିକ୍ତ ଜିଲ୍ଲା ଦୌରା ଜଜ। ସେମାନଙ୍କୁ ଆଜୀବନ ଜେଲ୍ ଓ ଜରିମାନା କରିଛନ୍ତି କୋର୍ଟ। ୨୦୨୦ ମସିହା ଜୁଲାଇ ୨୦ ତାରିଖ ବିଳମ୍ୱିତ ରାତିରେ ଘଟିଥିଲା ଏହି ଲୋମ ଟାଙ୍କୁରା ଘଟଣା।
କଳିଙ୍ଗନଗର ଥାନା ନିମପଲି ଗାଁ ସୁରିସାହିର ଶୈଳ ବାଲମୁଜ ଓ ସମ୍ବାରି ବାଲମୁଜ ନିଜ ଘରେ ଶୋଇଥିଲେ। ବିଳମ୍ୱିତ ରାତି ତାଙ୍କ ଘରେ ନିଆଁ ଲଗାଇ ଦିଆଯାଇଥିଲା। ଯାହାଫଳରେ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ ଦମ୍ପତି। ଗୁଣି ଗାରେଡିକୁ ସନ୍ଦେହ କରି ଗାଁର କିଛି ଲୋକ ବୃଦ୍ଧ ଦମ୍ପତିକୁ ପୋଡ଼ି ମାରିଦେଇଥିବା ଅଭିଯୋଗ ହୋଇଥିଲା।
କଳିଙ୍ଗନଗର ଥାନା ପୁଲିସ୍ ମାମଲା ରୁଜୁ କରି ୧୭ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଦୀର୍ଘ ୩ ବର୍ଷ ପରେ ଆଜି ଏହି ମାମଲାର ରାୟ ପ୍ରକାଶ ପାଇଛି। ୨୦ ଜଣ ସାକ୍ଷୀଙ୍କ ବୟାନ୍ ଓ ଅନ୍ୟାନ୍ୟ ପ୍ରମାଣ ଆଧାରରେ ଅତିରିକ୍ତ ଜିଲ୍ଲା ଦୌରା ଜର୍ଜ ହୃଷିକେଶ ଆଚାର୍ଯ୍ୟ ୧୭ ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସମସ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ସହିତ ୧୦ ହଜାର ଟଙ୍କା ଲେଖାଏଁ ଜରିମାନା କରିଛନ୍ତି। ଜରିମାନା ଅର୍ଥ ଦମ୍ପତିଙ୍କ ପରିବାରକୁ ପ୍ରଦାନ କରାଯିବ ବୋଲି ସରକାରୀ ଓକିଲ କହିଛନ୍ତି।
ରିପୋର୍ଟ- ଯାଜପୁରରୁ ଜନ୍ମେଜୟ ଦାଶ
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।