/odisha-reporter/media/media_files/2025/09/24/baba-2025-09-24-13-21-40.jpg)
ପାର୍ଥ ସାରଥି ଓ ଜବତ କାର୍
ଦେହରେ ଥିଲା ଗେରୁଆ ବସ୍ତ୍ର। ମୁଣ୍ଡରେ ଥିଲା ତିଳକ। ବାବାଙ୍କ ଘର ଓଡ଼ିଶାରେ। ହେଲେ ଦୀର୍ଘ ୧୨ ବର୍ଷ ହେଲା ସଂସାର ମୋହ ମାୟା ଛାଡ଼ି ଦିଲ୍ଲୀର ବସନ୍ତକୁଞ୍ଜରେ ଥିବା ଆଶ୍ରମରେ ରହୁଥିଲେ। ନିଜକୁ ବାବା ଭାବେ ପରିଚୟ ଦେଇ ଲୋକଙ୍କୁ ବାଣ୍ଟୁ ଥିଲେ ଜ୍ଞାନ। ହେଲେ ବାସ୍ତବରେ ସେ ଥିଲେ ଜଣେ ଭଣ୍ଡ। ନିଜକୁ ବାବା କହୁଥିଲେ। କିନ୍ତୁ ଆଶ୍ରମ ଭିତରେ କରୁଥିଲେ ଜଘନ୍ୟକାଣ୍ଡ। ଝିଅ ବୟସର ଯୁବତୀଙ୍କୁ ଦେଖିଲେ ଅସମ୍ଭାଳ ହେଉଥିଲା ବାବାଙ୍କ ଦେହର ତାତି।
କଅଁଳ ବୟସୀଙ୍କୁ ଦେଖି ବାବା ଭୁଲି ଯାଉଥିଲେ ନିଜର ହିତାହିତ ଜ୍ଞାନ। ସେମାନଙ୍କୁ ଦେଉଥିଲେ ଯୌନ ଉତ୍ପୀଡ଼ନ। ଜଣେ କି ଦୁଇ ଜଣ ନୁହେଁ, ୧୭ ଜଣ ଝିଅଙ୍କୁ ବାବା ତାଙ୍କ ଜାଲରେ ଫସାଇ ଦେଇଛନ୍ତି ଯୌନ ନିର୍ଯାତନା।
ଅନେକଙ୍କୁ ସେ ନିଜର ଶଯ୍ୟା ସଙ୍ଗିନୀ ହେବାକୁ ପ୍ରସ୍ତାବ ମଧ୍ୟ ଦେଇଛନ୍ତି। ବାବାଙ୍କ ପ୍ରସ୍ତାବରେ ରାଜି ହେଲେ ଭଲ କଥା। ନଚେତ ବିରୋଧକାରୀଙ୍କୁ ବାବାଙ୍କ ଲୋକମାନେ କରୁଥିଲେ ଆଟାକ। ବାବା ବି ପ୍ରତିରୋଧ କରୁଥିବା ଯୁବତୀଙ୍କୁ କରୁଥିଲେ ବଳାତ୍କାର। ଦେହର ଭୋକ ପାଇଁ ଗୁରୁ ପରମ୍ପରାକୁ କଳଙ୍କିତ କରିଛନ୍ତି ବଦନାମ ବାବା।
ଏଭଳି ଏକ ସାଂଘାତିକ କେଳେଙ୍କାରୀର ପର୍ଦ୍ଦାଫାସ ହୋଇଛି। ଦେଶର ରାଜଧାନୀ ଦିଲ୍ଲୀର ବସନ୍ତକୁଞ୍ଜ ଶ୍ରୀ ସାରଦା ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆନ୍ ମ୍ୟାନେଜମେଣ୍ଟର ପରିଚାଳକ ସ୍ୱାମୀ ଚୈତନ୍ୟାନନ୍ଦ ସରସ୍ୱତୀ ଓରଫ ପାର୍ଥ ସାରଥିଙ୍କ ସବୁ କଳା କାରନାମର ଗୁମର ଖୋଲି ଯାଇଛି। ପାର୍ଥ ସାରଥି ନିଜର ଆଶ୍ରମ ଦ୍ୱାରା ପରିଚାଳିତ ଶିକ୍ଷାନୁଷ୍ଠାନର ଛାତ୍ରୀମାନଙ୍କୁ ଅସଦାଚରଣ କରୁଥିଲେ।
ଦୁଷ୍କର୍ମ କରିବାକୁ ଅପଚେଷ୍ଟା କରିବାକୁ ମଧ୍ୟ ପଛାଉ ନଥିଲେ। ବଡ଼କଥା ହେଲା ବାବାଙ୍କ ବୟସ ପାଖାପାଖି ୮୦ ଟପିଲାଣି। ହେଲେ ଏ ବୟସର ମଧ୍ୟ ତାଙ୍କ ଦେହର ତାତି କମିନାହିଁ। ବାବାଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଓ ଅସଦାଚରଣ ଅଭିଯୋଗ ଆସିବା ପରେ ୩୨ ଜଣ ଛାତ୍ରୀଙ୍କ ବୟାନ ରେକର୍ଡ କରାଯାଇଥିଲା। ଆଉ ସେଥିମଧ୍ୟରୁ ୧୭ ଜଣ ଛାତ୍ରୀ ବାବାଙ୍କ ଯୌନ କେଳେଙ୍କାରୀର ଗୁମର ଖୋଲି ଦେଇଛନ୍ତି।
