ବିଦାୟୀ ବର୍ଷରେ ୧୮୧ ଜଣ ଦୁର୍ନୀତିଗ୍ରସ୍ତ ସରକାରୀ ବାବୁଙ୍କୁ ବାନ୍ଧିଛି ଭିଜିଲାନ୍ସ । କେବଳ ସରକାରୀ ବାବୁ ନୁହନ୍ତି ସେମାନଙ୍କ ସହଯୋଗୀଙ୍କୁ ବାନ୍ଧିବା ସହ ସେମାନଙ୍କ ନାଁରେ ରୁଜୁ ହୋଇଛି ୨ଶହରୁ ଅଧିକ ମାମଲା ।
୧୮୧ ଜଣ ସରକାରୀ ଅଫିସରଙ୍କ ମଧ୍ୟରେ ୫୦ ଜଣ କ୍ଲାସ୍ ୱାନ୍ ଅଫିସର, ୬ ଜଣ ଚିଫ୍ ଇଞ୍ଜିନିୟର, ଅବକାରୀ ଯୁଗ୍ମ କମିଶନର, ଡେପୁଟି ଡାଇରେକ୍ଟର ଫିସେରୀ, ସିଟି-ଜିଏସଟିର ଦୁଇ ଜଣ ଆସିଷ୍ଟାଣ୍ଟ କମିଶନର, ୨ ତହସିଲଦାର, ୨ ବିଡିଓ, ୩ ସିଏସଓ ରହିଛନ୍ତି । ଏହା ସହ ୧୯ ଜଣ ଇଞ୍ଜିନିୟର, ୨୨ ରାଜସ୍ୱ ଅଧିକାରୀ, ୨୦ ଜଣ ପିଆର, ଡିଡବ୍ଲୁ ଅଫିସିଆଲ ସହ ୯ ଜଣ ପୁଲିସ ଅଧିକାରୀ ବି ଗିରଫ ହୋଇଛନ୍ତି । ଏତିକିରେ ସରିନି ଅସାଧୁ କାରବାରରେ ଲିପ୍ତ ଥିବା ଅଭିଯୋଗରେ ଭିଜିଲାନ୍ସ ୫ ଡାକ୍ତର, ୩ ବନ ଅଧିକାରୀଙ୍କୁ ବି ଗିରଫ କରିଛି ।
୬୦ରୁ ଅଧିକ ଆୟ ବହିର୍ଭୂତି ସଂପତ୍ତି ଠୁଳ ମାମଲା ରୁଜୁ ହୋଇଥିବା ବେଳେ ୧୩୧ କୋଟି ଟଙ୍କା ସିଜ୍ କରିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଭିଜିଲାନ୍ସ ୯୬ଟି ଟ୍ରାପ କେସ୍ ରୁଜୁ କରିଥିଲା । ଯାହାଦ୍ୱାରା ୧୧୫ଜଣଙ୍କୁ ରଙ୍ଗେ ହାତ ଲାଞ୍ଚ ନେବା ବେଳେ ଧରିଥିଲା । ସେମାନଙ୍କ ମଧ୍ୟରୁ ୯୯ ଜଣ ହେଉଛନ୍ତି ସରକାରୀ ଅଧିକାରୀ । ଏହି ଅଧିକାରୀମାନେ ମୋଟ ୧୯ ଲକ୍ଷ ୨୫ ହଜାର ଟଙ୍କା ଲାଞ୍ଚ ଗ୍ରହଣ କରିଥିଲେ ।
ସେପଟେ ବିଭିନ୍ନ ମାମଲାରେ ୪୮୩ଟି ସ୍ଥାନରେ ଭିଜିଲାନ୍ସ ରେଡ ହୋଇଥିବା ବେଳେ ୭୯୨ଟି ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ କରିଛି ଭିଜିଲାନ୍ସ । ଚଳିତ ବର୍ଷ ୧୦୫ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଥିବା ବେଳେ ୫୦ ପ୍ରତିଶତ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।