ସେମାନେ କହିଛନ୍ତି ଯେ ବାବା ପାର୍ଥ ସାରଥି ନିଜକୁ ଆଧ୍ୟାତ୍ମକି ଗୁରୁ ବୋଲି କହୁଥିଲେ ହେଁ ଛାତ୍ରୀମାନଙ୍କ ସହ କଥା ହେଲାବେଳେ ଖରାପ ଭାଷା ବ୍ୟବହାର କରନ୍ତି। ରାତିରେ ଅଶ୍ଳୀଳ ମେସେଜ୍ ପଠାଇ ହଇରାଣ କରନ୍ତି। ପାଖରେ ଏକୁଟିଆ ପାଇଲେ ଜୋରଜବରଦସ୍ତ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରନ୍ତି।
ଏମିତି କି ବାବାଙ୍କ ଏହି ଅପକର୍ମକୁ ଚରିତାର୍ଥ କରିବାକୁ ମହିଳା ଅଧ୍ୟାପିକା ଓ ପ୍ରଶାସନିକ କର୍ମଚାରୀମାନେ ମଧ୍ୟ ଛାତ୍ରୀମାନଙ୍କ ଉପରେ ଚାପ ପକାନ୍ତି। ଏପରି ଅଭିଯୋଗ ଆସିବା ପରେ ପୁଲିସ ଏହି ଘଟଣାରେ ଅସଦାଚରଣ ଓ ଯୌନ ନିର୍ଯାତନା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ତଦନ୍ତ ବେଳେ ପୁଲିସ୍ ବାବାଙ୍କ ଗୋଟିଏ ଭଲଭୋ କାର୍ ଜବତ କରିଛି। ଏଥିରେ ଲାଗିଥିବା ନକଲି 39UN1 ନମ୍ବର ରହିଛି। ଏହି ଗାଡ଼ିରେ ବାବା ରାଜଧାନୀରେ ବୁଲୁଥିଲେ। ଏଇ ଗାଡ଼ିରେ ରୋମାନ୍ସ କରୁଥିଲେ। ଅଭିଯୋଗ ଆସିବା ପରେ ବାବାଙ୍କୁ ଶ୍ରୀ ଶ୍ରୀଙ୍ଗେରି ମଠ ପକ୍ଷରୁ ନିର୍ଦ୍ଦେଶକ ପଦରୁ ହଟାଇ ଦିଆଯାଇଛି। ଅଭିଯୋଗ ପରେ ଫେରାର ହୋଇଯାଇଥିବା ପାର୍ଥ ସାରଥି ଏବେ ଆଗ୍ରା ଅଞ୍ଚଳରେ ରହିଛନ୍ତି। ତାଙ୍କୁ ଧରିବା ପାଇଁ ପୁଲିସ୍ ଚଢ଼ଉ ଜାରି ରଖିଛି।
ପ୍ରଥମଥର ପାଇଁ ପାର୍ଥ ସାରଥିଙ୍କ ବିରୋଧରେ ଏପରି ଅପରାଧିକ ମାମଲା ହୋଇନାହିଁ। ୨୦୦୯ରେ ମଧ୍ୟ ଡିଫେନ୍ସ କଲୋନୀରେ ତାଙ୍କ ବିରୋଧରେ ଠକେଇ ଓ ଅସଦାଚରଣ ମାମଲା ହୋଇଥିଲା। ୨୦୧୬ରେ ବସନ୍ତ କୁଞ୍ଜର ଜଣେ ମହିଳା ବାବାଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଆଣିଥିଲେ।
ପୁଲିସ କହିଛି ଯେ ପାର୍ଥ ସାରଥିଙ୍କ ମୂଳ ଘର ଓଡ଼ିଶାରେ। ସେ ୧୨ ବର୍ଷ ହେଲା ଆଶ୍ରମରେ ରହୁଛନ୍ତି। ଉଭୟ ଅପରେଟର ଓ କେୟାର ଟେକର ଭାବେ ସେ ଆଶ୍ରମରେ କାମ କରୁଥିଲେ। ଘଟଣା ପରେ ଶ୍ରୀ ଶ୍ରୀ ଜଗଦଗୁରୁ ମହାସଂସ୍ଥାନ ପକ୍ଷରୁ ପାର୍ଥ ସାରଥିଙ୍କ ସହ କୌଣସି ସମ୍ପର୍କ ନଥିବା ସ୍ପଷ୍ଟ କରିଛି।
ଫେରାର ଥିବା ବାବାଙ୍କୁ ଧରିବା ପାଇଁ ପୁଲିସ ସିସିଟିଭିର ଯାଞ୍ଚ କରିବା ସହ ବିଭିନ୍ନ ସ୍ଥାନରେ ରେଡ କରୁଛି। ସେହିପରି ହାର୍ଡ ଡିସ୍କ ଓ ଗୋଟିଏ ଭିଡିଓ ରେକର୍ଡରକୁ ମଧ୍ୟ ଜବତ କରାଯାଇଛି। ସେଗୁଡ଼ିକୁ ଫରେନ୍ସିକ ଲ୍ୟାବକୁ ପଠା ଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
